ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ପରିସରରେ ସ୍ଥାନ ଚିହ୍ନଟ ଲାଗି ପ୍ରଶାସନ, ସେବାୟତଙ୍କ ମଧ୍ୟରେ ବୈଠକ

ପୁରୀ ଅଫିସ, ୨୫।୪: ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି ଓ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା। ଶୁକ୍ରବାର ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ନିଆଯାଇଥିବା ଏହି ନିଷ୍ପତ୍ତି କିପରି ସୂଚାରୁ ରୂପେ ସମ୍ପାଦନ ହେବ ସେଥିଲାଗି ଶନିବାର ଜିଲାପାର ବଲଓ୍ବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ସେବକମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସରକାରଙ୍କ ଗାଇଡ୍‌ ଲାଇନ୍‌ ମାନି ଠାକୁରଙ୍କ ନୀତିକାନ୍ତି କରାଯିବ ବୋଲି ସମସ୍ତେ ସହମତି ପ୍ରକାଶ କରିଛନ୍ତି। ମନ୍ଦିର ପରିସର ଜଳକ୍ରିଡ଼ା ମଣ୍ଡପ ନିକଟରେ ଆଉ ୨ଟି କୁଣ୍ଡ ତିଆରି କରାଯିବ। ଏହି କୁଣ୍ଡ ପତଳରେ ତିଆରି କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଏଥିରେ ମହାପଭୁଙ୍କ ସମେତ ପଞ୍ଚ ମହାଦେବ ଜଳକ୍ରିଡ଼ା କରିବେ। ସେହିପରି ସ୍ନାନବେଦୀ ଓ ସାହାଣ ମଣ୍ଡପ ମଧ୍ୟଭାଗରେ ଅକ୍ଷୟ ତୃତୀୟା ବିଦ୍ଧି ସମ୍ପନ୍ନ କରାଯିବ। ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପହଞ୍ଚିବା ପରେ ସେଠାରେ ରଥ ନିର୍ମାଣ ଅନୁକୂଳ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ପଞ୍ଚ ମହାଦେବ ସେବାୟତ ଏବଂ ଶ୍ରୀମନ୍ଦିରର ବିଭିନ୍ନ ନିଯୋଗ ଯୋଗ ଦେଇଥିଲେ।