ସଙ୍ଗୀତରେ ପ୍ରାଣ ସଞ୍ଚାର କରୁଥିଲେ ବାଳକୃଷ୍ଣ ସାର୍‌

ପ୍ରଫୁଲ୍ଲ କର

ବହୁ ମୂର୍ତ୍ତିକାର ମୂର୍ତ୍ତି ଗଢ଼ନ୍ତି, କିନ୍ତୁ ସବୁ ମୂର୍ତ୍ତି ପ୍ରାଣବନ୍ତ ହୁଅନ୍ତି ନାହିଁ। ଗୋଟିଏ ଗୀତକୁ ଏକା ସ୍ବର ଓ ଏକା ତାଳରେ ଶହ ଶହ ଗାୟକ ଗାଇପାରନ୍ତିି, କିନ୍ତୁ ଜଣେ ଜଣେ ଗାୟକଙ୍କ କଣ୍ଠରେ ସେ ଗୀତ ଶ୍ରୋତାଙ୍କ ପ୍ରାଣକୁ ଛୁଇଁଯାଏ। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ତଥା ବାଳକୃଷ୍ଣ ସାର୍‌ ଥିଲେ ସେହିଭଳି ଜଣେ ଗାୟକ, ଯିଏ ଗୀତରେ ପ୍ରାଣ ସଞ୍ଚାର କରିବାର ମନ୍ତ୍ର ଜାଣିଥିଲେ। ବାସ୍ତବରେ ଜଣେ ସଙ୍ଗୀତକାରର ଜୀବନଚର୍ଯ୍ୟା ଯଦି ପ୍ରାଣବନ୍ତ ନୁହେଁ, ତେବେ ତା’ ସଙ୍ଗୀତରେ ମଧ୍ୟ ପ୍ରାଣର ସଞ୍ଚାର ହୋଇପାରେନା। ସାର୍‌ଙ୍କ ପୋଷାକ ପରିଚ୍ଛଦ, ଖାଇବା ପିଇବା, ଚାଲିର ଠାଣି, କଥାର ଭଙ୍ଗି- ସବୁ ପ୍ରାଣବନ୍ତ ଥିଲା। ତାଙ୍କ ପାଖରୁ କ୍ରୋଧ ବହୁ ଦୂରକୁ ଅପସରି ଯାଇଥିଲା। ପ୍ରେମ ହିଁ ତାଙ୍କ ଜୀବନଚର୍ଯ୍ୟାର ପରିଭାଷା ଥିଲା।
ଥରେ ମୋର ପୁରୀ ଅନ୍ନପୂର୍ଣ୍ଣା ଥିଏଟର ହଲ୍‌ରେ ବାଳକୃଷ୍ଣ ସାର୍‌ଙ୍କ ସହ ଗୀତ ଗାଇବାର କାର୍ଯ୍ୟକ୍ରମ ଥାଏ। ସେଦିନ ପୁରୀର ବହୁ ବିଶିଷ୍ଟ ଲୋକ ତାକୁ ଶୁଣିବାକୁ ଆସିଥାନ୍ତି। ହଲ୍‌ ଭର୍ତ୍ତି ହୋଇଯାଇଥାଏ। ମତେ ସାର୍‌ କହିଲେ, ପ୍ରଫୁଲ୍ଲ ମଁୁ ପ୍ରଥମେ ଗାଇ ଦେଉଛି, କାରଣ ମୋ’ର ତ ଧିମା ଗୀତ। ତମେ ଆସିଲେ ଚାଲୁ ଗୀତ ଗାଇ ଜମେଇଦେବ। ଲୋକେ ତ ତମକୁ ଛାଡ଼ିବେନି ତେଣୁ ମଁୁ ଆଗ ଦି’ଟା ଗୀତ ଗାଇଦେଇ ମୋ କାମ ସାରି ଦେଉଛି। ମଁୁ କହିଲି, ଠିକ୍‌ ଅଛି ସାର୍‌। ମୋର କିଛି ଆପତ୍ତି ନାହିଁ, ଆପଣ ଆଗେ ଗାଇ ଦିଅନ୍ତୁ। କାରଣ ସେ ସମୟରେ ମୋର ‘କମଳ ଦେଶ ରାଜକୁମାର’, ‘ବେଲୁନ ବାଲା’ ଇତ୍ୟାଦି ବହୁତ ହିଟ୍‌ ଗୀତ ବଜାରକୁ ଗରମ କରି ରଖିଥାଏ। ମୋର ଅହଙ୍କାର ଥାଏ ଯେ ଥରେ ମଁୁ ଷ୍ଟେଜକୁ ଗଲେ ମେହଫିଲକୁ ମଁୁ ପୂରା କାବୁ କରିନେବି।
ସାର୍‌ ପ୍ରଥମେ ଗାଇଲେ। ସେଦିନ ତାଙ୍କର ଗୀତଟି ଥିଲା ‘ବଞ୍ଚତ୍ବେ ନବୀନା କି ଶ୍ୟାମ ବିନା…।
ବାଳକୃଷ୍ଣ ସାର୍‌ଙ୍କ ଗୀତକୁ ଲୋକେ କେମିତି ଗ୍ରହଣ କରୁଛନ୍ତି ସେ କଥା ଜାଣିବାକୁ ମଁୁ ଚୁପ୍‌ କରି ଯାଇ ଶ୍ରୋତାମାନଙ୍କ ଭିତରେ ବସି ତାଙ୍କ ଗୀତ ଶୁଣୁଥାଏ। ଦେଖିଲି, ସାର୍‌ ଗୀତ ଆରମ୍ଭ କରିବା ପରେ ଧୀରେ ଧୀରେ ଶ୍ରୋତାମାନେ ନିସ୍ତବ୍ଧ ହୋଇଗଲା ପରି ଲାଗିଲା। ଆଶ୍ଚର୍ଯ୍ୟର କଥା ସେ ଗୀତ ଭିତରେ ଜଣେ ବି କେହି ତାଳି ବଜାଉ ନ ଥାଆନ୍ତି। ସେ ନିସ୍ତବ୍ଧତା ମଧ୍ୟରୁ ମଁୁ ଶୁଣିପାରୁଥାଏ କେହି କେହି ଶ୍ରୋତାଙ୍କ ରୁଦ୍ଧ କଣ୍ଠରୁ ବେଳେବେଳେ ଆହା ଆହା… ବୋଲି ଶବ୍ଦ ବାହାରୁଥାଏ। ମନେହେଉଥାଏ, ସାପ ଯେମିତି ପଦ୍ମତୋଳା ଶୁଣି ଧୀରେ ଧୀରେ ବଶୀଭୂତ ହୋଇଯାଏ, ସେମିତି ସେ ହଲରେ ବସିଥିବା ସମସ୍ତ ଶ୍ରୋତା ମନ୍ତ୍ରମୁଗ୍ଧ ହୋଇ ଏକ ଅତିଭୌତିକ ସ୍ତରକୁ ଚାଲିଯାଇ ନିର୍ବାକ ହୋଇଯାଇଥାନ୍ତି। ତାଳି ମାରିବା ପରି ଏକ ଲୌକିକ ଅଭ୍ୟାସକୁ ବୋଧହୁଏ ସେମାନେ ଭୁଲି ଯାଇଥାନ୍ତି।
ସାର୍‌ଙ୍କ ପରେ ମୋ ପାଳି ପଡ଼ିଲା। ମଁୁ କି ଗୀତ ଗାଇବି ଚିନ୍ତା କରିକରି ବିବ୍ରତ ହୋଇଗଲି। ମୋର ଗୀତ ଚୟନ ସବୁ ଭୁଲ୍‌ଭାଲ ହୋଇଗଲା। ଶ୍ରୋତାମାନଙ୍କୁ ଧରି ରଖିବାକୁ ବହୁତ ଚେଷ୍ଟାକଲି। ହେଲେ କାହାକୁ ଧରି ରଖି ପାରିଲିନି। ଧୀରେ ଧୀରେ ଗୋଟିକ ପରେ ଗୋଟିଏ ଖସିଗଲେ। ସେଇ ଦିନଠୁ ମୋ ମନରେ ଭୟ ପଶିଗଲା। ଓଡ଼ିଶାର ଯେ କୌଣସି ଗାୟକଙ୍କ ସହିତ ମୋର ଗାଇବାର ଥିଲେ ମଁୁ ତିଳେମାତ୍ର ଚିନ୍ତିତ ହୁଏନି। କିନ୍ତୁ ଯେଉଁଠି ବାଳକୃଷ୍ଣ ସାର୍‌ଙ୍କ ସହିତ ଗାଇବାର ଥାଏ, ସେଠି ମଁୁ ଆଗରୁ ହୁସିଆର ହୋଇଯାଏ। ମଁୁ ବହୁ ଗଭୀର ଭାବେ ଅନୁଶୀଳନ କରି ଦେଖିଲି ଯେ, ତାଙ୍କ ସଙ୍ଗୀତର ବିଶେଷତ୍ୱ ହେଲା, ସଙ୍ଗୀତରେ ପ୍ରାଣ ସଞ୍ଚାର। ନିର୍ମଳ ଚନ୍ଦ୍ରମଣ୍ଡଳ ପରି ସେ ସବୁ କଳାମେଘକୁ ଆଡ଼େଇ ଦେଇ ପ୍ରତି ବିଦଗ୍ଧ ଓଡ଼ିଆଙ୍କ ହୃଦ ଆକାଶରେ ପ୍ରକାଶ ପାଉଛନ୍ତି ଓ ପାଉଥିବେ। ତାଙ୍କର ମୃତ୍ୟୁ ନାହିଁି, ସେ ଅମୃତ। କାରଣ, ସେ ପ୍ରାଣବନ୍ତ ଏବଂ ତାଙ୍କର ସଙ୍ଗୀତ ପ୍ରାଣବନ୍ତ।
ପ୍ଲଟ୍‌ ନଂ-୬୦, ସତ୍ୟନଗର, ଭୁବନେଶ୍ବର


Enter your email to get our daily news in your inbox.

All Right Reserved By Dharitri.Com

ଦେଶଭକ୍ତିର ପରିଚୟ ଛୋଟ ପରିବାର

ସୟଦ୍‌ ସଫିର୍‌ ଅଲି ଗତ ୭୩ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣର ଏକ ପ୍ରମୁଖ ଅଂଶ ଥିଲା ଦେଶଭକ୍ତିର ପରିଚୟ...

ଏକୁଳର ନା ସେକୁଳର

କରୋନା ଭାଇରସ୍‌ ସଂକ୍ରମଣ ଓ ତତ୍‌ଜନିତ ଲକ୍‌ଡାଉନ୍‌ ଯୋଗୁ ବିଶ୍ୱ ଅର୍ଥନୀତି ଘୋର ମାନ୍ଦାବସ୍ଥା ଦେଇ ଗତି କରୁଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅନ୍ତର୍ଜାତୀୟ ସ୍ତରରେ...

ପରିବାର ନିୟନ୍ତ୍ରଣରେ ମହିଳାଙ୍କ ପ୍ରାଧାନ୍ୟ ଲୋଡ଼ା

ଡା. ଶୁଭଶ୍ରୀ ମିଶ୍ର   ଆଜି ୱାଲର୍‌ଡ ପପୁଲେଶନ ଡେ’ ବା ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ ସମଗ୍ର ବିଶ୍ୱରେ ଜୁଲାଇ ୧୧ ତାରିଖକୁ ବିଶ୍ୱ...

ଏଇ ଭାରତରେ

ଅସହାୟଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ତାମିଲନାଡୁର ମନୀଷା କ୍ରିଷ୍ଣସ୍ବାମୀ। ସେ ରାସ୍ତକଡ଼ରେ ରହୁଥିବା ଅସହାୟଙ୍କୁ ଖାଦ୍ୟ, ଓ୍ୟଷଧ ଯୋଗାଇବା ସହ ଥଇଥାନ...

ଏଇ ଭାରତରେ

ଭାରତରେ ବାଲ୍ୟବିବାହ ଓ ଭ୍ରୂଣହତ୍ୟାରେ ଆଗୁଆ ରାଜ୍ୟ ରାଜସ୍ଥାନରେ ଗୋଟିଏ ପରିବାରର ୫ ଭଉଣୀ ରାଜସ୍ଥାନ ପ୍ରଶାସନିକ ସେବା(ଆର୍‌ଏଏସ୍‌)ପରୀକ୍ଷାରେ ସଫଳ ହେବା ନଶ୍ଚିତ ଭାବେ ପ୍ରେରଣାଦାୟକ।...

ଜୀବନ ଜୀବିକାରେ ମହୁମାଛି

ହୁମାଛିକୁ ଆନ୍ତର୍ଜାତିକ ଆର୍ଥୱାଚ ଅନୁଷ୍ଠାନ ପୃଥିବୀପୃଷ୍ଠର ସର୍ବୋତ୍କୃଷ୍ଟ ଜୀବର ମାନ୍ୟତା ଦେଇଛି। ମହୁମାଛିର ପ୍ରକୃତି ଉପରେ କୌଣସି କୁପ୍ରଭାବ ନ ଥାଏ, ମାତ୍ର ଏହାର ଅନୁପସ୍ଥିତି...

ଏଇ ଭାରତରେ

ଜଳ ସଙ୍କଟ ଓ ପରିବେଶ ସୁରକ୍ଷା ପ୍ରତି ସଚେତନ ପୁଣେର ୨୭ ବର୍ଷୀୟ କେଦାର କୁଲକର୍ନି ପବ୍ଲିକ୍‌ ୟୁରିନାଲଗୁଡ଼ିକୁ ଦୁର୍ଗନ୍ଧମୁକ୍ତ କରିବା ସହ ପାଣି ଅପଚୟ...

ସିଆର୍‌ପିଏଫ୍‌ର ନୂଆ ମୁଖ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ସିଆର୍‌ପିଏଫ୍‌ର ନୂଆ ମହାନିର୍ଦ୍ଦେଶକ ଭାବେ ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଏ.ପି. ମାହେଶ୍ୱରୀଙ୍କ ନିଯୁକ୍ତିରେ କେତେକ ସମୀକ୍ଷକ ଆଶ୍ଚର୍ଯ୍ୟ ପ୍ରକଟ...

Advertisement
Archives

Model This Week