Categories: ଜାତୀୟ

ଅଗଷ୍ଟ ୧୩ରେ ଏନ୍‌ଏଲ୍‌ଏଫ୍‌ଟି ଉଗ୍ରବାଦୀ ସଂଗଠନର ୮୮ ସଦସ୍ୟ କରିବେ ଆତ୍ମ ସମର୍ପଣ

ନୂଆଦିଲ୍ଲୀ/ଅଗରତଲା,୧୧।୮: ଅଗଷ୍ଟ ୧୩ରେ ତ୍ରିପୁରାର ଏନ୍‌ଏଲ୍‌ଏଫ୍‌ଟି ଉଗ୍ରବାଦୀ ସଂଗଠନର ୮୮ ସଦସ୍ୟ ଆତ୍ମ ସମର୍ପଣ କରିବେ। ଏନେଇ କେନ୍ଦ୍ର ସରକାର ଏବଂ ଏନ୍‌ଏଲ୍‌ଏଫ୍‌ଟି ମଧ୍ୟରେ ଶାନ୍ତି ଆଲୋଚନା ହୋଇଛି। ଏହି ଶାନ୍ତି ପ୍ରସ୍ତାବରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଉତ୍ତର-ପୂର୍ବ ଯୁଗ୍ମ ସଚିବ ସତ୍ୟେନ୍ଦ୍ର ଗର୍ଗ, ତ୍ରିପୁରା ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ କୁମାର ଆଲୋକ ଏବଂ ଏନ୍‌ଏଲ୍‌ଏଫ୍‌ଟିର ସାବିର କୁମାର ଦେବବର୍ମା ସ୍ବାକ୍ଷର କରିଛନ୍ତି। ପୂର୍ବରୁ ସାବିର କୁମାରଙ୍କ ନେତୃତ୍ୱରେ ଏନ୍‌ଏଲ୍‌ଏଫ୍‌ଟିର ପ୍ରତିନିଧି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଥିଲେ। ୧୯୮୯ରୁ ସକ୍ରିୟ ଥିବା ଏନ୍‌ଏଲ୍‌ଏଫ୍‌ଟି ଗତ ୩୦ ବର୍ଷ ଧରି ରାଜ୍ୟରେ ବିଭିନ୍ନ ହିଂସାକାଣ୍ଡ ସହିତ ଜଡ଼ିତ ଥିଲା। ୨୦୦୫ରୁ ୨୦୧୫ ମଧ୍ୟରେ ଏନ୍‌ଏଲ୍‌ଏଫ୍‌ଟି ୩୧୭ ହଂସାକାଣ୍ଡ ଘଟାଇଥିଲା। ଏଥିରେ ୨୮ ସୁରକ୍ଷାକର୍ମୀ ଏବଂ ୯୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ୧୯୯୭ରେ କେନ୍ଦ୍ର ସରକାର ଏନ୍‌ଏଲ୍‌ଏଫ୍‌ଟି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେବେ ୨୦୧୬ଠାରୁ ଏହି ସଂଗଠନ କୌଣସି ହିଂସାକାଣ୍ଡ ସହିତ ଜଡ଼ିତ ନ ଥିବା କୁହାଯାଉଛି।

Share