Advertisement
Posted inଫୁରସତ

ଶିକ୍ଷା ପାଇଁ ସମର୍ପିତ ଗୁରୁ: ଯେଉଁମାନେ ନିଃସର୍ତ୍ତରେ ବାଣ୍ଟି ଚାଲିଛନ୍ତି ଜ୍ଞାନର ଆଲୋକ

ଜଣେ ଭଲ ଗୁରୁ ଯାହା ଜୀବନରେ ଆସନ୍ତି ବଦଳିଯାଏ ତା’ର ଭାଗ୍ୟ। ହେଲେ ଆଜିର ସମୟରେ ଶିକ୍ଷା ନେଇଛି ବ୍ୟବସାୟର ରୂପ। ଗରିବ ମେଧାବୀ ପିଲାଙ୍କୁ ମିଳୁନି ଗୁଣାତ୍ମକ ଶିକ୍ଷା। ହଜିଯାଉଛନ୍ତି ସେମାନେ ଅଜ୍ଞାନର ଅମା ଅନ୍ଧାରରେ। ତେବେ ଆଜିକାର ଏହି ସମୟରେ ବି କିଛି ଗୁରୁ ଶିକ୍ଷାଦାନକୁ ନିଜ ଜୀବନର ବ୍ରତ ଭାବି ଅଭାବୀ ମେଧା ଛାତ୍ରୀଛାତ୍ରଙ୍କୁ ନିଃସର୍ତ୍ତରେ ବାଣ୍ଟି ଚାଲିଛନ୍ତି ଜ୍ଞାନର ଆଲୋକ…

ଗୁରୁ ଏକ ଜଳନ୍ତା ଦୀପ ପରି, ଯେ ନିଜକୁ ଜାଳି ଅନ୍ୟର ଜୀବନକୁ ଆଲୋକିତ କରନ୍ତି। ମାଟିକୁ ସୁନା କରିବା ଭଳି ଶକ୍ତି ମଧ୍ୟ ଥାଏ ତାଙ୍କ ହାତରେ। ସେ ଏକ ରାସ୍ତା, ଯିଏ ନିଜେ ସ୍ଥିର ରହି ଅନ୍ୟକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାନ୍ତି। ସେଇଥିପାଇଁ ତ ଜଣେ ଭଲ ଗୁରୁ ଯାହା ଜୀବନକୁ ଆସନ୍ତି ବଦଳିଯାଏ ତା’ର ଭାଗ୍ୟ। ଜ୍ଞାନର ଆଲୋକରେ ଆଲୋକିତ ହୋଇଯାଏ ଜୀବନ। ହେଲେ ଆଜିକାର ସ୍ବାର୍ଥ ସମ୍ବଳିତ ଦୁନିଆରେ ଶିକ୍ଷା ନେଇଛି ବ୍ୟବସାୟର ରୂପ। ଗରିବ ମେଧାବୀ ପିଲାଙ୍କୁ ମିଳୁନି ଗୁଣାତ୍ମକ ଶିକ୍ଷା। ହଜିଯାଉଛନ୍ତି ସେମାନେ ଅଜ୍ଞାନର ଅମା ଅନ୍ଧାରରେ। ତେବେ ଆଜିକାର ଏହି ସମୟରେ ବି କିଛି ଗୁରୁଙ୍କୁ ଅର୍ଥଲାଳସା ଗ୍ରାସ କରିପାରି ନାହିଁ। ଶିକ୍ଷାଦାନକୁ ନିଜ ଜୀବନର ବ୍ରତ ଭାବି ଅଭାବୀ ମେଧା ଛାତ୍ରୀଛାତ୍ରଙ୍କୁ ନିଃସର୍ତ୍ତରେ ବାଣ୍ଟି ଚାଲିଛନ୍ତି ଜ୍ଞାନର ଆଲୋକ…

୭୩ ବର୍ଷ ବୟସରେ ବି ଯାଉଛନ୍ତି ସ୍କୁଲ: ବରଗଡ଼ ଜିଲା ଭେଡେନ୍‌ ବ୍ଲକ ମାନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁଲେ ଗ୍ରାମର ପ୍ରହଲ୍ଲାଦ ହୋତା। ବୟସ ୭୩ ବର୍ଷ। ୧୯୬୯ରେ ମାନପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ। ୨୦୦୫ରେ ଅବସର ନେଲେ। ହେଲେ ଅବସର ପରେ ବି ଛାଡି ନ ଥିଲା ତାଙ୍କର ପାଠ ପଢ଼ାଇବାର ମୋହ। ଘରେ ଆରାମ କରିବା ପରିବର୍ତ୍ତେ ସେ ପୁଣି ଥରେ ସ୍କୁଲ ଆଡ଼େ ମୁହଁାଇଥିଲେ। ସକାଳୁ ନିତ୍ୟକର୍ମ ସାରି ମନ୍ଦିରରେ କୀର୍ତ୍ତନ କରନ୍ତି। ଏହାପରେ ଘରେ ସ୍ତ୍ରୀ କନକଲତାଙ୍କ ହାତରନ୍ଧା ଗଣ୍ଡେ ଖାଇ ନିଜ ପୁରୁଣା ସାଇକେଲକୁ ଧରି ବାହାରି ପଡ଼ନ୍ତି ଘରଠୁ ୭ କି.ମି. ଦୂର ମାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ। ଆବଡା ଖାବଡା, କାଦୁଅ ପଚପଚ ରାସ୍ତା ଅତିକ୍ରମ କରି ପହଞ୍ଚନ୍ତି ବିଦ୍ୟାଳୟରେ। ଆଉ ସେଠି ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ସାହିତ୍ୟ ଓ ଇତିହାସ ପଢ଼ାନ୍ତି। ସେ ପୁଣି ବିନା ବେତନରେ। ସ୍କୁଲ ଛୁଟି ହେବା ପରେ ଯାଇ ଘରକୁ ଫେରନ୍ତି। ଅବସର ପରଠାରୁ ଆଜିଯାଏ ସେ ଏହିଭଳି ଶିକ୍ଷାଦାନ କରିଆସୁଛନ୍ତି। ହେଲେ ସେ କେବେ ଥକିଯାଇ ନାହାନ୍ତି। ସନ୍ଧ୍ୟାରେ ନାତିନାତୁଣୀଙ୍କ ସହ କିଛି ସମୟ ବିତାନ୍ତି। ସେ କହନ୍ତି, ‘ଅର୍ଥ ଲାଳସା ମୋର କେବେ ବି ନ ଥିଲା। ଅବସର ପରେ ଘରେ ବସି ରହିବାକୁ ଭଲ ଲାଗି ନ ଥିଲା। ଏହାଛଡା ବର୍ତ୍ତମାନ ସ୍କୁଲଗୁଡ଼ିକରେ ଶିକ୍ଷକଙ୍କ ଅଭାବ ରହୁଛି। ଫଳରେ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ତାଛଡା ପିଲାଙ୍କୁ ଜ୍ଞାନ ବାଣ୍ଟିବାର କୌଣସି ବୟସ ନ ଥାଏ। ବରଂ ସେମିତି କରିପାରିଲେ ମୋତେ ଆତ୍ମସନ୍ତୋଷ ମିଳିଥାଏ। ସେଥିପାଇଁ ଯେପର୍ଯ୍ୟନ୍ତ ମୋର ସାମର୍ଥ୍ୟ ଅଛି ମୁଁ ଶିକ୍ଷାଦାନ କରିଚାଲିବି।’

ପିତୃ ତୁଲ୍ୟ ଗୁରୁ ନାରାୟଣ କୁମାର: ବାଲେଶ୍ୱର ଜିଲାର ନାରାୟଣ କୁମାର ନାୟକ ୧୯୮୮ମସିହାରେ ମାଲକାନଗିରି ଜିଲାରେ ସରକାରୀ ଶିକ୍ଷକଭାବେ ନିଯୁକ୍ତି ପାଇଲେ। ୨୦୧୧ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଗୋରାଖୁଣ୍ଟା ପିୟୁପି ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ସେହି ସମୟରେ ଉକ୍ତ ବିଦ୍ୟାଳୟର ଜଣେ ମା’ ବାପା ଛେଉଣ୍ଡ ଆଦିବାସୀ ଛାତ୍ରୀ ଅମ୍ବିକା ଯାନିଙ୍କୁ ସେ ନିଜର ଝିଅ ଭାବେ ପାଳନ କରି ପଢ଼ାଉଥିଲେ। ତେବେ ଝିଅଟି ଏକ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିଲା। ନିଜର ବୋଲି କେହି ନ ଥିବାରୁ ସେ ଅମ୍ବିକାଙ୍କ ବାପା ସାଜି ତାକୁ କଟକ, ବ୍ରହ୍ମପୁର, ମାଲକାନଗିରି ଇତ୍ୟାଦି ଡାକ୍ତରଖାନାକୁ ନେଇ ହାତରୁ ଅର୍ଥ ଖର୍ଚ୍ଚ କରି ଚିକିତ୍ସା କରାଉଥିଲେ। ହେଲେ ଦୁର୍ଭାଗ୍ୟକୁ ସେହି ସମୟରେ ତାଙ୍କର ବଦଳି ହେଲା ଚିତ୍ରକୋଣ୍ଡା ଅଞ୍ଚଳ ବଡ଼ପଦର ପ୍ରାଥମିକ ବିଦ୍ୟାଳୟକୁ। ବଦଳି ପରେ ଝିଅଟି ନିଜର ପିତୃ ତୁଲ୍ୟ ଶିକ୍ଷକଙ୍କୁ ଝୁରି ଝୁରି ଗୁରୁତର ହୋଇପଡ଼ିଲେ। ନିଜ ସହପାଠୀ, ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀଙ୍କୁ କାନ୍ଦି କାନ୍ଦି କହିଲେ -ମୋ ବାପା ଏଠାରୁ ଚାଲିଗଲେ ମୋର ଦାୟିତ୍ୱ ନେବ କିଏ। ମୁଁ ଜଣେ ଆଦିବାସୀ ଅନାଥ ଝିଅ। ବାପାଙ୍କୁ ଛାଡି ମୁଁ ଆଉ ବେଶିଦିନ ବଞ୍ଚିବି ନାହିଁ। ଶେଷରେ ସେ ଜିଲା ପ୍ରଶାସନକୁ ଅନୁରୋଧ କଲେ, ମୋ ବାପାଙ୍କ ବଦଳି ଆଦେଶ ବାତିଲ କରି ପୁଣିଥରେ ଗୋରାଖୁଣ୍ଟା ବିଦ୍ୟାଳୟକୁ ନେଇଆସନ୍ତୁ ା ଏହି ଖବରଟି ବିଭିନ୍ନ ଖବରକାଗଜରେ ବି ପ୍ରକାଶ ପାଇଲା। ଫଳରେ ତତ୍କାଳୀନ ଜିଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ସମ୍ପୃକ୍ତ ଶିକ୍ଷକଙ୍କ ବଦଳି ଆଦେଶ ବାତିଲ କରି ଗୋରାଖୁଣ୍ଟା ବିଦ୍ୟାଳୟକୁ ନେଇ ଆସିଥିଲେ। ନିଜର ପିତୃ ସଦୃଶ ଶିକ୍ଷକଙ୍କୁ ଫେରିପାଇଲା ପରେ ଅମ୍ବିକା ଖୁସିରେ ବିଭୋର ହୋଇଯାଇଥିଲେ। ପରେ ନାରାୟଣ କୁମାର ଅମ୍ବିକାଙ୍କ ଭୟଙ୍କର ରୋଗ ଭଲ ପାଇଁ ଜିଲାପାଳଙ୍କୁ ନିବେଦନ କରିଥିଲେ। ଜିଲାପାଳଙ୍କ ଆର୍ଥିକ ସାହାଯ୍ୟରେ କଟକରେ ଚିକିତ୍ସା ହେଲା। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଚିକିତ୍ସିତ ହୋଇ ଫେରିବା ପରେ ଅମ୍ବିକା ମୃତ୍ୟୁବରଣ କଲେ। ନାୟକଙ୍କୁ ଏହା ଶକ୍ତ ଆଘାତ ଲାଗିଥିଲା। ତେବେ କେବଳ ଅମ୍ବିକା ନୁହନ୍ତି ଅନେକ ଛାତ୍ରୀଛାତ୍ରଙ୍କ ପାଇଁ ନାରାୟଣ କୁମାର ଶିକ୍ଷକ ସହ ବାପାର ଭୂମିକା ତୁଲାଇଛନ୍ତି। ଗୋରାଖୁଣ୍ଟା ବିଦ୍ୟାଳୟର ଗ୍ରୀଷ୍ମାବକାଶରେ ସେ ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଘରକୁ ନ ଛାଡି ନିଜସ୍ବ ଖର୍ଚ୍ଚରେ ଖାଇବାକୁ ଦେଇ ପଢାନ୍ତି ଏବଂ ଆଖପାଖ ଅଞ୍ଚଳର ଭଲ ଭଲ ଶିକ୍ଷକଙ୍କୁ ଆସି ଶିକ୍ଷାଦାନ କରିବାକୁ ଅନୁରୋଧ ବି କରନ୍ତି। ଶିକ୍ଷକମାନେ ବି ଏପରି ମହତ ଉଦ୍ଦେଶ୍ୟକୁ ରକ୍ଷା କରି ବିନା ପାରିଶ୍ରମିକରେ ଶିକ୍ଷାଦାନ କରନ୍ତି। ଏହାଛଡା ଗରିବ କୋୟା ସମ୍ପ୍ରଦାୟର ଛାତ୍ରୀଛାତ୍ର ଯେଉଁମାନେ ଅଷ୍ଟମ ପାସ୍‌ କଲାପରେ ପାଠ ଛାଡିଦେବା ପାଇଁ କୁହନ୍ତି, ତାଙ୍କୁ ନାୟକ ଚେଷ୍ଟା କରନ୍ତି ଯେମିତି ଅଧାରୁ ପାଠ ନ ଛାଡନ୍ତୁ। ସେଇଥିପାଇଁ ତ ଏମ୍‌.ଭି. ୭ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରି ୧୦ଜଣ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ସେହି ବିଦ୍ୟାଳୟରେ ମାଗଣାରେ ପଢିବା ପାଇଁ ସୁଯୋଗ ଦେଇଥିଲେ। କେବଳ ସେତିକି ନୁହେଁ ଏମ୍‌.ଭି. ୭ ଉଚ୍ଚ ବିଦ୍ୟାଳୟରେ ୧୦ମ ପାସ୍‌ କଲାପରେ ନିଜ ଅର୍ଥରେ ସେ ରିନା କବାସୀ, ସୁନୀତା ମାଢି ନାମ୍ନୀ ଦୁଇଜଣ ଆଦିବାସୀ ଛାତ୍ରୀଙ୍କୁ ମାଲକାନଗିରି ସଦର ମହକୁମା ଘଡେଇ ବିଜ୍ଞାନ ଆବାସିକ ମହାବିଦ୍ୟାଳୟରେ ପାଠ ପଢ଼ାଇଥିଲେ। ଏହି ଦୁିଇ ଆଦିବାସୀ ଝିଅ ବର୍ତ୍ତମାନ ଭୁବନେଶ୍ୱରରେ ରିତ୍‌ ମହାବିଦ୍ୟାଳୟରେ ବିଟେକ୍‌ ପଢୁଛନ୍ତି। ଏହି ଝିଅମାନେ ତୃତୀୟ ଶ୍ରେଣୀରୁ ଆଜି ପର୍ଯ୍ୟନ୍ତ ଛୁଟିଦିନରେ ନିଜ ଘରକୁ ନ ଯାଇ ସମ୍ପୃକ୍ତ ଶିକ୍ଷକଙ୍କ ଘରେ ରହନ୍ତି। ସେମାନେ ଗ୍ରାମର ନିଶାସକ୍ତ ପରିବେଶରେ ରହିବାକୁ ଭଲ ପାଆନ୍ତି ନାହିଁ। ଏପରିକି ଭୁବନେଶ୍ୱରରେ ପଢୁଥିବା ସମୟରେ ଛୁଟିଦିନଗୁଡ଼ିକରେ ଛାତ୍ରୀମାନେ ନାୟକଙ୍କ ଘର ବାଲେଶ୍ୱରକୁ ବି ପଳାନ୍ତି। ସେଠାରେ ଛୁଟି କାଟିବା ସମୟରେ ଗ୍ରାମଲୋକେ ସେମାନଙ୍କୁ ସ୍ନେହ କରନ୍ତି। ନାୟକ କହନ୍ତି,‘ଛାତ୍ରୀଛାତ୍ର ହେଉଛନ୍ତି ମୋର ସନ୍ତାନ ପରି। ତା’ଛଡା ମାଲକାନଗିରି ଜିଲାରେ ଦୀର୍ଘବର୍ଷ ହେବ ଶିକ୍ଷକତା କରି ଏଠାକାର ପାଣି ପବନ, ଜଳବାୟୁ ଏବଂ ଲୋକଙ୍କ ସହିତ ମୁଁ ଜଡିତ ହୋଇଯାଇଛି। ଯଦି ଶିକ୍ଷା ମାଧ୍ୟମରେ ସେମାନଙ୍କ ପାଇଁ କିଛି କରିପାରିବି ତାହାହିଁ ହେବ ମୋ ଜୀବନର ବଡ଼ ସଫଳତା।’

ଆବଡ଼ା ଖାବଡ଼ା ରାସ୍ତା ସହ ନଦୀ ପାର ହୋଇ ଯାଆନ୍ତି ସ୍କୁଲ: ପ୍ରଭାତ କୁମାର ପ୍ରଧାନଙ୍କ ଘର ନୟାଗଡ଼ ସହରରେ। ଏହି ଜିଲାର ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ, କୋଶଳାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ସେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ। ପ୍ରତିଦିନ ସେ ୩୪ କିଲୋମିଟର ଦୂରରେ ଥିବା ବିଦ୍ୟାଳୟକୁ ଯାଆନ୍ତି ପଢ଼ାଇବା ପାଇଁ। ନୟାଗଡ଼ ସହରରୁ ନୂଆଗାଁ ୨୨ କିଲୋମିଟର। ଏହା ପରେ ନୂଆଗାଁରୁ ବିଦ୍ୟାଳୟ ୧୨ କିଲୋମିଟର ଦୂରରେ। ନୂଆଗାଁରୁ ୫ କିଲୋମିଟର ଗଲା ପରେ ପଡେ ଆବଡ଼ା ଖାବଡ଼ା ରାସ୍ତା। ପ୍ରାୟ ୭ କିଲୋମିଟର ଉକ୍ତ ଆବଡ଼ା ଖାବଡ଼ା, କାଦୁଅ ପଚପଚ ଓ ଜଙ୍ଗଲ ରାସ୍ତା ପାର ହୋଇ ସେ ସ୍କୁଲ ଯାଆନ୍ତି। ସେହି ବାଟରେ ଏକ ନଦୀ ବି ପଡ଼େ। ବର୍ଷାଦିନେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲେ ହେଁ ନଦୀ ପାର ହୋଇ ବିଦ୍ୟାଳୟ ଯିବାକୁ ସେ ପଛଘୁଞ୍ଚା ଦିଅନ୍ତି ନାହିଁ। ନଦୀ ପୂର୍ବରୁ ପଡ଼ୁଥିବା ଜିଗିନିପଡ଼ା ବିଦ୍ୟାଳୟରେ ବାଇକ୍‌ ରଖି ନଦୀ ପାର ହୁଅନ୍ତି। ପରେ ୭ କିଲୋମିଟର ଦୂର ଚାଲି ଚାଲି ଯାଆନ୍ତି। ଏତେ ଅସୁବିଧା ସତ୍ତ୍ୱେ ସେ କେବେ ବିଦ୍ୟାଳୟ ଯିବା ବନ୍ଦ କରନ୍ତି ନାହିଁ। ଆଉ ୧୦ଟା ପୂର୍ବରୁ ସ୍କୁଲରେ ପହଞ୍ଚି ଯାଆନ୍ତି। ପିଲାଙ୍କୁ ପାଠପଢ଼ାଇବା ସହ ବିଦ୍ୟାଳୟ ପରିସରରେ ଫୁଲଗଛ ଲଗାଇବା, ବିଦ୍ୟାଳୟ ପରିସରକୁ ସଜାଡ଼ିବା ଆଦି କାମ କରନ୍ତି। ଏମିତିକି ବିଭିନ୍ନ ସମୟରେ ପିଲାମାନଙ୍କୁ ବହି ଖାତା ବି ପ୍ରଦାନ କରନ୍ତି। ୨୦୦୮ ମସିହାରୁ ଆଜି ପର୍ଯ୍ୟନ୍ତ ସେ ଏହି ବିଦ୍ୟାଳୟକୁ ବହୁ ବାଧାବିଘ୍ନ ସହି ଯାଇ ଶିକ୍ଷକତା କରି ଆସୁଛନ୍ତି। ସେଥିପାଇଁ ବିଦ୍ୟାଳୟର ପିଲାମାନଙ୍କଠାରୁ ଆରମ୍ଭ କରି ଗ୍ରାମବାସୀ ମଧ୍ୟ ସାର୍‌ଙ୍କୁ ଭଲ ପାଆନ୍ତି।

ଛାତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ଶିକ୍ଷୟିତ୍ରୀ, ଶିକ୍ଷକ : ବ୍ୟବସାୟିକ ଶିକ୍ଷା ଦୌଡ଼ରେ ଏବେ ସରକାରୀ ସ୍କୁଲଗୁଡିକ ପଛରେ ପଡିଯାଇଛନ୍ତି। ଫଳରେ ପ୍ରତିଭା ଓ ଦକ୍ଷତା ଥାଇ ବି ଗରିବ ପିଲାମାନେ ଅର୍ଥାଭାବରୁ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚତ୍ତ ହେଉଛନ୍ତି ା ଏଭଳି ସ୍ଥଳେ ବଲାଙ୍ଗୀର ସହରର ରୋଟାରୀ କ୍ଳବ୍‌ ଅଫ୍‌ ଇଲିଟ୍‌ର କିଛି ସଦସ୍ୟ ଗରିବ ମେଧାବୀ ଛାତ୍ରୀଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ା ୨୦୧୬ରୁ ଉଡାନ୍‌ କାର୍ଯ୍ୟକ୍ରମ ଆରମ୍ଭ କରି ସେମାନଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଛନ୍ତି କିଛି ଉତ୍ସର୍ଗୀକୃତ ଯୁବ ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, ଶିକ୍ଷକ। ସେମାନେ ପ୍ରଥମେ ବଲାଙ୍ଗୀର ସରକାରୀ ବାଳିକା ହାଇସ୍କୁଲ ଓ ଟାଉନ୍‌ ବାଳିକା ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀର ପ୍ରାୟ ୪୦ ଜଣ ମେଧାବୀ ଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ବାଛି ସେମାନଙ୍କୁ ପ୍ରତି ଶନିବାର ଓ ରବିବାର ଶିକ୍ଷାଦାନ କରୁଛନ୍ତି ା ଏଠାରେ ଶ୍ରେଣୀ ପାଠ୍ୟକ୍ରମ ସହ ନୈତିକ ମୂଲ୍ୟବୋଧଭିତ୍ତିକ ଶିକ୍ଷା ବି ପ୍ରଦାନ କରାଯାଉଛି ା ଉକ୍ତ ଅନୁଷ୍ଠାନରେ ଏବେ ୧୭ ଜଣ ଶିକ୍ଷୟିତ୍ରୀ, ଶିକ୍ଷକ ସ୍ବେଚ୍ଛାକୃତ ଭାବେ ଗରିବ ମେଧାବୀ ଛାତ୍ରୀମାନଙ୍କୁ ପଢ଼ାଉଛନ୍ତି। କେତେଜଣ ଅବସରପ୍ରାପ୍ତ ଶିକ୍ଷକ ମଧ୍ୟ ଏହି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅଛନ୍ତି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନବୀନ ନାୟକ, ପୀତବାସ ପଣ୍ଡା ଓ ବୃଷକେତୁ ସାହୁ ୨୦୧୬ରୁ ଏହି ଉଡାନ୍‌ କାର୍ଯ୍ୟକ୍ରମରେ ଯୋଡିହୋଇଛନ୍ତି ା ଗଡଶଙ୍କର ଡୁଙ୍ଗୁରିପାଲିର ପ୍ରଧାନ ଶିକ୍ଷକ ଦିଗାମ୍ବର ତ୍ରିପାଠୀ, ହିନ୍ଦୀ ହାଇସ୍କୁଲର ନରେନ୍ଦ୍ର ମିଶ୍ର, ଟାଉନ୍‌ ବାଳିକା ହାଇସ୍କୁଲ ଶିକ୍ଷକ ସିନୁ ସୁନ୍ଦର ପାଢ଼ୀ, କୃଷ୍ଣଚନ୍ଦ୍ର ବାଗ, ପଥରଚେପା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର, ମହୀମୁଣ୍ଡା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ଖଟୁଆ, ସରକାରୀ ବାଳିକା ହାଇସ୍କୁଲ ଶିକ୍ଷୟିତ୍ରୀ ଯାଜ୍ଞସେନୀ ମହାପାତ୍ର, ନୂତନ ନାୟକ, ଅଂଶୁ ଷଡ଼ଙ୍ଗୀ, ସରୋଜ କୁମାର ନାୟକ, ପୃଥ୍ବୀରାଜ ହାଇସ୍କୁଲ ଶିକ୍ଷକ ବିକାଶ ରଞ୍ଜନ ସାହୁ, ଶିକ୍ଷକ ବିଭୁଦତ୍ତ ମିଶ୍ର, ଶାନ୍ତା ବିଶ୍ୱାଲ ଓ ଅଭିପ୍‌ସା ସାହୁ ପ୍ରମୁଖ ସ୍ବେଚ୍ଛାକୃତ ଭାବେ ପାଠ ପଢ଼ାଉଛନ୍ତି। ଶିକ୍ଷୟିତ୍ରୀ ନୂତନ ନାୟକ କହନ୍ତି,‘ସ୍କୁଲ ବାହାରେ ବିନା ପାରିଶ୍ରମିକରେ ଏହି ଛାତ୍ରୀମାନଙ୍କୁ ପଢ଼ାଇବାର ଅନୁଭୂତି ନିଆରା ା ଏଠି ଯେଉଁ ଆତ୍ମସନ୍ତୋଷ ମିଳୁଛି ତାହା ଭାଷାରେ ବର୍ଣ୍ଣନା କରିହେବନାହିଁ ା’ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ପ୍ରଶିକ୍ଷଣ ନେଇଥିବା ତଥା ବର୍ତ୍ତମାନ ରାଜେନ୍ଦ୍ର କଲେଜରେ ଯୁକ୍ତଦୁଇ ପଢ଼ୁଥିବା ଛାତ୍ରୀ ସୁନୀତା ଷଡ଼ଙ୍ଗୀ କହନ୍ତି, ‘ସରକାରୀ ସ୍କୁଲରେ ମୁଁ ୬୦ ପ୍ରତିଶତ ମାର୍କ ରଖୁଥିଲି ା ମାତ୍ର ଉଡାନ୍‌ କାର୍ଯ୍ୟକ୍ରମର ଶିକ୍ଷୟିତ୍ରୀ, ଶିକ୍ଷକଙ୍କଠାରୁ ଶିକ୍ଷାଗ୍ରହଣ ପରେ ୮୫ ପ୍ରତିଶତ ମାର୍କ ରଖିଲି।’ ସେହିଭଳି ଦଶମ ଶ୍ରେଣୀରେ ପଢ଼ୁଥିବା ତଥା ଉଡାନ୍‌ କାର୍ଯ୍ୟକ୍ରମରେ ଏବେ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ନୂପୁର ବାରିକ କହନ୍ତି, ‘ଏଠାରେ ଆମକୁ ପାଠ୍ୟପୁସ୍ତକର ଶିକ୍ଷା ସହ ନୈତିକ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ କରାଯାଉଛି, ଯାହା ଆମକୁ ବହୁ ସୁଫଳ ପ୍ରଦାନ କରୁଛି ା’

ଅବସର ପରେ ମଧ୍ୟ ଶିକ୍ଷାଦାନ : ଯେଉଁଠି ଶିକ୍ଷା ବ୍ୟବସାୟିକ ରୂପ ନେଇଛି ସେଠି ଏବେବି କେତେଜଣ ଗୁରୁ ଅଛନ୍ତି ଯେଉଁମାନେ ଅର୍ଥ ନୁହେଁ ସ୍ବଚ୍ଛ ଶିକ୍ଷାଦାନ କରିବାକୁ ଚାହାନ୍ତି। କେନ୍ଦୁଝର ଜିଲା ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ଅବସର ନେଇଥିବା ଜିଓଲୋଜି ବିଭାଗର ମୁଖ୍ୟ ଡ. ବନବିହାରୀ ମିଶ୍ର ହେଉଛନ୍ତି ସେମିତି ଜଣେ ଗୁରୁ। ଘର ତାଙ୍କର କେନ୍ଦୁଝର, ପୁରୁଣା ସହରରେ। ହେଲେ ଏବେ ରୁହନ୍ତି ନୂଆସାହି ନିକଟ ଅମୃତ ବିହାରରେ। ସ୍ତ୍ରୀ, ପୁଅଝିଅ ଓ ନାତିନାତୁଣୀଙ୍କୁ ନେଇ ତାଙ୍କ ସଂସାର। ୨୦୧୪ରେ ସେ ଅବସର ନେଇଥିଲେ। ବୟସ ସିନା ତାଙ୍କୁ ଅବସର ଦେଲା, ହେଲେ ମନ ଶିକ୍ଷାଦାନରୁ ବିରତି ନେବାକୁ ଚାହିଁ ନ ଥିଲା। ସାଧାରଣତଃ ଜିଓଲୋଜି ବିଭାଗରେ ଅଧ୍ୟାପକଙ୍କ ଅଭାବ ରହିଥାଏ। ତେଣୁ ଅବସର ନେବାପରେ ଘରେ ବସି ନାତିନାତୁଣୀଙ୍କ ସହ ସମୟ ଅତିବାହିତ ନ କରି ଏହି ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ରଙ୍କୁ ମାଗଣାରେ ପଢ଼ାଇବା ଆରମ୍ଭ କଲେ। ସେ ଅବସର ନେଇଥିବା ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ବି ଏହି ବିଭାଗର ଅଧ୍ୟାପକଙ୍କ ଅଭାବ ଥିଲା। ତେଣୁ ପାଠପଢ଼ା ବ୍ୟାଘାତ ହେଉଥିଲା। ସେଥିପାଇଁ ଅବସର ପରେ ସେଠାରେ ସେ ବିନା ବେତନରେ କିଛି ମାସ ପଢ଼ାଇଲେ। ଏବେ ନିଜ ଘରେ ଏହି ବିଭାଗର ପିଲାମାନଙ୍କୁ ପଢ଼ାଉଛନ୍ତି ା ସେ ପୁଣି ସମ୍ପୂର୍ଣ୍ଣ ମାଗଣାରେ। ସେ ଚାହିଁଥିଲେ ଟ୍ୟୁଶନ କରି ମୋଟା ଅଙ୍କର ରୋଜଗାର କରିପାରିଥାଆନ୍ତେ। ହେଲେ ସେ ସେଭଳି କରି ନାହାନ୍ତି। କାରଣ ଶିକ୍ଷାକୁ ବ୍ୟବସାୟ କରିବା ସପକ୍ଷରେ ସେ ନୁହନ୍ତି। ସେହିଭଳି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ, କେନ୍ଦୁଝରରେ ମଧ୍ୟ ଅଧ୍ୟାପକ ଅଭାବ ରହିଛ। ତେଣୁ ସେଠାକାର ପିଜି ବିଭାଗ ଛାତ୍ରୀଛାତ୍ରଙ୍କୁ ସେ ବିନା ପାରିଶ୍ରମିକରେ ଘରକୁ ଡାକି ପଢ଼ାଉଛନ୍ତି । ଏହି କାର୍ଯ୍ୟ ଯୋଗୁ ସେ ଜଣେ ଛାତ୍ରବତ୍ସଳ ପ୍ରଫେସର ଭାବେ ଜିଲା ତଥା ଜିଲା ବାହାରେ ପ୍ରଶଂସା ପାଇଛନ୍ତି। ପରିବେଶକୁ ଭଲ ପାଉଥିବାରୁ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପ୍ରାୟ ୧୦ ଏକର ପରିମିତ ଜମିରେ ବନୀକରଣ ବି କରିଛନ୍ତି। ଡ. ବନବିହାରୀ କୁହନ୍ତି, ‘ପିଲାଙ୍କୁ ପଢ଼ାଇ ସେମାନଙ୍କ ଦକ୍ଷତା ବୃଦ୍ଧି କରିପାରିଲେ ମୋତେ ଖୁସି ମିଳିଥାଏ। ତେଣୁ ଏହି ଧାରା ମୁଁ ବଜାୟ ରଖିବି।’

ଆତ୍ମସନ୍ତୋଷ ପାଇଁ ପଢାନ୍ତି ପାଠ: ପ୍ରଭାତ ଚନ୍ଦ୍ର ମିଶ୍ର କେନ୍ଦ୍ରାପଡ଼ା ଜିଲ୍ଲା, ରାଜନଗରର ସରପଞ୍ଚ। ରାଜନୀତି କରିବା ପୂର୍ବରୁ କିନ୍ତୁ ସେ ଥିଲେ ଶିକ୍ଷକ। ସ୍ଥାନୀୟ ରାଜନଗର ଉଚ୍ଚ ବିଦ୍ୟାଳୟରେ ୩୬ ବର୍ଷ ଧରି ଶିକ୍ଷକତା କରିଥିଲେ। ସେତେବେଳେ ସେ ଖେଳଶିକ୍ଷକ ହୋଇ ବି ଗଣିତରେ ଧୁରୀଣ ହୋଇଥିବାରୁ ୯ମ, ୧୦ମ ଶ୍ରେଣୀପିଲାଙ୍କୁ ଗଣିତ ପଢ଼ାଉଥିଲେ। ବିଦ୍ୟାଳୟର ପଢ଼ା ବ୍ୟତୀତ ସେ ସକାଳ ଓ ସନ୍ଧ୍ୟା ସମୟରେ ଟ୍ୟୁଶନ୍‌ କରୁଥିଲେ। ହେଲେ ପିଲାଙ୍କୁ କେବେ ଟଙ୍କା ଦାବି କରୁ ନ ଥିଲେ। ଯଦି କେହି ଟଙ୍କା ଦେଉଥିଲେ ରଖୁଥିଲେ, ନ ଦେଲେ କାହାକୁ ମାଗୁ ନ ଥିଲେ। ଅନେକ ଗରିବ ପିଲା ତାଙ୍କ ପାଖରେ ପଢ଼ି ଭଲ ନମ୍ବର ରଖି ପାସ୍‌ କରିଛନ୍ତି। ତାଙ୍କର ଏଭଳି ମନୋଭାବ ଓ ନିର୍ମଳ ଶିକ୍ଷକତା ଯୋଗୁ ସେ ଜଣେ ଆଦର୍ଶ ଶିକ୍ଷକଭାବେ ପରିଚିତ ହୋଇପାରିଥିଲେ। ଆଉ ଅବସର ପରେ ଯେବେ ରାଜନୀତିକୁ ଓହ୍ଲାଇଲେ ତାଙ୍କର ଏହି ନିର୍ମଳ ଭାବମୂର୍ତ୍ତି ହିଁ ତାଙ୍କୁ ବିଜୟର ମୁକୁଟ ପିନ୍ଧାଇଥିଲା। ଏବେ ବ୍ୟସ୍ତତା ଭିତରେ ବି ସେ ଶିକ୍ଷାଦାନକୁ ଭୁଲି ନାହାନ୍ତି। ଟିକେ ଅବସର ମିଳିଲେ ସ୍ଥାନୀୟ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ପଢ଼ାନ୍ତି। ଏମିତିକି ମନ ଦୁଃଖ ଥିଲେ ବି ସେ ପିଲାଙ୍କୁ ପଢ଼ାଇ ମନ ହାଲ୍‌କା କରନ୍ତି। କିଛି ପାଠ ଅବୁଝା ଥିଲେ ପିଲାମାନେ ତାଙ୍କ ଘରକୁ ଆସି ବୁଝି ନିଅନ୍ତି। ତାଙ୍କ ମତରେ, ‘ଜ୍ଞାନ ଯଦି ଅଛି ତାକୁ ବାଣ୍ଟିଲେ କ୍ଷତି କ’ଣ! ଏହାଦ୍ୱାରା ଯଦି କିଛି ଗରିବ ପିଲା ଉପକୃତ ହୋଇପାରୁଛନ୍ତି, ତେବେ ମୋ ଶିକ୍ଷକ ଜୀବନକୁ ମିଳିବ ଆତ୍ମସନ୍ତୋଷ।’

ଏହି ଗୁରୁମାନଙ୍କ ଶିକ୍ଷା ପାଇଁ ଥିବା ସମର୍ପଣଭାବ ବଦଳାଇପାରିଛି ଅନେକ ଛାତ୍ରୀଛାତ୍ରଙ୍କ ଜୀବନ। ଯଦି ଆଜିକାର ସମୟରେ ଏଭଳି ସମର୍ପଣଭାବ ସବୁ ଗୁରୁଙ୍କ କ୍ଷେତ୍ରରେ ଦେଖାଦିଏ ତେବେ କେବଳ ସମାଜ ନୁହେଁ ସାରା ଦେଶର ଭାଗ୍ୟ ବଦଳିଯିବ। କାରଣ ଗୁରୁଙ୍କ ଉଚିତ ଶିକ୍ଷା ବଦଳେଇପାରେ ସାରା ଦୁନିଆ।
-ଶିବାନୀ ମହାନ୍ତି
ନରେଶ ପଟ୍ଟନାୟକ, ଦୁର୍ଯ୍ୟୋଧନ ପାତ୍ର, ଭାସ୍କର ରାଉତରାୟ,
ରଞ୍ଜନ କୁମାର ପ୍ରଧାନ, ବିରେନ୍ଦ୍ର ଝାଙ୍କର, ସୁଦାନ ମହାକୁଡ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ମାନ୍ୟତା ହରାଇପାରେ ନାଳନ୍ଦା

ପାଟନା: ପ୍ରାଚୀନ ଭାରତର ସର୍ବୋଚ୍ଚ ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା ନାଳନ୍ଦାର ସ୍ଥିତି ବିପଦସଙ୍କୁଳ ଅବସ୍ଥାରେ ରହିଛି, ଯାହାପାଇଁ ଏହାକୁ ବିଶ୍ୱ ଐତିହ୍ୟ ମାନ୍ୟତା ହରାଇବାକୁ ପଡ଼ିପାରେ...

ଏହି ବୁଲା କୁକୁରକୁ ଦେଖି ଲୋକେ କରୁଛନ୍ତି ଭୟ, ଜାଣନ୍ତୁ କାହିଁକି

ହାଇଦ୍ରାବାଦ୍‌,୧୭।୧: ତେଲେଙ୍ଗାନାର କେସାଲାପୁର ଗାଁରେ ବାଘ ସଦୃଶ କୁକୁର କୌତୁହଳର ବିଷୟ ପାଲଟିଛି। ଏହି କୁକୁରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କୁକୁରର ଶରୀରରେ ବାଘ...

ପଞ୍ଜୁରୀ ଭିତରେ ଥିବା ଛଞ୍ଚାଣର ଖାଦ୍ୟ ଛଡ଼ାଇ ନେଉଥିଲା ଏହି ପକ୍ଷୀ, ପାଇଲା ପାନେ

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ବଗ ଏବଂ ଛଞ୍ଚାଣକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି।...

ଗର୍ଭସ୍ଥ ସନ୍ତାନ: ସ୍ବାମୀଙ୍କର ନୁହେଁ, ପୁଅର

ମା’ ପୁଅର ସମ୍ପର୍କ ସବୁଠାରୁ ନିଆରା। ପୁଅର ଭୁଲ ଠିକ୍‌ ବିଷୟରେ ମା’ ଉଚିତ୍‌ ଶିକ୍ଷା ଦେବା ସହ ତାଙ୍କୁ ସଠିକ୍‌ ରାସ୍ତା ଦେଖାଇଥାଏ। ମାତ୍ର...

ରତନ ଟାଟା ୨୭ ବର୍ଷୀୟ ଯୁବକଙ୍କୁ ଫୋନ୍‌ କରି ପଚାରିଲେ, ମୋ ଆସିଷ୍ଟାଣ୍ଟ୍‌ ହେବେ କି

ବମ୍ବେ,୨୧।୧୧: ଦେଶର ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କ ସହ କାମ କରିବା ଅନେକଙ୍କ ପାଇଁ ଏକ ସ୍ବପ୍ନ ଥାଏ। କିନ୍ତୁ ଟାଟା ନିଜେ ଯଦି ଫୋନ୍‌...

କରୋନାକୁ ଡରିଲେଣି ପ୍ରେମୀଯୁଗଳ

କଥାରେ ଅଛି ‘ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା’। ମାତ୍ର କରୋନା ଭାଇରସ୍‌ ଏପରି ଏକ ମହାମାରୀ ଯାହାକୁ ପ୍ରେମୀଯୁଗଳ ବି ଡରିଲେଣି। ଏହି ଭାଇରସ୍‌...

କରୋନା ଭୟ: ଏହି ଦେଶରୁ ମୁକୁଳିଲେ ୮୫ହଜାର କଏଦୀ

ତେହେରାନ,୧୭।୩: କରୋନା ଭାଇରସ୍‌ ଯୋଗୁ ଇରାନରେ ଏପର୍ଯ୍ୟନ୍ତ ୧୪,୯୯୧ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୫୩କୁ ଛୁଇଁଛି। କରୋନା ପ୍ରଭାବକୁ ଦେଖି ଇରାନ...

ବର ମଦନିଶାରେ ଶାଶୁଙ୍କୁ ପିନ୍ଧାଇଲେ ବରଣମାଳା…

ମୁମ୍ବାଇ,୫।୬:ଏବେ ସୋସିଆଲ୍‌ ମିଡ଼ିଆରେ ଏକ ବିବାହ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବିବାହରେ ମଦ ନିଶାରେ ଚୁର୍‌ ଥିବା ବର ବିଚରା କନ୍ୟା ବଦଳରେ...

Advertisement
Archives

Model This Week