ସେଇ ଚମତ୍କାରୀ ଚକାଆଖି

ଅଧ୍ୟାପକ ନିରଞ୍ଜନ ପାଢ଼ୀ

ବଡ଼ ଚମତ୍କାରୀ ସେଇ ଚକାଆଖି ଦିଓଟି। ବିଶ୍ୱାସ ଓ ବିଜ୍ଞାନର ଦ୍ୱନ୍ଦ୍ୱ ମଧ୍ୟରେ ସେଇ ଚକାଆଖିର ଆକର୍ଷଣ ଯୁଗେ ଯୁଗେ ଆସ୍ତିକଙ୍କଠୁ ନାସ୍ତିକଙ୍କ ଯାଏ ସଭିଙ୍କୁ ସମ୍ମୋହିତ କରିଆସିଛି। ଏକାନ୍ତ ଅବର୍ଣ୍ଣନୀୟ ସେଇ ଚକାଆଖି ଦିଓଟିର ମହିମା ବର୍ଣ୍ଣନା କରିବାକୁ କାଳ କାଳ ଧରି କବିମାନଙ୍କର କଲମ କମନୀୟ ଛନ୍ଦରେ ଚଞ୍ଚଳ ହୋଇ ଉଠିଛି। ପ୍ରଗଲ୍‌ଭ ହୋଇ ଉଠିଛନ୍ତି ସାଲବେଗଙ୍କଠାରୁ ଆଧୁନିକ ଗୀତିକାରଙ୍କ ଯାଏ ପଣ୍ଡିତ ପଦ୍ୟକାରମାନେ। କେଉଁଠି ହୃଦୟରେ ପୁଳାଏ ଅନୁଚ୍ଚାରିତ ଆବେଗକୁ ଅବରୁଦ୍ଧ କରି କବିତାରେ କୁହାଯାଇଛି- ”ଲୁହର ଅର୍ଘ୍ୟ ବାଢ଼ି ମୁଁ ଆବୃତ୍ତି କରୁଛି ମୋ ଅନୁଭବକୁ। ଭ୍ରମରଟିଏ ପରି ଗୁଣୁଗୁଣୁ ହୋଇ ଗାଉଛି ତୋର ଜଣାଣ। ସମାଧିସ୍ଥ ହୋଇଯାଉଛି ତୋ ଆଗରେ ଏକ କାକୁସ୍ଥ ମୁଦ୍ରାରେ। ଆଖି ଖୋଲିଲାବେଳକୁ ତୁ, ତୋର ଅନିନ୍ଦ୍ୟ ରୂପ। ଲାଗୁଛି, ତୁ ଯେମିତି ଏ ପ୍ରାଣର ସ୍ପନ୍ଦନ, ମୋ ଉଚ୍ଚାରଣର ମନ୍ତ୍ର, ମୋ ସଙ୍ଗୀତର ସ୍ବର। ତୋର ଆଖି ଦିଓଟିକୁ ଦେଖିଲେ ତ ଭୁଲି ହୋଇଯାଉଛି ସବୁ କିଛି। ଉଭେଇଯାଉଛି ଅବଶିଷ୍ଟ ଦୁନିଆ। ଏତେ ତୃପ୍ତି, ଏତେ ଆଶ୍ୱାସନା ସେଇ ଚକାଆଖି ଦୁଇଟିର!“
ହଁ, ସେଇ ଆଖି ଦିଓଟି ଆମ ଦାରୁଦେବତା ଶ୍ରୀଜଗନ୍ନାଥଙ୍କର। ଗୋଟିଏ ମୃତ ବୃକ୍ଷର ଗଣ୍ଡିରେ ଗଢ଼ା ହୋଇ ଯିଏ ଚିରକାଳ ପ୍ରାଣବନ୍ତ, ବିଶାଳ ଜଗତର ପ୍ରାଣସତ୍ତା ବୋଲି ଯାହାଙ୍କ ନାମ ଜଗନ୍ନାଥ; ସେଇ ଶ୍ରୀକ୍ଷେତ୍ରବାସୀ କଳାଠାକୁର ହେଉଛନ୍ତି ଜ୍ଞାନ ବିଜ୍ଞାନ ବହିର୍ଭୂତ ଏକ ସର୍ବକାଳୀନ ଚମତ୍କାର। ସେ ଭକ୍ତର ଭକ୍ତିରେ ବନ୍ଧା ଏମିତି ଈଶ୍ୱର ଯେ ଭକ୍ତ ନ ପହଞ୍ଚତ୍ଲା ଯାଏ ତାଙ୍କ ରଥର ଚକ ଗଡ଼େନାହିଁ। ପୁଣି ନିତିଦିନ ଷାଠିଏ ପଉଟିର ସୁସ୍ବାଦୁ ବ୍ୟଞ୍ଜନ ଯାହାଙ୍କ ପାଇଁ ଖଞ୍ଜା ହୋଇଥାଏ, ତାଙ୍କର ପୁଣି ଦାସିଆର ନଡ଼ିଆ ଟେକି ନେବା ପାଇଁ କି ବ୍ୟଗ୍ରତା! ଭକ୍ତଜନଙ୍କ ପାଇଁ ତାଙ୍କ ଆତୁରତାର ପଟାନ୍ତର ନାହିଁ। ବୁଭୁକ୍ଷୁ ବନ୍ଧୁ ମହାନ୍ତିଙ୍କୁ ରତ୍ନଥାଳିରେ ଖାଦ୍ୟ ପରଷିବା ଭଳି ବିରଳ ପ୍ରଭୁପଣ ବିଶ୍ୱର ଅନ୍ୟ କେଉଁ ଈଶ୍ୱରଙ୍କ ପାଖରେ ଦେଖାଯାଇନାହିଁ। ସେଥିପାଇଁ ତ ସେ ଭକତ ଭାବରେ ବନ୍ଧା ଭକତ ଜୀବନ ଧନ।
ଅବଶ୍ୟ ଆଧୁନିକତାର ଉଗ୍ର ଆବାହନ ମଧ୍ୟରେ ଆଜିକାର ବିଜ୍ଞାନ ଯୁଗରେ ଦାସିଆ ଓ ବନ୍ଧୁ ମହାନ୍ତିଙ୍କ ଭକ୍ତିର ସାମର୍ଥ୍ୟ କାନକୁ କେବଳ କାହାଣୀ ଭଳି ଶୁଭିବ। ବିଶ୍ୱାସ କରିବାକୁ କଷ୍ଟ ହେବ ଯେ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ମଧ୍ୟରେ ମାନ ଅଭିମାନର ବେଶ୍‌ ମହତ୍ତ୍ୱ ଥାଏ। ଚକାଆଖି କାଳିଆ ଠାକୁରଙ୍କ ବହୁବିଧ ଚମତ୍କାର କେବଳ ସେକାଳର ସାଲବେଗ ବା ଭକ୍ତ ବଳରାମ ଦାଶଙ୍କ ପାଖରେ ଶେଷ ହୋଇ ଯାଇନାହିଁ। ଏହାର ଇତିହାସ ବେଶ୍‌ ପ୍ରଲମ୍ବିତ, ସେକାଳରୁ ଏକାଳ ପର୍ଯ୍ୟନ୍ତ। ସବୁକଥାର ପ୍ରଣାମ ଖୋଜୁଥିବା ଈଶ୍ୱରବିଦ୍ୱେଷୀ ହେତୁବାଦୀମାନେ ଅବଶ୍ୟ ଏକ ପ୍ରମାଣସିଦ୍ଧ ସିଦ୍ଧାନ୍ତ ପାଇ ନ ପାରନ୍ତି, ମାତ୍ର ଏକଥା ସତ୍ୟ ଯେ, ଯେଉଁ ଭାଷାରେ ଅବା ଯେଉଁ ଭାବରେ ଭକ୍ତ ଜଣେ ତା’ ଭଗବାନଙ୍କ ପାଖରେ ନିଜକୁ ସମର୍ପଣ କରିଦିଏ, ଭଗବାନ ତାହାର ଜବାବ ଦିଅନ୍ତି; ପ୍ରତିବିଧାନ କରନ୍ତି। ରଥଯାତ୍ରା ଅବସରରେ କେଇବର୍ଷ ତଳର ଅନ୍ୟ ଏକ ରଥଯାତ୍ରାରେ ସଂଘଟିତ ହୋଇଥିବା ଏଇ ଚମତ୍କାରୀ ଘଟଣାଟିକୁ ଲକ୍ଷ୍ୟ କଲେ ରଥାରୂଢ଼ ଚକାଆଖିଙ୍କ ଚମତ୍କାରକୁ ଅନୁଭବ କରିବା ବିଶେଷ କଷ୍ଟ ହେବ ନାହିଁ।
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଢେଙ୍କାନାଳର ସପରିବାର ପୁରୀ ଯାଇଥାଆନ୍ତି ମିଶ୍ରବାବୁ। ପରିବାର ବୋଇଲେ ନିଜ ପତ୍ନୀ ଓ ବାର ଏବଂ ଦଶବର୍ଷ ବୟସର ଦୁଇଟି ଝିଅପୁଅ। ବଡ଼ଦେଉଳର ତିନିଦିଅଁଙ୍କୁ ବଡ଼ଦାଣ୍ଡରେ ଦେଖିବାର ଆଗ୍ରହ ଓ ଆବେଗକୁ ନେଇ ମିଶ୍ର ପରିବାରର ସଭିଏ ଅପେକ୍ଷା କରୁଥିଲା ବେଳେ ଅଚାନକ ଅଘଟଣଟାଏ ଘଟିଗଲା। ଭକ୍ତି ସହିତ ନିଜ ଶକ୍ତି ପରୀକ୍ଷା କରିବାକୁ ବଡ଼ଦାଣ୍ଡର ଭିଡ଼ ଭିତରେ ସାମିଲ ହୋଇଥିବା କେହି ଦୁର୍ବୃତ୍ତ ବାରବର୍ଷ ବୟସ୍କା କିଶୋରୀ କନ୍ୟାର କାନ ଛିଣ୍ଡାଇ ସୁନା ରିଂ ପଟିଏ ଟାଣିନେଲା। ସୁକୁମାରୀ ଝିଅଟିର କାନରୁ ବହି ଯାଉଥିବା ରକ୍ତଧାର ଦେଖି ମିଶ୍ରବାବୁ ବିଚଳିତ ହୋଇପଡ଼ିଲେ। ସେ ପନତ୍ୀ, ପୁତ୍ରଙ୍କ ସହିତ ଆହତ କନ୍ୟାଟିକୁ ଧରି ଭିଡ଼ ମଧ୍ୟରୁ ଅପସରିଯିବାକୁ ବସିଛନ୍ତି; ହଠାତ୍‌ ଦ୍ୱିତୀୟ ଦୁର୍ଘଟଣାଟି ଘଟିଗଲା। ତାଙ୍କ ବିବ୍ରତ ଭାବର ସୁଯୋଗ ନେଇ ଅନ୍ୟ ଜଣେ ତସ୍କର ତାଙ୍କ ପକେଟ୍‌ରୁ ପର୍ସଟି ଚୋରାଇ ନେଇଛି ଜାଣିଲା ପରେ ମିଶ୍ରବାବୁ ନିଜକୁ ଅସହାୟ ମନେକଲେ।
ଆହତ ଝିଅର ଚିକିତ୍ସା ଦରକାର, ପରିବାରକୁ ଖୁଆଇବା ଦରକାର, ପୁଣି ଢେଙ୍କାନାଳ ଫେରିବା ପାଇଁ ଗାଡ଼ିଭଡ଼ା ଦରକାର। ଅଥଚ ସେ କପର୍ଦ୍ଦକଶୂନ୍ୟ। ବଳିଆରଭୁଜ ଜଗନ୍ନାଥଙ୍କ ମିଥ୍ୟା ପ୍ରଭୁପଣକୁ ପ୍ରଚଣ୍ଡ ଅଭିଶାପ ଦେଇ ମନରେ ମେଞ୍ଚାଏ ଅଭିମାନ ଭରି ସେ ବାହୁଡ଼ା ବାଟରେ ପାଦ ବଢ଼ାଇଲେ। ପଛରେ ଛାଡ଼ି ଆସିଲେ ଅଗଣିତ ଜନସମୁଦ୍ର ମଧ୍ୟରେ ଠାଆକୁଠାଆ ଠିଆ ହୋଇଥିବା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ। ସେଇ ରଥ ତିନୋଟି ମଧ୍ୟରେ ବିରାଜୁଥିବା ତିନି ଠାକୁରଙ୍କ ମୁହଁଟି ମାନ ତାଙ୍କୁ ଦିଶୁଥିଲା ଦୁଃଖରେ ଅସ୍ଥିର ଓ କ୍ଷୁଧାରେ ଆତୁର ନିଜ ପୁତ୍ର କନ୍ୟା ଓ ପନତ୍ୀଙ୍କ ମୁହଁ ତିନୋଟିଠାରୁ ଅଧିକ ମଳିନ, ଅଧିକ ଦୀପ୍ତିହୀନ।
ବସ୍‌ଷ୍ଟାଣ୍ଡରେ ପହଞ୍ଚତ୍ ସେ ବହୁ ବସ୍‌ର କଣ୍ଡକ୍ଟରମାନଙ୍କୁ ନିଜ ଦୁର୍ଭାଗ୍ୟର କାହାଣୀ ବଖାଣି ସେମାନଙ୍କ ସହଯୋଗ କାମନା କଲେ। କହିଲେ, ଭୁବନେଶ୍ୱରରେ ପହଞ୍ଚତ୍ ଜଣେ ବନ୍ଧୁଙ୍କଠାରୁ ଟଙ୍କା ଆଣି ଭଡ଼ା ପଇଠ କରିଦେବେ। ମାନବୀୟ ସଂସ୍କୃତିଠୁ ଯୋଜନ ଦୂରତ୍ୱରେ ଥାଇ କେବଳ ବେପାର କରୁଥିବା ବସ୍‌ କଣ୍ଡକ୍ଟରମାନେ କେହି ବିଶ୍ୱାସ କଲେ ନାହିଁ। ବରଂ କହିଲେ, ”ରଥଯାତ୍ରା ଭିଡ଼ ଭିତରେ ଦୁଇଗୁଣ ଭଡ଼ାରେ ବି ଯାତ୍ରୀ ଉଠାଇଲେ ଯେତେବେଳେ ବସ୍‌ ଭିତରେ ଛିଡ଼ା ହେବାକୁ ଜାଗା ନାହିଁ; ସେତେବେଳେ ବାକି ପାସେଞ୍ଜରଙ୍କୁ କିଏ ପଚାରେ।“ ମିଶ୍ରବାବୁ ଆହତ ହେଲେ। ପାଗଳଙ୍କ ପରି ଅଚିହ୍ନା ଅଜଣା ଲୋକଙ୍କ ପାଖରେ ହାତ ପାତିଲେ। ମାତ୍ର ବିଶ୍ୱାସ ଯେଉଁଠି ଅମୃତଠାରୁ ଆହୁରି ମହଙ୍ଗା, ସେଠି କିଏ କାହିଁକି ଆଗେଇ ଆସନ୍ତା ମାଗଣାରେ ବିଶ୍ୱାସ ବାଣ୍ଟିବା ପାଇଁ! ‘ଆହା’ ବୋଲି କହି ସାହା ହେବାକୁ କିଏ ବା ମିଳନ୍ତେ ସ୍ବାର୍ଥସର୍ବସ୍ବଙ୍କ ଭିଡ଼ ଭିତରୁ!
ନନ୍ଦିଘୋଷ ରଥ ଆଡ଼କୁ ଚାହିଁ ଜଗନ୍ନାଥଙ୍କୁ ବହେ ଗାଳିଦେଲେ ମିଶ୍ରବାବୁ- ”ତୁ କୁଆଡ଼େ ଦୁଃଖହାରୀ, ପତିତ ତାରଣ। ଏମିତି ତ୍ରାଣ କରୁଛୁ ମୋ ଆହତ ଝିଅର! ଭୋକିଲା ପରିବାରର! ଆଉ ନୁହେଁ, ଏଇଟା ଶେଷ। ମୋ ପାଇଁ ତୁ ନାହୁଁ କି ତୋ ପାଇଁ ମୁଁ ନାହିଁ।“ ପାଗଳଙ୍କ ପ୍ରଳାପ ପରି ନିଜକୁ ନିଜେ କହୁଥିବା ବେଳେ ଅଚାନକ ସେଇ ଚମତ୍କାରଟି ଘଟିଲା। ବସ୍‌ଷ୍ଟାଣ୍ଡର ଭିଡ଼ ମଧ୍ୟରୁ ଜଣେ ମଧ୍ୟବୟସ୍କ ଲୋକ ଆଗେଇ ଆସିଲେ ଓ ମିଶ୍ରବାବୁଙ୍କ ହାତରେ ପାଞ୍ଚଶହ ଟଙ୍କିଆ ନୋଟଟିଏ ଧରାଇ ଦେଇ କହିଲେ, ”ପ୍ରଥମେ ଯାଆନ୍ତୁ, ହୋଟେଲରେ ପିଲାମାନଙ୍କୁ ପେଟପୂରା ଖାଇବାକୁ ଦିଅନ୍ତୁ। ତା’ ପରେ ଗାଡ଼ି ଧରିବେ।“ ଟଙ୍କା ପାଇଁ ବ୍ୟସ୍ତ ହେବେନି। ଘରେ ପହଞ୍ଚି ଏଇ ଠିକଣାରେ ମୋ ଟଙ୍କା ଫେରାଇ ଦେବେ!! ମିଶ୍ରଙ୍କ ହାତକୁ ଠିକଣା ଲେଖା କାଗଜ ଖଣ୍ଡିଏ ବଢ଼ାଇ ଦେଇ ସେଇ ଅଚିହ୍ନା ଆଗନ୍ତୁକ ଜଣକ ଏକ ଛାଡ଼ୁଥିବା ବସ୍‌ ଭିତରକୁ ଉଠିଗଲେ ଯେ ତାଙ୍କ ବିଶାଳ ବ୍ୟକ୍ତିତ୍ୱର ଉଜ୍ଜ୍ୱଳ ମାନବିକତା ପ୍ରତି ନିଜ ସମର୍ପଣ ପ୍ରକଟ କରିବାକୁ ସେ ସାମାନ୍ୟ ସୁଯୋଗ ମଧ୍ୟ ପାଇଲେ ନାହିଁ।
କଥାଟି ଏଇଠି ସରିଥିଲେ ଆଉ କଥା ନ ଥାନ୍ତା। ମାତ୍ର ଏହାର ପର ପର୍ଯ୍ୟାୟର କଥାଟି ଯେମିତି ମହତ୍ତ୍ୱପୂର୍ଣ୍ଣ, ସେମିତି ରହସ୍ୟମୟ। ନିଜ ପନତ୍ୀ ଓ ପିଲା ଦୁହିଁଙ୍କ ସହ ହୋଟେଲରେ ଖାଇସାରି ବସ୍‌ ଧରିବାକୁ ଯିବା ପୂର୍ବରୁ ଶ୍ରୀମତୀ ମିଶ୍ରଙ୍କଠୁ ସେ ମୃଦୁ ଭର୍ତ୍ସନା ଶୁଣିଲେ- ”ଜଗନ୍ନାଥଙ୍କୁ ଗାଳି ଦେଇଥିଲ ପରା। ଦେଖିଲ ତ ସେ କାହାକୁ ପଠାଇ ଆମ ଦୁଃଖ ମୋଚନ କଲେ।“ ନିଜ ଭୁଲ୍‌ ପାଇଁ ଅନୁତପ୍ତ ହୋଇ ସେଇ ରହସ୍ୟମୟ ସାହାଯ୍ୟକାରୀଙ୍କ କାଗଜଟି ଖୋଲି ତାଙ୍କ ଠିକଣା ଖୋଜିଲା ବେଳକୁ ଦେଖିଲେ ସାଦା ଧଳା କାଗଜଟିଏ, ଯାହା ଉପରେ ଗାରଟିଏ ବି ପଡ଼ିନାହିଁ। ଚକାଆଖିଙ୍କ ଚମତ୍କାରକୁ ଅଙ୍ଗେ ନିଭାଇ ପିଲାଙ୍କ ପରି ରଡ଼ି ପକାଇ କାନ୍ଦି ଉଠିଲେ ମିଶ୍ରବାବୁ।
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର-୧୦
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri