ସମ୍ପାଦକୀୟ/ଅବିଶ୍ୱସନୀୟ ମନେହେଉଛି

ଭାରତର ସଂସଦୀୟ ଗଣତନ୍ତ୍ରର ଶାସନ ପଦ୍ଧତି ଦେଖିଲେ ଆଇନ ପ୍ରଣେତାମାନେ ବିଭିନ୍ନ ପ୍ରକାର ନୀତି, ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିଥାଆନ୍ତି। ଯୋଜନାର ସ୍ବରୂପ ଦେଖି ଅମଲାତନ୍ତ୍ରୀ ବା ବିଶେଷଜ୍ଞମାନେ ତାହାକୁ କାର୍ଯ୍ୟକାରୀ କରିଥାଆନ୍ତି। ଯେହେତୁ ଲୋକଙ୍କ ସହ ସରକାରୀ ଅଧିକାରୀମାନେ ସିଧାସଳଖ ଯୋଗାଯୋଗରେ ଆସିଥାଆନ୍ତି, ସେହେତୁ ସେମାନଙ୍କୁ ବାସ୍ତବ ସରକାର ଭାବେ ଧରି ନିଆଯାଇଥାଏ। ସାଧାରଣତଃ ଭାରତବର୍ଷରେ ପ୍ରାୟ ଅଧିକାରୀ କେନ୍ଦ୍ରର ମନ୍ତ୍ରଣାଳୟ ବା ରାଜ୍ୟଗୁଡ଼ିକର ବିଭାଗରେ ଥିବା ମନ୍ତ୍ରୀଙ୍କ ପାଖରେ ଉତ୍ତରଦାୟୀ ହେଉ ନ ଥିବାରୁ ସେମାନେ ମନଇଚ୍ଛା କାର୍ଯ୍ୟ କରୁଛନ୍ତି। ବିଶେଷକରି ଅତ୍ୟଧିକ କ୍ଷମତାକୁ ନିଜ ହାତରେ ଠୁଳ କରି ରଖିଥିବା ସର୍ବଭାରତୀୟ ଅଧିକାରୀମାନେ ସ୍ଥଳବିଶେଷରେ ତା’ର ଅପବ୍ୟବହାର କରି ଆର୍ଥିକ ଓ ଅନ୍ୟାନ୍ୟ ପ୍ରକାରର ଫାଇଦା ଉଠାଇ ଚାଲିଛନ୍ତି। କଦବା କେତେବେଳେ ଦୁର୍ନୀତି ଅଭିଯୋଗରେ କେହି ଧରାପଡ଼ିଲେ ଚାକିରିରୁ ନିଲମ୍ବିତ କିମ୍ବା ସବୁଆଡ଼ୁ ବହୁତ ଖୋଳତାଡ଼ ହେଲେ ବହିଷ୍କାର ଯାଏ କଥା ଯାଇଥାଏ। ନ ହେଲେ ଅଧିକାଂଶ ଲୁଚିଲୁଚି ଅବସର ପର୍ଯ୍ୟନ୍ତ ଚାକିରିକୁ ନେଇଯାଇଥାଆନ୍ତି। ସେଥିପାଇଁ କୁହାଯାଇଥାଏ, ସରକାରୀ ଚାକିରି ହେଉଛି ସବୁଠାରୁ ନିରାପଦ। କାର୍ଯ୍ୟ ପ୍ରତି ଉତ୍ତରଦାୟିତ୍ୱର ଘୋର ଅଭାବ ଏହିଭଳି ଅନେକଙ୍କୁ ନିକମା ଅଧିକାରୀ ବା କର୍ମଚାରୀ କରାଇଥାଏ। ଡେରିରେ ହେଲେ ମଧ୍ୟ ଏବେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୧୨ ବରିଷ୍ଠ ଆୟକର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଘଟଣା ନୂଆ ଉଦାହରଣ ସୃଷ୍ଟି କରିଛି। ଯେଉଁମାନଙ୍କ ବିରୋଧରେ ଏପରି କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି, ସେମାନଙ୍କ ନାମରେ ଦୁର୍ନୀତି, ଆୟବହିର୍ଭୂତ ସମ୍ପତ୍ତି ଠୁଳ, ଅପାରଗ ଏବଂ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଏମାନଙ୍କ ମଧ୍ୟରେ ଚିଫ୍‌ କମିଶନର, ପ୍ରିନ୍ସିପାଲ କମିଶନର ଏବଂ କମିଶନ ର଼୍ୟାଙ୍କର ଅଧିକାରୀମାନେ ରହିବା ଅବଶ୍ୟ କାହାରିକୁ ଆଶ୍ଚର୍ଯ୍ୟ ଲାଗୁ ନ ଥାଇପାରେ। ଦୁର୍ନୀତିର ଇତିହାସ ଦେଖିଲେ ଅନେକ ସମୟରେ ପ୍ରଶାସନର ଶୀର୍ଷ ସ୍ଥାନରେ ଥିବା ଅଧିକାରୀ ଅମଲାତନ୍ତ୍ରରେ କଳଙ୍କ ଆଣିଥାଆନ୍ତି।
ଭାରତରେ ଯେଉଁ ସ୍ତରରେ ଦୁର୍ନୀତି ହୋଇଥିଲେ ମଧ୍ୟ ପ୍ରଥମେ ରାଜନେତାଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଥାଏ। ବାସ୍ତବରେ ଅଧିକାରୀ ଓ କର୍ମଚାରୀଙ୍କ ସକ୍ରିୟ ତଥା ସମ୍ପୂର୍ଣ୍ଣ ସମ୍ପୃକ୍ତି ବିନା ଦୁର୍ନୀତି ଅସମ୍ଭବ। ଓଡ଼ିଶାରୁ ଆରମ୍ଭ କରି ପ୍ରତ୍ୟେକ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ସର୍ବୋପରି କେନ୍ଦ୍ରୀୟ ଯୋଜନା ବା ପ୍ରକଳ୍ପ କ୍ଷେତ୍ରରେ ପର୍ସେଣ୍ଟେଜ୍‌ ବା ପିସି ଭଳି ଶବ୍ଦ ସହ ସମସ୍ତେ ଅଭ୍ୟସ୍ତ ଥାଆନ୍ତି। ହାତଗୁଞ୍ଜା ନ ଦେଲେ କାମ ହେବ ନାହିଁ ବୋଲି ଧାରଣା ରହିଛି। କର୍ମଚାରୀ ଓ ଅଧିକାରୀମାନଙ୍କ ବାଟ ଦେଇ ଲାଞ୍ଚ ସର୍ବୋଚ୍ଚ ସ୍ତରରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥାଏ। ଲାଞ୍ଚ ଉପରକୁ ଯିବା ବାଟରେ ସେହି କାମରେ ସମ୍ପୃକ୍ତ କର୍ମଚାରୀଙ୍କ ମଧ୍ୟରେ ଛାଣି ହୋଇଯାଇଥାଏ। ଲାଞ୍ଚ ଦେଇ ଅନୈତିକ ଉପାୟରେ କାମ କରି ନେବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଯଦି ପ୍ରାରମ୍ଭିକ ଅବସ୍ଥାରେ ବାଧା ଦିଆଯାଇପାରନ୍ତା, ତାହା ହେଲେ ସାଧାରଣରେ ଏକ ସକାରାତ୍ମକ ବାର୍ତ୍ତା ଯାଆନ୍ତା ଯେ, ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟର ଅଧିକାରୀମାନେ ସଚ୍ଚୋଟ ଅଛନ୍ତି। ହେଲେ ସେଭଳି ବ୍ୟକ୍ତିଙ୍କୁ ପାଇବା ଲାଗି ଦିନରେ ଟର୍ଚ୍ଚ ଧରି ଖୋଜିବାକୁ ପଡ଼ିବ।
ନିକଟରେ ବଲାଙ୍ଗୀର ଜିଲା ପାଟଣାଗଡ଼ରେ ସର୍ବନିମ୍ନ ସ୍ତରର ଦୁର୍ନୀତି ଦେଖିବାକୁ ମିଳିଥିଲା। ସେଠାରେ ନିକୃଷ୍ଟ ଧରଣର ରାସ୍ତାକାମ ହୋଇଥିବା ଦର୍ଶାଇ ଲୋକମାନେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଘେରିଥିଲେ। ଏପରିକି ସ୍ଥାନୀୟ ବିଧାୟକ ସର୍ବସମ୍ମୁଖରେ ଯନ୍ତ୍ରୀଙ୍କୁ ୧୦୦ ଥର ଉଠ୍‌ବସ୍‌ ହେବା ପାଇଁ ନିର୍ଦ୍ଦେଶ ଦେଇ ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏ ସଂକ୍ରାନ୍ତ ଭାଇରାଲ ହୋଇଥିବା ଭିଡିଓକୁ ଦେଖିଲେ ରାସ୍ତାକାମ ନିମ୍ନମାନର ହୋଇଥିବା ଦୃଶ୍ୟମାନ ହେଉଛି। ହେଲେ ବିଧାୟକଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀଙ୍କ ଉଠ୍‌ବସ୍‌ ହୋଇଗଲା ଗଣମାଧ୍ୟମ ପାଇଁ ମୁଖ୍ୟ ବିଷୟ। ସେତେବେଳେ ରାଜନେତାଙ୍କୁ ଦୋଷ ଦିଆଯାଉଥିବା ବେଳେ ବାସ୍ତବ ଦୁର୍ନୀତିରେ ଜଡ଼ିତ ବ୍ୟକ୍ତି ଖସିଗଲେ। ଏଭଳି ଛୋଟ ସ୍ତରର ଦୁର୍ନୀତିଠାରୁ ଆରମ୍ଭ କରି ରାଫାଲ ଯାଏ ବଡ଼ ଦୁର୍ନୀତି ଭାରତୀୟ ସମାଜରେ ଏକ ଅଙ୍ଗ ହୋଇଯାଇଥିବାରୁ ଏଗୁଡ଼ିକର କୁପ୍ରଭାବ ଦେଖିବା ପାଇଁ କାହାରି ସମୟ ନାହିଁ। ଏହାଦ୍ୱାରା ଅପାରଗତା ଓ ଦୁର୍ନୀତି ଉଭୟେ ସାମାଜିକ ସ୍ବୀକୃତି ଲାଭ କରିସାରିଲେଣି। ଏଭଳି ପରିସ୍ଥିତିରେ ୧୨ ଜଣ ଉଚ୍ଚପଦସ୍ଥ ଆୟକର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ସନ୍ଦେହ ଘେରରେ ରହିଯାଉଛି। କେଉଁ ଗୋଟିଏ ଶକ୍ତିଶାଳୀ ସ୍ବାର୍ଥାନ୍ବେଷୀ ଗୋଷ୍ଠୀର କ୍ଷତି ଘଟିଥିଲେ ଏଭଳି ‘ଦୃଢ଼’ କାର୍ଯ୍ୟାନୁଷ୍ଠାନ ଭାରତରେ ସମ୍ଭବପର। ଯଦି କେହି କୁହେ ଯେ, ଏହା ସରକାରଙ୍କ ଦୃଢ଼ ମନୋଭାବର ପରିଚୟ, ତେବେ ତାହା ବିଶ୍ୱାସଯୋଗ୍ୟ ହେବ ନାହିଁ। ଆଜିର ଭାରତରେ କୌଣସି ପଦକ୍ଷେପ ବିନା ସ୍ବାର୍ଥରେ ନିଆଯାଇ ନାହିଁ। ସେଥିପାଇଁ ଆୟକର ଅଧିକାରୀଙ୍କ ବାଧ୍ୟତାମୂଳକ ଅବସରକୁ ସହଜରେ ଗ୍ରହଣ କରି ହେଉନାହିଁ। ଉଦାହରଣସ୍ବରୂପ ଏହି ୧୨ ଜଣଙ୍କ ମଧ୍ୟରୁ କେତେ ଜଣଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆସିଛି। ଯଦି ଏହି ଅପରାଧ ପାଇଁ ଅଧିକାରୀଙ୍କୁ ବିଦା କରାଗଲା, ତେବେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଶୀର୍ଷ ଅଧିକାରୀଙ୍କ ବିରୋଧରେ ଅଣାଯାଇଥିବା ଯୌନ ବ୍ୟଭିଚାର ଅଭିଯୋଗକୁ କେଉଁ ଭାବେ ରଫାଦଫା କରିଦିଆଗଲା ସେ ସମ୍ପର୍କରେ ପ୍ରଶ୍ନ ଉଠୁଛି। ନ୍ୟାୟ ସମ୍ମୁଖରେ ସମସ୍ତଙ୍କ ପାଇଁ ଗୋଟିଏ ମାପକାଠି। କିନ୍ତୁ ଭାରତରେ କେବଳ କଥାରେ କୁହାଯାଏ, ‘ନ୍ୟାୟ ତା’ ବାଟରେ ଯିବ’। ନ୍ୟାୟର ଯେହେତୁ ଆଖିରେ ପୁଟୁଳି ବନ୍ଧାଯାଇଛି, ସେଥିପାଇଁ ନିଜ ବାଟ ଖୋଜି ଯିବା ସମ୍ଭବପର ହୁଏ ନାହିଁ। ଏ ଦେଶରେ ମୁଷ୍ଟିମେୟ ଲୋକ ବ୍ୟବସ୍ଥାକୁ ହାତେଇ ନେବା ଫଳରେ ସବୁ ପଦକ୍ଷେପ-ଭଲ ହେଉ ବା ମନ୍ଦ-ଅବିଶ୍ୱସନୀୟ ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri