ମୋ ଗାଁର ବାଟ ଓ ସାର୍‌ଙ୍କ ଛାଟ

ମନ-ମାନଚିତ୍ର/ଡ. ନରହରି ବେହେରା
ସମୟର ଆହ୍ବାନରେ ଆଜି ଅଧିକାଂଶ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତମାନେ ଗାଁ ଛାଡ଼ି ଦୂରଦୂରାନ୍ତ ସହରରେ ବାସ କରୁଛନ୍ତି। ବୃତ୍ତି ଚାପରେ ମୁଁ ବି ଗାଁ ଛାଡ଼ି ବାହାରେ ବାସ କରୁଛି। ଗାଁର ପୂଜାପାର୍ବଣ କି ଘରର ବିବାହ ଉତ୍ସବ ଇତ୍ୟାଦି ହେଲେ ଜଣେ ମାନ୍ୟଗଣ୍ୟ ଅତିଥି ପରି ବୁଲିଯାଏ। ନିଜ ଜନ୍ମମାଟିକୁ ଛାଡ଼ି ନ ପାରିଥିବା ମୋ ସାଙ୍ଗମାନେ ମୁଁ ବଡ଼ଲୋକ ହୋଇଗଲିଣି ବୋଲି ପରିହାସ କରନ୍ତି। ସେମାନେ ଦୂରେଇ ଦୂରେଇ ରହନ୍ତି। ଭଲରେ ମିଶନ୍ତି ନାହିଁ। ମୁଁ କିଛି ସମୟ ନିଜକୁ ସଭ୍ୟ, ଉଚ୍ଚଶିକ୍ଷିତ ଏବଂ ମାନ୍ୟଗଣ୍ୟ ମଣିଷ ବୋଲି ଭାବେ। ମାତ୍ର ଏବେ କାହିଁକି କେଜାଣି ବୟସ ବଢ଼ିବା ସହିତ ସହରରେ ଚାରିହାତ ଜାଗା ଭିତରେ ଚାପିହୋଇ ଅଣନିଃଶ୍ୱାସୀ ହେବାପରି ଲାଗୁଛି। ମୋ ଚାରିପାଖରେ ପଡ଼ୋଶୀ ଅଛନ୍ତି। ମାତ୍ର ଗାଁ ପରି ସମ୍ପର୍କ ନାହିଁ, ଯାହାକୁ ଦେଖ ନିଜ ଝରକା ଭିତରୁ କି ପାଚେରି ସେ ପାଖରେ ଜୁଳୁ ଜୁଳୁ ଚାହୁଁଛନ୍ତି। ସତେ ଯେମିତି ମୁଁ ଗୋଟିଏ ଜୋକର କି ଅଷ୍ଟ୍ରେଲିଆର କଙ୍ଗାରୁ! ମାତ୍ର ଗାଁରେ ରକ୍ତର ସମ୍ପର୍କ ନ ଥିଲେ ବି ସମସ୍ତେ ଗୋଟିଏ ଗୋଟିଏ ସମ୍ପର୍କରେ ଯୋଡ଼ିହୋଇ ଯାଉଥିଲେ।
ପିଲାଦିନେ ଆମ ଗାଁ ପାଇଁ ଯେଉଁ ଦୁଇଟି ବଡ଼ ଅଭାବ ଥିଲା, ତାହା ହେଉଛି ଆମ ଗାଁର ବାଟ ଏବଂ ଶିକ୍ଷା। ରାଜପଥରୁ ଆମ ଗାଁକୁ ଯେଉଁ ଏକମାତ୍ର ମାଟି ରାସ୍ତାଟି ଥିଲା ତାହା ଥିଲା ଅଣଓସାରିଆ। ତାହା ବର୍ଷାଦିନରେ କାଦୁଅ ପଚପଚ ହୋଇଯାଏ। ଆମ ଗାଁକୁ ଯମ ଯିବନି ବୋଲି ଲୋକମାନେ ଆମକୁ ଥଟ୍ଟାରେ କହନ୍ତି। ଶିକ୍ଷା ବୋଇଲେ ଗାଁ ମୁଣ୍ଡରେ ଥିବା ପ୍ରାଥମିକ ବିଦ୍ୟାଳୟର ଶିକ୍ଷାଦାନ। ସେଇଠି ଆମ ଗାଁର ସବୁପିଲା ପଢ଼ୁଥିଲେ। ସେତେବେଳେ ଶିକ୍ଷକମାନେ ଅନେକ ପରିଶ୍ରମ କରି ଆମକୁ ପଢ଼ାଉଥିଲେ ମଧ୍ୟ କିଛି ବାଳୁଙ୍ଗା ପାଠରେ ମନ ଦେଉ ନ ଥିଲୁ। ଏମିତି ଡିଆଁଡେଇଁ କରି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଯାଇଥିଲି। ମାର୍କୋଣାରୁ ଜଣେ ଶିକ୍ଷକ ଆମ ସ୍କୁଲରେ ଯୋଗଦେଲେ। ତାଙ୍କ ନାଁ ମହେନ୍ଦ୍ର କୁମାର ସେଠୀ। ସେ ମୋ ପରି ଜଣେ ବାଳୁଙ୍ଗାକୁ ମଣିଷରେ ପରିଣତ କରିଥିଲେ। ସେ ମୋ ଅବସ୍ଥା ଦେଖି ଦୁଇଟି ପାଠ ଉପରେ ଦୃଷ୍ଟିଦେଲେ। ଗୋଟିଏ ବର୍ଣ୍ଣବୋଧ ଓ ଅନ୍ୟଟି ଏ ଫର୍‌ ଏପ୍‌ ଅର୍ଥାତ୍‌ ପ୍ରାଥମିକ ଇଂଲିଶ ଶିକ୍ଷା। ଅଳ୍ପଦିନ ଭିତରେ ମୋର ପାଠରେ ଉନ୍ନତି ହେବାର ଦେଖି ମୋ ଅନୁପସ୍ଥିତିରେ ଅନ୍ୟମାନଙ୍କ ଆଗରେ ବହୁତ ପ୍ରଶଂସା କରୁଥିବାର ଶୁଣୁଥିଲି। ମୋତେ ସେ ଖୁବ୍‌ ଭଲପାଉଥିଲେ ଏବଂ ଅନ୍ୟଆଗରେ ମୋତେ ବଡ଼କରି ଦେଖାଇବା ପାଇଁ ଚାହୁଁଥିଲେ। ତେଣୁ ଗାଁର କେହି ଲୋକ ସ୍କୁଲକୁ ଆସି ପହଞ୍ଚତ୍ଗଲେ ସେ ଦେଖାଇବା ପାଇଁ ବ୍ଲାକ୍‌ବୋର୍ଡ଼ରେ ଇଂଲିଶ ଏବଂ ଓଡ଼ିଆରେ ବିଭିନ୍ନ ଶବ୍ଦ ଲେଖିବାକୁ ଡାକୁଥିଲେ। ଥରେ କ’ଣ ହେଲା କେଜାଣି ଇଂଲିଶର ବଲ୍‌ ଶବ୍ଦଟାକୁ ଠିକ୍‌ କରି ଲେଖିପାରିଲି ନାହିଁ। ଏଇ ସାଧାରଣ ଶବ୍ଦଟାକୁ ଭୁଲ୍‌ କରିବି ସେ ବିଶ୍ୱାସ କରିପାରିଲେ ନାହିଁ। ଜଣେ ଗ୍ରାମବାସୀଙ୍କ ଆଗରେ ମୋ ଅଜ୍ଞତା ତାଙ୍କୁ ଅପମାନିତ କରିଦେଲା। ସେ ମୋତେ ପିଟି ପକେଇଗଲେ। ବର୍ତ୍ତମାନର ଦଣ୍ଡମୁକ୍ତ ବିଦ୍ୟାଳୟ ହୋଇଥିଲେ ସେ ହୁଏତ ଦୋଷୀ ସାବ୍ୟସ୍ତ ଓ ଦଣ୍ଡିତ ହୋଇଥାନ୍ତେ। ମୁଁ ସେତେବେଳେ ତାଙ୍କୁ ଭୀଷଣ ଭୟ କରୁଥିଲେ ମଧ୍ୟ ଏବେ ଅନୁଭବ କରୁଛି ତାଙ୍କ ଅନ୍ତରତଳେ ମୋ ପାଇଁ କେତେ ଭଲପାଇବା ଥିଲା! ସେଇଥିପାଇଁ ତ ମୁଁ ପାଠରେ ଭୁଲ୍‌ କରିଦେଲେ ସେ ରାଗି ନିଆଁବାଣ ହୋଇ ଯାଉଥିଲେ। ତା’ ନ ହେଲେ ଆମ ଶ୍ରେଣୀରେ ଅନ୍ୟ ପିଲାମାନେ ପାଠରେ ଭୁଲ୍‌ କଲେ ମହେନ୍ଦ୍ର ସାର୍‌ ଏତେ ରାଗୁ ନ ଥିଲେ କାହିଁକି, ଯେତିକି ମୋ ଉପରେ ରାଗୁଥିଲେ?
ଆଜି ଗାଁର ରୂପ ବଦଳିଛି। ଗାଉଁଲି ଢଙ୍ଗ ଛାଡ଼ି ସହରୀ ଢଙ୍ଗରେ ସଜେଇ ହେଲାଣି ମୋ ଗାଁ। କାଦୁଅ ପଚ ପଚ ମୁଖ୍ୟ ରାସ୍ତାଟା ଏବେ କଳା ମଚ ମଚ ହୋଇଗଲାଣି। କିନ୍ତୁ ଏବେ ପରିସ୍ଥିତିକୁ ଦେଖିଲେ ମନେହେଉଛି, ସତେଯେମିତି ଗାଁ ବାଟର ଛାତି ନୁହେଁ, ଆମ ଗାଁର ଲୋକମାନଙ୍କର ମନଟା ଟାଣ ହୋଇଯାଇଛି। ଗାଁ ଭିତରେ ଥିବା ବାଟଟାକୁ ମରାମତି ପାଇଁ ନିଜ ଗାଁର ସରପଞ୍ଚବାବୁ ଦଳୀୟ ଚିନ୍ତାରେ ମନା କରିଦେଉଛନ୍ତି। ଆଗପରି ଗୋପାଳ ଗାଁର କୁମ୍ଭବୁଡ଼ା ଦିନ ପାଖ ସାହିର ଲୋକମାନେ ଆସୁନାହାନ୍ତି। ଆଗରୁ ପରସ୍ପରକୁ ପ୍ରାଣ ଭରି ଭଲପାଉଥିବା ଦି’ଭାଇ ଏବେ ଚାଖଣ୍ଡେ ଜମି ପାଇଁ କୋର୍ଟକଚେରି ଦୌଡ଼ୁଛନ୍ତି। ଆଗରୁ କକା, ଖୁଡ଼ୀ, ମାମୁ ପରି ସରାଗପୂର୍ଣ୍ଣ ଡାକ ଆଜି ଫିକା ପଡ଼ିଯାଇଛି। ସମସ୍ତେ ନିଜ ଜ୍ଞାତି କୁଟୁମ୍ବର ପରିଚୟ ଅପେକ୍ଷା ଗୋଟିଏ ଗୋଟିଏ ରାଜନୈତିକ ଦଳର ପରିଚୟ ନେଇ ବଞ୍ଚତ୍ବାକୁ ବେଶ୍‌ ଭଲ ପାଉଛନ୍ତି।
ଗାଁ ବାଟ ପରି ଆମ ଗାଁ ବିଦ୍ୟାଳୟର ଚେହେରା ମଧ୍ୟ ବଦଳି ଯାଇଛି। ଆଗପରି ନୁଅଁାଣିଆ ଚାଳଘର ନାହିଁ। ଏବେ ସୁନ୍ଦର ସୁନ୍ଦର ଘର ତୋଳାଯାଇଛି। ଅନେକ ଶିକ୍ଷକ ନିଯୁକ୍ତି ପାଉଛନ୍ତି। ହେଲେ ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ଯେଉଁ ଭାବଗତ ସମ୍ପର୍କ ରହିବା କଥା ତାହା ନାହିଁ। ଯେଉଁ ଛାଟ ଆମପରି ଉଚ୍ଛୃଙ୍ଖଳ ବିଦ୍ୟାର୍ଥୀମାନଙ୍କୁ ବାଟ ଦେଖାଉଥିଲା ତାହା ଆଜି ଶିକ୍ଷକଙ୍କ ହାତରେ ନାହିଁ। ଅପରପକ୍ଷେ ଶିକ୍ଷକମାନଙ୍କୁ ଛାଟ ମାରିବା ପାଇଁ ଛାତ୍ରୀଛାତ୍ରମାନଙ୍କୁ ଟୋଲ୍‌ ଫ୍ରି ନମ୍ବର ଧରାଇ ଦିଆଯାଇଛି। ଅର୍ଥାତ୍‌ ଶିକ୍ଷକମାନେ ଶାସିତ ହୋଇ ଦାରୁଭୂତ ମୁରାରି ଭାବରେ ବସିରହି କେବଳ ବଚନାମୃତ ବାଣ୍ଟିବେ ସିନା ଶାସନ କରିପାରିବେ ନାହିଁ। ପ୍ରାଚୀନ କାଳରେ ଗୁରୁଙ୍କ ଆଦେଶରେ ଶିଷ୍ୟମାନେ ଦିନ ଦିନ ଉପବାସ ରହୁଥିଲେ, ରାତିସାରା ଜଳଧାରାକୁ ଅଟକାଇବା ପାଇଁ ହିଡ଼ ଉପରେ ଶୋଇ ରହୁଥିଲେ। ଏବେ ସେ ସବୁ ଆଇନ୍‌ ଆଖିରେ ଭୁଲ୍‌ ଏବଂ ଦଣ୍ଡନୀୟ। ଏସବୁ ସମୟର ଆହ୍ବାନ। କିନ୍ତୁ ଗାଁର ସୁଖ ସମୃଦ୍ଧି ପାଇଁ ଭଲ ବାଟଟିଏ ଯେମିତି ଲୋଡ଼ା, ଠିକ୍‌ ସେମିତି ସଭ୍ୟତା ଓ ସଂସ୍କୃତିର ବିକାଶ ପାଇଁ ଶିକ୍ଷକଙ୍କ ସ୍ନେହପୂର୍ଣ୍ଣ ଛାଟ ଆଉ ଶିଷ୍ୟର ସମର୍ପିତ ଭାବ ନିତାନ୍ତ ଆବଶ୍ୟକ। ମାତ୍ର ଆଜି ସବୁକିଛି ଓଲଟପାଲଟ ହୋଇଯାଉଛି।
ଏ କେବଳ ମୋ ଗାଁର କଥା ନୁହେଁ। ପ୍ରାୟ ସବୁ ଗାଁ ଏବେ ସହର ହେବାକୁ ପ୍ରତିଯୋଗିତାରେ ଲାଗିପଡ଼ିଛନ୍ତି। ତେଣୁ ଗାଁରେ କବାଡ଼ି, ବାଗୁଡ଼ି ପ୍ରଭୃତିର ଖେଳ ଜମୁନି କି ସାଇଭାଇରେ ପୂନେଇଁ ପରବ ଦିନ ପିଠାପଣା ଦିଆନିଆର ଭାବ ନାହିଁ। ଏକଥା ସତ୍ୟ ଯେ ଗତି ହିଁ ଜୀବନର ପରିଭାଷା। ଆଗକୁ ଚାଲିବା ହିଁ ମଣିଷର ଧର୍ମ। ମାତ୍ର ଚାଲିବା ନାଁରେ ନିଜ ମାଟିର ବାସ୍ନା, ଜନ୍ମମାଟିର ସତ୍ତାକୁ ଭୁଲିବା କଦାପି ଉଚିତ ନୁହେଁ।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ୍‌, ଭଦ୍ରକ, ମୋ- ୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଅସମୟରେ ଲାଭ

କରୋନା ଭାଇରସ୍‌ ବିଶ୍ୱର ୧୯୩ ଦେଶରେ କାୟା ବିସ୍ତାର କରି ଲୋକଙ୍କ ଜୀବନକୁ ବିପନ୍ନ କରିଦେଇଛି। ଭାରତରେ ଏହା କେଉଁ ଷ୍ଟେଜ୍‌ରେ ଅଛି ତାହା ଅଦ୍ୟାବଧି...

ସମ୍ପାଦକୀୟ/ନୀତି ନୁହେଁ, ବୁଝାମଣା

କର୍ନାଟକରେ କଂଗ୍ରେସ-ଜେଡି(ଏସ୍‌) ମେଣ୍ଟ ସରକାର ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ୮ ଜୁଲାଇରେ ୨୧ କଂଗ୍ରେସ ମନ୍ତ୍ରୀ, ଜେଡି(ଏସ୍‌)ର ୯ ମନ୍ତ୍ରୀ ଏବଂ ସ୍ବାଧୀନରୁ...

ଏଇ ଭାରତରେ

ପିଲାମାନେ ବିଦ୍ୟାଳୟ ଛାଡି କେମିତି ନ ଯିବେ କିମ୍ବା ବିଦ୍ୟାଳୟକୁ ଆସୁ ନ ଥିବା ପିଲାମାନଙ୍କୁ କେମିତି ଅଣାଯିବ ତାହା ପାଇଁ ଏକ ଭିନ୍ନ ଢଙ୍ଗରେ...

କର୍ମ, ଶ୍ରମ ଓ ଶ୍ରମଜୀବୀ

ଡ. କିଶୋର ମହାନ୍ତି ଶ୍ରମିକମାନଙ୍କ ପାଇଁ ତାଲାବନ୍ଦ କିଛି ନୂଆ କଥା ନୁହେଁ। କେତେକେତେ ଏମିତି ତାଲାବନ୍ଦର ସମ୍ମୁଖୀନ ହେଇଛି ସେ, କିନ୍ତୁ ଏପ୍ରକାର କରୋନା...

ଏଇ ଭାରତରେ

କୃଷକ ଆମତ୍ହତ୍ୟା ଲାଗି ସବୁବେଳେ ଚର୍ଚ୍ଚାରେ ରହୁଥିବା ମହାରାଷ୍ଟ୍ରର ମରାଠାଓ୍ବାଡା ଅଞ୍ଚଳରେ ମରୁଡି ପଡେ, ଫସଲ ନଷ୍ଟ ହୁଏ। ଏହା ଯେତିକି ଚିନ୍ତାର କାରଣ ନୁହେଁ,...

ଅନ୍ତରାତ୍ମାର ଡାକ

ଉପେନ୍ଦ୍ର ବିଶ୍ୱାଳ ଶିଶୁଟିଏ ଯେବେ ଜନ୍ମନିଏ ସେତେବେଳେ ମନେହୁଏ କେହି ଜଣେ ଦେବତାଙ୍କର ହେଲା ଧରାବତରଣ। କାରଣ ତା’ଦେହରେ ଲେଶମାତ୍ର ନ ଥାଏ କଳୁଷ କାଳିମା;...

ସଚେତନତା ହିଁ ରକ୍ଷାକବଚ

ଅଲେଖ ଚନ୍ଦ୍ର ମିଶ୍ର ଆଜିକାଲି ଗଣମାଧ୍ୟମରେ ନାରୀବିରୋଧୀ ଅପରାଧ ବେଶି ପ୍ରକାଶ ପାଉଛି। ଏଭଳି ଅପରାଧର ଧାରାକୁ ରୋକିବା ପାଇଁ ଅନେକ ଗଣ ସଚେତନତା ସୃଷ୍ଟି...

କପା ଓ ଓଡ଼ିଶାରେ ନିଯୁକ୍ତି ସମ୍ଭାବନା

ନଟବର ଖୁଣ୍ଟିଆ ପାକୁ କୁହାଯାଏ ‘ଧଳା ସୁନା’। ସୁନା ହେଉଛି ବିଶ୍ୱର ସବୁଠାରୁ ମୂଲ୍ୟବାନ ଧାତୁ। କପା ସେହିପରି ମୂଲ୍ୟବାନ ନ ହେଲେ ବି କପାରୁ...

Advertisement


Archives

Model This Week