ମହାମାରୀର ମହାସଂକେତ

ଡ. ପ୍ରଫୁଲ୍ଲ କୁମାର ସାହୁ

ସାରା ବିଶ୍ବ ଏବେ ମହାମାରୀ କରୋନା କବ୍‌ଜାରେ। ଦୀର୍ଘ ପାଞ୍ଚ ମାସର ପ୍ରୟାସ ପରେ ବି ବିଜ୍ଞାନୀ ମଣିଷ ଖୋଜି ପାଉନି ସେଥିରୁ ମୁକୁଳିବାର ରାସ୍ତା। ପ୍ରତିଷେଧକ ଅନୁପସ୍ଥିତିରେ ଲୋକଙ୍କ ଜୀବନ ଏବେ ଗତିକରୁଛି ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଭିତରେ। ଉଜୁଡ଼ି ଯାଇଛି ଲୋକଙ୍କ ରୋଜଗାର ପନ୍ଥା। ଭୁଶୁଡି ପଡିଛି ଦେଶର ଅର୍ଥନୀତି। ଏଥିପାଇଁ ସମସ୍ତେ ଚିନ୍ତିତ ଅଥଚ କିଂକର୍ତ୍ତବ୍ୟବିମୂଢ଼। ସମସ୍ତଙ୍କ ମୁହଁରେ ବିଷାଦର ଛାୟା। କେବଳ ପ୍ରକୃତି ହସୁଛି ସତେଜତାର ହସ। ମନେହେଉଛି ସେ ହସ ଭିତରେ ଭରି ରହିଛି ସମଗ୍ର ମାନବଜାତି ପାଇଁ ଅନେକ କିଛି ସଂଦେଶ।
ସଭ୍ୟତା ଆରମ୍ଭରୁ ପ୍ରକୃତି ଉପରେ ଜାରି ରହିଛି ମଣିଷର ଅତ୍ୟାଚାର। ସହିବାର ସବୁ ସୀମା ଟପିଲାପରେ ପ୍ରକୃତି ମଣିଷକୁ ବାରମ୍ବାର ଚେତେଇ ଦେଇଛି ବନ୍ୟା, ବାତ୍ୟା, ସୁନାମୀ ଓ ଭୂକମ୍ପ ଆଦି ବିପର୍ଯ୍ୟୟ ରୂପରେ। ଏଥିରେ ବିପର୍ଯ୍ୟସ୍ତ ହୋଇଛି ବିକାଶର ଭିତ୍ତିଭୂମି। ତଥାପି ବଦଳି ନାହିଁ ମଣିଷର ପ୍ରକୃତିବିରୋଧୀ ଆଚରଣ। ମାତ୍ର ପ୍ରକୃତିର କୋପ ଆଗରେ ମଣିଷର ସ୍ଥିତି ଯେ କେତେ ତୁଚ୍ଛ ଓ ନଗଣ୍ୟ ତା’ର ସଦ୍ୟତମ ଦୃଷ୍ଟାନ୍ତ ନେଇ ଉଭା ହୋଇଛି ମହାମାରୀ କରୋନା। କ୍ଷୁଦ୍ରାଦପି କ୍ଷୁଦ୍ର ଏକ ଅଦୃଶ୍ୟ ଭୂତାଣୁକୁ ମାରିବା ପାଇଁ ସକ୍ଷମ ହୋଇପାରିନି ପ୍ରକୃତିଠାରୁ ନିଜକୁ ବଳୀୟାନ୍‌ କହୁଥିବା ମଣିଷ। ପରସ୍ପରକୁ ଧ୍ବଂସ କରିବା ପାଇଁ ସେ ତିଆରି କରି ରଖିଛି ଗଦାଗଦା ମାରଣାସ୍ତ୍ର। ପୃଥିବୀ ସାରା ଗଚ୍ଛିିତ ହୋଇ ରହିଥିବା ସେ ବିପୁଳ ମାରଣାସ୍ତ୍ର କିନ୍ତୁ ଗୋଟେ ଭୂତାଣୁକୁ ମାରିବା ପାଇଁ ନିଅଣ୍ଟ। କରୋନା ବଦଳାଇ ଦେଇଛି ସୁପର ପାୱାରର ସଂଜ୍ଞା। ନିଜକୁ ବିକଶିତ କହୁଥିବା ରାଷ୍ଟ୍ରରେ ଗଛରୁ ପଡୁଥିବା ଫଳ ଗୋଟାଇଲା ପରି ମୃତ୍ୟୁକୁ ଗୋଟାଇ ଚାଲିଛି କରୋନା। ଅସହାୟ ହୋଇ ହାତ ଟେକିଦେଇ ସାରିଲେଣି ସାମରିକ ଖର୍ଚ୍ଚର ପାହାଡ ଉପରେ ବସିଥିବା ପ୍ରବଳପ୍ରତାପୀମାନେ। ଜାତି, ଧର୍ମ, ବର୍ଣ୍ଣ, ଧନୀ, ଦରିଦ୍ର ନିର୍ବିଶେଷରେ କରୋନା ସମସ୍ତଙ୍କୁ ନେଇ ଠିଆ କରାଇ ଦେଇଛି ଗୋଟିଏ ସରଳ ରେଖାରେ। ଆଉ ଚେତାବନୀ ନୁହେଁ, କରୋନା ଏଥର ଜାରି କରିଛି ମୃତ୍ୟୁର ମହାପରଓ୍ବାନା।
ମଣିଷ ପ୍ରକୃତିର ଅନୁଶାସନକୁ ମାନି ଚଳିବା ପାଇଁ ବାଧ୍ୟ ହୋଇଛି ଲକ୍‌ଡାଉନ୍‌ ସକାଶେ। ଏହାଦ୍ବାରା ପାରିବେଶିକ ସ୍ବଚ୍ଛତା ଆସିବା ସହିତ ମଣିଷର ଅନ୍ତଃପ୍ରକୃତିରେ ବି ଆସିଛି ଅନେକ ପରିବର୍ତ୍ତନ। ପାରସ୍ପରିକ ଅସହିଷ୍ଣୁତା ଓ ସଂକୀର୍ଣ୍ଣତାର ଅନ୍ଧାର ଭିତରୁ ଧୀରେ ଧୀରେ ଆତ୍ମପ୍ରକାଶ କଲାପରି ଲାଗୁଛି ମାନବୀୟ ମହନୀୟତା। ସମାଜରୁ ହ୍ରାସପାଉଛି ଅପରାଧର ମାତ୍ରା। ସାମାଜିକ ବ୍ୟବସ୍ଥାରେ ବି ଦେଖିବାକୁ ମିଳିଲାଣି ପରିବର୍ତ୍ତନ। ଅସ୍ପୃଶ୍ୟତା ଆଉ ବେଆଇନ୍‌ ହୋଇନାହିଁ, ତାହା ଏବେ ନୂଆ ଆଇନ୍‌। ହାତଯୋଡି ନମସ୍କାର କରିବା ବଦଳରେ ଆଉ ଚଳୁନି କରମର୍ଦ୍ଦନ, ଚୁମ୍ବନ ଓ ଆଲିଙ୍ଗନ। ଏହାଦ୍ବାରା ଭାରତୀୟ ସଂସ୍କୃତିର ଶ୍ରେଷ୍ଠତ୍ୱକୁ ସ୍ବୀକୃତି ଦେଇଛି କରୋନା। ଲକ୍‌ଡାଉନ୍‌ ପୂର୍ବରୁ ଯେଉଁମାନେ ନିଜ ରାଜ୍ୟ ଛାଡି ବାହାରକୁ ଧାଇଁଥିଲେ ଅଧିକ ରୋଜଗାର ଆଶାରେ, ସେମାନେ ଏବେ ଗାଁକୁ ଫେରିବା ପାଇଁ ବ୍ୟାକୁଳ। ହଜାର ହଜାର ମାଇଲ୍‌ ଦୂରରୁ ଭିଟାମାଟିକୁ ସେମାନେ ଫେରୁଛନ୍ତି। ସେମାନଙ୍କ ଦୁଃଖଦ ଘର ବାହୁଡା କାହାଣୀକୁ ନେଇ ଏବେ ଖୁବ୍‌ ଚଳଚଞ୍ଚଳ ହୋଇ ଉଠିଛି ଆମ ସାହିତ୍ୟ। ଆଗାମୀ ଦିନରେ ତା’ ହୋଇପାରେ ଇତିହାସର ଉପାଦାନ। ନିଜର ଦୁଃଖଦ ଅନୁଭୂତି ବର୍ଣ୍ଣନା କରି ସେମାନେ ଏବେ ଖୋଲାଖୋଲି କହିଲେଣି ଗାଁରେ ପଛେ ଶାଗପଖାଳ ଖାଇ ବଞ୍ଚିବେ, ହେଲେ ଆଉ କେବେ ଅନ୍ୟ ରାଜ୍ୟକୁ ଯିବେନି ଅଧିକ ରୋଜଗାର ଲୋଭରେ। ସେମାନେ ବୁଝିଗଲେଣି ଜୀବିକାଠାରୁ ଜୀବନ ବେଶି ମୂଲ୍ୟବାନ। କୁଟୀର ଶିଳ୍ପର ବିକାଶ ଦିଗରେ କରୋନାର ଏହା ଏକ ସକାରାତ୍ମକ ସୂଚନା। ଭାବି ଦେଖନ୍ତୁ ତ ଏଇ କେଇ ମାସ ପୂର୍ବରୁ ଯେଉଁ ବାପାମାନେ ପୁଅ ଆମେରିକାରେ ଅଛି ବୋଲି କହି ଛାତି ଫୁଲାଇ ବାଟ ଚାଲୁୁଥିଲେ, ଏବେ କି ଗଭୀର ମାନସିକ ଯନ୍ତ୍ରଣାରେ ଅଛନ୍ତି ସେମାନେ। ଭାରତୀୟ ଯୁବପିଢିଙ୍କ ମୁଣ୍ଡରୁ ବି ଓହ୍ଲାଇଗଲାଣି ଆମେରିକାରେ ଚାକିରି କରିବା ନିଶା। ଏଣିକି ଝିଅମାନେ ବି ସେଭଳି ପୁଅକୁ ବାହା ହେବାପାଇଁ ରାଜି ହେବେନି, ଯିଏ ଚାକିରି କରିଥିବ ଆମେରିକା, ଫ୍ରାନ୍ସ, ଇଟାଲୀ ଓ ଇଂଲଣ୍ଡ ଆଦି କରୋନାପ୍ରବଣ ଦେଶରେ। କରୋନା ଯୋଗୁ ବିଶ୍ବାୟନ କ୍ଷେତ୍ରରେ ଯେଉଁ ବାଧା ସୃଷ୍ଟି ହୋଇଛି, ତାହା ନିଶ୍ଚୟ ଆତ୍ମନିିର୍ଭରଶୀଳତା ବା ଗାନ୍ଧିଜୀଙ୍କ ସ୍ବଦେଶୀ ଆନ୍ଦୋଳନ ଆଡକୁ ଫେରି ଚାହିଁବାର ଏକ ଶୁଭ ସୂଚନା।
ଏବେ ଲୋକେ ଧର୍ମପୀଠକୁ ନ ଯାଇ ଠାକୁରଙ୍କୁ ଧ୍ୟାନ କରୁଛନ୍ତି ନିଜ ନିଜ ଘରେ। ଦେଶରେ ତିରିଶ ଲକ୍ଷ ମନ୍ଦିର ଓ ଚାରି ଲକ୍ଷ ମସ୍‌ଜିଦ୍‌ରେ ତାଲା ଝୁଲାଇ ଦେଇଛନ୍ତି ସରକାର। ଗୋଟେ ନିଷ୍ଠୁର ନୀରବତା ଭିତରେ ମଣିଷ ଶିଖୁଛି ନିରାଡମ୍ବର ଜୀବନ ଜିଇବା କୌଶଳ। ଅଳ୍ପରେ ସନ୍ତୁଷ୍ଟ ହେବା ସହିତ ସେ ବୁଝିଗଲାଣି ଆବଶ୍ୟକତାଠାରୁ ଅଧିକ ବ୍ୟବହାର କରିବା ଅନୁଚିତ। ଏହା ନିଶ୍ଚୟ ତା’ର ଐକାନ୍ତିକ ସରଳ ଜୀବନଶୈଳୀ ପାଇଁ ଏକ ମହାପ୍ରସ୍ତୁତି। ମଣିଷର ଏହି ପରିବର୍ତ୍ତିତ ଭାବନା ଓ ଆଚରଣ ଯୋଗୁ ଆଶ୍ବସ୍ତ ହେଲାଣି ଧରା। ଧୀରେ ଧୀରେ ପରିଷ୍କାର ହେଲାଣି ପରିବେଶ।
ପୃଥିବୀପୃଷ୍ଠରେ ଜୀବନ ଧାରଣ ପାଇଁ ମଣିଷର ପ୍ରଥମ ଆବଶ୍ୟକତା ହେଉଛି ନିର୍ମଳ ବାୟୁ ଓ ଶୁଦ୍ଧ ଜଳ। ଏ ଦୁଇଟି ପ୍ରମୁଖ ପ୍ରାକୃତିକ ସଂପଦକୁ ଆବର୍ଜନା କୁଣ୍ଡରେ ପରିଣତ କରି ସାରିଥିଲା ମଣିଷ। ବିଶେଷ କରି ବାୟୁ ପ୍ରଦୂଷଣ ଏଭଳି ସ୍ତରରେ ପହଞ୍ଚି ଯାଇଥିଲା ଯେ ଶ୍ବାସକ୍ରିୟା ପାଇଁ ମିଳୁ ନ ଥିଲା ଆଞ୍ଜୁଳାଏ ଶୁଦ୍ଧ ବାୟୁ। ତା’ର ସବୁଠାରୁ ବଡ ଦୃଷ୍ଟାନ୍ତ ହେଉଛି ଆମ ରାଜଧାନୀ ଦିଲ୍ଲୀ ସହର। ଶୀତଦିନେ ଏଠି ଜାରି କରିବାକୁ ପଡୁଥିଲା ସ୍ବାସ୍ଥ୍ୟଗତ ଜରୁରୀ ପରିସ୍ଥିତି। ଏକା ଦିଲ୍ଲୀ ସହର ନୁହେଁ, ବାୟୁ ପ୍ରଦୂଷଣ ଜ୍ବାଳାରେ ଛଟପଟ ହେଉଥିଲା ସାରା ବିଶ୍ବ। ଅଥଚ ସେଥିରୁ ନିସ୍ତାର ପାଇବା ପାଇଁ ଆବଶ୍ୟକ ହେଉଥିବା କଠୋର ନିଷ୍ପତ୍ତି ଗ୍ରହଣ କରିପାରୁ ନ ଥିଲା ବିଶ୍ବ ନେତୃତ୍ୱ। ସେ ଆହ୍ବାନକୁ ଗ୍ରହଣ କରି ଖୁବ୍‌ ସହଜରେ ତା’ର ସମାଧାନ କରି ଦେଖାଇଦେଲା କରୋନା। ବିଶେଷଜ୍ଞଙ୍କ କହିବା ଅନୁସାରେ ଲକ୍‌ଡାଉନ୍‌ ଯୋଗୁ ଆଶାତୀତ ଭାବେ ହ୍ରାସ ପାଇଛି କାର୍ବନ ଉତ୍ସର୍ଜନ। ଆପେ ଆପେ ମରାମତି ହୋଇଗଲାଣି ଓଜୋନ ସ୍ତରରେ ସୃଷ୍ଟି ହୋଇଥିବା କ୍ଷତ। ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ, ମଣିଷର ଅତ୍ୟାଚାର କମିଲେ ନିଜକୁ ନିଜେ ସଜାଡି ନେଇପାରିବ ପ୍ରକୃତି। ପ୍ରକୃତିର ସ୍ବୟଂକ୍ରିୟ ଶୋଧନ ପ୍ରକ୍ରିୟା ଯୋଗୁ ଏବେ ସାଧାରଣ ଭାବରେ ଅନୁଭୂତ ହେଲାଣି ବାୟୁମଣ୍ଡଳର ସ୍ବଚ୍ଛତା। ପଞ୍ଜାବର ଜଳନ୍ଧର ସହରର ଲୋକେ ଦେଖି ପାରିଲେଣି ଦୁଇ ଶହ କି.ମି. ଦୂରରେ ଥିବା ହିମାଳୟ ପର୍ବତମାଳାର ଶୋଭା। ଦିଲ୍ଲୀ ସହରବାସୀଙ୍କୁ ଉଲ୍ଲସିତ କଲାଣି ତାରାଖଚିତ ଆକାଶର ମନୋରମ ଦୃଶ୍ୟ। ଦୀର୍ଘ ଚାରି ଦଶନ୍ଧି ଧରି କୋଟି କୋଟି ଟଙ୍କା ବ୍ୟୟରେ ଚାଲିଥିବା ଗଙ୍ଗା ସଫେଇ ଅଭିଯାନ ଦ୍ବାରା ଯାହା ସମ୍ଭବ ହୋଇପାରି ନ ଥିଲା, ତାହା ସମ୍ଭବ ହୋଇଗଲା ମାତ୍ର ଦୁଇ ମାସ ଲକ୍‌ଡାଉନ୍‌ ଅବଧି ଭିତରେ। ଉତ୍ତରାଖଣ୍ଡ ପ୍ରଦୂଷଣ ବୋର୍ଡ କହିବା ଅନୁସାରେ ବହୁ ବର୍ଷପରେ ପାନୀୟଯୋଗ୍ୟ ହୋଇପାରିଛି ଗଙ୍ଗାନଦୀର ଜଳ। ଏକା ଗଙ୍ଗା ନୁହେଁ, ଦେଶରେ ପ୍ରବାହିତ ପ୍ରାୟ ସବୁ ନଦୀର ଜଳ ଏବେ କାଚକେନ୍ଦୁ ପରି ସ୍ବଚ୍ଛ। ଏଥିରୁ ପ୍ରମାଣ ହୋଇଗଲା ଯେ ପ୍ରଦୂଷଣ ରୋକିବା ନାମରେ ଆମେ ଯାହା କିଛି ପଦକ୍ଷେପ ନେଉଛୁ, ତାହା କେବଳ ଛଳନା।
ସ୍ରଷ୍ଟାଙ୍କ ସୃଷ୍ଟିରେ ଓ ଦୃଷ୍ଟିରେ ପ୍ରତ୍ୟେକ ପ୍ରାଣୀ ସମାନ। ଜୈବବିବିଧତା ଦୃଷ୍ଟିରୁ ଏଠି ସକଳ ପ୍ରକାର ଜୀବଜନ୍ତୁ ନିର୍ବିଘ୍ନରେ ଓ ନିଜସ୍ବ ଢଙ୍ଗରେ ବାସ କରିବା ଜରୁରୀ। ଏହା ହିଁ ପ୍ରକୃତିର ଏକ ଅଲଘଂନୀୟ ନିୟମ। ମାତ୍ର ମଣିଷର ହିଂସ୍ରତାରେ ଅନେକ ପ୍ରଜାତିର ପଶୁପକ୍ଷୀ ବିଲୁପ୍ତିର ଦ୍ବାରଦେଶରେ। ଏବେ ଜୈବବିବିଧତା ସୁରକ୍ଷାର ଆବଶ୍ୟକତାକୁ ସୂଚେଇ ଦେଇଛି କରୋନା। ଲକ୍‌ଡାଉନ୍‌ ଯୋଗୁ ଜଙ୍ଗଲ ପାଖ ରାସ୍ତାରେ ଏବେ ନିର୍ଭୟରେ ବିଚରଣ କଲେଣି ହରିଣ, କୁଟୁରା, ବିଲୁଆ ଓ ଠେକୁଆ ଆଦି ବିଭିନ୍ନ ବନ୍ୟପ୍ରାଣୀ। ଘରକୁ ଫେରି ଆସିଲେଣି ଘର ଛାଡି ଚାଲିଯାଇଥିବା ଘରଚଟିଆ। ଏ ଫୁଲରୁ ସେ ଫୁଲକୁ ଉଡ଼ି ଉଡ଼ି ରେଣୁ ବାଣ୍ଟିଲାଣି ବହୁଦିନରୁ ନିଖୋଜ ହୋଇଯାଇଥିବା ପ୍ରଜାପତି। ନୀଳ ଆକାଶରେ ମନ ଆନନ୍ଦରେ ଉଡିଲେଣି ଅସୁମାରି ମୁକ୍ତ ବିହଙ୍ଗ। ସାରାଦିନ ଘର ଚାରି ପାଖରେ କିଚିରି ମିଚିରି ହେଲେଣି ନାନା ଜାତିର ପକ୍ଷୀ। ସେମାନେ ବୋଧହୁଏ ତାଙ୍କ ଭାଷାରେ ମଣିଷକୁ ଡାକି ଡାକି କହୁଛନ୍ତି, ପ୍ରକୃତିର ନିୟମ ମାନି ପରିବେଶକୁ ସୁସ୍ଥ ରଖ, ନଚେତ୍‌ କ୍ବାରାଣ୍ଟାଇନରେ ରୁହ ସବୁଦିନ ପାଇଁ। ଅର୍ଥାତ୍‌ ପ୍ରକୃତି ଓ ପର୍ଯ୍ୟାବରଣ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହିଁ ମହାମାରୀର ମହାସଂକେତ।
ପଡ଼ିଆବେଡ଼ା, ମୟୂରଭଞ୍ଜ,
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri