ଅଂଶୁଘାତ ଓ୍ବାର୍ଡରେ କେକ୍‌ କାଟିଲେ ଦିଦି: ଦେଢ଼ଘଣ୍ଟାର ନୃତ୍ୟ, ଗୀତ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୨୯।୪:  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଖୋଲାଯାଇଛି ଅଂଶୁଘାତ ଓ୍ବାର୍ଡ। ଆକ୍ରାନ୍ତମାନଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେବାକୁ ଶୀତତାପ ନିୟନ୍ତ୍ରିତ ଏହି କକ୍ଷରେ ସମସ୍ତ ବ୍ୟବସ୍ଥା କରାଯାଇଛି। ହେଲେ ଶନିବାର ରାତିରେ ଏହି ସ୍ବତନ୍ତ୍ର କକ୍ଷର ପୁରୁଷ ଓ୍ବାର୍ଡରେ କେକ୍‌କାଟି ଜନ୍ମଦିନ ପାଳନ କରିଛନ୍ତି ଜନୈକା ଷ୍ଟାଫ୍‌ ନର୍ସ। ଦେଢ଼ଘଣ୍ଟା ଧରି ଗୀତ ବଜାଇବା ସହ ନୃତ୍ୟ କରି ସମ୍ପୃକ୍ତା ଦିଦିଙ୍କ ସହ ଅନ୍ୟ କେତେଜଣ ଦିଦି ଜନ୍ମଦିବସର ମଜା ଉଠାଇଛନ୍ତି। ମେଡିକାଲ ମଧ୍ୟରେ ନୀରବତା ରକ୍ଷା କରିବା ପରିବର୍ତ୍ତେ ଦିଦିମାନଙ୍କ ଏପରି କୋଳାହଳମୟ ଜନ୍ମଦିନ ପାଳନ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଶନିବାର ଜନୈକା ଷ୍ଟାଫ ନର୍ସଙ୍କ ଜନ୍ମ ଦିନ ଥିଲା। ସକାଳେ ସହକର୍ମୀମାନେ ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ହେଲେ ସନ୍ଧ୍ୟାରେ ଭିନ୍ନ ଧରଣର ଆୟୋଜନ କରାଯାଇଥିଲା। ଡ୍ୟୁଟି ସରିବା ମାତ୍ରେ ସମ୍ପୃକ୍ତା ଦିଦିଙ୍କ ସହ ଅନ୍ୟମାନେ ଅଂଶୁଘାତ ଓ୍ବାର୍ଡର ପୁରୁଷ ବିଭାଗକୁ ଦଖଲ କରିନେଇଥିଲେ। ପରେ କେକ୍‌ କଟାଯାଇ ସେଠାରେ ଜନ୍ମଦିନ ପାଳନ କରାଯାଇଥିଲା। ଦେଢ଼ ଘଣ୍ଟା ଧରି ଦିଦିମାନେ ନାଚ ଗୀତ ଚଳାଇ ପରିବେଶକୁ ପୂରା ଉତ୍ସବମୟ କରିଦେଇଥିଲେ। ଏହି ସମୟରେ ମେଡିକାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଅଂଶୁଘାତ ଓ୍ବାର୍ଡରେ ଏପରି କୋଳାହଳକୁ ନେଇ ସନ୍ଦେହରେ ପଡ଼ିଥିଲେ। କେତେଜଣ ସମ୍ପର୍କୀୟ ସନ୍ଦେହ ଦୂର ପାଇଁ ଉକ୍ତ ଓ୍ବାର୍ଡ ମଧ୍ୟକୁ ପ୍ରବେଶ କରିବା ପରେ ସେଠାରେ ଜନ୍ମଦିନ ପାଳନ ହେଉଥିବା ସମ୍ପର୍କରେ ଅବଗତ ହୋଇଥିଲେ। ମେଡିକାଲ ମଧ୍ୟରେ ଦିଦିମାନଙ୍କ ଏପରି କାର୍ଯ୍ୟ ସେମାନଙ୍କୁ ଯେତିକି ଆଶ୍ଚର୍ଯ୍ୟଚକିତ କରିଥିଲା, ସେତିକି ଅସନ୍ତୋଷ ମଧ୍ୟ ସୃଷ୍ଟି କରିଥିଲା। ଦିଦିମାନେ ଚାହିଁଥିଲେ ଅଧିକ ସମୟ ରୋଗୀ ସେବା କରି ଜନ୍ମଦିବସକୁ ଅଧିକ ସ୍ବତନ୍ତ୍ର କରିପାରିଥାନ୍ତେ। ସେବିକା ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରି ଥାନ୍ତେ। କିନ୍ତୁ ତାହା ନ କରି ଚିକିତ୍ସାଳୟ ମଧ୍ୟରେ ଏପରି ନୃତ୍ୟଗୀତ କରିବା କେତେଦୂର ଗ୍ରହଣଯୋଗ୍ୟ ବୋଲି ମେଡିକାଲ ପରିସରରେ ଆଲୋଚନା ହେଉଛି।

ଘଟଣା ସମ୍ପର୍କରେ ଏଡିଏମ୍‌ଓ ଲକ୍ଷ୍ମୀ ନାରାୟଣ ବିଶୋଇ କହିଛନ୍ତି, ଏପରି କିଛି ହୋଇଥିବା ସୂଚନା ପାଇନାହିଁ। ତଥାପି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବି ବୋଲି ସେ ପ୍ରକାଶ କରିଛନ୍ତି।