ହେଲିକପ୍ଟର ମନି ଏକ ବଡ଼ ବିକଳ୍ପ

ଡ. ସନ୍ତୋଷ କୁମାର ମହାପାତ୍ର

ଦିନକୁ ଦିନ କରୋନା ସଂକ୍ରମଣର ପ୍ରଭାବ ଅଧିକରୁ ଅଧିକ ଭୟଙ୍କର ହେଉଛି। ଏହା କେବଳ ଏକ ସ୍ବାସ୍ଥ୍ୟ ସମସ୍ୟା ହୋଇ ରହିନାହିଁ ବରଂ ମାନବଜାତି ପାଇଁ ଏକ ବିରାଟ ସଙ୍କଟ ଭାବେ ଉଭା ହୋଇଛି। ଏହା ଯୋଗାଣ ଅଭାବ, ଚାହିଦା ହ୍ରାସ, ଫାଇନାନ୍‌ସିଆଲ ଶକ୍‌ ମାଧ୍ୟମରେ ବିଭିନ୍ନ ଦେଶର ଅର୍ଥନୀତିକୁ ଧୂଳିସାତ୍‌ କରିଦେଲାଣି। ଷ୍ଟକ୍‌ ମାର୍କେଟ୍‌ର ପତନକୁ ଫାଇନାନ୍‌ସିଆଲ ଶକ୍‌ କୁହାଯାଏ। ୧୯୩୦ ଦଶକରେ ଦେଖାଦେଇଥିବା ‘ଦି ଗ୍ରେଟ୍‌ ଡିପ୍ରେସନ୍‌’ର ଆଶଙ୍କା ବର୍ତ୍ତମାନ ଦେଖାଦେଇଛି। ଭାରତୀୟ ଅର୍ଥନୀତିରେ ବିଭିନ୍ନ ପ୍ରକାର ଆର୍ଥିକ ସମସ୍ୟା ଅନୁଭୂତ ହେବା ସହିତ ୨୦୨୦-୨୧ରେ ବିଯୁକ୍ତାତ୍ମକ ଅଭିବୃଦ୍ଧି ହେବ ବୋଲି ପୂର୍ବାନୁମାନରୁ ଜଣାପଡ଼ିଛି। ଅଭିବୃଦ୍ଧି ହ୍ରାସ ଚିନ୍ତାର ବିଷୟ ନୁହେଁ, କିନ୍ତୁ ଲୋକଙ୍କ ଜୀବିକାର ଉତ୍ସ ଧ୍ୱଂସ ପାଇବା, କ୍ଷୁଧା, ବେକାରି ଓ ଦାରିଦ୍ର୍ୟ ବ୍ୟାପକ ହେବା ଚିନ୍ତାର ବିଷୟ। ସାଧାରଣତଃ ଯେତେବେଳେ ଅଧିକ ଆର୍ଥିକ ଅଭିବୃଦ୍ଧି ହୁଏ ତାହାର ସୁଫଳର ମୁଖ୍ୟଭାଗ ଧନିକ ଶ୍ରେଣୀକୁ ଯାଏ। ଗରିବମାନେ ସେପରି ଉପକୃତ ହୁଅନ୍ତି ନାହିଁ। କିନ୍ତୁ ଯେତେବେଳେ ଅଭିବୃଦ୍ଧି ହ୍ରାସ ପାଏ, ସେତେବେଳେ ସାଧାରଣ ଜନତା ବେଶି କ୍ଷତିଗ୍ରସ୍ତ ହୋଇଥାନ୍ତି। ଏଣୁ କରୋନା ପ୍ରଭାବରେ ବିପର୍ଯ୍ୟସ୍ତ ଅର୍ଥନୀତିରେ ସୁଧାର ଆଣିବା ସହିତ ଜୀବିକାର ଉତ୍ସକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଦେଶର ସରକାର ବିଭିନ୍ନ ଅର୍ଥନୈତିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏଥିରେ ଉଭୟ ମୌଦ୍ରିକ (ମନିଟାରୀ) ଏବଂ ବିତ୍ତୀୟ ପଦକ୍ଷେପ ନିଆଯାଇଛି। କିନ୍ତୁ ବର୍ତ୍ତମାନ ମୁଖ୍ୟ ସମସ୍ୟା ହେଉଛି ଲୋକଙ୍କ କ୍ରୟଶକ୍ତି ହ୍ରାସ ଯୋଗୁ ଚାହିଦା ହ୍ରାସ। ଏଣୁ ଲୋକଙ୍କ ହାତକୁ ଅର୍ଥ ଯିବା ଦରକାର। ଏହା କେବଳ ସମ୍ଭବ ହେବ ସରକାର ଅଧିକ ଅର୍ଥ ବ୍ୟୟ କଲେ। କିନ୍ତୁ ବିଶ୍ୱରେ ଯେଉଁ ସବୁ ପ୍ୟାକେଜ୍‌ ବିଭିନ୍ନ ଦେଶ ଘୋଷଣା କରିଛନ୍ତି, ସେଥିରେ ବିତ୍ତୀୟ ପ୍ୟାକେଜ୍‌ ବା ସରକାରଙ୍କ ବ୍ୟୟ ପରିମାଣ ପ୍ରାୟ ୫୦ ପ୍ରତିଶତ ହୋଇଥିଲା ବେଳେ ଭାରତରେ ଏହା ମାତ୍ର ୧୦ ପ୍ରତିଶତ ପାଖାପାଖି।
ବର୍ତ୍ତମାନ ପରିପ୍ରେକ୍ଷୀରେ ସରକାର ଶିକ୍ଷା, ସ୍ବାସ୍ଥ୍ୟ, ଖାଦ୍ୟ ନିରାପତ୍ତା, ବାସଗୃହ, ନିଯୁକ୍ତି ବୃଦ୍ଧିରେ ଅଧିକ ବ୍ୟୟ କରିବାର ଆବଶ୍ୟକତା ରହିଛି। କାରଣ ଲୋକଙ୍କ ହାତକୁ ଅର୍ଥ ଆସିଲେ ଚାହିଦା ବୃଦ୍ଧି ପାଇବ। ଚାହିଦା ବୃଦ୍ଧି ପାଇଲେ ଅଧିକ ନିବେଶ ଆସିବ, ଆର୍ଥିକ ପ୍ରଗତି ଘଟିବ। ଅବଶ୍ୟ ଯେହେତୁ କରୋନା ସହିତ ବଞ୍ଚତ୍ବାକୁ ପଡ଼ିବ, ପ୍ରାଥମିକ ଭାବେ ସ୍ବାସ୍ଥ୍ୟସେବା ସହଜରେ ଉପଲବ୍ଧ ହେବା ଉଚିତ। କିନ୍ତୁ ଏଥିପାଇଁ ପ୍ରଚୁର ଅର୍ଥ ବା ସମ୍ବଳ ଦରକାର। ବର୍ତ୍ତମାନ ଯେପରି ସଙ୍କଟ ଦେଖାଦେଇଛି ବଜେଟ୍‌ରେ ଧାର୍ଯ୍ୟ ରାଜସ୍ବ ସଂଗ୍ରହ ପ୍ରାୟ ୩ ଲକ୍ଷ କୋଟି ଟଙ୍କା କମ୍‌ ହେବ। ଅନ୍ୟ ଏକ ଉପାୟ ହେଉଛି ଧନିକ ଶ୍ରେଣୀଠାରୁ ଅଧିକ ହାରରେ ଟିକସ ଆଦାୟ କରିବାର ଆବଶ୍ୟକତା ରହିଛି। ପୁନଶ୍ଚ ସମ୍ପଦ କର ଧାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଅନ୍ୟ ଏକ ଉପାୟ ହେଉଛି ସରକାର ଅଧିକ ଋଣ କରି ଅଧିକ ବ୍ୟୟ କରିବା ଉଚିତ। ବିତ୍ତୀୟ ଶୃଙ୍ଖଳାକୁ କଡ଼ାକଡ଼ି ଭାବେ ଧରିବା ଉଚିତ ନୁହେଁ। ସରକାର ଅବଶ୍ୟ ବଜେଟ୍‌ରେ ଧାର୍ଯ୍ୟଠାରୁ ଆଉ ଅଧିକ ୪.୨ ଲକ୍ଷ କୋଟି ଟଙ୍କା ଋଣ କରିବେ ବୋଲି ସିଦ୍ଧାନ୍ତ ନେଇଛନ୍ତି। ଏହା ଯୋଗୁ ବିତ୍ତୀୟ ନିଅଣ୍ଟ ଜିଡିପିର ୭ରୁ ୮ପ୍ରତିଶତକୁ ବୃଦ୍ଧି ପାଇବ। ରାଜ୍ୟଗୁଡ଼ିକର ଋଣ ମିଶିଲେ ବିତ୍ତୀୟ ନିଅଣ୍ଟ ୧୨ପ୍ରତିଶତରୁ ଅଧିକ ହେବ। ପୁନଶ୍ଚ ଯେହେତୁ ରାଜସ୍ବ ଆଦାୟ ବହୁତ ହ୍ରାସ ପାଇବ, ଋଣ ଅଧିକ ଆଣିବା ସତ୍ତ୍ୱେ ମୋଟ ବ୍ୟୟ ଅଟକଳ ବଜେଟ୍‌ର ଧାର୍ଯ୍ୟ ବ୍ୟୟବରାଦଠାରୁ ବହୁତ ଅଧିକ ହେବ ନାହିଁ। ପୁନଶ୍ଚ ଋଣ ବୃଦ୍ଧି ସାଙ୍ଗକୁ ଜିଡିପି ହ୍ରାସ ଯୋଗୁ ଋଣ ଓ ଜିଡିପି ଅନୁପାତ ବୃଦ୍ଧି ପାଇ ୮୦ପ୍ରତିଶତ ଅତିକ୍ରମ କରିବ, ଯାହା ଚିନ୍ତାର ବିଷୟ। ଅର୍ଥନୀତି ଋଣ ଜାଲରେ ପଡ଼ିଯିବ ଏବଂ ମୁକୁଳିବା ଅଧିକ କଷ୍ଟକର ହେବ। ଏହି ପରିପ୍ରେକ୍ଷୀରେ ବଡ଼ ବିକଳ୍ପ ହେଉଛି ମନିଟାଇଜେଶନ ଅଫ୍‌ ଡେଫିସିଟ୍‌ ବା ଡେବ୍ଟ ଫାଇନାନ୍ସ ଏବଂ ହେଲିକପ୍ଟର ମନି। ବହୁଦିନ ପୂର୍ବରୁ ଆମେ ସାମାଜିକ ଗଣମାଧ୍ୟମରେ ଏହି ନୀତି ସରକାର ଆପଣାନ୍ତୁ ବୋଲି ଲେଖିଛୁ। ଏପରି କି ଓଡ଼ିଶା ପୋଷ୍ଟରେ ଏକ ଲେଖାରେ ମଧ୍ୟ ଉଲ୍ଲେଖ କରିଛୁ। ଅବଶ୍ୟ ବର୍ତ୍ତମାନ ସବୁ ବଡ଼ ବଡ଼ ଅର୍ଥନୀତିଜ୍ଞ ଏ ପଦ୍ଧତିରେ ସମ୍ବଳ ସଂଗ୍ରହ ପାଇଁ ପରାମର୍ଶ ଦେଉଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ସି ରଙ୍ଗରାଜନ, ବିମଳ ଜଲାନ, ରଘୁରାମ ରାଜନ, ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ୟଶଓ୍ବନ୍ତ ସିହ୍ନା, କେରଳ ଅର୍ଥମନ୍ତ୍ରୀ ଟମାସ ଆଇଜାକ୍‌, ନୋବେଲ ବିଜେତା ଅଭିଜିତ୍‌ ବାନାର୍ଜୀ, ପୂର୍ବତନ ପରିସଂଖ୍ୟାନବିତ୍‌ ପ୍ରଣବ ସେନ୍‌ ପ୍ରମୁଖ। ପୂର୍ବରୁ କେନ୍ସ (୧୯୩୩) ଆବା ଲଣ୍ଡର (୧୯୪୩), ଆମେରିକାର ଫେଡେରାଲ ରିଜର୍ଭର ପୂର୍ବତନ ଚେୟାରମ୍ୟାନ୍‌ ବି ବର୍ନାଡ କେ (୨୦୦୨) ଏହିପରି ପ୍ରକ୍ରିୟାରେ ସମ୍ବଳ ସଂଗ୍ରହ କରିବାକୁ ସମର୍ଥନ କରିଛନ୍ତି।
ମନିଟାଇଜେଶନ ଅଫ ସ୍ବେଣ୍ଡିଂ ଅର୍ଥ ନୂଆ ମନି ସୃଷ୍ଟିକରି ଖର୍ଚ୍ଚ କରିବା, ଯାହା ରିଜର୍ଭ ବ୍ୟାଙ୍କ ପ୍ରିଣ୍ଟ କରିଥାଏ। ଏହା ଦୁଇ ପ୍ରକାରରେ ହୋଇଥାଏ। ପ୍ରାଥମିକ ହେଉଛି ମନିଟାଇଜେଶନ ଅଫ୍‌ ଡେଫିସିଟ୍‌ ବା ଡେବ୍ଟ ଫାଇନାନ୍ସ ବା ମନି ଫାଇନାନ୍ସ। ଏହି ପ୍ରକ୍ରିୟାରେ ରିଜର୍ଭ ବ୍ୟାଙ୍କ ଆବଶ୍ୟକ ଟଙ୍କା ପ୍ରିଣ୍ଟ କରି ସରକାରଙ୍କୁ ଋଣ ଆକାରରେ ଦେବ। ସରକାର ବଜାରରୁ ସେହି ପରିମାଣର ଋଣ ଆଉ କରିବେ ନାହିଁ। ସରକାର ସେହି ଅର୍ଥ ଖର୍ଚ୍ଚ କରିବେ। ଏହା ଆମେରିକା, ଜାପାନ, ଗ୍ରେଟ୍‌ ବ୍ରିଟେନ୍‌ର କ୍ୱାଣ୍ଟିଟେଟିଭ୍‌ ଇଜିଙ୍ଗ୍‌ ପ୍ରୋଗ୍ରାମ୍‌ ସହିତ ଅନେକାଂଶରେ ସମାନ। ଅବଶ୍ୟ କ୍ୱାଣ୍ଟିଟେଟିଭ୍‌ ଇଜିଙ୍ଗ୍‌ ଓ ମନିଟାଇଜେସନ ଅଫ୍‌ ଡେଫିସିଟ୍‌ ମଧ୍ୟରେ କିଛି ପ୍ରଭେଦ ଅଛି। ଯେତେବେଳେ ସୁଧହାର ବହୁତ କମ୍‌ ଥାଏ ସେତେବେଳେ କ୍ୱାଣ୍ଟିଟେଟିଭ୍‌ ଇଜିଙ୍ଗ୍‌ ମାଧ୍ୟମରେ କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କ ବଣ୍ଡ୍‌ କିଣିଥାଏ। ଯାହାଫଳରେ ବଜାରରେ ଅଧିକ ଅର୍ଥ ଯୋଗାଣ ବା ମନି ସପ୍ଲାଇ ବୃଦ୍ଧି ପାଇଥାଏ। ମନିଟାଇଜେସନ ଅଫ୍‌ ଡେଫିସିଟ୍‌ରେ କେନ୍ଦ୍ରୀୟ ବ୍ୟାଙ୍କ ସରକାରୀ ବଣ୍ଡ୍‌ କିଣିଲା ବେଳେ କ୍ୱାଣ୍ଟିଟେଟିଭ୍‌ ଇଜିଙ୍ଗରେ କେନ୍ଦ୍ରୀୟ ବ୍ୟାଙ୍କ ତଥା ଆନ୍ୟାନ୍ୟ ବ୍ୟାଙ୍କ ମଧ୍ୟ ସରକାରୀ ବଣ୍ଡ୍‌, ଆସେଟ୍‌ କ୍ରୟ କରିଥାନ୍ତି। ମନିଟାଇଜେସନ ଅଫ୍‌ ଡେଫିସିଟ୍‌କୁ ମଧ୍ୟ ସିଗ୍ନିଓରେଜ୍‌ ଫାଇନାନ୍‌ସିଂ ଡେଫିସିଟ୍‌ କୁହାଯାଏ। ସାଧାରଣତଃ ଟଙ୍କାର ଫେସ୍‌ ଭାଲ୍ୟୁ ଏବଂ ମୁଦ୍ରଣ ପାଇଁ ଖର୍ଚ୍ଚ ମଧ୍ୟରେ ଥିବା ପାର୍ଥକ୍ୟକୁ ସିଗ୍ନିଓରେଜ ଲାଭ କୁହାଯାଏ। ଯେତେବେଳେ ରିଜର୍ଭ ବ୍ୟାଙ୍କ ଅଧିକ ମୁଦ୍ରା ବା ଟଙ୍କା ଛାପି ସରକାରଙ୍କୁ ଋଣ ଦେବ, ରିଜର୍ଭ ବ୍ୟାଙ୍କର ଏହି ଲାଭ ବୃଦ୍ଧି ପାଇବ ଏବଂ ଲାଭାଂଶ ଆଧାରରେ ସରକାରଙ୍କୁ ଅଧିକ ଅର୍ଥ ଦେବ ଏବଂ ସରକାର ରିଜର୍ଭ ବ୍ୟାଙ୍କର ଋଣ ଶୁଝିପାରିବେ।
ଅନ୍ୟ ଏକ ପ୍ରକ୍ରିୟା ହେଉଛି ହେଲିକପ୍ଟର ମନି। ବର୍ତ୍ତମାନ ନ୍ୟୁଜିଲାଣ୍ଡ ସରକାର ଏହି ପଦ୍ଧତି ଅନୁସରଣ କରିବାକୁ ଯାଉଛନ୍ତି। ହେଲିକପ୍ଟର ମନି ଏକ ଅସ୍ବାଭାବିକ ମୁଦ୍ରାନୀତି। ସର୍ବପ୍ରଥମେ ଏହି ଶବ୍ଦକୁ ଆମେରିକୀୟ ଅର୍ଥନୀତିଜ୍ଞ ମିଲଟନ ଫ୍ରିଜ୍‌ମ୍ୟାନ୍‌ ବ୍ୟବହାର କରିଥିଲେ। ଯେତେବେଳେ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖା ଦେଇଥାଏ, ସେତେବେଳେ ଏହି ପ୍ରକ୍ରିୟାରେ ଲୋକଙ୍କୁ ଅର୍ଥ ଦିଆଯାଇଥାଏ। ହେଲିକପ୍ଟର ମନି ଅର୍ଥ ହେଲିକପ୍ଟର ମାଧ୍ୟମରେ ଟଙ୍କା ପକାଇବା ଏବଂ ଲୋକ ତାକୁ ପାଇ ଖର୍ଚ୍ଚ କରି ଅର୍ଥନୀତିକୁ ଚଳଚଞ୍ଚଳ କରିବା। ଏହା ଆକ୍ଷରିକ ଅର୍ଥ ହୋଇଥିଲେ ମଧ୍ୟ ବାସ୍ତବରେ ରିଜର୍ଭ ବ୍ୟାଙ୍କ ପ୍ରଚୁର ଟଙ୍କା ବା ନୋଟ୍‌ ଛାପି ସରକାରଙ୍କୁ ଦେବେ। ସରକାର ଏହାକୁ ବିଭିନ୍ନ ଉପାୟରେ ଲୋକଙ୍କୁ ବିଶେଷ କରି ସମାଜର ଦୁର୍ବଳ ଶ୍ରେଣୀକୁ ଦେବେ। କିଛି ମଧ୍ୟ ଭିତ୍ତିଭୂମି, ଅନ୍ୟାନ୍ୟ ବିକାଶ ପାଇଁ ଖର୍ଚ୍ଚ କରିବେ। ଏହି ପ୍ରକ୍ରିୟାରେ ରିଜର୍ଭ ବ୍ୟାଙ୍କକୁ ସରକାର ଆଉ ଏହି ଅର୍ଥ ଫେରାଇବାକୁ ପଡ଼ି ନ ଥାଏ। ବିଶେଷ କରି ଏହି ମାଧ୍ୟମରେ ଲୋକଙ୍କ ନିକଟକୁ ଅର୍ଥ ଯିବା ଦ୍ୱାରା ଲୋକେ ଅଧିକ ଖର୍ଚ୍ଚ କରନ୍ତି ଏବଂ ସାମଗ୍ରିକ ଚାହିଦା ବୃଦ୍ଧି ସହିତ ଅର୍ଥନୀତି ଚଳଚଞ୍ଚଳ ହୁଏ। ସରକାର ଏହି ପ୍ରକ୍ରିୟା ଅନୁସରଣ କରିବା ସହିତ ରାଜ୍ୟମାନଙ୍କୁ ପ୍ରଚୁର ଅର୍ଥ ସହାୟତା ଦେବା ଆବଶ୍ୟକ। ଯେପରି ରାଜ୍ୟମାନଙ୍କର ବିତ୍ତୀୟ ସ୍ଥିତି କିଛି ବିଗିଡ଼ି ନ ଯାଏ। ଉଭୟ କେନ୍ଦ୍ର ଓ ରାଜ୍ୟର ଆର୍ଥିକ ସ୍ଥିତି ଖରାପ ହେବା ଅପେକ୍ଷା କେବଳ କେନ୍ଦ୍ର ଆର୍ଥିକ ବୋଝ ସମ୍ଭାଳିଲେ ଭଲ। କାରଣ ଅଧିକ ରାଜସ୍ବ ଆଦାୟ କରିବା ବା ଋଣ କରିବା ବା ଅଧିକ ନୋଟ୍‌ ଛାପିବା କ୍ଷମତା କେନ୍ଦ୍ର ହାତରେ ଅଛି।
ଏହି ଉଭୟ ପ୍ରକ୍ରିୟାର ମଧ୍ୟ ନକାରାତ୍ମକ ଦିଗ ଅଛି। ୧୯୯୭ରୁ ମନିଟାଇଜେସନ ଅଫ୍‌ ଡେଫିସିଟ୍‌ ପ୍ରକ୍ରିୟା ଭାରତ ରଦ୍ଦ କରିଥିଲା। କାରଣ ଉଭୟ ପ୍ରକ୍ରିୟାରେ ଅଧିକ ମୁଦ୍ରା ଯୋଗାଣ ଯୋଗୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ, ଦେଶର ମୁଦ୍ରାର ଗୁରୁତ୍ୱ ହ୍ରାସ ପାଇବାର ଆଶଙ୍କା ରହିଛି। କିନ୍ତୁ ଯେତେବେଳେ ଅର୍ଥନୀତିରେ ଭଲ ସ୍ଥିତି ଥାଏ ସେହି ସମୟରେ ଏହି ପ୍ରକ୍ରିୟା ମୁଦ୍ରାସ୍ଫୀତି ବୃଦ୍ଧି କରିଥାଏ। କିନ୍ତୁ ବର୍ତ୍ତମାନ ଯେତେବେଳେ ଚାହିଦା ହ୍ରାସ ପାଉଛି, ଭୟଙ୍କର ରିସେସନ ଆଡକୁ ଅର୍ଥନୀତି ଗତି କରୁଛି, ସେହି ସମୟରେ ଉପଯୁକ୍ତ ପଦକ୍ଷେପ ମୁଦ୍ରାସ୍ଫୀତି ବୃଦ୍ଧି କରିବ ନାହିଁ। ପୁନଶ୍ଚ ଯେତେବେଳେ ମଣିଷ ବଞ୍ଚିବା କଷ୍ଟକର, ଜୀବିକା ହରାଉଛି, କ୍ଷୁଧାର ତାଡ଼ନାରେ ମୃତ୍ୟୁବରଣ କରୁଛି, ଭବିଷ୍ୟତର ଅନିଶ୍ଚିତତା ମନରେ ଅନେକ ଆଶଙ୍କା ସୃଷ୍ଟି କରୁଛି ସେତେବେଳେ ଏସବୁ ସମସ୍ୟାର ସମ୍ମୁଖୀନ ହେବା ପାଇଁ ନିଆଯାଉଥିବା ପଦକ୍ଷେପ ଦ୍ୱାରା ଯଦି ମୁଦ୍ରାସ୍ଫୀତି ବୃଦ୍ଧି ପାଏ ତାହା ଗ୍ରହଣୀୟ। ଏଣୁ ସରକାର ଲୋକଙ୍କ ହାତକୁ ଅର୍ଥ ଦେବା ସହିତ ସ୍ବାସ୍ଥ୍ୟସେବା ସହଜରେ ଉପଲବ୍ଧ କରନ୍ତୁ।
ଡିଭାଇନ ନଗର, ଚାଉଳିଆଗଞ୍ଜ, କଟକ
ମୋ: ୯୪୩୭୨୦୮୭୬୨, Email:skmohapatra67@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri