ଯଶୋଧାରାଙ୍କ ତ୍ୟାଗ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ରାଜପୁତ୍ର ଗୌତମ ସତ୍ୟର ସନ୍ଧାନ କରିବା ପାଇଁ କପିଳବାସ୍ତୁ ରାଜପ୍ରାସାଦର ବିଳାସବ୍ୟସନ, ସୁଖସ୍ବାଚ୍ଛନ୍ଦ୍ୟ, ସ୍ତ୍ରୀ ଯଶୋଧାରାଙ୍କ ଅନାବିଳ ପ୍ରେମ ଓ ସୁକୁମାର ଶିଶୁପୁତ୍ର ରାହୁଳକୁ ତ୍ୟାଗ କରି ରାତ୍ରିର ଘନ ଅନ୍ଧକାର ମଧ୍ୟରେ ରାଜ୍ୟ ଛାଡି ଚାଲିଗଲେ। ପ୍ରଚଳିତ କିମ୍ବଦନ୍ତୀ ଅନୁସାରେ ସେତେବେଳେ ଯଶୋଧାରା ଗଭୀର ନିଦ୍ରାରେ ଶାୟିତ ଥିଲେ। ଗୌତମ ସ୍ତ୍ରୀ ଓ ପୁତ୍ରକୁ ଶେଷଥର ପାଇଁ ଅନାଇ ଏକ ମହତ୍‌ ଅଭୀପ୍ସା ନେଇ କପିଳବାସ୍ତୁ ତ୍ୟାଗ କଲେ। ମାତ୍ର ଗୌତମଙ୍କ ନିଷ୍କ୍ରମଣ ପଛରେ ଲୁକ୍କାୟିତ ଥିଲା ଯଶୋଧାରାଙ୍କ ମହତ୍‌ ତ୍ୟାଗ। ବୌଦ୍ଧଧର୍ମ ଉପରେ ତଥ୍ୟ ସମ୍ବଳିତ ପୁସ୍ତକ ‘ଓଲ୍‌ଡ ପାଥ୍‌ ହ୍ବାଇଟ୍‌ କ୍ଲାଉଡ୍‌ସ’ରେ ଭିଏତ୍‌ନାମର ଲେଖକ ବୌଦ୍ଧ ସନ୍ନ୍ୟାସୀ ଥିଚ୍‌ ନାଟ୍‌ ହାନ୍‌ କହିଛନ୍ତି, ପ୍ରକୃତରେ ଗୌତମଙ୍କ ନିଷ୍କ୍ରମଣ ସମୟରେ ଯଶୋଧାରା ଶୋଇ ନ ଥିଲେ। ସେ ଆଶଙ୍କା କରିଥିଲେ ତାଙ୍କ ଜାଗ୍ରତ ଅବସ୍ଥାରେ ଗୌତମଙ୍କ ପାଇଁ ବିଚ୍ଛେଦ ହୁଏତ ଅତ୍ୟନ୍ତ କଷ୍ଟଦାୟକ ହେବ। ସେହିପରି ଯନ୍ତ୍ରଣାଦାୟକ ବିଚ୍ଛେଦର ଦୃଶ୍ୟକୁ ଏଡ଼ାଇବା ପାଇଁ ସେ ଶୋଇବାର ଅଭିନୟ କରିଥିଲେ। ଯଶୋଧାରା ଥିଲେ ଗୌତମଙ୍କ ଅର୍ଦ୍ଧାଙ୍ଗିନୀ ଓ ଧର୍ମପତ୍ନୀ। ଗୌତମଙ୍କୁ ସତ୍ୟର ସନ୍ଧାନ ପଥରେ ସହଯୋଗ କରିବା ପତ୍ନୀର ଧର୍ମ। ପୁନଶ୍ଚ ସେ ମଧ୍ୟ ବାଲ୍ୟକାଳରୁ ସଂସାରର ଦୁଃଖ ଓ ଯନ୍ତ୍ରଣା ଦେଖି ସେଥିରୁ କିଭଳି ମୁକ୍ତି ମିଳିବ ସେହି ପ୍ରଶ୍ନ ନିଜକୁ ଅନେକଥର ପଚାରିଥିଲେ ଓ ତା’ର ଉତ୍ତର ଖୋଜୁଥିଲେ। ସତ୍ୟର ସନ୍ଧାନରେ ଉଭୟ ଗୌତମ ଓ ଯଶୋଧାରା ଥିଲେ ବ୍ରତୀ। ଏଣୁ ଗୌତମଙ୍କ ସତ୍ୟ ସନ୍ଧାନ ପଥରେ ପ୍ରତିବନ୍ଧକ ହେବାକୁ ଚାହିଁ ନ ଥିଲେ ଯଶୋଧାରା। ଗୌତମଙ୍କ ସଫଳତା ପାଇଁ ସେ ବରଣ କରିଥିଲେ ଅକୁଣ୍ଠିତ ତ୍ୟାଗ। ମାତ୍ର ବିଡ଼ମ୍ବନାର ବିଷୟ ଐତିହାସିକମାନଙ୍କ ଦ୍ୱାରା ତାଙ୍କ ତ୍ୟାଗ କମ୍‌ ଆଲୋଚିତ।
ରାଜା ଶୁଦ୍ଧୋଦନଙ୍କ ଭଉଣୀ ପମିତା କୋଲିୟ ରାଜା ଦଣ୍ଡପାଣିଙ୍କୁ ବିବାହ କରିଥିଲେ। ଯଶୋଧାରା ଥିଲେ ଦଣ୍ଡପାଣି ଓ ପମିତାଙ୍କ କନ୍ୟା। ଥରେ କୋଲିୟ ରାଜାଙ୍କ ଦ୍ୱାରା ଆୟୋଜିତ ସମରବିଦ୍ୟା ପ୍ରତିଯୋଗିତାରେ ରାଜା ଶୁଦ୍ଧୋଦନ ପୌରୋହିତ୍ୟ କରି ଯୁବ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ସେଠାରେ ଯଶୋଧାରା ଅତିଥିମାନଙ୍କୁ ସ୍ବାଗତ କରୁଥିଲେ। ଏହି ପ୍ରତିଯୋଗିତାରେ ଗୌତମ ବିଜୟୀ ହେବା ପରେ ଯଶୋଧାରା ତାଙ୍କୁ ଏକ ଧଳାହାତୀ ପୁରସ୍କାର ଦେଇଥିଲେ। ଏହା ଥିଲା ଯଶୋଧାରାଙ୍କ ସହ ଗୌତମଙ୍କ ପ୍ରଥମ ସାକ୍ଷାତ୍‌। ଯଶୋଧାରାଙ୍କ ସରଳ ବେଶଭୂଷା, ସୁଲଳିତ କଣ୍ଠସ୍ବର ଓ ନମ୍ରଭାବ ଗୌତମଙ୍କୁ ଆକର୍ଷଣ କରିଥିଲା। ମାତ୍ର ସେଦିନ ଗୌତମ ତାଙ୍କ ସହ ଭାବର ଆଦାନପ୍ରଦାନ କରିପାରି ନ ଥିଲେ। ଆଉ ଦିନକର ଘଟଣା। ଗୌତମ ପରିଭ୍ରମଣ କରି ରାଜପ୍ରାସାଦକୁ ଫେରୁଥାନ୍ତି। ଯଶୋଧାରା ତାଙ୍କ ପରିଚାରିକା ସହ ଏକ ପଲ୍ଲୀରେ କିଛି ରୋଗାକ୍ରାନ୍ତ ପିଲାଙ୍କ ସେବାଶୁଶ୍ରୂଷା କରୁଥିବାର ଦୃଶ୍ୟ ଗୌତମଙ୍କୁ ଚକିତ କରିଥିଲା। ଏକ ରାଜପରିବାରର କନ୍ୟା ସମସ୍ତ ଭୋଗବିଳାସ ଓ ଅହଂକାର ତ୍ୟାଗକରି ଦୁଃଖୀ ଓ ଦରିଦ୍ରମାନଙ୍କ ସେବା କରୁଥିବା ଏକ ଅସାଧାରଣ ଘଟଣା ଥିଲା। ଗୌତମ ଯଶୋଧାରାଙ୍କୁ ପଚାରିଲେ, ”ଆପଣ ଏହି ସେବା କେବେଠୁ କରୁଛନ୍ତି?“ ଯଶୋଧାରାଙ୍କ ଉତ୍ତର ଥିଲା ପ୍ରାୟ ଦୁଇବର୍ଷ ହେବ। ଏହି କାର୍ଯ୍ୟ ମୋତେ ଅପାର ଆନନ୍ଦ ଓ ତୃପ୍ତି ପ୍ରଦାନ କରେ। ସେଦିନ ଗୌତମ ଯଶୋଧାରାଙ୍କ ସହ ଭାବର ଆଦାନପ୍ରଦାନ କରି ଜାଣିବାକୁ ପାଇଲେ ଯେ, ସଂସାରର ଦୁଃଖଯନ୍ତ୍ରଣାର ଦୃଶ୍ୟ ଯଶୋଧାରାଙ୍କ ହୃଦୟକୁ ମଧ୍ୟ ବିଗଳିତ କରେ। ରାଜପ୍ରାସାଦର ବିଳାସବ୍ୟସନରେ ସେ ପ୍ରକୃତ ଶାନ୍ତି ପାଇପାରୁ ନ ଥିଲେ। ନିଜ ହୃଦୟର ବେଦନା ଯଶୋଧାରାଙ୍କ ହୃଦୟରେ ଆବିଷ୍କାର କରି ସେଦିନ ଗୌତମ ଯଶୋଧାରାଙ୍କ ପ୍ରତି ଆହୁରି ଆକର୍ଷିତ ହୋଇଥିଲେ। କିଛିମାସ ଅନ୍ତେ ପ୍ରତିଭାବତୀ କନ୍ୟାମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଉତ୍ସବରେ ମହାରାଣୀ ଗୌତମୀଙ୍କ ପରାମର୍ଶ କ୍ରମେ ଗୌତମ କନ୍ୟାମାନଙ୍କୁ ଉପହାର ବାଣ୍ଟୁଥାନ୍ତି। ଯଶୋଧାରା ମଞ୍ଚ ଉପରକୁ ଆସିବା ବେଳକୁ ଉପହାର ଶେଷ ହୋଇଯାଆନ୍ତେ ଗୌତମ ନିଜ ଗଳାରୁ ସୁନାହାରଟିକୁ କାଢି ତାଙ୍କୁ ଦେଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ରାଜପରିବାରର ସମ୍ମତିକ୍ରମେ ଗୌତମଙ୍କ ସହ ଯଶୋଧାରାଙ୍କ ବିବାହ ସମ୍ପାଦିତ ହୋଇଥିଲା। ଦୁଇଟି ସମଧର୍ମା ହୃଦୟର ମିଳନ ହେଲା।

ଆସିଲା ଗ୍ରୀଷ୍ମଋତୁ। ଗୌତମ ଓ ଯଶୋଧାରା ରାଜ୍ୟର ବିଭିନ୍ନ ପଲ୍ଲୀ ଭ୍ରମଣ କରୁଥାନ୍ତି। ରଥ ଚାଳନା କରୁଥାନ୍ତି ସାରଥି ଚନ୍ନ। ସେ ସମୟରେ ସେ ସାଧାରଣ ଶ୍ରମଜୀବୀ ଓ କୃଷକମାନଙ୍କ ପରିବାରରେ ମଧ୍ୟ ଖାଦ୍ୟ ଗ୍ରହଣ କରିଛନ୍ତି। ସେ ନିଜ ଆଖିରେ ଦେଖିଛନ୍ତି ସେମାନଙ୍କ ଦୁଃଖ, ଦାରିଦ୍ର୍ୟ ଓ ସେମାନଙ୍କ ଶିଶୁମାନଙ୍କ ଅପପୁଷ୍ଟିର ଚିତ୍ର। ତାଙ୍କ ପିତାଙ୍କ ଶାସନ ମଧ୍ୟ ସେହିସବୁ ଦୁଃଖ ଓ ଯନ୍ତ୍ରଣା ଲାଘବ କରିପାରି ନାହିଁ। ଯଶୋଧାରା ଲକ୍ଷ୍ୟ କରିଛନ୍ତି ଗୌତମଙ୍କୁ ଏହିସବୁ ଦୃଶ୍ୟ ବିଚଳିତ କରିଛି। ସେ ଖୋଜୁଛନ୍ତି ଦୁଃଖ ଓ ଯନ୍ତ୍ରଣାରୁ ମୁକ୍ତିର ଉପାୟ। ଯଶୋଧାରା ଏ ସମ୍ପର୍କରେ ଗୌତମଙ୍କ ସହ ଆଲୋଚନା କରିଛନ୍ତି ଓ ଆଶ୍ୱାସନା ଦେଇଛନ୍ତି ଯେ, ସେ ଦିନେ ନିଶ୍ଚୟ ମୁକ୍ତିର ମାର୍ଗ ପାଇବେ। ଇତ୍ୟବସରରେ ରାଜା ଶୁଦ୍ଧୋଦନ ଗୌତମଙ୍କୁ ରାଜ୍ୟର ରାଜା ହେବା ଲାଗି ନିଜକୁ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦିଅନ୍ତେ ଗୌତମ କହିଛନ୍ତି, ”ପିତା ଯେଉଁ ଶାସନ ଜନସାଧାରଣଙ୍କ ଦୁଃଖ ଓ ଯନ୍ତ୍ରଣାକୁ ଲାଘବ କରିପାରୁନାହିଁ ମୁଁ ସେହି ଶାସନର ଡୋରି ଧରିବା ପାଇଁ ଚାହୁଁନାହିଁ। ମୁଁ ଅନୁଭବ କରୁଛି ମଣିଷ ଅଜ୍ଞାନରେ ଅତି କ୍ରୋଧ, ଈର୍ଷା, ଭୟ ଓ କାମନାରେ କବଳିତ ହୋଇ ଦୁଃଖ ଓ ଯନ୍ତ୍ରଣାରେ ଦଗ୍ଧୀଭୂତ ହେଉଛି। ମୁଁ ଖୋଜିବାକୁ ଚାହେଁ ସେହି ପଥ, ଯାହା ମଣିଷକୁ ଏସବୁଥିରୁ ମୁକ୍ତ କରିବ।“ ପରବର୍ତ୍ତୀ ସମୟରେ ଆଧ୍ୟାତ୍ମିକ ଜିଜ୍ଞାସା ନେଇ ଗୌତମ ସମସାମୟିକ ସନ୍ଥ ଅଲାର କଲମ ଓ ଉଦ୍ଦାକ ରାମପୁଟ୍ଟଙ୍କୁ ସାକ୍ଷାତ୍‌ କରି ସେମାନଙ୍କଠାରୁ ପରାମର୍ଶ ଗ୍ରହଣ କରୁଥିଲେ। ଗୋଟିଏ ଅପରାହ୍ଣର ଘଟଣା। ଯଶୋଧାରା ଗୋଟିଏ ପଲ୍ଲୀରୁ ଫେରିଥାନ୍ତି। ଦୁଃଖଭରା ହୃଦୟରେ ସେ ନୀରବରେ ବସିଥାନ୍ତି, କାରଣ ଦୀର୍ଘ ସପ୍ତାହେ ଧରି ସେ ଯେଉଁ ରୋଗାକ୍ରାନ୍ତ ଶିଶୁର ସେବା କରୁଥିଲେ ତାକୁ ସେ ମୃତ୍ୟୁମୁଖରୁ ରକ୍ଷା କରିପାରି ନ ଥିଲେ। କ୍ରନ୍ଦନରତା ଯଶୋଧାରାଙ୍କୁ ଆଶ୍ୱାସନା ଦେଇ ଗୌତମ କହିଛନ୍ତି ଦେଖ, ଜନ୍ମ, ବାର୍ଦ୍ଧକ୍ୟ, ରୋଗ ଓ ମୃତ୍ୟୁ ଜୀବନର ଅବଶ୍ୟମ୍ଭାବୀ ବାସ୍ତବତା। ମୁଁ ନିଶ୍ଚିତ ଯେ ଦିନେ ନା ଦିନେ ମୁଁ ଏହିସବୁଥିରୁ ମୁକ୍ତି ପାଇବାର ଉପାୟ ପାଇବି। ସେଥିପାଇଁ ଆବଶ୍ୟକ ତୁମର ସହଯୋଗ। ଯଶୋଧାରା ଅନୁଭବ କଲେ ଗୌତମ ଯେକୌଣସି ମୁହୂର୍ତ୍ତରେ ମୁକ୍ତିମାର୍ଗର ସନ୍ଧାନରେ ତାଙ୍କୁ ଛାଡି ଚାଲିଯାଇପାରନ୍ତି। ସେ ଅନ୍ତଃସତ୍ତ୍ୱା ଥିବାରୁ ଗୌତମଙ୍କୁ ସେହିଭଳି ସମୟରେ ତାଙ୍କୁ ତ୍ୟାଗ ନ କରିବା ପାଇଁ ଅନୁରୋଧ କରିଥିଲେ ଓ ଗୌତମ ସେହି ଅନୁରୋଧ ରକ୍ଷା କରିଥିଲେ। ଯଥାସମୟରେ ଏକ ପୁତ୍ରସନ୍ତାନ ଜନ୍ମ ନେଲା ଓ ତା’ର ନାମ ଦିଆଗଲା ରାହୁଳ।

ଅନେକ ଦିନ ଅତିକ୍ରାନ୍ତ ହେଲା। ଥରେ ଯଶୋଧାରା ରାତିରେ ସ୍ବପ୍ନ ଦେଖିଲେ ଗୌତମ ତାଙ୍କୁ ଛାଡି ଚାଲିଯାଉଛନ୍ତି। ଯେତେବେଳେ ସେ ଚମକି ଉଠିପଡିଲେ ଗୌତମ କହିଲେ, ମୁଁ ତ ନିଶ୍ଚୟ ଯିବି କିନ୍ତୁ ସେଥିପାଇଁ ତୁମର ସହାୟତା ଲୋଡ଼ା। ମୁଁ ପ୍ରତିଶ୍ରୁତି ଦେଉଛି ମୁକ୍ତିର ମାର୍ଗ ଜାଣିବା ପରେ ମୁଁ ପୁଣି ଫେରିଆସିବି। ତା’ ପରଦିନ ସେ ପିତାଙ୍କୁ ମଧ୍ୟ କପିଳବାସ୍ତୁ ତ୍ୟାଗ କରିବା ପାଇଁ ଅନୁମତି ମାଗିଛନ୍ତି। ମାତ୍ର ଶୁଦ୍ଧୋଦନ ତାଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ ବୁଝାଇଛନ୍ତି। ସେଦିନ ସନ୍ଧ୍ୟାରେ ପ୍ରାସାଦରେ ଆମୋଦପ୍ରମୋଦ ନିମିତ୍ତ ନୃତ୍ୟ ଓ ସଙ୍ଗୀତର ବ୍ୟବସ୍ଥା ହୋଇଛି। ସେ ଦିନଟି ଥିଲା ଆଷାଢ଼ ପୂର୍ଣ୍ଣିମା। ରାଜା ରାଣୀ ଗୌତମୀଙ୍କୁ ପଠାଇଛନ୍ତି ଯଶୋଧାରାଙ୍କୁ ଏ ସମ୍ପର୍କରେ ସତର୍କ କରାଇବା ପାଇଁ। ଯେକୌଣସି ଉପାୟରେ ଗୌତମଙ୍କୁ ନିଷ୍କ୍ରମଣରୁ ନିବୃତ୍ତ କରିବା ପାଇଁ ମହାରାଣୀ ଯଶୋଧାରାଙ୍କୁ ପରାମର୍ଶ ଦେଇଛନ୍ତି। ମାତ୍ର ଯଶୋଧାରା ଗୌତମଙ୍କୁ ବାଧା ଦେଇନାହାନ୍ତି। ଘନ ଅନ୍ଧକାର ମଧ୍ୟରେ ସେ ସାରଥି ଚନ୍ନକୁ ନିଦରୁ ଉଠାଇ ଗୌତମଙ୍କ ସମ୍ଭାବ୍ୟ ନିଷ୍କ୍ରମଣ କଥା କହି ଅଶ୍ୱ କନ୍ଥକକୁ ପ୍ରସ୍ତୁତ କରି ରଖିବାକୁ କହିଛନ୍ତି। ରାଜପ୍ରାସାଦକୁ ଫେରି ସେ ଗୌତମଙ୍କ ଭ୍ରମଣ ପୋଷାକକୁ ଚୌକିରେ ଥୋଇ ନିଦ୍ରା ଯିବାର ଅଭିନୟ କରିଛନ୍ତି। ସେପଟେ ଗୌତମ ରାଜପ୍ରାସାଦ ତ୍ୟାଗ କରିବା ପାଇଁ ନିଷ୍ପତ୍ତି ନେଇ ଶେଷଥର ପାଇଁ ଯଶୋଧାରା ଓ ରାହୁଳକୁ ଟିକିଏ ଅନେଇ ଦେଇ ଚାଲିଯାଇଛନ୍ତି। ତାଙ୍କୁ ସହାୟତା କରିଛନ୍ତି ସାରଥି ଚନ୍ନ ଓ ପ୍ରିୟ ଅଶ୍ୱ କନ୍ଥକ। ଆରମ୍ଭ ହୋଇଛି ସତ୍ୟ ସନ୍ଧାନର ଏକ ନୂତନ ଅଧ୍ୟାୟ।
ଦୀର୍ଘ ଛଅବର୍ଷର ସାଧନା ଅନ୍ତେ ଗୌତମ ଜ୍ଞାନପ୍ରାପ୍ତ ହୋଇ ବୁଦ୍ଧରେ ପରିଣତ ହୋଇଛନ୍ତି। ଫେରିଛନ୍ତି କପିଳବାସ୍ତୁ। ଗଠିତ ହୋଇଛି ସଂଘ ଓ ସେହି ସଂଘରେ ମହାରାଣୀ ଗୌତମୀ ଭିକ୍ଷୁଣୀ ଭାବରେ ଯୋଗ ଦେଇଥାନ୍ତି। ଦିନେ ଭିକ୍ଷୁ ସ୍ବସ୍ତି ଗୌତମୀଙ୍କୁ ପଚାରିଛନ୍ତି ମାଆ, ଗୌତମଙ୍କ ନିଷ୍କ୍ରମଣ ସମୟରେ ସତରେ କ’ଣ ଯଶୋଧାରା ଗଭୀର ନିଦ୍ରାରେ ଶୋଇଥିଲେ? ଗୌତମୀଙ୍କ ଉତ୍ତର ଥିଲା- ଯେଉଁ ଯଶୋଧାରା ନିଜେ ଗୌତମଙ୍କ ଭ୍ରମଣ ପୋଷାକ ପ୍ରସ୍ତୁତ କରି ରଖିଦେଇ ପୁଣି ସାରଥି ଚନ୍ନକୁ ମଧ୍ୟ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ ସେ କେମିତି ସେହି ରାତିରେ ଶୋଇପାରିଥାନ୍ତେ? ମୁଁ ଜାଣେ ଯଶୋଧାରା ଥିଲେ ସାହସୀ ମହିଳା। ସେ ନିଜେ ଥିଲେ ସତ୍ୟର ସନ୍ଧାନୀ। ଏଣୁ ଗୌତମଙ୍କ ସତ୍ୟ ସନ୍ଧାନ ମାର୍ଗରେ ସେ ବାଧା ନ ଦେଇ କରିଯାଇଛନ୍ତି ଅପୂର୍ବ ତ୍ୟାଗ। ସେ ହେଲେ ଯଶସ୍ବିନୀ ଯଶୋଧାରା।

ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼, ମୋ-୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ରପ୍ତାନି ସଂଗଠନ ସଭାପତି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ନିକଟରେ ଭାରତୀୟ ସାମଗ୍ରୀ ଉପରୁ ଆମେରିକା ଅଗ୍ରାଧିକାର ପ୍ରବେଶ ସୁବିଧା ପ୍ରତ୍ୟାହାର କରିଥିଲା। ପରେ ନୂଆଦିଲ୍ଲୀ ଆମେରିକାରୁ ଆସୁଥିବା ୨୮ ପ୍ରକାର...

ଏଇ ଭାରତରେ

ଶାଢ଼ି ଲାଇବ୍ରେରି କଥା କେବେ ଶୁଣିଥିଲେ କି? ଏମିତିକା ଲାଇବ୍ରେରି ଦେଖିବାକୁ ପାଇବେ ଗୁଜରାଟର ବରୋଦାରେ। ଏହାକୁ ଜୁନ୍‌ ୨୦୨୦ରେ ୮ ଜଣ ମହିଲା ଏକାଠି...

ଆମ ଅପାରଗତା

ବିଶ୍ୱର ବାର୍ଷିକ ମୁଣ୍ଡପିଛା ହାରାହାରି ମୋଟ ଘରୋଇ ଉତ୍ପାଦ(ଜିଡିପି)୧୨,୨୦୦ ଆମେରିକୀୟ ଡଲାର(ୟୁଏସ୍‌ଡି)। ହିସାବରେ ଏହା ବର୍ଷକୁ ମୁଣ୍ଡ ପିଛା ପ୍ରାୟ ୯.୬ ଲକ୍ଷ ଟଙ୍କା ବା...

ରିୟଲିଟି ଚେକ୍‌

କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରତରେ ରିୟଲ୍‌ ଇଷ୍ଟେଟ୍‌ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ଆମ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଚାଲିଆସୁଛି।...

ସମ୍ପାଦକୀୟ/ ଉଦ୍ଭଟ: ଜହ୍ନରେ ଜଳଖୋଜା

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ୍‌ ଧାଓ୍ବନ ମହାକାଶ କେନ୍ଦ୍ରରୁ ଭାରତର ଦ୍ୱିତୀୟ ମୁନ୍‌ ମିଶନ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ ପାଇଁ ୧୪ ଜୁଲାଇ ରାତି ୨ଟା ୫୧କୁ ସମୟ...

ନିଷ୍ପତ୍ତି ଆମ ହାତରେ

ଉଚ୍ଚ ଶିକ୍ଷାରେ ଛାତ୍ରୀଛାତ୍ରମାନେ ଏକସଙ୍ଗେ ପୂର୍ଣ୍ଣକାଳୀନ (ଫୁଲ୍‌-ଟାଇମ୍‌) ଦୁଇଟି ଡିଗ୍ରୀ ପାଠ ପଢ଼ି ପାରିବେ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସଦ୍ୟ ନିୟମାବଳୀ...

ନର୍କ ଯନ୍ତ୍ରଣା

ଡ.ମୌସୁମୀ ପରିଡ଼ା ଯେପରି ଜନ୍ମ ଥିଲେ ମୃତ୍ୟୁ ସୁନିଶ୍ଚିତ, ସେହିପରି ଦେହ ଥିଲେ ରୋଗ ହେବା ମଧ୍ୟ ସ୍ବାଭାବିକ। ଯେଉଁଠି ମହାମନୀଷୀମାନେ ମୁକୁଳି ପାରିନାହାନ୍ତି, ଆମେ...

ଏଇ ଭାରତରେ

କେରଳର ଛାବରା ଦର୍ଶନ ସିଏମ୍‌ଆଇ ପବ୍ଲିକ୍‌ ସ୍କୁଲ ପରିବେଶ ଉପଯୋଗୀ ଅଭିିଯାନର ଏକ ସଫଳ ଦୃଷ୍ଟାନ୍ତ । ଏର୍ନାକୁଲମ ଜିଲା କୋନାମାଭୁସ୍ଥିତ ଉକ୍ତ ସ୍କୁଲରେ ଏକ...

Advertisement
Archives

Model This Week