ଅକ୍ଟୋବର ୩୧ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାର

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଚଳିବ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଓଡ଼ିଶା ସଚିବାଳୟ ସେବା ସଂଘ(ଓସା) ନିର୍ବାଚନ ପ୍ରକ୍ରିୟା ସମାପ୍ତ କରାଯାଉ। ଏହି ପ୍ରକ୍ରିୟା ଆରମ୍ଭ ସମ୍ପର୍କିତ ଏବ ସବିଶେଷ ବିବରଣୀ ୧୦ ଦିନ ମଧ୍ୟରେ ପ୍ରଦାନ କରାଯାଉ। ଏହି ମର୍ମରେ ଗୃହ ବିଭାଗ ପକ୍ଷରୁ ଓସା ସମ୍ପାଦକଙ୍କୁ ଶୁକ୍ରବାର ଚିଠି ପଠାଯାଇଛି।
ଗୃହ ବିଭାଗ ଅନୁଶାସନ ସଚିବ ଜି.ଏସ୍‌. ଦାସଙ୍କ ପକ୍ଷରୁ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଶେଷଥର ପାଇଁ ୨୦୧୭ ଜୁଲାଇ ୨୯ରେ ଓସା ନିର୍ବାଚନ ହୋଇଥିଲା। ସେ ସମୟରେ ନିର୍ବାଚିତ ପ୍ରତିନିଧିମାନଙ୍କ ଦାୟିତ୍ୱ ଗତ ଜୁଲାଇ ୨୮ରୁ ସମାପ୍ତ ହୋଇଛି। ତେଣୁ ଓସା ପରିଚାଳିତ ହେଉଥିବା ନିୟମାବଳୀ(ବାଇ’ଲ) ଅନୁଯାୟୀ ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ହେବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ, ଓସା ନିର୍ବାଚନ ବିଳମ୍ବ ନେଇ ଧରିତ୍ରୀରେ ପ୍ରଥମେ ଖବର ପ୍ରକାଶ ପାଇଥିଲା। ଏହା ପରେ ନିର୍ବାଚନ ପ୍ରକ୍ରିୟା ନେଇ କର୍ମଚାରୀ ମହଲରେ ଆଲୋଡନ ସୃଷ୍ଟି ହୋଇଥିଲା। ପ୍ରାୟ ୧୨୪୨ ଜଣ ସଚିବାଳୟ କର୍ମଚାରୀଙ୍କ ଦସ୍ତଖତ ସମ୍ବଳିତ ଏକ ପତ୍ର ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ପ୍ରଦାନ କରାଯାଇଥିଲା। ଏହା ପରେ ସମସ୍ତ ପ୍ରକାର ତର୍ଜମା କରାଯାଇ ବିଭାଗ ପକ୍ଷରୁ ଓସାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।