Categories: ଗଞ୍ଜାମ

ଅଗଷ୍ଟରୁ ବଦଳିବ ବ୍ରହ୍ମପୁର ଟ୍ରାଫିକ ବ୍ୟବସ୍ଥାର ଚିତ୍ର : କାର୍ଯ୍ୟକ୍ଷମ ହେବ ଇଣ୍ଟିଗ୍ରେଟେଡ ଟ୍ରାଫିକ ସିଷ୍ଟମ

ବ୍ରହ୍ମପୁର ଅଫିସ,୧୪ା୭-ବ୍ରହ୍ମପୁରରେ ସୁଧୁରିବ ଟ୍ରାଫିକ ବ୍ୟବସ୍ଥା । ଅଗଷ୍ଟରୁ ବଦଳିବ ଏହାର ଚିତ୍ର । ଅଗଷ୍ଟ ଶେଷ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଟିଏମଏସ) କାର୍ଯ୍ୟକ୍ଷମ ହେବ ।ଏନେଇ ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସ୍ପଷ୍ଟ କରିଛନ୍ତି । ବିଏମ୍‌ସି କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ଟ୍ରାଫିକ ସିଷ୍ଟମ ସପ୍ଟୱେର ଡେଭଲପମେଣ୍ଟ କାର୍ଯ୍ୟ ଶେଷ ହେବ । ଅଗଷ୍ଟ ପହିଲାରୁ ଏହାର ଟ୍ରାୟଲ ରନ କରାଯିବା ସହ ଏନେଇ ଜନସଚେତତନା କରାଯିବ । ଅଗଷ୍ଟ ୧୫ ଅଥବା ୩୧ ସ୍ବାୟତ୍ତଶାସନ ଦିବସରୁ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ।
କାର୍ଯ୍ୟକ୍ଷମ ହେବା ପରବର୍ତ୍ତୀ ସମୟରୁ ଜରିମାନା ଆଦାୟ ମଧ୍ୟ ଆରମ୍ଭ ହେବ ବୋଲି କମିଶନର ସୂଚାଇଛନ୍ତିି ।
ସୂଚନା ପ୍ରକାରେ, ଏହି ଆଇଟିଏମଏସ ସିଷ୍ଟମରେ ଜନଗହଳିପୂର୍ଣ୍ଣ ଟାଟାବେଞ୍ଜ, ପିଭିଏନ୍‌ ରାଓ ପେଟ୍ରୋଲ ପମ୍ପ, କମାପଲ୍ଲୀ, ଗେଟବଜାର, କୋର୍ଟପେଟାରେ ଅଟୋ ଟ୍ରାଫିକ ସିଗନାଲ ଲାଇଟ ସହ ଇଣ୍ଟିଗ୍ରେଟେଡ କ୍ୟାମେରା ଲାଗିବ । ଛକକୁ ସଂଯୋଗୀକରଣ ରାସ୍ତା ଅନୁସାରେ ପ୍ରତି ରାସ୍ତା ପାଇଁ ଦୁଇଟି ଲେଖାଏ ଇଣ୍ଟିଗ୍ରେଟେଡ କ୍ୟାମେରା ଲାଗିବ । ଏବେ ସୁଧା କୋର୍ଟପେଟା ଛକରେ ଦୁଇଟି କ୍ୟାମେରା ଲଗାଯାଇଥିବା ବେଳେ କ୍ୟାମେରାର ଟ୍ରାୟଲ ରନ କାର୍ଯ୍ୟ ଚାଲୁ ରହିଛି । ଏହା ବ୍ୟତୀତ ୩ଟି ଛକରେ ଅଟୋ ଟ୍ରାଫିକ ସିଗନାଲ ଲାଇଟ ଖଞ୍ଜା କାର୍ଯ୍ୟ ସରିଛି ।
ଜୁଲାଇ ଶେଷ ସୁଦ୍ଧା ସମସ୍ତ ନିର୍ଦ୍ଧାରିତ ଛକରେ ଟ୍ରାଫିକ ସିଗନାଲ ଲାଇଟ ଓ ଇଣ୍ଟିଗ୍ରେଟେଡ କ୍ୟାମେରା ଖଞ୍ଜାଯିବା କାର୍ଯ୍ୟ ସରିବ ା ସହରର ଅନ୍ୟାନ୍ୟ ପ୍ରମୁଖ ବ୍ୟବସାୟିକ ତଥା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ୧୦୦ ଇଣ୍ଟିଗ୍ରେଟେଡ କ୍ୟାମେରା ଲଗାଯିବ ା
ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଟ୍ରାଫିକ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା ସୁଧାରିବା ସହ ଅପରାଧ, ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖିହେବ ା
ସହର ରାସ୍ତାରେ ଆବର୍ଜନା ପକାଉଥିବା ତଥା ଜବରଦଖଲକାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ା ତେବେ ଆଇଟିଏମଏସରେ ୩.୯ କୋଟି ଟଙ୍କା ବ୍ୟୟଅଟକଳ ହୋଇଥିବା ବେଳେ ବର୍ଷକୁ ବିଏମ୍‌ସି ପକ୍ଷରୁ ଏହାର ପରିଚାଳନା ବାବଦକୁ ୪୦ ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ା