Posted inଫୁରସତ

ସର୍ବହରା ମା’ବାପା

ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସ୍ବପ୍ନ ସବୁ ମା’ବାପା ଦେଖନ୍ତି। ତାକୁ ପୂରଣ କରିବାକୁ ଦିନରାତି ଏକାକାର କରି ପରିଶ୍ରମ କରନ୍ତି। ବେଳେବେଳେ ତ ନିଜର ସର୍ବସ୍ବ ହରାଇ ବସନ୍ତି। ତଥାପି ନ ଥାଏ ସେମାନଙ୍କର ଦୁଃଖ। ସେମିତି ଏକ ମା’ବାପାଙ୍କ କରୁଣ କାହାଣୀ ଦେଖିବାକୁ ମିଳେ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ନିରାକାରପୁର ପଞ୍ଚାୟତ, ପାଣ୍ଡବପାଟଣା ଗାଁରେ। ଗୋପାଳ ବେହେରା(୮୫) ଓ ତାଙ୍କ ଅର୍ଦ୍ଧାଙ୍ଗିନୀ ରଙ୍ଗି ବେହେରା (୮୦) ଏବେ ବୟସର ସାୟାହ୍ନରେ। ୪ ଝିଅ, ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର। ଆଉ ସେଇ ପିଲାଙ୍କ ଜୀବନକୁ ଖୁସିରେ ଭରିବାକୁ ଚେଷ୍ଟାକରି ଏବେ ସେମାନେ ସର୍ବହରା। ମୁଣ୍ଡ ଉପରେ ଛାତ ବି ନାହିଁ। ବାସହରା ହୋଇ ଏଠି ସେଠି ମୁଣ୍ଡ ଗୁଞ୍ଜୁଛନ୍ତି। ବୟସ ଥିବାବେଳେ ଗୋପାଳ ମୂଲମଜୁରି ଲାଗି ଘର ଚଳାଉଥିଲେ। ଅଭାବ ଅସୁବିଧା ଥିଲେ ହେଁ ସଂସାର ବେଶ୍‌ ଭଲଭାବେ ଚାଲିଥିଲା। ଧୀରେ ଧୀରେ ପିଲାମାନେ ବଡ଼ ହେଲେ। ବିବାହ ବୟସ ବି ଆସିଗଲା। ସେମାନଙ୍କ ବାହାଘର ଚିନ୍ତା ଘାରିଲା ଗୋପାଳଙ୍କୁ। ବହୁକଷ୍ଟରେ ଟଙ୍କା ଯୋଗାଡ଼ କରି ତିନି ଝିଅ, ଗୋଟିଏ ପୁଅକୁ ବିବାହ କରାଇଲେ। ତେବେ ସାନଝିଅର ବିବାହ ବେଳକୁ ତାଙ୍କ ପାଖରେ ନ ଥାଏ ଆଉ କିଛି ସମ୍ବଳ। ଏଣେ ପିଲାମାନଙ୍କ ଆର୍ଥିକ ଅବସ୍ଥା ବି ସ୍ବଚ୍ଛଳ ନ ଥାଏ ବାପାଙ୍କୁ ସାହାଯ୍ୟ କରିବା ପାଇଁ। ତେଣୁ ଗୋପାଳଙ୍କ ଚିନ୍ତା ବଢ଼ିଯାଇଥାଏ। ଝିଅକୁ ତ ଆଉ ଅବିବାହିତ ରଖିପାରିବେନି। ଯେମିତି ହେଲେ ବିବାହ ଦେବାକୁ ପଡିବ। ହେଲେ ଆବଶ୍ୟକ ଅର୍ଥ ଆସିବ କେଉଁଠୁ ସେ ଭାବିପାରୁ ନ ଥାଆନ୍ତି। ଶେଷରେ ସେ ନେଲେ ଏକ ଚରମ ନିଷ୍ପତ୍ତି। ଏକମାତ୍ର ସମ୍ବଳ ନିଜ ଘରକୁ ଏକ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରିଦେଲେ। ଆଉ ସେଇଥିରେ ହିଁ ଝିଅକୁ ବାହାଦେଇ ଶାଶୁଘରକୁ ବିଦା କରିଦେଲେ। ହେଲେ ନିଜେ ହୋଇଗଲେ ବାସହରା। ଆଉ ଯାଯାବର ପରି ଜୀବନଯାପନ କଲେ ା ଦୀର୍ଘଦିନ ସେମାନେ ସ୍ଥାନୀୟ ହାଇସ୍କୁଲର ଏକ ଖଣ୍ଡିଆ ଘରେ ଜୀବନଯାପନ କଲେ। ଆଉ ନଳି ଛାଣି ଗୋପାଳ ଗାଁ ଗଣ୍ଡାରେ ବିକ୍ରି କଲେ। ତାଙ୍କ ସ୍ତ୍ରୀ ଅନ୍ୟ ଘରେ ବାସନ ମାଜିଲେ। ଏମିତି କିଛିଦିନ ଠିକ୍‌ଠାକ୍‌ ଚଳିଲେ। କିନ୍ତୁ ସ୍କୁଲର ଘର ଆବଶ୍ୟକ ପଡିବାରୁ ସ୍କୁଲ କର୍ତ୍ତୃପକ୍ଷ ସେଠାରୁ ବାହାରିଯିବାକୁ କହିଲେ। ଏବେ ସମ୍ପୂର୍ଣ୍ଣ ବାସହରା ହୋଇଗଲେ ଦୁହେଁ। ଏହି ଅବସ୍ଥା ଦେଖି ଗାଁର କିଛି ଲୋକ ଗାଁ କୋଠଘର ବାରିପଟେ ଜରି ଟାଣି ରହିବାକୁ ଦେଲେ। ହେଲେ ବାର୍ଦ୍ଧକ୍ୟ ଯୋଗୁ ନଳି ଛାଣିବା କି ଅନ୍ୟ ଘରେ କାମ କରିବା ଆଉ ସେମାନଙ୍କ ପାଇଁ ସମ୍ଭବ ହେଲାନାହିଁ ା ଶେଷରେ କିଛି ଗ୍ରାମବାସୀଙ୍କ ହାତଟେକାକୁ ଭରସା କଲେ ଦୁହେଁ। ଗ୍ରାମରେ ବିବାହ କରିଥିବା ଗୋଟିଏ ଝିଅ ବି ଅନେକ ସମୟରେ ଖାଇବା ଆଣି ଦେଇଯାଏ। ଯେଉଁଦିନ କେଉଁଆଡୁ କିଛି ନ ମିଳେ ଗୋପାଳଙ୍କ ସ୍ତ୍ରୀ ଘର ଘର ବୁଲି ଭିକ୍ଷା ବି ମାଗିଲେ। ପେଟ ଚାଖଣ୍ଡକ ଲାଗି ଏଭଳି ସଂଘର୍ଷ ଲାଗି ରହିଥିବାବେଳେ ଗତମାସରେ ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ଼ ଫନୀ ତାଙ୍କ ଦୁଃଖକୁ ଆହୁରି ବଢାଇଦେଲା। ପ୍ରବଳ ପବନରେ ଜରିଘର ତାଙ୍କର ଛାର୍‌ଖାର ହୋଇଗଲା। ତେଣୁ ହାଇସ୍କୁଲ ଗୃହରେ ଆଶ୍ରୟ ନେଇଥିଲେ।

ହେଲେ ସ୍କୁଲ ଖୋଲିଯିବା ପରେ ସେମାନେ ଏବେ ନିକଟସ୍ଥ ପାହାଡ ତଳେ କୁଡିଆ କରି ରହୁଛନ୍ତି। ସେଥିରେ ପୁଣି ଗୋପାଳ ପକ୍ଷାଘାତ ରୋଗରେ ଆକ୍ରାନ୍ତ। ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ସମ୍ଭବ ହେଉନାହିଁ ା ଏଣେ ତା’ ପାଇଁ କିଛି ନ ରଖି ଝିଅ ଲାଗି ଘର ବିକି ଦେଇଥିବାରୁ ପୁଅ ବି ଆଉ ଗାଁକୁ ଆସୁନାହିଁ। ତା’ ପରିବାରକୁ ନେଇ ବାହାରେ ରହି ମୂଲମଜୁରି ଲାଗି ଚଳୁଛି। ଏମିତିରେ ବାସହରା ଅସହାୟ ଗୋପାଳ ଓ ତାଙ୍କ ସ୍ତ୍ରୀ ଭାବିପାରୁନାହାନ୍ତି କେମିତି ବାକି ଜୀବନତକ କାଟିବେ। ଏବେ ଖାଲି ଭଗବାନ ହିଁ ସେମାନଙ୍କ ଭରସା ବୋଲି କୁହନ୍ତି।

-ମାନସ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri