Categories: ବାଣିଜ୍ୟ

ଅଗଷ୍ଟରେ ଗୋଲ୍ଡ ଇଟିଏଫ୍‌ରେ ୧୪୫ କୋଟି ନିବେଶ

ନୂଆଦିଲ୍ଲୀ,୧୧-୯: ଗୋଲ୍ଡ ଇଟିଏଫ୍‌(ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌)ରେ ଅଗଷ୍ଟରେ ୧୪୫ କୋଟି ଟଙ୍କା ନିବେଶ କରାଯାଇଛି। ୯ମାସ ମଧ୍ୟରେ ପ୍ରଥମଥର ଗୋଲ୍ଡ ଇଟିଏଫ୍‌ରେ ସର୍ବାଧିକ ନିବେଶ ହୋଇଥିବା ଦେଖାଯାଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ଏବଂ ସୁନା ମୂଲ୍ୟ ବଢ଼ିବା କାରଣରୁ ଗୋଲ୍ଡ ଇଟିଏଫ୍‌ରେ ନିବେଶ ବୃଦ୍ଧି ପାଇଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ନିବେଶକ ଏହାକୁ ସୁରକ୍ଷିତ ନିବେଶ ବୋଲି ମନେକରୁଛନ୍ତି। ସୂଚନାଥାଉ କି, ୨୦୧୨ ଡିସେମ୍ବର ପରେ ଏଥିରେ ସର୍ବାଧିକ ନିବେଶ ହୋଇଛି। ସେହିବର୍ଷ ଇଟିଏଫ୍‌ରେ ୪୭୪ କୋଟି ଟଙ୍କା ନିବେଶ ହୋଇଥିଲା। ଏଥିରେ ମାସିକ ଏବଂ ବାର୍ଷିକ ଆଧାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ, ଜୁଲାଇରେ ଗୋଲ୍ଡ ଇଟିଏଫରୁ ୧୭.୬୬ କୋଟି ଟଙ୍କା କାଢ଼ି ନିଆଯାଇଛି। ସେହିପରି ଗତବର୍ଷ ଅଗଷ୍ଟରେ ୪୫ କୋଟି ଟଙ୍କା କାଢ଼ିନିଆଯାଇଥିଲା। ଆସୋସିଏଶନ ଅଫ୍‌ ମ୍ୟୁଚୁଆଲ ଫଣ୍ଡସ ଇନ୍‌ ଇଣ୍ଡିଆର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ମାସରେ ଗୋଲ୍ଡ ଇଟିଏଫ୍‌ରେ ୧୪୫.୨୯ କୋଟି ଟଙ୍କା ନିବେଶ ହୋଇଛି।

Share