Advertisement

ହସ୍ପିଟାଲରେ ସୌରଶକ୍ତିର ବ୍ୟବସ୍ଥା

ସଞ୍ଜୟ ସାନ୍ୟାଲ, ସଙ୍ଗୀତା ରାଣେ ଓ ଅରବିନ୍ଦ ଶାଶ୍ୱତ
ଏହା ଥିଲା ଏକ ବର୍ଷାମୁଖର ସଂଧ୍ୟା, ଯେତେବେଳେ ଡାକ୍ତର କାନିଲି ଜିମୋଙ୍କ ରୋଗିଣୀଙ୍କୁ ଜରୁରୀ ଅସ୍ତ୍ରୋପଚାର କରାଇବାର ଆବଶ୍ୟକତା ଥିଲା। ଏକ ସନ୍ତାନକୁ ଜନ୍ମ ଦେବା ପରେ ରୋଗିଣୀଙ୍କ ଦେହରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। ତୁରନ୍ତ ଅପରେଶନ ନ କଲେ ତାଙ୍କର ମୃତ୍ୟୁ ହେବାର ଆଶଙ୍କା ଥିଲା। କିନ୍ତୁ ସମସ୍ୟା ହେଲା ଯେ ସେତେବେଳେ ହସ୍ପିଟାଲରେ ବିଦ୍ୟୁତ୍‌ ନ ଥିଲା। ସେତେବେଳେ ହସ୍ପିଟାଲର ଜେନେରେଟର ବି ଖରାପ ଥିଲା। ବାଧ୍ୟ ହୋଇ ଡା. ଜିମୋ ଏକ ମୋବାଇଲ ଫୋନ୍‌ର ଆଲୋକରେ ଅସ୍ତ୍ରୋପଚାର ଆରମ୍ଭ କଲେ। ଭାଗ୍ୟ ଭଲ ମା’ଟିର ଜୀବନରକ୍ଷା ହୋଇଗଲା। ଏହା ଜିମୋଙ୍କ ପାଇଁ କିଛି ନୂଆ କଥା ନ ଥିଲା କାରଣ ଉକ୍ତ ହସ୍ପିଟାଲଟି ଅବସ୍ଥିତ ଥିବା ଆସାମ ଓ ମଣିପୁରର ସୀମାନ୍ତବର୍ତ୍ତୀ ପାହାଡ଼ିଆ ଗାଁରେ ଅନେକ ସମୟରେ ବିଜୁଳି ରହେ ନାହିଁ।
ଆଜିକାଲି ଭାରତରେ ବିଦ୍ୟୁତୀକରଣ ବୃଦ୍ଧିପାଇଥିଲେ ବି ଅଧିକାଂଶ ସ୍ଥାନରେ ବିଜୁଳିକାଟ ଏକ ନିତିଦିନିଆ ଘଟଣା। ଏହି ସମସ୍ୟାର ଏକ ସମାଧାନ ହେଉଛି ସୌରଶକ୍ତିର ଉପଯୋଗ। ପୂର୍ବାଞ୍ଚଳ ରାଜ୍ୟ ଝାଡ଼ଖଣ୍ଡର ହଜାରିବାଗଠାରେ ଥିବା ସଦର ହସ୍ପିଟାଲରେ ୨୦୧୬ରେ ସୌରଶକ୍ତିର ବ୍ୟବସ୍ଥା କରାଯାଇଛି। ଛାତ ଉପରେ ଖଞ୍ଜାଯାଇଥିବା ସୋଲାର ପ୍ୟାନେଲ ଦ୍ୱାରା ବ୍ୟାଟେରି ଚାର୍ଜ ହୁଏ, ଯାହା ହସ୍ପିଟାଲକୁ ବିଜୁଳି ଯୋଗାଏ। ଆଗରୁ ଏହି ହସ୍ପିଟାଲର କର୍ମଚାରୀମାନେ ଅପରେଶନ ପାଇଁ ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଉଥିବାବେଳେ ଏବେ ଏଠାରେ ବୃହତ୍‌ ଅପରେଶନ ୨୫ ପ୍ରତିଶତ ବୃଦ୍ଧି ପାଇଛି। ବିଜୁଳି କାଟ ପାଇଁ ଏଠାରେ ଆଉ ଅପରେଶନ ବନ୍ଦ କରିବାକୁ ପଡ଼ୁନାହିଁ ବୋଲି ହସ୍ପିଟାଲର ମ୍ୟାନେଜର ସୁମିତ୍‌ ଶ୍ରୀବାସ୍ତବ କହିଛନ୍ତି।
ଡିଜେଲ ଜେନେରେଟରଗୁଡ଼ିକ ଅତ୍ୟନ୍ତ ବ୍ୟୟବହୁଳ ଏବଂ ତାକୁ ଚଳାଇବା ଓ ତା’ର ରକ୍ଷଣାବେକ୍ଷଣ ମଧ୍ୟ କଷ୍ଟସାଧ୍ୟ। ଡିଜେଲକୁ ଆଗରୁ ଆଣି ନିରାପଦରେ ଗଚ୍ଛିତ ରଖିବାକୁ ପଡ଼େ। ମଝିରେ ମଝିରେ ଜେନେରେଟର ଖରାପ ବି ହୋଇଯାଏ। ସଦର ହସ୍ପିଟାଲରେ ସୌରଶକ୍ତି ବ୍ୟବସ୍ଥା ହେବା ପରେ ଜେନେରେଟର ପାଇଁ ଡିଜେଲ କିଣିବା ଓ ଜେନେରେଟରର ରକ୍ଷଣାବେକ୍ଷଣ ଖର୍ଚ୍ଚ ବାବଦକୁ ମାସିକ ପ୍ରାୟ ୨ ଲକ୍ଷ ଟଙ୍କା ବଞ୍ଚୁଛି। ଡିଜେଲ ଜେନେରେଟରଗୁଡ଼ିକ ମଧ୍ୟ ଅପରିଚ୍ଛନ୍ନ ଏବଂ ସେଗୁଡ଼ିକ ବାୟୁମଣ୍ଡଳକୁ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌, କାର୍ବନ ମନୋକ୍ସାଇଡ୍‌ ଓ କଠିନ କଣିକା ଆଦି ପ୍ରଦୂଷକ ଛାଡ଼ି ବାୟୁପ୍ରଦୂଷଣରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ଖୁବ୍‌ ଜୋରରେ ଗର୍ଜନ କରି ସେଗୁଡ଼ିକ ଧ୍ୱନି ପ୍ରଦୂଷଣ ବି କରନ୍ତି।
ସୌରଶକ୍ତିଚାଳିତ ହେଲ୍‌ଥ କ୍ଳିନିକ୍‌ଗୁଡ଼ିକ ଏସିଆ ଓ ଆଫ୍ରିକାରେ କିଛି କିଛି ଦେଖିବାକୁ ମିଳିଲାଣି। ତଥାପି ସେଗୁଡ଼ିକର ସଂଖ୍ୟା ବହୁତ କମ୍‌ ରହିଛି। ଗୋଟିଏ ଡିଜେଲ ଜେନେରେଟର କିଣିବାକୁ ଯେତିକି ଖର୍ଚ୍ଚ ପଡ଼େ, ସେହି ତୁଳନାରେ ସୌରଶକ୍ତି ପ୍ରତିଷ୍ଠା କରିବା ପାଇଁ ପ୍ରାରମ୍ଭିକ ଖର୍ଚ୍ଚ ଯଥେଷ୍ଟ ଅଧିକ ପଡ଼େ। ଏକ ୧୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ ପାଇଁ ସୌରଶକ୍ତି ବ୍ୟବସ୍ଥା କରିବାକୁ ବ୍ୟାଟେରି ସହିତ ପ୍ରାୟ ୧୦ ନିୟୁତ ଟଙ୍କା ଦରକାର। ସେହି ତୁଳନାରେ ଡିଜେଲ ଜେନେରେଟର ପାଇଁ ପ୍ରାୟ ୧୦ଗୁଣ କମ୍‌ ଖର୍ଚ୍ଚ ପଡ଼େ। ଏହି କାରଣରୁ ଅଧିକାଂଶ ହସ୍ପିଟାଲ ସୌରଶକ୍ତି ପ୍ରତିଷ୍ଠା କରିପାରୁନାହାନ୍ତି। କିନ୍ତୁ ଥରେ ସୌରଶକ୍ତି ପ୍ରତିଷ୍ଠା ହୋଇଗଲେ କିଛି ବର୍ଷ ଭିତରେ ଖର୍ଚ୍ଚ ଉଠିଯାଏ। ସେଥିପାଇଁ ସୌରଶକ୍ତି ପ୍ରତିଷ୍ଠା ଲାଗି ଆର୍ଥିକ ସହାୟତାର ଆବଶ୍ୟକତା ରହିଛି।
ବର୍ତ୍ତମାନ ସୌରଶକ୍ତି ପ୍ରତିଷ୍ଠା ପାଇଁ ତିନୋଟି ସୂତ୍ରରୁ ଆର୍ଥିକ ସହାୟତା ମିଳୁଛି। ୧. ସରକାରୀ ବଜେଟ: କେତେକ ଦେଶରେ ନବୀକରଣଯୋଗ୍ୟ ଶକ୍ତି ଲକ୍ଷ୍ୟ ହାସଲ ପାଇଁ ତଥା ବିକାଶ ଲକ୍ଷ୍ୟ ପୂରଣ ପାଇଁ ସୌରଶକ୍ତି ଉପରେ ଗୁରୁତ୍ୱ ଦିଆଯାଉଛି। ସଦର ହସ୍ପିଟାଲରେ ସୌରଶକ୍ତି ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପାଣ୍ଠି ଯୋଗାଇଥିଲେ। ୨. ବିଶ୍ୱବ୍ୟାଙ୍କ ପରି ଅନ୍ତର୍ଜାତୀୟ ବିକାଶ ସଂସ୍ଥାଗୁଡ଼ିକ ସ୍କୁଲ, କଲେଜ, ହସ୍ପିଟାଲ ପ୍ରଭୃତିରେ ସୌରଶକ୍ତି ପ୍ରତିଷ୍ଠା ପାଇଁ ପାଣ୍ଠି ଯୋଗାଉଛନ୍ତି। ୩. କେତେକ ଘରୋଇ ପ୍ରତିଷ୍ଠାନ ମଧ୍ୟ ଏଥିପାଇଁ ପାଣ୍ଠି ଯୋଗାଉଛନ୍ତି। କେନିଆର ନାଜାଇଲ ହେଲ୍‌ଥ କ୍ଳନିକ୍‌ରେ ସୌରଶକ୍ତି ପ୍ରତିଷ୍ଠା ପାଇଁ ୟୁରୋପୀୟ ସୌରଶକ୍ତି ଫାଉଣ୍ଡେଶନ ପାଣ୍ଠି ଯୋଗାଇଥିଲା।
ଭାରତରେ ପାଣ୍ଠି ଯୋଗାଣ ପାଇଁ ଆଉ ଗୋଟିଏ ଉତ୍ସ ରହିଛି। ଆମ ଦେଶର ଆଇନ ଅନୁଯାୟୀ ବୃହତ୍‌ ଭାରତୀୟ କର୍ପୋରେଶନଗୁଡ଼ିକ ସେମାନଙ୍କ ଆୟର ୨ ପ୍ରତିଶତ କର୍ପୋରେଟ୍‌ ସାମାଜିକ ଦାୟିତ୍ୱ ପ୍ରକଳ୍ପଗୁଡ଼ିକରେ ଖର୍ଚ୍ଚ କରିବାକୁ ବାଧ୍ୟ। ୨୦୧୫ ଓ ୨୦୧୬ରେ ଭାରତୀୟ କମ୍ପାନୀଗୁଡ଼ିକ ଏ ବାବଦରେ ୯୮.୨ ବିଲିୟନ ଟଙ୍କା ନିବେଶ କରିଛନ୍ତି। ସ୍ବାସ୍ଥ୍ୟ ଓ ଗ୍ରାମୀଣ ବିକାଶ ହେଉଛି ସେମାନଙ୍କ ପୁଞ୍ଜିନିବେଶର ପ୍ରମୁଖ କ୍ଷେତ୍ର। ଭାରତରେ ସୌରଶିଳ୍ପର ବିକାଶ ଘଟିଚାଲିଛି। ବଡ଼ ବଡ଼ କମ୍ପାନୀ ଚାହୁଁଛନ୍ତି ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ପ୍ରକଳ୍ପକୁ ପାଣ୍ଠି ଯୋଗାଇବା ପାଇଁ ଯେଉଁଥିରେ ସ୍ବାସ୍ଥ୍ୟ କ୍ଳନିକ୍‌ ଓ ହସ୍ପିଟାଲଗୁଡ଼ିକର ଛାତ ଉପରେ ସୌର ପ୍ୟାନେଲ ଲଗାଯାଇପାରିବ। ଡିଜେଲ ଜେନେରେଟର ଅପେକ୍ଷା ସୌରଶକ୍ତି ପ୍ରତିଷ୍ଠା କରିବା ସହଜ। କିନ୍ତୁ ପ୍ୟାନେଲଗୁଡ଼ିକୁ ପ୍ରତି ସପ୍ତାହରେ ସଫା କରିବା ଏବଂ ପ୍ରତି ପାଞ୍ଚବର୍ଷରେ ବ୍ୟାଟେରି ବଦଳାଇବା ଦରକାର। ସହାୟତା ଆକାରରେ ମିଳିଥିବା ପାଣ୍ଠି ସାହାଯ୍ୟରେ ସୌର କମ୍ପାନୀଗୁଡ଼ିକ ସହ ଚୁକ୍ତିବଦ୍ଧ ହେବାକୁ ପଡ଼ିବ ଏବଂ କମ୍ପାନୀଗୁଡ଼ିକ ସୌର ବ୍ୟବସ୍ଥା ପ୍ରତିଷ୍ଠା କରିବା ସହ ତା’ର ନିୟମିତ ରକ୍ଷଣାବେକ୍ଷଣକୁ ସୁନିଶ୍ଚିତ କରିବେ। ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଯେପରି ପ୍ରତିଦିନ ଆବଶ୍ୟକ ବିଦ୍ୟୁତ୍‌ ପାଇପାରିବେ ଏବଂ କିଛି ଦୋଷତ୍ରୁଟି ଦେଖାଗଲେ ତାହାକୁ ତୁରନ୍ତ ଠିକ୍‌ କରାଯାଇପାରିବ, ସେ ବିଷୟରେ ସୌର କମ୍ପାନୀଗୁଡ଼ିକ ଦୃଷ୍ଟି ଦେବେ। ଭାରତର ସବୁ ହସ୍ପିଟାଲରେ ଏହି ବ୍ୟବସ୍ଥା ହେବା ଦରକାର। ତା’ହେଲେ ବିଦ୍ୟୁତ୍‌ ଅଭାବରେ ଆଉ କୌଣସି ହସ୍ପିଟାଲରେ ମୋବାଇଲ ଆଲୋକରେ ଅପରେଶନ କରିବାକୁ ପଡ଼ିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଋଣ ପରିଶୋଧ

ରଞ୍ଜନ କୁମାର ଦାସ ଭାରତୀୟ ପ୍ରଶାସନିକ ସେବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିକଟରେ ଚଣ୍ଡିଗଡ଼ ଯାଇଥିଲି। ମାସେକାଳ ଧରି ଚାଲିବାକୁ ଥିବା ଏହି...

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ଯେଉଁ ଗୁରୁ ଅତି ନିଷ୍ଠାର ସହ ପିଲାଙ୍କୁ ପାଠ ପଢ଼ାନ୍ତି ସେ ଛାତ୍ରୀଛାତ୍ରଙ୍କ ନିକଟରେ ସବୁବେଳେ ପ୍ରଣମ୍ୟ ଓ ନମସ୍ୟ ହୋଇ ରହନ୍ତି। ସେହି...

ବିଶ୍ୱ ଦୃଷ୍ଟିରେ ଭାରତ

ଆକାର ପଟେଲ କେଉଁ ପ୍ରକାର ଭାରତରେ ଏବକାର ପିଢି ବଢୁଛନ୍ତି ଏବଂ ସେମାନେ ଆଗକୁ କେମିତି ଓ କାହା ମାଧ୍ୟମରେ ବଞ୍ଚିବେ? ମୋ ବୟସ ୫୦...

ମହାନତା କ୍ଷୁଣ୍ଣ

ନିଜ ପେସାରେ ବିଫଳ ହୋଇଥିବା ସିନେମା ତାରକା କଙ୍ଗନା ରାଣାଓ୍ବତ ଗତ ୧୮ ଜାନୁୟାରୀରେ ଏକ ଟୁଇଟ୍‌ ମାଧ୍ୟମରେ କହିଛନ୍ତି ଯେ, ‘ତାଣ୍ଡବ’ ଓ୍ବେବ୍‌ସିରିଜ୍‌ରେ କାର୍ଯ୍ୟ...

ବାବୁଙ୍କ ଚାହିଦା

ଦିଲ୍ଲୀକା ବାବୁ ଦିଲୀପ ଚେରିଏନ୍‌ ଅଶ୍ୱିନୀ ଲୋହାନିଙ୍କ ଦକ୍ଷତା ଏୟାର ଇଣ୍ଡିଆରେ ପ୍ରତିପାଦିତ ହୋଇଛି। ତାଙ୍କ ପରେ ଏୟାର ଇଣ୍ଡିଆରେ ନିଯୁକ୍ତି ପାଇଥିବା ଅଧିକାରୀ ଜଣେ...

ଏଇ ଭାରତରେ

ଭାରତରେ କରୋନା ବିରୋଧୀ ଲଢ଼େଇରେ ସାଧାରଣ ଜନତା ଯଥାଶକ୍ତି ସରକାରଙ୍କୁ ସହଯୋଗ କରୁଥିବାବେଳେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କ ଯୋଗଦାନ ପ୍ରେରଣା ପାଲଟିଛି। ପୁଡୁଚେରିର ରାମନାଥପୁରମ୍‌ ନିବାସୀ...

କେହି ମିଳିଲେ ନାହିଁ

ସମ୍ପାଦକୀୟ/ତଥାଗତ ସତପଥୀ ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟାର ବୋଲ୍‌ସୋନାରୋ ଆସନ୍ତା ୨୬ରେ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ ବିଦେଶରୁ...

ନିଜ ଗାତରେ ଚାଇନା

ସମ୍ପାଦକୀୟ/ତଥାଗତ ସତପଥୀ ଚାଇନାରେ କରୋନା ଭୂତାଣୁ ଅଦ୍ୟାବଧି ୩୬୧ ଜଣଙ୍କ ପ୍ରାଣ ନେଇସାରିଲାଣି। ଆଜିଯାଏ ଜଣାପଡ଼ିଥିବା ପରିସ୍ଥିତିରୁ ପ୍ରାୟ ୧୭,୦୦୦ ଲୋକଙ୍କଠାରେ କରୋନା ଭାଇରସ୍‌ ଠାବ...

Advertisement
Archives

Model This Week