ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ
ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ କରିଥିଲେ ହେଁ ସମ୍ବିଧାନରେ କେଉଁଠି ରାଜନୈତିକ ‘ଦଳ’ ଉଲ୍ଲେଖ କରିନାହାନ୍ତି। କିନ୍ତୁ ବିଲାତର ହାଉସ୍‌ ଅଫ୍‌ କମନ୍‌ସ ଏବଂ ହାଉସ୍‌ ଅଫ୍‌ ଲର୍ଡସ ଢାଞ୍ଚାରେ ଲୋକ ସଭା ଓ ରାଜ୍ୟ ସଭା ବ୍ୟବସ୍ଥା ରଖିଛନ୍ତି, ଲୋକ ସଭାରେ ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନ ପାଉଥିବା ନେତାଙ୍କୁ ହିଁ ରାଷ୍ଟ୍ରପତି ମନ୍ତ୍ରିପରିଷଦ ଗଢ଼ିବାକୁ ନିମନ୍ତ୍ରଣ କରନ୍ତି। ସେ ରାଜ୍ୟ ସଭାର ସଭ୍ୟ ହୋଇଥାଇପାରନ୍ତି, କିନ୍ତୁ ସେ ଓ ତାଙ୍କ ମନ୍ତ୍ରିପରିଷଦ ବ୍ୟକ୍ତି ଭାବରେ ତଥା ସାମୂହିକ ଭାବରେ ଲୋକ ସଭା ପାଖରେ ଉତ୍ତରଦାୟୀ ରହୁଥିବାରୁ ଦଳ ଉପରେ ନିର୍ଭରଶୀଳ; ମନ୍ତ୍ରିପରିଷଦରେ କେବଳ କ୍ୟାବିନେଟ ପାହ୍ୟା ପାଇଥିବା ମନ୍ତ୍ରୀମାନେ ବୈଠକରେ ମିଳିତ ହୋଇ ସରକାରୀ ନିଷ୍ପତ୍ତି ନିଅନ୍ତି ବୋଲି ଏ ପ୍ରକାରର ବ୍ୟବସ୍ଥାକୁ କ୍ୟାବିନେଟ୍‌ ବ୍ୟବସ୍ଥାର ଗଣତନ୍ତ୍ର ବି କୁହାଯାଏ। କ୍ୟାବିନେଟ୍‌ ବ୍ୟବସ୍ଥାର ଶାସନରେ ଦଳର ଭୂମିକା ଆମ ସମ୍ବିଧାନ-ପ୍ରଣେତାଙ୍କୁ ଜଣାଥିଲେ ବି ସେମାନେ ସମ୍ବିଧାନରେ କୌଣସି ସ୍ଥାନରେ ଦଳ କଥା ଉଲ୍ଲେଖ କରିନାହାନ୍ତି।
୧୯୮୫ ମସିହାରେ ହିଁ ଦଳ ଶବ୍ଦ ସମ୍ବିଧାନରେ ପଶିଲା। ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୮୫ ମାର୍ଚ୍ଚରେ ସମ୍ବିଧାନର ୫୨ତମ ସଂଶୋଧନ, ଯାହା ଦଳବଦଳ ନିରୋଧ ଆଇନ ବା ଆଣ୍ଟାଇଡିଫେକ୍ସନ୍‌ ଲ’ ଭାବେ ବିଦିତ, ପାରିତ କରାଇନେଲେ, ପରେ ଏହା ଦଶମ ତଫସିଲରେ ଅନ୍ତର୍ଭୁକ୍ତ ହୋଇଥିବାରୁ ବିଚାର ବିଭାଗ ପରିସରର ବାହାରେ ରହିଲା। ଏହି ଆଇନ ଫଳରେ ଗଣତନ୍ତ୍ର ଦଳତନ୍ତ୍ର ହୋଇଗଲା, ଯେଉଁ ନିର୍ବାଚିତ ପ୍ରତିନିଧି ଦଳ ଛାଡ଼ିବେ, ଏପରିକି ଦଳର ନିର୍ଦ୍ଦେଶ ନ ମାନିବେ, ତାଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ଦଳର ସର୍ବୋଚ୍ଚ ନେତା ଲୋକ ସଭାର ବାଚସ୍ପତି ବା ରାଜ୍ୟ ସଭାର ଅଧ୍ୟକ୍ଷଙ୍କୁ ଜଣାଇଦେଲେ ସେ ପ୍ରତିନିଧିତ୍ୱ ହରାଇବେ। ଅର୍ଥାତ୍‌ ଭୋଟରଙ୍କ ମତ ଦଳର ମତ ଆଗରେ ମୁଣ୍ଡ ନୁଅଁାଇବ। ଦଳର ଛାଟ ବା ହ୍ବିପ୍‌ ନ ମାନି ସଂସଦରେ ଅନୁପସ୍ଥିତ ରହିଲେ ବି ଦଳରୁ ବହିଷ୍କାର, ଅର୍ଥାତ୍‌ ଲୋକପ୍ରତିନିଧିତ୍ୱ ରଦ୍ଦ ହୋଇପାରେ। ଏହାର ମାନେ ଦଳର ନିଷ୍ପତ୍ତି ଭୋଟରଙ୍କ ନିଷ୍ପତ୍ତିକୁ ନାକଚ କରିପାରେ, ଏପରିକି ନିର୍ଦ୍ଦଳୀୟ ପ୍ରତିନିଧି କୌଣସି ଦଳରେ ଯୋଗଦେଲେ ପ୍ରତିନିଧିତ୍ୱ ହରାଇବେ ବୋଲି ଆଇନରେ ପ୍ରାବଧାନ ରହିଛି। ଦଳ ଭିତରେ ବିଦ୍ରୋହକୁ ଦମନ କରିବା ଉଦ୍ଦେଶ୍ୟରେ ପ୍ରଣୀତ ଏ ଆଇନ ଆଇନ ତିଆରି କରୁଥିବା ଲୋକପ୍ରତିନିଧିକୁ ଦଳର ଆଜ୍ଞାବହ ପ୍ରତିନିଧି କରିଦେଲା; କାଳକ୍ରମେ ଶାସକଦଳର ମୁଖିଆ ନିଜକୁ ସମ୍ବିଧାନର (ସବୁ ଆଇନର) ଊର୍ଦ୍ଧ୍ୱରେ ବୋଲି ଭାବିନେବା ସ୍ବାଭାବିକ। ପ୍ରତିନିଧି ପାଇଁ ପ୍ରାର୍ଥୀ ହେବା ଓ ସେମାନଙ୍କ ଭିତରୁ ପ୍ରତିନିଧି ବାଛିବା ଭଳି ବ୍ୟବସ୍ଥା ଲୋକଦେଖାଣିଆ ହୋଇଗଲାଣି। ଦଳମୁଖିଆଙ୍କ ଦସ୍ତଖତର ଲେଖା ବା ଟିକେଟ ପ୍ରାର୍ଥୀର ଯୋଗ୍ୟତାର ସୂଚକ ହେଲାଣି। ଶେଷ ମୁହୂର୍ତ୍ତରେ ଦଳମୁଖିଆ ଯଦି ଟିକେଟ ରଦ୍ଦ କରିଦିଅନ୍ତି ଲୋକଟି ଶିଶୁପାଳ ହୋଇଯାଏ, ନଚେତ୍‌ ସ୍ବାଧୀନ ପ୍ରାର୍ଥୀ ହୁଏ ଏବଂ ଏବେ ବ୍ୟୟବହୁଳ ନିର୍ବାଚନ ରଣରେ ସ୍ବାଧୀନ ପ୍ରାର୍ଥୀ ଜିତିବାର ସମ୍ଭାବନା ବହୁତ କ୍ଷୀଣ। ଦଳ ଭିତରେ ବିଦ୍ରୋହ ବନ୍ଦ କରିବା ଲକ୍ଷ୍ୟ ନେଇ ପ୍ରଣୀତ ଏ ଆଇନ ବି ଦଳବଦ୍ଧ ହୋଇ ଦଳ ତ୍ୟାଗ କରୁଥିବା ସାଂସଦ ଓ ବିଧାୟକମାନଙ୍କ ପ୍ରତି ଲାଗୁ। ୧୯୮୫ ଆଇନରେ ଥିଲା ଦଳର ଏକ ତୃତୀୟାଂଶରୁ କମ୍‌ ସାଂସଦ ଜନନୀ-ଦଳ ଛାଡି ନୂଆ ଦଳ ଗଢ଼ିଲେ ସେମାନେ ସାଂସଦତ୍ୱ ହରାଇବେ। ୨୦୦୩ରେ ଏହା ସଂଶୋଧିତ ହୋଇ ନିୟମ ହେଲା ଦୁଇ ତୃତୀୟାଂଶରୁ କମ୍‌ ସାଂସଦ ଦଳ ଛାଡିଲେ ସାଂସଦତ୍ୱ ବା ବିଧାୟକତ୍ୱ ହରାଇବେ। ଏ କଥା ବଖାଣିବାର ଅର୍ଥ ଭୋଟରଙ୍କ ମତ ବା ପସନ୍ଦ ଦଳ ଆଖିରେ ପାଣିର ଗାର। ଯେତେ ବେଶି ଭୋଟ ପାଇଥିଲେ ବି ଯଦି ଆମ ପ୍ରତିନିଧି ଦଳର କଥା ନ ମାନିଲା ଓ ଦଳରୁ ବିତାଡିତ ହେଲା ସେ ଆମ ପ୍ରତିନିଧି ହାଇ ରହିପାରିବ ନାହିଁ। ତେଣୁ ଦଳମୁଖିଆଙ୍କ ଖୁସି ଆଗରେ ଜନାଦେଶ ତୁଚ୍ଛ। ଦଳର ବିକାଶ ଆଗରେ ଲୋକଙ୍କ ବିକାଶ ଗୌଣ। ଦଳକୁ ଖୁସି କଲେ ସରକାରକୁ ହାତ କରିହେବ ବୋଲି ଜାଣିଥିବା ଲୋକେ ନିର୍ବାଚନ ପଦ୍ଧତିକୁ ଅବାଧ ଓ ମୁକ୍ତ ରଖିବାକୁ ଚାହୁଁନାହାନ୍ତି। ଅର୍ଥବଳ, ସମର୍ଥକ ବଳ ଓ ପ୍ରଚାର ପ୍ରସାର ଖର୍ଚ୍ଚ ପ୍ରାର୍ଥୀ ଚୟନରେ ନିର୍ଣ୍ଣାୟକ ଭୂମିକା ନେଲାଣି। ଦଳପତିମାନେ ଦଳକୁ ଏକ କମ୍ପାନୀ ଭଳି ଓ ନିଜକୁ ମ୍ୟାନେଜିଂ ଡାଇରେକ୍ଟର ଭଳି ଦେଖିଲେଣି। ରାଜନୀତି ଏକ ବ୍ୟବସାୟ ଏବଂ ଦଳପତି ଜଣେ ଏଣ୍ଟରପ୍ରିନିଓର ଭାବେ ଆଚରଣ ପ୍ରଦର୍ଶନ କରୁଛନ୍ତି। ଯାହା କିଛି ପୁଞ୍ଜି ସେମାନେ ନିବେଶ କରୁଛନ୍ତି ତାକୁ ମୂଳଧନ ଧରି ତା’ ସହିତ ଲାଭ ବି ଉଠାଉଛନ୍ତି।
ନିର୍ବାଚନରେ କୁବେରମାନଙ୍କ ଭୂମିକା ଆମ ଗଣତନ୍ତ୍ରର ରୂପ ବଦଳାଇ ଦେବାର ଆଶଙ୍କା ଆଣିଛି। ଦଳଗୁଡ଼ିକ ପ୍ରତି ବର୍ଷ ନିଜର ପୁଞ୍ଜି ବୃଦ୍ଧି କରିବାରେ ବ୍ୟସ୍ତ ରହିଲେଣି। ନୂଆଦିଲ୍ଲୀର ଅବ୍‌ଜରଭର ରିସର୍ଚ୍ଚ ଫାଉଣ୍ଡେଶନ କହୁଛି ନିର୍ବାଚନ ଯେପରି ବ୍ୟୟବହୁଳ ହେଲାଣି ଏବଂ ଦଳଗୁଡ଼ିକ ଯେପରି ଲୁଚାଛପା ବ୍ୟବସାୟୀମାନଙ୍କଠାରୁ ଦାନ ଉଠାଉଛନ୍ତି ତାହା ଦିନେ ଆମ ଦେଶକୁ କୁବେରତନ୍ତ୍ର ବା ପ୍ଲୁଟୋକ୍ରାସି ଶାସନ ଦେବ। ଲଗାମଛଡ଼ା କର୍ପୋରେଟ୍‌ ଫଣ୍ଡିଂ ଆମ ଦେଶର ରାଜନୀତି ବା ପବ୍ଲିକ୍‌ ପଲିସି ତିଆରି କରିବ। ସେଣ୍ଟର୍‌ ଫର୍‌ ମିଡିଆ ଷ୍ଟଡିଜ୍‌ କହିଛି ୨୦୦୯ ନିର୍ବାଚନରେ ଦଳଗୁଡ଼ିକ ୨ ବିଲିଅନ ଡଲାର ଖର୍ଚ୍ଚ କରିଥିଲା ବେଳେ ୨୦୧୯ ନିର୍ବାଚନ ଲଢ଼େଇରେ ୭ ବିଲିଅନ ଡଲାର୍‌ (୪୯୦୦୦ କୋଟି ଟଙ୍କା) ଖର୍ଚ୍ଚ କରିବେ। ଖର୍ଚ୍ଚ ଏପରି ବଢ଼ିବାର କାରଣ କେତେକ ସାଂଗଠନିକ ପରିବର୍ତ୍ତନ- ଯଥା କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବେଶି ପରିମାଣରେ ନଗଦ ଟଙ୍କା ଓ ଉପହାର ଦଳଗୁଡ଼ିକ ବାଣ୍ଟନ୍ତୁ ବୋଲି ଭୋଟରମାନଙ୍କ ଆଶା, ଟେକ୍ନୋଲୋଜି ବିକାଶ ଯୋଗୁ ମିଡିଆ ଓ ଡିଜିଟାଲ ମାଧ୍ୟମ ଜରିଆରେ ଭୋଟରମାନଙ୍କ ମନକୁ ଛୁଇଁବାର ଚେଷ୍ଟା। ନିର୍ବାଚନ ଖର୍ଚ୍ଚ ଦଳର ସଭ୍ୟମାନଙ୍କଠାରୁ ଚାନ୍ଦା ସଂଗ୍ରହ ଜରିଆରେ ତୁଲାଇବାର ଯେଉଁ ପରମ୍ପରା ଥିଲା ତାହା ଉଭେଇ ଯାଉଛି, ଦଳଗୁଡ଼ିକ ରାତାରାତି ଅତି ଧନୀ ହେବାକୁ ଚାହୁଁଥିବା ‘ଧନୀମନା’ଙ୍କ ଚାନ୍ଦା ଉପରେ ଅଧିକରୁ ଅଧିକ ନିର୍ଭର କଲେଣି। ଗଣତାନ୍ତ୍ରିକ ସଂସ୍କାର ପାଇଁ ଗଠିତ ସମିତି ‘ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ’ (ଏଡିଆର୍‌) ହିସାବ ଦେଖାଇଛି ଯେ ୨୦୧୭-୧୮ ଆର୍ଥିକ ବର୍ଷରେ କଂଗ୍ରେସ ସହ ୬ଟି ଅଣଭାଜପା ଜାତୀୟ ଦଳ ଯେତେ ଟଙ୍କା କମ୍ପାନୀ ଓ ଲୋକଙ୍କଠାରୁ ପାଇଛନ୍ତି ଏକୁଟିଆ ଭାଜପା ସେସବୁର ୧୨ ଗୁଣ ପାଇଛି। ୨୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ଯେତେ ଦାନ ଦଳଗୁଡ଼ିକୁ ମିଳିଛି ତହିଁର ଶତକଡା ୯୩ ଭାଗ ଭାଜପା ପାଇଛି। ଭାଜପାର ବ୍ୟାଙ୍କ ଜମା ୪୩୭ କୋଟି ଟଙ୍କା ବଢ଼ିଲା ବେଳକୁ କଂଗ୍ରେସର ୨ କୋଟି ୬୭ ଲକ୍ଷ ବଢ଼ିଛି। ରାଜ୍ୟଭିତ୍ତିକ ବା ଆଞ୍ଚଳିକ ଦଳଗୁଡ଼ିକ ପଛରେ ପଡିନାହାନ୍ତି- ବିଜୁ ଜନତା ଦଳ ତାହାର ଆୟକର ଦାଖଲ ପତ୍ରରେ ଜଣାଇଛି ଯେ ୨୦୦୫ରେ ୨୪ଲକ୍ଷ ଟଙ୍କା ହାତରେ ଥିଲା ବେଳେ ୨୦୧୫ରେ ୧୮.୭୭ କୋଟି ହୋଇଛି; ଦଶ ବର୍ଷରେ ୭୭ ଗୁଣ ବଢିଛି। ଦଳଗୁଡ଼ିକ ଏ ପଇସାରେ ଦେଶରେ ମିଳୁଥିବା ହେଲିକପ୍ଟର ଓ ବିମାନ ବହୁ ଆଗରୁ ନିର୍ବାଚନ ପ୍ରଚାର ପାଇଁ ନେଇ ଯାଉଛନ୍ତି, ଏ ଦିଗରେ ଭାଜପା ସବା ଆଗରେ। ନଗଦ ଦାନ ପରିମାଣ କୋଡିଏ ହଜାରରୁ ଦୁଇ ହଜାର ଟଙ୍କାକୁ କମାଇ ଭାଜପା ସରକାର ରାଜନୀତିରେ କଳାଧନର ପ୍ରବେଶକୁ ରୋକିବେ ବୋଲି ଘୋଷଣା କଲେ, କିନ୍ତୁ ତାହା ବିବାହରେ ଗିଫ୍ଟ କାର୍ଡ ଦେଲା ଭଳି କିଏ ଦେଲା କିଏ ନେଲା ବାହାରକୁ ଜଣାଯାଉନାହିଁ, ଅଜଣା ରହି ଲାଞ୍ଚ ଦେବାର ଏକ ଉପାୟ ହୋଇଯାଇଛି ଇଲେକ୍ଟୋରାଲ ବଣ୍ଡ। ସୁପ୍ରିମ୍‌କୋର୍ଟ ଏ ମାମଲାରେ କ’ଣ ରାୟ ଦେବେ ତାହା ନିର୍ବାଚନ ପରେ ଜଣାପଡ଼ିବ। ଆମେ ଜାଣୁ, ଦାନ ଲୁଚାଣିଆ ହେଲେ ସ୍ବାର୍ଥ-ଦ୍ୱନ୍ଦ୍ୱ ଜନ୍ମ ନିଏ। ବ୍ୟବସାୟୀମାନେ ନିଜ କାମ କରାଇନେବା ଲାଗି ପ୍ରଭାବୀ ନେତାଙ୍କୁ ଇଲେକ୍ଟୋରାଲ ବଣ୍ଡ ସାହାଯ୍ୟରେ ହାତ କରିନେବେ ତ ସରକାରଙ୍କ ନୀତି ବା ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ନୀତି ଗୋପନରେ କମ୍ପାନୀପ୍ରୀତିରେ ପରିଣତ ହୋଇଯିବ। ବଣିକ ଶ୍ରେଣୀ ଓ କୁବେରମାନଙ୍କ ପାଇଁ ଶାସକ ଦଳ ପ୍ରତି ସମର୍ଥନ ‘ଟିନା’ – ଦେଆର୍‌ ଇଜ୍‌ ନୋ ଅଲଟରନେଟିଭ୍‌ ଖେଳ ହୋଇଯିବ। ଏ ନିର୍ବାଚନ ଲୋକ ପ୍ରତିନିଧି ବାଛିବ ନାହିଁ, ବାଛିବ କେଉଁ ଦଳ ଦେଶ ସମ୍ପତ୍ତିର ଅଭିଭାବକ ହେବ।
ଇ-ମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କାର୍‌ କିମ୍ବା ବସ୍‌ ଭିତରେ ଏସି ଲାଗିବା ସାଧାରଣ କଥା। କିନ୍ତୁ ଟ୍ରାକ୍ଟରରେ ଏସି, ଶୁଣି ତାଜୁବ ଲାଗିବା ସ୍ବାଭାବିକ। ଏହା କରିଦେଖାଇଛନ୍ତି ଯୁବ ଚାଷୀ...

ଫିକା ପଡ଼ିଯାଉଛି ପର୍ବପର୍ବାଣି

ଡ. ଅନ୍ତର୍ଜିତା ନାୟକ ବହୁ ଧର୍ମ ଏବଂ ବିବିଧ ସଂସ୍କୃତିର ଦେଶ ଭାରତରେ ବର୍ଷସାରା ଅଗଣିତ ପର୍ବ ପାଳନ କରାଯାଏ। ଫସଲ ଅମଳ ହେଉ, ବସନ୍ତର...

ଆଗାମୀ ଓଡ଼ିଶା ବଜେଟର ଆର୍ଥିକ ଦିଗ

ନଟବର ଖୁଣ୍ଟିଆ ବିଜୁ ଜନତା ଦଳ (ବିଜେଡି) ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱରେ କ୍ରମାନ୍ବୟରେ ୨୦୦୦ ମସିହାରୁ ପାଞ୍ଚ ପାଞ୍ଚଟା ନିର୍ବାଚନ ଜିଣି ୨୦୨୪ ପର୍ଯ୍ୟନ୍ତ ୨୪...

ଆମେ ଶ୍ରେୟ ଦେଉନା

ଭାରତୀୟଙ୍କର ଅନ୍ୟ କାହାରିକୁ ଶ୍ରେୟ ଦେବାର ଚରିତ୍ର ଅଧିକାଂଶ ସମୟରେ ଦେଖିବାକୁ ମିଳେ ନାହିଁ। ଆମର ପୁରାଣଶାସ୍ତ୍ରରେ ରାବଣଙ୍କ ଭାଇ ବିଭୀଷଣଙ୍କୁ ଶ୍ରେୟ ଦେବା ପରିବର୍ତ୍ତେ...

ଏଇ ଭାରତରେ

ମଣିଷଙ୍କ ସେବା ପାଇଁ ସବୁଠି ବିଭିନ୍ନ ଏନ୍‌ଜିଓ ତଥା ବ୍ୟକ୍ତିବିଶେଷ ସମୟ ଦେଉଥିବାବେଳେ ପ୍ରାଣୀଙ୍କ କ୍ଷେତ୍ରରେ ଏହା କମ୍‌ ଦେଖିବାକୁ ମିଳେ। ତେବେ ପ୍ରାଣୀ ସେବାରେ...

ଆଶାର ଅଗ୍ରଦୂତ

ସମଗ୍ର ଦେଶରେ ଏବେ ପୂଜା ଖେଡ୍‌କରଙ୍କ ନାମକୁ ନେଇ ଚର୍ଚ୍ଚା। ବିଶେଷକରି କେନ୍ଦ୍ର ଲୋକ ସେବା ଆୟୋଗ(ୟୁପିଏସ୍‌ସି) ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂଶ୍ଳିଷ୍ଟ...

କାଠଗଡ଼ାରେ ସଂଶୋଧିତ ବିଶ୍ୱବିଦ୍ୟାଳୟ ଆଇନ

ସତ୍ୟକାମ ମିଶ୍ର   ଓଡ଼ିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ୨୦୨୦ ମସିହାରେ ଓଡ଼ିଶାର ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଏକ ସଂସ୍କାର ଆଣିଥିଲେ। ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଶାସନ...

ବିଚାରଧାରାର ଦଳ

ଏକ ନିର୍ଦ୍ଦିଷ୍ଟ ବିଚାରଧାରାକୁ ନେଇ ଗଠିତ ଦଳଗୁଡ଼ିକର ଦୁର୍ବଳ ନେତାମାନେ ସେମାନଙ୍କ ଅପେକ୍ଷା ଅଧିକ କଠୋର ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଯୋଗୁ ସର୍ବଦା ଅସୁରକ୍ଷିତ ରହିଥାନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri