ମୁରବିହୀନ ସମାଜ

ହରିହର ତ୍ରିପାଠୀ
ସମାଜରେ ଗୁରୁଜନ କହିଲେ ଆମେ ସାଧାରଣତଃ ବୟସ୍କ ବ୍ୟକ୍ତିମାନଙ୍କୁ ବୁଝୁ; ଯେଉଁମାନଙ୍କ ଅନୁଭୂତି, ଅଭିଜ୍ଞତା ସମାଜ ନିମନ୍ତେ ଅତ୍ୟନ୍ତ ମୂଲ୍ୟବାନ। ଏଭଳି ବ୍ୟକ୍ତିମାନଙ୍କୁ କନିଷ୍ଠମାନେ ସମ୍ମାନ ପ୍ରଦର୍ଶନ କରିବା, ଏମାନଙ୍କ କଥା ଶୁଣିବା, ଅଭିଜ୍ଞତା ଗ୍ରହଣକରିବା ଏକ ସୁସ୍ଥ ସମାଜର ଲକ୍ଷଣ। ଏହାଦ୍ୱାରା ଆମର ସମାଜ ସମୃଦ୍ଧ ହୁଏ, ଆମର ଉତ୍ତରପିଢିରେ ଉତ୍ତମଗୁଣସମ୍ପନ୍ନ ବ୍ୟକ୍ତିତ୍ୱ ସୃଷ୍ଟି ହୁଅନ୍ତି। ମାତ୍ର ଦେଖାଯାଉଛି ଗୁରୁଜନମାନେ ଏବେ ଅସହାୟ ହୋଇପଡୁଛନ୍ତି। ବୟସର ଅପରାହ୍ଣରେ ସେମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି, ସେମାନଙ୍କ ହାତଧରି ପାଦେ ଚାଲିବାକୁ ମଧ୍ୟ ପାଖରେ ଆତ୍ମୀୟମାନେ ନାହାନ୍ତି। କେବଳ ସେତିକି ନୁହେଁ; ଏହି ପ୍ରବୀଣ, ବୟସ୍କମାନଙ୍କୁ ତରୁଣ, ଯୁବକମାନଙ୍କ ଦ୍ୱାରା ଅପମାନିତ ହୋଇ ବଞ୍ଚତ୍ବାକୁ ପଡୁଛି।
ବିଜ୍ଞାନ ଓ ପ୍ରଯୁକ୍ତି ଆମ ଭିତରର ଦୂରତାକୁ କମାଇ ଦେଇଛି ବୋଲି ଆମେ ଦାବି କରୁଛୁ। ମାତ୍ର ବାସ୍ତବରେ ତାହା ହୋଇନି। ବରଂ ବିଜ୍ଞାନର ଅଗ୍ରଗତି ଆମ ସମ୍ପର୍କଭିତରେ ଫାଟ ସୃଷ୍ଟି କରିଛି। ଗୋଟିଏ ଘରେ ରହି ବି ଆଜି ବାପାର ପୁଅ ସହ ସମ୍ପର୍କ ନାହିଁ, ଭାଇ ଭଉଣୀ କଥା ବୁଝୁନି, ଜେଜେବାପା, ଜେଜେମାଆମାନେ ଅବହେଳିତ। ପରିବାର ଭାଙ୍ଗିଯାଉଥିଲା ବେଳେ ବାହାର ଲୋକଙ୍କ ସମ୍ପର୍କ ବିଷୟରେ ବା କ’ଣ କହିବା? ସମସ୍ତେ ଆତ୍ମମନସ୍କ। କାହା ବିଷୟରେ କାହାର ମୁଣ୍ଡଖେଳାଇବାକୁ ସମୟ ନାହିଁ। ଦିନ ଥିଲା ସମାଜରେ ବୟସ୍କ ଲୋକମାନଙ୍କୁ ସମ୍ମାନ ମିଳୁଥିଲା। ସେମାନଙ୍କୁ କୁହାଯାଉଥିଲା ମୁରବି। ସେମାନଙ୍କ ପ୍ରତିଟି କଥାକୁ କନିଷ୍ଠମାନେ ମାନୁଥିଲେ। କେବଳ ବାପା, ବଡବାପା, ଦାଦା ବା କକା ନୁହନ୍ତି ଗାଁର ସବୁଲୋକଙ୍କୁ ପିଲାମାନେ ଓ ଯୁବକମାନେ ସମ୍ମାନ ଦେଉଥିଲେ। ସେମାନଙ୍କ ପ୍ରତି ମନରେ ଭୟଥିଲା। ଆଜି ଏସବୁ ନାହିଁ। ବୟସ୍କମାନଙ୍କୁ ଆଜିର ପିଲାଏ ଥଟ୍ଟାପରିହାସ କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। କିଶୋର ବୟସ ବା ତା’ଠାରୁ ସାମାନ୍ୟ ଅଧିକ ବୟସର ପିଲାଏ ଖୁବ୍‌ଶୀଘ୍ର ନିଶାର କବଳକୁ ଆସିଯାଉଥିବାରୁ ସମାଜରେ ଏଭଳି ବିକୃତି ଦେଖାଦେଇଛି। ଯେଉଁମାନେ ନିଶା ଖାଉ ନାହାନ୍ତି ସେମାନଙ୍କୁ ମତୁଆଲା କରୁଛି ସ୍ମାର୍ଟଫୋନ୍‌ର ନିଶା। ସ୍ମାର୍ଟଫୋନ ହାତରେ ଥିଲେ ଚାରିପାଖର ପରିବେଶକୁ ଆଜିକାଲିର ପିଲାଏ ସମ୍ପୂର୍ଣ୍ଣ ଭୁଲିଯାଉଛନ୍ତି। ଏକ ସର୍ଭେ ଅନୁସାରେ ମଣିଷ ଯେତିକି ସମୟ ବିନାନିଦ୍ରାରେ କାଟୁଛି ସେହି ସମୟର ୮୦ ପ୍ରତିଶତରୁ ଅଧିକ ସମୟ ସେ ସ୍ମାର୍ଟଫୋନ୍‌ରେ ବା ସୋସିଆଲ ମିଡିଆରେ ଦେଉଛି। ବଜାରଘାଟ, ବସ୍‌ଷ୍ଟପ, ରେଳଷ୍ଟେଶନ ବା ସେହିଭଳି ଜାଗାରେ ଅପେକ୍ଷା କରିବାକୁ ଆଉ ଲୋକଙ୍କୁ ବାଧୁନି। କାରଣ ସମସ୍ତେ ନିଜ ନିଜର ସ୍ମାର୍ଟଫୋନ୍‌କୁ ନେଇ ବ୍ୟସ୍ତ ରହୁଛନ୍ତି। ଲୋକଙ୍କ ଭିତରେ ସାମାଜିକ ଭାବ ବିନିମୟ ଏବେ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।
ଦିନ ଥିଲା ସକାଳୁ ଘରୁ ବାହାରିଲା ମାତ୍ରେ ଅନେକ ଅନାବଶ୍ୟକ ପ୍ରଶ୍ନ କାନରେ ପଡୁଥିଲା- କୁଆଡେ ବାହାରିଲେ, ବହୁଦିନ ହେଲା କ’ଣ ଦେଖା ନାହିଁ, ଆଉ କେମିତି ଅଛନ୍ତି ଇତ୍ୟାଦି। ବଜାର ହାଟ, ଛକଜାଗାମାନଙ୍କରେ କିଛି କାମ ନ ଥିଲେ ବି ଅଧିକାଂଶ ଲୋକ ଭିଡ ଜମାଉଥିଲେ କେବଳ ଟିକେ ଗପସପ ଆଶାରେ। ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି। ଘରୁ ବାହାରିଲା ପରେ କେହି ଆଉ କାହା ସହିତ କଥା ହେଉ ନାହାନ୍ତି ବରଂ ସମସ୍ତେ ବ୍ୟସ୍ତ ରହୁଛନ୍ତି ଦୂରବନ୍ଧୁ ସହିତ ଫୋନ୍‌ ଜରିଆରେ ଅଥବା ନିଜ ନିଜର ସ୍ମାର୍ଟଫୋନ୍‌କୁ ନେଇ। ଏମିତି କି ଘର ଭିତରେ ନିଜର ଭାଇଭଉଣୀଙ୍କୁ କୌଣସି ବାର୍ତ୍ତା ଦେବାକୁ ଥିଲେ ନିକଟବର୍ତ୍ତୀ ରୁମ୍‌କୁ ନ ଯାଇ ପିଲାମାନେ ମେସେଜ ବା ଫୋନ୍‌ କରୁଛନ୍ତି। ଏଭଳି ସ୍ଥିତିରେ ମୁରବିମାନଙ୍କ ଉପସ୍ଥିତିକୁ ସେମାନେ ଅଣଦେଖା କରିବାରେ କୌଣସି ଅସ୍ବାଭାବିକତା ନାହିଁ।
ପ୍ରକୃତରେ ମଣିଷ ଏବେ ବାସ୍ତବ ଜୀବନ ଅପେକ୍ଷା କାଳ୍ପନିକ ଜୀବନରେ ବଞ୍ଚତ୍ବାକୁ ଅଧିକ ଭଲ ପାଉଥିବାରୁ ମୁରବିମାନଙ୍କ ପରାମର୍ଶ ତୁଳନାରେ ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌ ଆଦିରେ ଉପଲବ୍ଧ ପରାମର୍ଶ, ସୂଚନାକୁ ଅଧିକ ଗ୍ରହଣ କରୁଛି। ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟର ପରିଭାଷା ବଦଳି ଗଲାଣି। ବାପାମାଆମାନେ ସେମାନଙ୍କ ପ୍ରତି କରିଥିବା ତ୍ୟାଗକୁ ସେମାନଙ୍କ ଦାୟିତ୍ୱ କହି ପିଲାମାନେ ଅତି ସହଜରେ ଭୁଲିଯିବାକୁ ଚେଷ୍ଟା କରୁଛନ୍ତି। ପାଶ୍ଚାତ୍ୟାଭିମୁଖୀ ଆମର ସାଂପ୍ରତିକ ସମାଜ ବ୍ୟବସ୍ଥା ଗୁରୁଜନଙ୍କୁ ସମାଜର ବୋଝ ଭାବୁଥିଲା ବେଳେ ଯୁବପିଢି ଏବେ ଆଉ ସେମାନଙ୍କୁ ସହିବାକୁ ନାରାଜ।
ଏଥିଲାଗି ଆମର ପିଲାମାନେ ଯେତେ ଦାୟୀ ନୁହନ୍ତି ତତୋଽଧିକ ଦାୟୀ ବୋଧହୁଏ ଅଭିଭାବକମାନେ। ଅଭିଭାବକମାନେ ହିଁ ସଂସ୍କାର ଭୁଲିଯାଇଛନ୍ତି। ବୟସ୍କମାନଙ୍କୁ ଅବଜ୍ଞା ପ୍ରଥମେ ସେମାନେ ହିଁ କରିଛନ୍ତି, ଯାହା ଉତ୍ତରାଧିକାରୀ ସୂତ୍ରରେ ଆମର ପିଲାମାନଙ୍କ ନିକଟକୁ ଯାଉଛି। ଯେଉଁଠି ଘରେ ବୃଦ୍ଧ ବାପାମାଆମାନେ ଅବହେଳିତ, ଅପାଂକ୍ତେୟ ସେଠି ସାହି ବା ଗାଁର ମୁରବିଙ୍କୁ ପଚାରେ କିଏ? ଏକ ମୁରବିହୀନ ସମାଜରେ ଆଦର୍ଶ, ନୀତି, ନୈତିକତା ଆଦୌ ନାହିଁ। ସବୁଠାରେ କେବଳ ଉପଭୋଗ ଲାଗି ପ୍ରତିଯୋଗିତା। ବସ୍ତୁବାଦର ମୋହରେ ଆମର ଏ ଦୌଡ ଆମକୁ ଶେଷରେ ଏମିତି ଏକ ଜାଗାରେ ନେଇ ଛିଡା କରାଇବ, ଯେଉଁଠାରୁ ଆଉ ସମାଜକୁ ସୁଧାରିବା କଷ୍ଟକର ହୋଇପଡ଼ିବ।
ବଡ଼ବେତରା, କୁଦାନଗରୀ, କେନ୍ଦ୍ରାପଡ଼ା, ମୋ-୯୪୩୯୯୦୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri