ସମ୍ପାଦକୀୟ/ ସଡ଼କ ଯମ

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟଠାରୁ ସଡ଼କ ଦୁର୍ଘଟଣାଜନିତ ଲୋକଙ୍କ ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଗତ ୩ ବର୍ଷରେ ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୬,୨୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୨ ବର୍ଷ ମଧ୍ୟରେ ରାସ୍ତା ଦୁର୍ଘଟଣାରେ ୧୯ ହଜାର ଲୋକଙ୍କ ଜୀବନ ଯାଇଛି ଏବଂ ୯ ଲକ୍ଷ ୩୮ ହଜାର ଆହତ ହୋଇଛନ୍ତି। ଜାତୀୟ ସ୍ତରରେ ଦେଖିଲେ ପ୍ରତିବର୍ଷ ଭାରତରେ ୧,୫୦,୦୦୦ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ପରିସଂଖ୍ୟାନ କହେ ଦୈନିକ ୪୦୦ ଲୋକ ରାସ୍ତା ଦୁର୍ଘଟଣା ଯୋଗୁ ପରଲୋକଗତ ହେଉଛନ୍ତି। ଏସବୁ ତଥ୍ୟକୁ ବିଶ୍ଳେଷଣ କଲେ ସଡ଼କ ଦୁର୍ଘଟଣା ପଛରେ ଜନସାଧାରଣ ଦାୟୀ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଡ୍ରାଇଭରମାନଙ୍କ ଶିକ୍ଷାଗତ ଯୋଗ୍ୟତା ଉଚ୍ଛେଦ କରିବା ଲାଗି ନିଷ୍ପତ୍ତି ନେବା ଏବେ ଚିନ୍ତାର ବିଷୟ । ୧୮ ଜୁନ୍‌ରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ବିବୃତିିରେ କୁହାଯାଇଛି ଯେ, ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ରହିବ ନାହିଁ। ଫଳରେ ଅନେକ ବେକାର ଏହା ଦ୍ୱାରା ନିଯୁକ୍ତି ସୁଯୋଗ ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରିି ନିଷ୍ପତ୍ତିକୁ କୌଣସି ମହଲରୁ ଏପର୍ଯ୍ୟନ୍ତ ସମାଲୋଚନା କରାଯାଇ ନାହିଁ। ତାହାର ମୁଖ୍ୟ କାରଣ ହେଉଛି, ସଡ଼କରେ ନିଜର ସୁରକ୍ଷା କେଉଁଭଳି ଭାବେ କରାଯାଇପାରିବ, ସେ ସମ୍ପର୍କରେ ଆମେ କେହି ସଚେତନ ନୋହୁଁ।
ମୋଟର ଭେଇକିଲ ନିୟମ ୧୯୮୯ ଅନୁଯାୟୀ, ପରିବହନ ଦିଗରେ କାର୍ଯ୍ୟ କରୁଥିବା ଗାଡ଼ି ଡ୍ରାଇଭର ଲାଇସେନ୍ସ ପାଇବା ପାଇଁ ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ରଖାଯାଇଛି। ସରକାରଙ୍କ ନୂଆ ନିୟମ ଲାଗୁ ହେଲେ ଏଣିକି ଡ୍ରାଇଭର ହେବା ପାଇଁ ଅପାଠୁଆ ଯୋଗ୍ୟତା ଅର୍ଜନ କରିପାରିବେ। ଅର୍ଥାତ୍‌ କେବଳ ଗାଡ଼ି ଚଳାଇବାର ଦକ୍ଷତା ଲାଗି ଥିବା ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୋଇଗଲେ ବିଧିବଦ୍ଧ ଚାଳକ ପାଲଟିଯିବେ। ଉକ୍ତ ମନ୍ତ୍ରଣାଳୟ ଆଶଙ୍କା ବ୍ୟକ୍ତ କରିଛି ଯେ, ଦେଶରେ ପ୍ରାୟ ୨୨ ଲକ୍ଷ ଡ୍ରାଇଭରଙ୍କ ଅଭାବ ରହିଛି। ଏଥିଯୋଗୁ ପରିବହନ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରୁ ନାହିଁ। ତେଣୁ ଗାଡ଼ି ଚଳାଇବାରେ ଦକ୍ଷ ଥିବା ଅପାଠୁଆଙ୍କୁ ଏହି କ୍ଷେତ୍ରରେ ବିନିଯୋଗ କରାଗଲେ ପରିସ୍ଥିତିରେ ଉନ୍ନତି ଆସିପାରିବ। କେନ୍ଦ୍ର ସରକାରଙ୍କ ମୋଟର ଭେଇକିଲ୍‌ ନିୟମ ସର୍ବଭାରତୀୟ ସ୍ତରରେ ପ୍ରଯୁଜ୍ୟ ହୋଇଥାଏ। ଅପାଠୁଆ ଯେତେବେଳେ ଡ୍ରାଇଭର ହେବେ, ସେତେବେଳେ ସାଧାରଣ ନିୟମ ରକ୍ଷା କରିବା ଦିଗରେ ସେମାନଙ୍କ କୌଣସି ସଚେତନତା ରହିବ ନାହିଁ। ବେକାରଙ୍କୁ ନିଯୁକ୍ତି ଦେବାର ଆଳ ଦେଖାଉଥିବା କେନ୍ଦ୍ର ସରକାର ଏହି ଦେଶର ସଡ଼କଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ମୃତ୍ୟୁଯନ୍ତାରେ ପରିଣତ କରିଦେବାର ଉଦ୍ୟମ ଆରମ୍ଭ କରିଛି। ଆଜିର ପରିସ୍ଥିତିକୁ ଦେଖିଲେ ଭୁବନେଶ୍ୱର ଭଳି ନଗରରେ ଓଲା କମ୍ପାନୀ ଭଳି ଟାକ୍ସି ଚାଳକମାନଙ୍କର ମଧ୍ୟ ରାସ୍ତା ନିୟମ ସମ୍ପର୍କରେ କୌଣସି ଜ୍ଞାନ ନାହିଁ। ଏକ ଦିଗ (ଓ୍ବାନ୍‌ ଓ୍ବେ) ରାସ୍ତାରେ ଉଭୟପଟକୁ ଅନୁରୂପ ଭାବେ ବ୍ୟବହାର କରାଯାଉଥିବାର ମାରାତ୍ମକ ଲକ୍ଷଣ ଦେଖିବାକୁ ମିଳୁଛି। ଏହା କେବଳ ରାଜଧାନୀରେ ସୀମିତ ନୁହେଁ, ସମଗ୍ର ଓଡ଼ିଶାରେ ଗାଡ଼ିଚାଳକଙ୍କ ସର୍ବନିମ୍ନ ଦକ୍ଷତାର ଘୋର ଅଭାବ ଦେଖାଦେଉଛି। ନୂତନ ଭାବେ ଲାଗୁଥିବା ଟ୍ରାଫିକ୍‌ ଆଲୁଅ ସଙ୍କେତକୁ ବୁଝିକରି ନିୟମ ମାନିବାରେ କାହାରି ଇଚ୍ଛା ଥିବା ଭଳି ମନେହୁଏ ନାହିଁ। ଏହିଭଳି ନୂତନ ଯନ୍ତ୍ରପାତିର ବ୍ୟବହାର କରାଗଲେ କିଛି ମାସ ପାଇଁ ନାଗରିକଙ୍କୁ ସଚେତନ କରିବାର ପ୍ରୟୋଜନ ରହିଥାଏ। ଓଡ଼ିଶାରେ ସେହି ସର୍ବନିମ୍ନ କାର୍ଯ୍ୟ କରିବା ସକାଶେ କାହାରି ଚିନ୍ତା ଥିବା ପରି ଲାଗୁ ନାହିଁ। ଏଭଳି ବିଶୃଙ୍ଖଳିତ ରାସ୍ତା ପରିସ୍ଥିତିରେ ଯେତେବେଳେ ବହୁଳ ମାତ୍ରାରେ ଅଶିକ୍ଷିତ ମାଡ଼ି ଆସିବେ, ସେତେବେଳେ ସେମାନେ ନିଜେ ଧକ୍କା ଲଗାଇ ମରିବା ସହିତ ଆହୁରି ଅନେକଙ୍କୁ ମାରିଦେବେ। ଏଭଳି ଦୁଃଖଦ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସରକାର ଆଇନ ପରିବର୍ତ୍ତନର ପୁନର୍ବିଚାର କରିବା ଦରକାର।
ସାଧାରଣରେ ଧାରଣା ରହିଛି, ଗାଡ଼ି ଡ୍ରାଇଭର ଯେକେହି ହୋଇପାରିବେ ଓ ସେମାନଙ୍କୁ ନୂ୍ୟନ ଦୃଷ୍ଟିରେ ଦେଖାଯାଇଥାଏ। ଅନ୍ୟ ଦେଶଗୁଡ଼ିକରେ ଗାଡ଼ିଚାଳକଙ୍କର ପାଠ ପଢ଼ିବା ସହିତ ରାସ୍ତା ନିୟମ ସମ୍ପର୍କରେ ଜ୍ଞାନ ଥିବାକୁ ନେଇ ପରୀକ୍ଷା କରାଯାଇଥାଏ। ସଡ଼କରେ ଲାଗିଥିବା ବିଭିନ୍ନ ପ୍ରତୀକ ଏବଂ ଲେଖାକୁ ପଢ଼ି ବୁଝିବାର ଦକ୍ଷତା ସମ୍ପର୍କରେ ସେମାନେ ଅବଗତ ଥିଲେ ଲାଇସେନ୍ସ ପାଇପାରିଥାଆନ୍ତି। ଭାରତରେ ତ କୌଣସି ଦକ୍ଷତାର ପ୍ରୟୋଜନ ନ ଥାଏ। ସମ୍ଭବତଃ କେବଳ ଆଧାର କାର୍ଡ ଦେଖାଇପାରିଲେ ଲାଇସେନ୍ସ ହାସଲ ସହଜ ହେବ।
ପ୍ରତିବର୍ଷ ଉପରଠାଉରିଆ ଭାବେ ସଡ଼କ ନିରାପତ୍ତା ସପ୍ତାହ ପାଳନ କରାଯାଉଛି। ହେଲେ ଏହାର ସୁଫଳ ସେଭଳି ମିଳିପାରୁ ନାହିଁ। ବିଭିନ୍ନ ରାଜ୍ୟରେ ହେଉଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି କେ.ଏସ୍‌. ରାଧାକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ପ୍ରତିବର୍ଷ ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁ ପୂର୍ବବର୍ଷଠାରୁ ୧୦ ପ୍ରତିଶତ ହ୍ରାସ କରିବାକୁ କମିଟି ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା। ଓଡ଼ିଶା କଥା ଦେଖିଲେ ଏହି ମୃତ୍ୟୁହାର କମିବା ବଦଳରେ ବଢ଼ିଚାଲିଛି। କେବଳ ଓଡ଼ିଶା ନୁହେଁ, ଦେଶବ୍ୟାପୀ ଏହି ଧାରା ବଜାୟ ରହୁଥିବାରୁ ସଡ଼କ ମନ୍ତ୍ରଣାଳୟ ଏ ଦିଗରେ ଗଭୀର ଭାବେ ଅନୁଶୀଳନ କରିବା କଥା। ଅପାଠୁଆଙ୍କ ହାତରେ ଷ୍ଟିୟରିଂ ଧରାଇଦେଇ ଅଧିକ ଡ୍ରାଇଭର ସୃଷ୍ଟି କରିବାକୁ ଚାହୁଁଥିବା ମନ୍ତ୍ରଣାଳୟର ନିଷ୍ପତ୍ତିରେ ପରିବର୍ତ୍ତନ ନ ହେଲେ ସଡ଼କ ଉପରେ ଅଧିକ ଯମ ବୁଲିବା ସାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri