ସୁମାତା ଓ କୁମାତାଙ୍କ କଥା

ଜଣେ ସନ୍ଥ ଏକଦା କହିଥିଲେ, ”ଈଶ୍ୱରଙ୍କ ସନ୍ଧାନରେ ମୋ ଜୀବନକାଳର ସମଗ୍ର ସାଧନା ବିନିଯୋଗ କରି ତଥାପି ଅପ୍ରାପ୍ତିର ହତାଶା ମଧ୍ୟରେ ବଞ୍ଚୁଥିବା ବେଳେ ଅଚାନକ ମୋ ଆଖି ପଡ଼ିଲା ମୋତେ ଜନ୍ମ ଦେଇଥିବା ମାଆଙ୍କ ଉପରେ। ଗଭୀର ଅନ୍ତର୍ଦୃଷ୍ଟି ନେଇ ତାକୁ ନିରେଖିଲା ପରେ ଆଉ କେବେ ଈଶ୍ୱରଙ୍କୁ ଖୋଜିବା ଆବଶ୍ୟକ ପଡ଼ିନାହିଁ।“ ପ୍ରକୃତରେ ବାଘ ଦେଖି ନ ଥିବା ଲୋକକୁ ବିଲେଇ ଦେଖାଇ ବୁଝାଇବା ଭଳି ଈଶ୍ୱରଙ୍କୁ ଅନୁଭବୀ ପାରୁ ନ ଥିବା ଲୋକକୁ ମାଆର ମାତୃତ୍ୱ ଦେଖାଇ ଈଶ୍ୱରତ୍ୱକୁ ଚିହ୍ନାଇ ଦେବା ଅତି ସହଜ। କୌଣସି ପ୍ରାପ୍ତିର ଆଶା ନ ରଖି କେବଳ ଦେବାରେ ଯିଏ ଆନନ୍ଦ ପାଆନ୍ତି ଓ ସକଳ ଅବଜ୍ଞା ଅବହେଳାକୁ ମନରେ ନ ଘେନି ଯିଏ ସନ୍ତାନର ମଙ୍ଗଳ କାମନା କରନ୍ତି, ସିଏ ହୋଇପାରନ୍ତି ମାଆ ଅବା ଈଶ୍ୱର। ଅଦୃଷ୍ଟ ଈଶ୍ୱରଙ୍କ ପରି ପ୍ରେମ ଓ କରୁଣାର ଦୃଶ୍ୟମାନ ବିଗ୍ରହ ହେଉଛି ମାଆ। ମାଆ ଓ ଈଶ୍ୱର ମୁଦ୍ରାର ଦୁଇଟି ପାର୍ଶ୍ୱ ପରି।
ରାବଣ ନିଧନ ପରେ ଲଙ୍କାରୁ ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ରାଜ ସିଂହାସନରେ ପୁନରାଭିଷିକ୍ତ ହେଲା ପରେ ରାଜମାତା କୌଶଲ୍ୟାଙ୍କ ଏକ ବିଚିତ୍ର ପ୍ରଶ୍ନର ସାମ୍ନା କରି ବିଚଳିତ ହୋଇପଡ଼ିଥିତ୍ଲେ ରାଜା ରାମ। ଅତ୍ୟନ୍ତ ନିଭୃତରେ କୌଶଲ୍ୟା ଦିନେ ତାଙ୍କୁ ପଚାରିବସିଲେ- ”ତୁମେ କିଏ ରାମ? ତୁମ ପ୍ରକୃତ ପରିଚୟ କ’ଣ?“ ନିଜ ମାଆଙ୍କଠୁଁ ଏମିତି ଏକ ପ୍ରଶ୍ନ ଯେକୌଣସି ପୁଅକୁ ନିର୍ବାକ୍‌ କରିଦେବା ପାଇଁ ଯଥେଷ୍ଟ। ମତିଭ୍ରମରେ ତ ଆଉ ଆକ୍ରାନ୍ତ ହୋଇନାହାନ୍ତି ମୋ ଜନ୍ମଦାତ୍ରୀ ଜନନୀ! ରାମ କିଛି କ୍ଷଣ ପରେ ଉତ୍ତରଦେଲେ- ”ମାଆ! ମୁଁ ତୁମର ପୁଅ। ଦଶରଥ ସୁତ କୌଶଲ୍ୟାନନ୍ଦନ ରାମ। ବାସ୍‌, ତାହା ବାହାରେ ଯଦି ଅନ୍ୟ କିଛି ପରିଚୟ ଥାଏ, ତେବେ ତାହା ଅତି ଗୌଣ।“
କୌଶଲ୍ୟାଙ୍କୁ ସନ୍ତୁଷ୍ଟ କଲା ନାହିଁ ରାମଙ୍କର ଏହି ସରଳ କଥନ। ସେ କହିଲେ, ”ମୋ ବ୍ୟତୀତ ଅବଶିଷ୍ଟ ସଂସାର ତୁମକୁ ବିଷ୍ଣୁଙ୍କ ଅବତାର ବୋଲି କହୁଛି। ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି ଡାକୁଛି। ମୁଁ ଅଯୋଧ୍ୟା ଛାଡ଼ି କାଲି ବାନପ୍ରସ୍ଥରେ ବାହାରିବି। ଯିବା ପୂର୍ବରୁ ଏତିକି ଜାଣିବାକୁ ଚାହୁଁଛି ଯେ ମୋ ଗର୍ଭରୁ କିଏ ଜନ୍ମ ନେଇଛନ୍ତି! ଜଣେ ସାଧାରଣ ରାଜପୁତ୍ର ନା ସ୍ବୟଂ ସୃଷ୍ଟିକର୍ତ୍ତା ଭଗବାନ! ତୁମେ ଯଦି ସ୍ବୟଂ ଭଗବାନ, ତେବେ ଏକ ଦିବ୍ୟ ପୁଲକରେ ଶିହରିତ ହେବ ମୋ ମାତୃତ୍ୱ। ଧନ୍ୟ ହେବ ମୋର ମାଆପଣ, ଏଥିପାଇଁ ଯେ ସଂସାରରେ ଏତେ ମାଆ ଥାଉ ଥାଉ ଈଶ୍ୱର ମୋ ଗର୍ଭକୁ ବାଛି ମୋତେ କୃପା କରିଛନ୍ତି। ଯଦି ତାହା ବି ନୁହେଁ, ତୁମେ ଜଣେ ସାଧାରଣ ସନ୍ତାନ; ତଥାପି ଗର୍ବ କରିବି ଏହି କାରଣରୁ ମୋ ପୁଅ ଏମିତି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଯେ ସାରା ସଂସାର ତାଙ୍କୁ ସାଧାରଣ ପୁରୁଷ ନ କହି କହୁଛି ମର୍ଯ୍ୟାଦା ପୁରୁଷୋତ୍ତମ। ଉଭୟ ଆଡୁ ମୋ ମାତୃତ୍ୱ ହେବ ଗୌରବମଣ୍ଡିତ।“
ବିଷମ ମୁହୂର୍ତ୍ତର ସମ୍ମୁଖୀନ ହେଲେ ମର୍ଯ୍ୟାଦାପୁରୁଷ। କ’ଣ ବା ଉତ୍ତର ଦେବେ ନିଜ ଜନନୀଙ୍କୁ! କେମିତି ବା ଜଣେ ମାଆ ପଣତକାନିରେ ଦିବ୍ୟ ଅନନ୍ୟତାର ଗୌରବ ଟେକିଦେଇ ଅନ୍ୟ ମାଆଙ୍କ ପ୍ରତି ଅବିଚାର କରିବେ! ଶେଷରେ ଯାହା କହିଲେ, ତାହା ବୋଧହୁଏ ସଂସାରର ସବୁ ମାତାଙ୍କ ସପକ୍ଷରେ ଏକ ସର୍ବକାଳୀନ ସ୍ବୀକୃତିର ସର୍ବଶ୍ରେଷ୍ଠ ସିଦ୍ଧାନ୍ତ। କହିଲେ- ”ମାଆ! ମୁଁ ଭଗବାନ କି ନୁହେଁ, ଏକଥା ଜାଣେ ନାହିଁ। କିନ୍ତୁ ଏତିକି ଜାଣିଛି ଯେ ମାଆଙ୍କ ସଂସ୍କାର ଓ ଆଶୀର୍ବାଦ ମିଳିଲେ ପ୍ରତ୍ୟେକ ମଣିଷ ଭଗବାନ ହୋଇପାରିବେ।“ ଆଃ, କି ଦିବ୍ୟ ସନ୍ଦେଶ ସାରା ସଂସାରର ସବୁ ମାଆମାନଙ୍କ ପାଇଁ! ଏଥିପାଇଁ ତ ସେ ଅନନ୍ୟ, ଅସାଧାରଣ, ମର୍ଯ୍ୟାଦା ପୁରୁଷୋତ୍ତମ!
ଉତ୍ତର ରାମାୟଣରେ ବର୍ଣ୍ଣିତ ମାତାପୁତ୍ର ଆଳାପ ପ୍ରସଙ୍ଗରେ ଜୀବନ ଦର୍ଶନ ଓ ମାନବୀୟ ଉତ୍ତରଣର ଭିନ୍ନ ପରିଭାଷା ମଧ୍ୟରେ ଚିତ୍ରିତ ହୋଇଛି ସୁମାତାମାନଙ୍କ ଚରିତ୍ର। ଏମିତି ତ ସଂସାରର ସବୁ ମାଆ ସୁମାତା ପର୍ଯ୍ୟାୟର। କୌଣସି ମାଆ କେବେ ବି ତାଙ୍କ ସନ୍ତାନଙ୍କ ଅମଙ୍ଗଳ କାମନା କରିପାରନ୍ତି ନାହିଁ। ସନ୍ତାନ ଉପରେ ସେମାନେ ଅଜାଡ଼ି ପକାନ୍ତି ସଂସାରଯାକର ସୁଖ ଓ ସମୃଦ୍ଧି। ତେବେ ଧନପତିର ଐଶ୍ୱର୍ଯ୍ୟ ହେଉ କି କାଙ୍ଗାଳର ଅଭାବ, ମାଆଙ୍କ ମହନୀୟ ମାତୃତ୍ୱ ଆଗରେ ଫିକା ପଡ଼ିଯାଏ ଅସୁମାରି ଧନରତ୍ନର ଔଜ୍ଜ୍ୱଲ୍ୟ ତ ପୁଣି ଦୂରକୁ ଘୁଞ୍ଚତ୍ୟାଏ ଦାରିଦ୍ର୍ୟର ଅନ୍ଧାର। ଅଥଚ ବିଡ଼ମ୍ବନାର ବିଷୟ, ସଂସାରରେ ପୁଣି ଏମିତି କିଛି ମାଆ ଅଛନ୍ତି, ଯେଉଁମାନେ ସେମାନଙ୍କ ସନ୍ତାନଙ୍କ ପାଇଁ ସମ୍ପଦ ନୁହେଁ, ବିପଦ ହୋଇ ଉଭା ହୁଅନ୍ତି!
କିଏ ଜଣେ ଶାସ୍ତ୍ରକାର କେବେ ଲେଖିଥିଲେ- ”ସଂସାରରେ କୁପୁତ୍ର ଥାଇପାରନ୍ତି ସିନା, କୁମାତା କେବେ ଥାଇ ନ ପାରନ୍ତି।“ କେଉଁ ସମୟର ଏହା ବିଶ୍ୱାସ କେଜାଣି, ଏବେ କିନ୍ତୁ ସେଇ ଶାସ୍ତ୍ରକାର ବଞ୍ଚତ୍ଥିଲେ ଏଇ ସମାଜରେ କୁମାତାମାନଙ୍କ କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟା ଦେଖି ତାଙ୍କ ଅତୀତର ପର୍ଯ୍ୟବେକ୍ଷଣକୁ ବଦଳାଇବା ପାଇଁ ବାଧ୍ୟ ହୋଇଥାନ୍ତେ। ଅବଶ୍ୟ ନିଜ ବିବାହ ପୂର୍ବରୁ ପୁତ୍ର ସନ୍ତାନର ଜନନୀ ହେବାର ଲୋକଲଜ୍ଜାରୁ ମୁକ୍ତି ପାଇବାକୁ କର୍ଣ୍ଣଙ୍କୁ ନଦୀଗର୍ଭରେ ଭସାଇ ଦେଇଥିବା ସେକାଳର କୁନ୍ତୀଙ୍କୁ କୁମାତା ଶ୍ରେଣୀଭୁକ୍ତ କରାଯାଇଛି କି ନାହିଁ, ମାତ୍ର ଏବେ ଏଭଳି କୁମାରୀ ମାତାଙ୍କ ସଂଖ୍ୟା ଅଙ୍ଗୁଳିରେ ଗଣିବା ସମ୍ଭବ ନୁହେଁ। ଉଗ୍ର ଆଧୁନିକତାର ଆବାହନ ମଧ୍ୟରେ ଯୌବନର ଜୟଗାନ କରୁଥିବା ଯୁବାବର୍ଗଙ୍କ ନିକଟରେ ସୁମାତା ଓ କୁମାତାର ସଂଜ୍ଞା ନିରୂପଣ ଅତ୍ୟନ୍ତ ମୂଲ୍ୟହୀନ। ଚିନ୍ତାଜନକ ହେଉଛି, ସନ୍ତାନମାନେ ମାଆର ଜୀବନ ବୋଲି ଥିବା ଏକ ସଂସ୍କାରସିଦ୍ଧ ବିଶ୍ୱାସକୁ ପ୍ରତିହତ କରି ମାଆ ଜଣେ ନିଜ ସୁଖ ପାଇଁ କେଉଁଠି ସନ୍ତାନର ଜୀବନ ନେଉଛି ତ ଅନ୍ୟ କେଉଁଠି ସବୁଦନ ପାଇଁ ସନ୍ତାନକୁ ପରିତ୍ୟାଗ କରୁଛି।
ଅଳ୍ପ କେଇଦିନ ତଳେ ଗୋଟିଏ କମ୍ପାନୀର ଉଚ୍ଚ ପଦବୀରେ ଅଧିଷ୍ଠିତ ମାଆ ଜଣେ ନିଜ ସୁଖ ପଥରେ ତାଙ୍କ ଚାରିବର୍ଷର ପୁଅଟିକୁ କଣ୍ଟା ବିଚାରି ଅତ୍ୟନ୍ତ ନିର୍ମମ ଭାବେ ତାକୁ ହତ୍ୟା କରିଥିବାର ଖବର ପ୍ରକାଶ ପାଇଥିଲା। ପୁଣି ଏଇ ଆମ ରାଜ୍ୟର ପଶ୍ଚିମ ପ୍ରାନ୍ତରେ ମାଆଟିଏ ନିଜ ସଦ୍ୟଜାତ ଝିଅଟିକୁ ଅବାଞ୍ଛିତ ମନେ କରି ଏକ ପରିତ୍ୟକ୍ତ ବୋର୍‌ଓ୍ବେଲର ଗଭୀର ଗର୍ତ୍ତ ଭିତରକୁ ନିକ୍ଷେପ କରିଥିଲା। ଅବଶ୍ୟ ‘ରଖେ ହରି, ମାରେ କିଏ’ ଭଳି ଆପ୍ତବାଣୀକୁ ସତ୍ୟସିଦ୍ଧ କରି ନିୟତି ତାକୁ ବଞ୍ଚାଇ ରଖିଥିଲା। ଅନ୍ୟ ଏକ ଘଟଣାକ୍ରମରେ ନିଜର ଦୁଇ ଯମଜ ସନ୍ତାନଙ୍କୁ ହତ୍ୟା କରି କୂଅ ମଧ୍ୟକୁ ନିକ୍ଷେପ କରିଥିଲା ଆଉ ଜଣେ ରାକ୍ଷସୀ ମାଆ।
ମାଆଟିଏ, ସିଏ ମଣିଷ ହେଉ କି ପଶୁ, ତା’ ଗର୍ଭରୁ ଜନ୍ମ ନେଇଥିବା ସନ୍ତାନଟିଏ ଭିତରେ ସେ ଦେଖେ ନିଜକୁ, ଚିହ୍ନେ ନିଜ ଆତ୍ମାକୁ। ଅଥଚ ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ନିଜ କାମବାସନା ଚରିତାର୍ଥ କରିବାକୁ ପରକୀୟାଲିପ୍ତ ମାଆ ଜଣେ ତା’ ସ୍ବାମୀର ଅବର୍ତ୍ତମାନରେ ନିଜ ପ୍ରେମିକ ସହ ମିଶି ହତ୍ୟା କରିପାରେ ନିଜ ଆତ୍ମଜାକୁ। ପୁଣି ଅନ୍ୟ କେଉଁଠି ଭାରତରେ ନିଜ ପତି ପରିବାର ସହ ଦୁଇ ପିଲାଙ୍କୁ ପରିତ୍ୟାଗ କରି ମାଆ ବୋଲାଉଥିବା ନାରୀ ଜଣେ ପାକିସ୍ତାନ ଚାଲିଯାଇପାରେ ଜଣେ ଅଦେଖା ପ୍ରେମିକର ସଙ୍ଗ ଲୋଡ଼ିବାକୁ! ଏମାନେ କ’ଣ ସେଇ ମାଆ, ଯାହାଙ୍କ ସଂସ୍କାର ଓ ଆଶୀର୍ବାଦ ମିଳିଲେ ସନ୍ତାନଟିଏ ମଣିଷରୁ ଈଶ୍ୱରରେ ରୂପାନ୍ତରିତ ହୋଇଯାଇପାରେ ବୋଲି ଏକଦା ପ୍ରଭୁ ଶ୍ରୀରାମ ତାଙ୍କ ମାତାଙ୍କୁ କହିଥିଲେ! ରାମ ଆଉ ଥରେ ଆବିର୍ଭୂତ ହୁଅନ୍ତେ ସିନା, ଜାଣନ୍ତେ ନବ୍ୟ ସଭ୍ୟତାର ଭବ୍ୟ ଆହ୍ବାନ ମଧ୍ୟରେ ସେଭଳି ମାଆ ନାହାନ୍ତି କି ସେପରି ସଂସ୍କାର ବି ନାହିଁ! ଅବକ୍ଷୟ ମୁହଁରେ ପଡ଼ି ସବୁ କିଛି ଭାସି ଚାଲିଛି ତଳକୁ ତଳକୁ, ରସାତଳକୁ!
ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri