ମୁଁ ଓଡ଼ିଶାକୁ ଜଗିଛି

ଦିଲୀପ ଦାଶଶର୍ମା
୧୯୦୩ ମସିହା ଆଜିର ଦିନରେ ମୋର ଜନ୍ମ ହୋଇଥିଲା। ମୋ ଜନ୍ମର ମୁଖ୍ୟ କାରଣ ଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରି ଏକ ସୁନ୍ଦର ଓଡ଼ିଶା ପ୍ରଦେଶ ଗଠନ କରିବା। ମୋ ଜନ୍ମ ଓ ଲାଳନ ପାଳନରେ ଯେଉଁ କେତେଜଣ ବରପୁତ୍ର ନେତୃତ୍ୱ ନେଇଥିଲେ, ସେମାନେ ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀର ମୋହନ ସେନାପତି, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ହରିହର ମର୍ଦ୍ଦରାଜ ପ୍ରମୁଖ ବହୁ ବରପୁତ୍ର। ଏମାନଙ୍କ ସହିତ ବହୁ ନେତା ଓ କର୍ମୀଙ୍କ କଠିନ ପରିଶ୍ରମ ଫଳରେ ସ୍ବତନ୍ତ୍ର ଓଡ଼ିଶା ଗଠନ ହେଲା ୧୯୩୬ ମସିହା ଏପ୍ରିଲ ୧ ତାରିଖରେ। ମୋର ମୁଖ୍ୟ ଲକ୍ଷ୍ୟ ସାଧିତ ହେଲା। ମୁଁ ବର୍ତ୍ତମାନ କାମ କରୁଛି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କଳାର ଅଭିବୃଦ୍ଧି, ପ୍ରସାର ଓ ସୀମାର ସୁରକ୍ଷା ତଥା ଓଡ଼ିଆମାନଙ୍କର ଓଡ଼ିଶା ଭିତରେ ଓ ବାହାରେ ସାମାଜିକ ସୁରକ୍ଷା ପାଇଁ। ପ୍ରତିଦାନରେ କୌଣସି ଆଶା ରଖିନାହିଁ। ଭାରତର ସ୍ବାଧୀନତା ପୂର୍ବରୁ ସବୁ ସ୍ବାଧୀନତା ସଂଗ୍ରାମୀ ଜାତୀୟ କଂଗ୍ରେସ ଗଠନ କରି ସ୍ବାଧୀନତା ଆନ୍ଦୋଳନ ଆରମ୍ଭ କରିଥିଲେ। ସ୍ବାଧୀନତା ପ୍ରାପ୍ତି ପରେ ଏହି କଂଗ୍ରେସ ନାମରେ ରାଜନୈତିକ ଦଳ ତିଆରି ହୋଇ ରାଜନୀତି ଆରମ୍ଭ ହେଲା। ମାତ୍ର ମୁଁ ଓଡ଼ିଶାର ଶାସନ ଡୋରି ହାତକୁ ନେବା ପାଇଁ ଦଳୀୟ ରାଜନୀତି କରିନାହିଁ। ବରଂ ପୁରାଣର ଭୀଷ୍ମ ପିତାମହଙ୍କ ଭଳି ଓଡ଼ିଶାର ସୀମା ସହିତ ଭାଷା, ସାହିତ୍ୟ, ସଂସ୍କୃତି ଓ କଳାକୁ ଜଗି ରହିଛି। ଆଉ ଏଭଳି ଜଗି ରହିଥିବି ମଧ୍ୟ।
ମୁଁ ମୋର ମୁଖ୍ୟ ଲକ୍ଷ୍ୟ ୮୩ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୯୩୬ ମସିହା ଏପ୍ରିଲ ପହିଲା ଦିନ ପୂରଣ କରିଛି ଓ ବର୍ତ୍ତମାନର ଲକ୍ଷ୍ୟ ନେଇ ଆଗକୁ ଅଗ୍ରସର ହେବାକୁ ଚାହଁୁଛି। ମୋର କ୍ଷମତା ଲୋଡ଼ା ନାହିଁ- କେବଳ ମମତା ଲୋଡ଼ା। କ୍ଷମତା ଲୋଡ଼ା ନାହିଁ ତେଣୁ ସମ୍ମିଳନୀ ନାମରେ ରାଜନୀତି କରିନାହିଁ। ଶାସନ ଡୋରି ହାତକୁ ନେବା ପାଇଁ କେବେ ଚେଷ୍ଟା କରିନାହିଁ। ସବୁ ଦଳ ଓ ସବୁ ବର୍ଗର ଲୋକ ଏଥିରେ ଅଛନ୍ତି। ଏହା ହେଉଛି ତ୍ୟାଗ। କେବଳ ମମତା ଲୋଡ଼ା, ହେଲେ ମମତା କାହିଁ? କିଏ ମୋତେ ମମତା ଦେଲା? ଯେଉଁମାନଙ୍କୁ ମୁଁ ଏକ ସ୍ବତନ୍ତ୍ର ରାଜ୍ୟ ଦେଲି ଓ ନିଜ ରାଜ୍ୟରେ ନିଜେ ଶାସନ କରିବାର ଅଧିକାର ଦେଲି, ସେମାନେ ମୋତେ ମମତା ଦେଲେ କି? ଦୁଃଖର ସହିତ କହିବାକୁ ଗଲେ ମୋତେ ଓଡ଼ିଶାର ଅନେକ ଲୋକ ଭୁଲି ଗଲେଣି। ସମ୍ମିଳନୀ କହିଲେ କେହି କେହି ଭାବୁଛନ୍ତି ଅନ୍ୟାନ୍ୟ ଏନ୍‌ଜିଓ ଭଳି ଗୋଟିଏ ଏନ୍‌ଜିଓ।
ଯେଉଁମାନେ ଏହି ସମ୍ମିଳନୀ ପାଇଁ ଗତ ୮୩ ବର୍ଷ ଧରି ଶାସନ କ୍ଷମତା ଉପଭୋଗ କରି ଆସୁଛନ୍ତି, କାହିଁ ତାଙ୍କର ମମତା? ଉତ୍କଳ ସମ୍ମିଳନୀ ପାଇଁ ଆଜି ଏ ରାଜ୍ୟ, ଏ ରାଜଧାନୀ, ଏ ବିଧାନ ସଭା, ଏ ମନ୍ତ୍ରିମଣ୍ଡଳ, ଏ ଲୋକ ସେବା ଭବନ ଇତ୍ୟାଦି ସମ୍ଭବ ହୋଇ ପାରିଛି। ହେଲେ ଯେଉଁ ଅନୁଷ୍ଠାନ ରାଜ୍ୟ ଗଠନ କଲା, ସରକାର ତିଆରି କଲା, ସେହି ଅନୁଷ୍ଠାନକୁ ରାଜ୍ୟ ସରକାରମାନେ ଦେଇଛନ୍ତି କ’ଣ? ୧୧୬ ବର୍ଷର ଅନୁଷ୍ଠାନ ରାଜଧାନୀରେ ନିଜର କାର୍ଯ୍ୟାଳୟ ପାଇଁ ଖଣ୍ଡେ ଜାଗା ପାଇବା ଲାଗି ଯୋଗ୍ୟ ନୁହେଁ କି? ତୁଳନା କରାଯାଉ କେଉଁ ଅନୁଷ୍ଠାନମାନେ ରାଜଧାନୀରେ ଜାଗା ପାଇଛନ୍ତି। ସେମାନଙ୍କଠାରୁ ଉତ୍କଳ ସମ୍ମିଳନୀ କେଉଁ ଗୁଣରେ ନୂ୍ୟନ? ଆଜି ପର୍ଯ୍ୟନ୍ତ ନିଜସ୍ବ ଘର ନାହିଁ। ସରକାର ଗୋଟିଏ ଛୋଟ ଭଡ଼ାଘର ଯୋଗାଇ ଦେଇଛନ୍ତି। ସେହିଭଳି ବହୁ ଦାବି ପରେ ମୋ ଜନ୍ମର ୧୦୩ ବର୍ଷ ପରେ ତା୩୧ା୦୫ା୨୦୦୬ ରିଖରେ ଭୁବନେଶ୍ୱର ମହାନଗର ନିଗମ ପାୱାର ହାଉସ୍‌ ଛକଠାରୁ ସିଆରପି ଛକ ପର୍ଯ୍ୟନ୍ତ ରାସ୍ତାକୁ ଉତ୍କଳ ସମ୍ମିଳନୀ ସରଣୀ ନାମରେ ନାମିତ କଲା। ହେଲେ ଆଜି ପର୍ଯ୍ୟନ୍ତ ସେହି ସରଣୀର ଆରମ୍ଭରେ କିମ୍ବା ଶେଷରେ ଫଳକଟିଏ ଲେଖା ନାହିଁ। ବର୍ତ୍ତମାନ ଲୋକ ତ ଭୁଲିଗଲେଣି ଯେ, ଏହି ରାସ୍ତାର ନାମ ଉତ୍କଳ ସମ୍ମିଳନୀ ସରଣୀ ବୋଲି।
ଭଲଭାବେ ବୁଝି ହେଉଛି, ଏଇଥି ପାଇଁ ଆଜିର ସମାଜରେ ତ୍ୟାଗକୁ ଅଧିକାଂଶ ପସନ୍ଦ କରୁ ନାହାନ୍ତି। କାରଣ ଲୋକ ବୁଝିଛନ୍ତି ଆଜିର ସମାଜ ତ୍ୟାଗ ଚାହେଁ ନାହିଁ। ଯିଏ ତ୍ୟାଗ ସ୍ବୀକାର କଲା ଅନ୍ୟମାନେ ତାଙ୍କୁ ବୋକା କିମ୍ବା ଶୋଇଲା ପୁଅ ଭାବେ ବିବେଚନା କରନ୍ତି। ଉତ୍କଳ ସମ୍ମିଳନୀରେ ସମ୍ପ୍ରତି ସ୍ବାଭିମାନୀ ଯୁବତୀଯୁବକଙ୍କର ଆବଶ୍ୟକତା ରହିଛି, ଯେଉଁମାନେ ପଖାଳ ଖାଇ ଶୋଇ ନ ଥିବେ ବରଂ ଲଢ଼ି ଶିଖିଥିବେ। ନଚେତ୍‌ ୧୧୬ ବର୍ଷ ନୁହେଁ ୧୦୧୬ ବର୍ଷ ହେଲେ ମଧ୍ୟ ଏହା ଏହିଭଳି କଚ୍ଛପ ଗତିରେ ଚାଲିଥିବ।
(ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ)
ସଭାପତି, ଉତ୍କଳ ସମ୍ମିଳନୀ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା, ଭୁବନେଶ୍ୱର, ମୋ-୯୯୩୮୫୩୭୬୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri