Categories: ଜାତୀୟ

ଅଗଷ୍ଟ ୧୫ ପୂର୍ବରୁ ହୋଇପାରେ ବଡ଼ ନିଷ୍ପତ୍ତି : ଆଶଙ୍କାରେ କଶ୍ମୀରବାସୀ

ଶ୍ରୀନଗର,୩ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସପ୍ତାହକ ମଧ୍ୟରେ ଅତିରିକ୍ତ ୩୮,୦୦୦ ଯବାନଙ୍କୁ ପଠାଯିବା ପରେ ଉପତ୍ୟକାବାସୀ ଆଶଙ୍କାରେ ରହିଛନ୍ତି। କେନ୍ଦ୍ର ସରକାର ଗତ ୨୭ ତାରିଖରେ ୧୦ ହଜାର ଓ ଗୁରୁବାର ୨୮ ହଜାର କେନ୍ଦ୍ରୀୟ ଯବାନଙ୍କୁ କଶ୍ମୀରକୁ ପଠାଇଛନ୍ତି। ଆଭ୍ୟନ୍ତରୀଣ ନିରାପତ୍ତା ଆବଶ୍ୟକତା ପୂରଣ ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ହେଲେ ସମ୍ବିଧାନର ଅନୁଚ୍ଛେଦ ୩୫ଏକୁ ଉଚ୍ଛେଦ ପାଇଁ ଏପରି କରାଯାଉଥିବା ଉପତ୍ୟକାବାସୀ ସନ୍ଦେହ କରୁଛନ୍ତି। ଆସନ୍ତା ୧୫ ତାରିଖ ପୂର୍ବରୁ ଏନେଇ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ। ସେହିପରି ଜମ୍ମୁ-କଶ୍ମୀରକୁ ତିନିଭାଗରେ ବିଭକ୍ତ କରି ଜମ୍ମୁ, ଉପତ୍ୟକା ଓ ଲଦାଖ ନାମରେ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇପାରେ ବୋଲି କୁହାଯାଉଛି। ସେଠାରେ ଏତେସଂଖ୍ୟକ ସୁରକ୍ଷା ବଳଙ୍କ ଉପସ୍ଥିତି ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଏବେ ସାଧାରଣ କଶ୍ମୀରୀଙ୍କ ପ୍ରାଥମିକତା ହେଉଛି ଔଷଧ, ତେଲ, ଲୁଣ, ଚା ଓ ପନିପରିବା। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସଜାଗ ରହିବା ପାଇଁ ସୁରକ୍ଷା ବଳକୁ ନିର୍ଦ୍ଦେଶ ଦିଆଯାଇଥିବାରୁ କେତେବେଳେ କ’ଣ ଘଟିବ ନେଇ ଉପତ୍ୟକାବାସୀ ଦ୍ୱନ୍ଦ୍ୱରେ ରହିଥିବାବେଳେ ଗୁଜବକୁ ବିଶ୍ୱାସ ନ କରିବା ପାଇଁ ରାଜ୍ୟପାଳ ସତ୍ୟପାଲ ମଲିକ ପରାମର୍ଶ ଦେଇଛନ୍ତି।

Share