ମୁଁ କ’ଣ ସତରେ ବୋକା

ସୁଧାକର ଦାସ
ମତେ ପିଲାଦିନେ ସମସ୍ତେ କହୁଥିଲେ ବୋକା। ଅରୁଆ ଧାନ ଗୋଟେ ବିଲରେ ଆଉ ଉଷୁନା ଧାନ ଆଉ ଗୋଟେ ବିଲରେ ଫଳେ ବୋଲି ମୁଁ ବି.ଏ. ପଢିବା ପର୍ଯ୍ୟନ୍ତ ଜାଣିଥିଲି। ଗାଁ ସାର୍‌ଙ୍କ ପାଖରୁ ଟ୍ୟୁଶନ ସାରି ଫେରିବା ବାଟରେ ମୋ ସାଙ୍ଗ ଅଭୟ ଘରକୁ ଯାଇ ତାଙ୍କ ପିଣ୍ଡାରେ ଜଳୁଥିବା ଲଣ୍ଠନ ପାଖରେ ମୋ ଲଣ୍ଠନଟା ରଖିଦେଇ ପଚାରୁଥିଲି ଆରେ ଏତେ ଲଣ୍ଠନ କାହିଁକି ଜଳେଇଛୁ ବଡ଼ବୋଉ?
ମତେ ଅଧିକାଂଶ ଦିନ ଘିଅଭାତ ଖାଇବାକୁ ଭଲ ଲାଗେ। ବୋଉ ବି ଏକଥା ଜାଣେ। ଦିନେ ଦିନେ ଘିଅ ନ ଥିବା ବେଳେ, ବୋଉ ମୋ ଭାତରେ ମରା ନଡିଆ ତେଲ ପକେଇଦେଇ କହେ ଏଇଟା ମଇଁଷି ଘିଅ। ମୁଁ ପରମ ସନ୍ତୋଷରେ ଖାଇଦିଏ। ଏ କଥାଟା ମୁଁ ବଡ଼ ହେଲା ପରେ ଜାଣିଲି।
ମାଟ୍ରିକ ପରୀକ୍ଷା ଦେବାବେଳେ ମୋ ସିଟ୍‌ ଥିଲା ଠିକ୍‌ ଡୋର୍‌ ପାଖାପାଖି। ସ୍କ୍ବାଡ୍‌ ଆସିଲା ବୋଲି ହଲ୍ଲା ହେଇଯିବା ପରେ ପଛରେ ବସି କପି କରୁଥିବା ପିଲା ସବୁ କପିଗୁଡା ଡୋର୍‌ ଆଡକୁ ପକେଇଦେଲେ ଆଉ ମତେ କାଳେ ସ୍କ୍ବାଡ୍‌ ବାଲା ଧରିବେ ବୋଲି ମୁଁ ମୋ ସିଟରୁ ଉଠିପଡି ସବୁଗୁଡା କପି ବାରଣ୍ଡା ଆଡକୁ ପାଦରେ ଠେଲୁଥିବା ବେଳେ ସ୍କ୍ବାଡ୍‌ ବାଲା ମତେ ଆସି ଧରି ମୋ ଆଡ୍‌ମିଟ କାର୍ଡ ନେଇଗଲେ। ବେଳ ଭଲ ସେମାନେ ମୋ ଖାତା ଚେକ୍‌ କରି କ’ଣ ବୁଝିଲେ କେଜାଣି ମତେ ମାଲ୍‌ପ୍ରାକ୍ଟିସରେ ବୁକ୍‌ କଲେନି। ମୁଁ ବଞ୍ଚିଗଲି।
କଲେଜରେ ପଢ଼ିବା ବେଳେ, ଯୋଗମାୟା ମତେ ହିଁ କଣେଇ କଣେଇ ଚାହେଁ ଓ ହସେ ବୋଲି ବିଶ୍ୱାସ ଦେଇ ମୋ ସାଙ୍ଗମାନେ ମୋ’ଠୁ ଆଲୁଦମ୍‌ ଦହିବରା ଖା’ନ୍ତି ଆଉ ସିଗାରେଟ୍‌ ଟାଣନ୍ତି। ୟୁ ଆର୍‌ ଏ ଜୁଏଲ କହି ବର୍ଷ ସାରା ପାଠ ନ ପଢି ମଉଜମସ୍ତିରେ ଟାଇମ୍‌ ବିତେଇଥିବା ସାଙ୍ଗମାନେ ମୋ ନୋଟ୍‌ବୁକ୍‌ ନେଇ ଘୋଷି ପକାନ୍ତି କି କପି କରିଦିଅନ୍ତି ଆଉ ରେଜଲ୍ଟ ବାହାରିଲା ବେଳକୁ ମୋ ମାର୍କ ଆଉ ସେମାନଙ୍କର ମାର୍କ ପ୍ରାୟ ପାଖାପାଖି ଥାଏ।
ବହୁତ ଚେଷ୍ଟା, ଅନେକ ପରୀକ୍ଷା ଦେବା ପରେ ଚାକିରିଟେ ନ ମିଳିବାରୁ ମୋ ସାଙ୍ଗର ବଡ଼ଭାଇ, ଯାହାଙ୍କର ଅନେକ ରାଜନୈତିକ ପତିଆରା, ତାଙ୍କ ମାଧ୍ୟମରେ ସରକାରୀ ଚାକିରିଟେ ପାଇବି ବୋଲି ଭରସାରେ ତାଙ୍କ ହାତକୁ ତିନି ଲକ୍ଷ ଟଙ୍କା ଟେକି ଦିଏ, ଯାହା ଆଜି ଯାଏ ଅନାଦେୟ ହେଇ ରହିଯାଇଛି। ମୁଁ ତୁମକୁ ସାରା ଜୀବନ ଅପେକ୍ଷା କରିବି ବୋଲି ବାରମ୍ବାର ମତେ କହିଥିବା ଅର୍ପିତା ତା’ ଶେଷ ଚିଠିରେ ମତେ ଲେଖିଥିଲା ମୁଁ ସିନା ଅନ୍ୟତ୍ର ବାହା ହେଇ ଯାଉଛି, ହେଲେ ତୁମ ପରି ହୃଦୟଟେ ମୁଁ ସାରା ସଂସାରରେ ପାଇବିନି। ସାରା ଜୀବନ ତମେ ହିଁ ମୋ’ ପ୍ରିୟତମ ହୋଇ ରହିବ, ତୁମକୁ ନେଇ ପ୍ରେମ କରିହୁଏ, ସଂସାର ନୁହେଁ। ବାହାଘର ପରେ ମୁଁ ମୋ ସ୍ତ୍ରୀ ହାତକୁ ଦରମା ଗଣ୍ଡାକ ଟେକି ଦେଉଥିଲି। ଗାଁରେ କେବେ ଭୋଜିଭାତ ପଡିଲେ ପତ୍ନୀ କହୁଥିଲା ତା’ ହାତ ପୂରା ଖାଲି। ଅଗତ୍ୟା ଜିପିଏଫ୍‌ରୁ ଟଙ୍କା କାଢୁଥିଲି, ନ ହେଲେ ଧାରକରଜ। ହେଲେ ମୋ ପତ୍ନୀ ବର୍ଷକୁ ବେଶ୍‌ ପଇସା ସୁନାହୀରା କିଣିବାରେ ଖର୍ଚ୍ଚ କରୁଥିଲା ଆଉ ତା’ ବଡ଼ଭିଣୋଇ ରୋଗଗସ୍ତ ହୋଇ ଶଯ୍ୟାଶାୟୀ ହେଇଥିବାରୁ ତାଙ୍କ ପିଲାମାନଙ୍କର ସମସ୍ତ ଖର୍ଚ୍ଚ ଉଠଉଥିଲା।
ମୋ ପିଲାମାନେ ବଡ଼ ହେଉଥିଲେ। ତାଙ୍କ ହାତରେ କେବେ ବହି ଧରିବା ଦେଖେନି। ମୋବାଇଲ ନ ହେଲେ କମ୍ପ୍ୟୁଟର୍‌। ପଚାରିଲେ କୁହନ୍ତି, ଏବେ ପାଠ ସବୁ ଇଣ୍ଟର୍‌ନେଟ୍‌ରେ। କିଛି ଭିତରି କଥା ପଚାରିଲେ, ପତ୍ନୀ ଗର୍ଜନ କରି ମାଡିଆସେ- ବହିପତ୍ର ନ କିଣି ସେମାନେ କେତେ ପଇସା ତମର ସେଭ୍‌ କରୁଛନ୍ତି? ତମେ କିଛି ବୁଝିନ ସେ ସବୁ। ପାଠପଢାର ଧାରା ବଦଳିଗଲାଣି। ତମେ ଗଲ, ତମ ଚା’ ଥଣ୍ଡା ହେଉଛି।
ମୋ ପତ୍ନୀ ଏବେ ସବୁବେଳେ କୁହେ ତମେ ଏତେ ବୋକା ଲୋକ! ଫଳ, ପନିପରିବା ଯିଏ ଯାହା ଧରେଇଦେଲା, କମ୍‌ ପଇସାରେ ମିଳୁଛି ବୋଲି ଧରି ଘରକୁ ପଳେଇ ଆସିଲ? ପୁଅଝିଅ କୁହନ୍ତି- ବାପା, ତମେ ସତରେ ବଡ଼ ବୋକା। ପ୍ରତି ମାସରେ ଅନାଥାଶ୍ରମ, ବାଳାଶ୍ରମ, ମନ୍ଦିର ଏସବୁକୁ ପଇସା ପଠେଇବା କ’ଣ ଦରକାର? ସେତିକି ପଇସା ତମେ ସେୟାର୍‌ ମାର୍କେଟରେ ଲଗଉନ, କେତେ ଲାଭ ମିଳିବ ଦେଖିବ। ମତେ ବୋକା ବୋଲି କହୁଥିବା ଓ ଭାବୁଥିବା ସମସ୍ତଙ୍କୁ ମୁଁ ବେଳେବେଳେ ମନେ ପକାଏ। ମୋ’ ବୋଉ, ମୋ କଲେଜ ସାଙ୍ଗ, ଅର୍ପିତା ଦାସ, ମୋ ପତ୍ନୀ ଓ ମୋ ପିଲାମାନେ, ଯୋଉମାନେ ମତେ ନିହାତି ବୋକା ବୋଲି ଆଜି ଯାଏ ଭାବି ଆସିଛନ୍ତି। ମୋ ସରଳପଣରେ ମୁଁ ଯଦି ବୋଉର ସ୍ନେହକୁ ସତ ମାନିନେଲି, ମୋ ନିଛନ୍ଦ ମନରେ ଯଦି ସାଙ୍ଗମାନଙ୍କୁ ବିଶ୍ୱାସ କରିଗଲି, ହତାଶାର ଶିକାର ହୋଇ ଭରସା କରି ଚାକିରି ପାଇଁ ଯଦି ସାଙ୍ଗର ଭାଇ ହାତକୁ ୩ ଲକ୍ଷ ଟଙ୍କା ଟେକିଦେଲି, ଉଛୁଳା ଭାବାବେଗ ଆଉ ପ୍ରଗାଢ଼ ପ୍ରେମରେ ଯଦି ଅର୍ପିତାକୁ ଭଲପାଇଲି, ସାଂସାରିକ ମୋହରେ ମୋ ପତ୍ନୀ ଓ ପିଲାମାନଙ୍କୁ ବିଶ୍ୱାସ କରିଗଲି, ମଲ୍‌କୁ ନ ଯାଇ ରାସ୍ତାକଡ ପରିବାବିକାଳିଠୁ କିଛି ପନିପରିବା କିଣି ଆଣିଲି, ସଂସାରରେ ଅନାଥ ଓ ଅସହାୟଙ୍କ ପାଇଁ ମୋ ନିଜ ଆୟର କିଛି ଅଂଶ ଦାନ କରିଦେଲି ତେବେ ଏହା କ’ଣ ମୋର ସତରେ ବୋକାମି? ଆଉ ପ୍ରତିଥର ଏମାନଙ୍କ ଭାବନା ବିଷୟରେ ଭାବିବାବେଳେ ଉପସଂହାରରେ ଗୋଟିଏ ପ୍ରଶ୍ନ ମୋ ମନକୁ ଆସେ, ମୁଁ କ’ଣ ସତରେ ବୋକା?
ମୋ- ୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri