ମସ୍ତିଷ୍କ ଓ ହୃଦୟ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ
ଏକ ପୂର୍ଣ୍ଣ ମାନବୀୟ ଉତ୍ତରଣ ପାଇଁ ସୃଷ୍ଟିର ବଡପଣ୍ଡା ଭାବେ ବିବେଚିତ ମଣିଷମାନଙ୍କ ନିମନ୍ତେ ସ୍ରଷ୍ଟାଙ୍କର ସବୁଠୁ ବଡ଼ ବରଦାନ ମସ୍ତିଷ୍କ ଓ ହୃଦୟ। ମେଧାଶକ୍ତିର କେନ୍ଦ୍ର ମସ୍ତିଷ୍କ ଯାହାର ଯେତେ ଉନ୍ନତ ଓ ଉର୍ବର, ସେ ଅନ୍ୟ ସାଧାରଣଙ୍କ ତୁଳନାରେ ସେତେ ଅସାଧାରଣ, ସେତେ ଅନନ୍ୟ। ବିଜ୍ଞତାରେ ଉନ୍ନତ ମସ୍ତିଷ୍କର ଅଧିକାରୀମାନେ ଜଣେ ଜଣେ ବିରଳ ବ୍ୟକ୍ତିତ୍ୱ। ସେହିପରି ଯାହାର ହୃଦୟ ଯେତେ କୋମଳ, ଯେତେ ବିଶାଳ, ମଣିଷ ଭାବେ ସେ ସେତିକି ଭିନ୍ନ, ସେତେ ଅନନ୍ୟ। ସ୍ନେହ, ମମତା, ଦୟା, କରୁଣା, ପ୍ରେମ ଓ ସମ୍ବେଦନା ଆଦି ଦିବ୍ୟ ଗୁଣ ଶରୀରର ଯେଉଁ ଅଦୃଶ୍ୟ ଅଙ୍ଗରୁ ଝରି ମଣିଷକୁ ଈଶ୍ୱରଙ୍କ ସମୀପବର୍ତ୍ତୀ କରିଥାଏ, ସେଇ ଅଙ୍ଗର ନାମ ହୃଦୟ। ସୁତରାଂ ଚିନ୍ତନ, ମନ୍ଥନ, ରୋମନ୍ଥନ ବା ବ୍ୟାଖ୍ୟା ବିଶ୍ଳେଷଣ ଆଦି ଯେତେ ଯାହା ଚେତନା ସମ୍ବଳିତ କାର୍ଯ୍ୟ, ତାହାର ଦାୟିତ୍ୱ ମସ୍ତିଷ୍କ ଉପରେ ଥିଲାବେଳେ ହୃଦୟ ପରିସରରେ ଥାଏ ସେବା, ଶୁଶ୍ରୂଷା, କୃପା, ଅନୁକମ୍ପା ବା ପର ଦୁଃଖ ଦେଖି ନିଜେ ଦ୍ରବୀଭୂତ ହେବା ଭଳି ବିରଳ ଦିବ୍ୟ ଅନୁଭବ।
ତେବେ ମଗଜ ଓ ହୃଦୟ ଏକ ସଙ୍ଗେ ଏକାଠି ଅବସ୍ଥାନ କରିବା କ’ଣ ମନା। ଉର୍ବର ମଗଜର ଅଧିକାରୀ ହୋଇଥିବା ମଣିଷଟିକୁ ହୃଦୟବାନ ହେବା ପାଇଁ କ’ଣ ବାରଣ ଅଛି ନା ସହୃଦୟ ସମ୍ବେଦନଶୀଳ ମଣିଷକୁ ମେଧାସମ୍ପନ୍ନ ହେବା ପାଇଁ କିଛି ଅଭିଶାପ ଅଛି? ବୋଧହୁଏ ଏପରି କିଛି ନାହିଁ। ତେବେ ଆମ ସମାଜରେ କେବେ କେଉଁଠି ଏମିତି କିଛି ଚରିତ୍ରଙ୍କ ସହ ସାମ୍‌ନାସାମ୍‌ନି ହୋଇଯାଏ, ଯାହା ବିଜ୍ଞତା ଓ ହୃଦୟବତ୍ତାର ସହାବସ୍ଥାନକୁ ନେଇ ମନରେ ସନ୍ଦେହ ସୃଷ୍ଟି କରେ। ମନେହୁଏ, ସତେ ଯେମିତି ମସ୍ତିଷ୍କ ଓ ହୃଦୟ ଦୁହେଁ ଦୁଇଟି ସମାନ୍ତରାଳ ରେଖାରେ ହିଁ ଗତି କରିବାକୁ ଉଦ୍ଦିଷ୍ଟ। ଏମାନେ ଗୋଟିଏ ବିନ୍ଦୁରେ ମିଳିତ ହେଲେ ଆକାଶଟା ଯେମିତି ଛିଡିପଡିବ! ବିଦୀର୍ଣ୍ଣ ହୋଇଯିବ ବସୁଧା!
ଜଣେ ଡାକ୍ତରଙ୍କ କଥା। ଅତ୍ୟନ୍ତ ଉର୍ବର ମସ୍ତିଷ୍କର ଅଧିକାରୀ ନ ହେଲେ ସାଧାରଣ ଭାବେ ଡାକ୍ତର ହେବାର ସୁଯୋଗ ମିଳେନା। ସେମିତି ମେଧାବୀ ଥିଲେ ବୋଲି ଏ ଡାକ୍ତର ଅନ୍ୟ ବହୁ ଛାତ୍ରଙ୍କୁ ପଛରେ ପକାଇ ଡାକ୍ତରୀ ଶାସ୍ତ୍ର ପଢିବାର ସୁଯୋଗ ପାଇଥିଲେ ଓ ହାସଲ କରିଥିଲେ ଦ୍ୱିତୀୟ ଈଶ୍ୱର ବୋଲାଇବାର ମହାର୍ଘ ସନନ୍ଦପତ୍ର। ଅଥଚ ପୁଳାଏ ଅର୍ଥ ଅର୍ଜନ କରିବାର ତାଙ୍କର ଭୟଙ୍କର ପ୍ରବଣତା ଯିଏ ପ୍ରତ୍ୟକ୍ଷ କରିଛି, ମୁଁ କେବଳ ଧନୀ ଲୋକଙ୍କ ଡାକ୍ତର, ଗରିବଙ୍କର ନୁହେଁ ବୋଲି ତାଙ୍କର ଔଦ୍ଧତ୍ୟପୂର୍ଣ୍ଣ ଆସ୍ଫାଳନ ଯିଏ କାନରେ ଶୁଣିଛି, ସେ ହିଁ ଜାଣିଛି କେତେ ଉତ୍କଟ ହୋଇପାରେ ମେଧାବୀ ଈଶ୍ୱରଙ୍କ ନିଦାରୁଣ ହୃଦୟହୀନତା! ରୋଗଜ୍ୱାଳାରେ ଜଳି ଜଳି ଚିକିତ୍ସା ଚନ୍ଦନର ଶୀତଳତା ଆଶାରେ ଡାକ୍ତରଙ୍କ ପାଖକୁ ଦୌଡି ଆସିଥିବା ରୋଗୀମାନେ ସବୁବେଳେ ଧନୀ ହୋଇ ନ ପାରନ୍ତି। ଚିକିତ୍ସା ବ୍ୟୟ ସମ୍ଭାଳିବାର ସାମର୍ଥ୍ୟ ସବୁ ରୋଗୀଙ୍କର ଥାଇ ନ ପାରେ। ଏମିତି ରୋଗୀମାନଙ୍କୁ ରୋଗମୁକ୍ତ କରିବାକୁ ଚିକିତ୍ସକଙ୍କ ମସ୍ତିଷ୍କର ମେଧାପଣ ଅପେକ୍ଷା ଅଧିକ ଯାହା ଲୋଡାପଡେ, ତାହା ହେଉଛି ତାଙ୍କ ସହୃଦୟତା। ରୋଗ ସିନା ଧନୀ ଗରିବ ଦେଖେନା, ମାତ୍ର ରୋଗର ଚିକିତ୍ସା କରୁଥିବା ଚିକିତ୍ସକ ତ ଗରିବ ରୋଗୀର ଦୟନୀୟ ଅସାମର୍ଥ୍ୟ ଦେଖିପାରନ୍ତେ!
କିନ୍ତୁ ନିଜ ମସ୍ତିଷ୍କର ମୂଲ୍ୟ ଆଦାୟ କରିବାକୁ ଯେଉଁମାନେ ଡାକ୍ତର ହୋଇଛନ୍ତି ଓ ଅର୍ଥ ମୋହରେ ଅନ୍ଧ ହୋଇ ଯେଉଁମାନେ ନିଜ ହୃଦୟଟିକୁ କେଉଁଠି ହଜାଇ ଦେଇଛନ୍ତି, ସେମାନେ ତ ସ୍ବୟଂ ରୋଗଗ୍ରସ୍ତ! ସୁତରାଂ ପକେଟରେ ଟଙ୍କା ନ ପଶିଲେ ଅପରେଶନ ଥିଏଟରକୁ ଯିବିନାହିଁ ଓ ଯେତେ ଯାହା ଅନାବଶ୍ୟକ ପରୀକ୍ଷା ନ କଲେ ବ୍ୟବସ୍ଥାପତ୍ର ଲେଖିବି ନାହିଁ ବୋଲି କହୁଥିବା ଡାକ୍ତରଙ୍କଠୁ ଅଧିକ କ’ଣ ଆଶା କରାଯାଇପାରେ!
ଆଉ ଜଣେ ପ୍ରଶାସକଙ୍କ କଥା। ମସ୍ତିଷ୍କ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣେ ପ୍ରଶାସକ ଅନ୍ୟ ସବୁ ବର୍ଗର ଅଧିକାରୀଙ୍କଠୁ ଅଧିକ ମେଧାସମ୍ପନ୍ନ। ପ୍ରଜ୍ଞା ପରୀକ୍ଷାରେ ସହସ୍ର ସହସ୍ର ପ୍ରତିଯୋଗୀଙ୍କୁ ପଛରେ ପକାଇ, ନିଜ ପାଣ୍ଡିତ୍ୟ ଓ ପାରଦର୍ଶିତାର ପ୍ରମାଣ ଦେଇ ପ୍ରଶାସନିକ ପଦବୀ ମଣ୍ଡନ କରିବା ମାମୁଲି ବିଷୟ ନୁହେଁ। ଶାଣିତ ମଗଜର ଅଧିକାରୀ ହୋଇଥିବା ହେତୁ ଏମାନେ ପ୍ରଶାସନିକ ଅଧିକାରୀ ହୋଇଥାନ୍ତି ଓ ଥରେ ପ୍ରଶାସକ ହୋଇଗଲେ ଶିଳ୍ପଠାରୁ କୃଷି ଯାଏ ଓ ଶିକ୍ଷାଠାରୁ ସ୍ବାସ୍ଥ୍ୟ ପର୍ଯ୍ୟନ୍ତ ସବୁ ବିଷୟରେ ବିଶାରଦ ରୂପେ ବିବେଚିତ ହୁଅନ୍ତି। ଏମାନେ ନିଜ ନିଜର ପଦବୀକୁ ନେଇ ଏମିତି ଶକ୍ତିମାନ ହୋଇଯାନ୍ତି ଯେ ଏମାନଙ୍କ ଗୋଟିଏ କଲମ ଗାରରେ ଦୁଃଖୀର କୋଟିଏ ଦୁଃଖ ଦୂର ହୋଇପାରେ। ପୁଣି ଏମାନଙ୍କ ବିଷଦୃଷ୍ଟିରେ ଜଳିପୋଡି ଛାରଖାର ହୋଇପାରେ କାହା କାହା ସୁଖର ସାମ୍ରାଜ୍ୟ।
ସେଇ ପ୍ରଶାସକ ମହୋଦୟଙ୍କୁ ସାକ୍ଷାତ କରି ନିଜର ଦୁଃଖ ଜଣାଇବାକୁ ଯାଇଥିଲେ ଜଣେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ। ନିଜ ଅବସରର ବର୍ଷକ ପରେ ବି ପେନ୍‌ସନ ମିଳୁ ନ ଥିବାରୁ ବିଭାଗର ସର୍ବୋଚ୍ଚ ହାକିମଙ୍କ ହସ୍ତକ୍ଷେପ ଲୋଡିବାକୁ ରାଜଧାନୀ ଆସିଥିଲେ ସେ। ଅଥଚ ଦୁଇଦିନ କାଳ ଅପେକ୍ଷା କରି ମଧ୍ୟ ତାଙ୍କ ସାକ୍ଷାତ ମିଳିଲା ନାହିଁ। ‘ସାର୍‌ ମିଟିଂରେ ବ୍ୟସ୍ତ ଅଛନ୍ତି, ସାର୍‌ ଏବେ ଫାଇଲ କାମ କରୁଛନ୍ତି, ସାର୍‌ ଲଞ୍ଚ ପାଇଁ ବାହାରିଲେଣି’ ଆଦି ନାନା କୈଫିୟତ ସିନା ମିଳୁଥିଲା ସାର୍‌ଙ୍କ ଘରୋଇ ସହାୟକଙ୍କଠାରୁ ହେଲେ ସାର୍‌ଙ୍କ ଦର୍ଶନ ମିଳୁ ନ ଥିଲା। ତୃତୀୟ ଦିନ ଅପେକ୍ଷାକୃତ ଅନୁର୍ବର ମସ୍ତିଷ୍କସମ୍ପନ୍ନ ପ୍ରାଇଭେଟ ସେକ୍ରେଟାରୀଙ୍କ ହୃଦୟ ତରଳିଗଲା। ସେ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କଲେ। ଏକଥା ବି ଜଣାଇଲେ ଯେ ଦୀର୍ଘ ତିନିଦିନ ହେଲା ସାକ୍ଷାତ ପାଇଁ ଦୌଡୁଥିବା ଲୋକଟି ମାତ୍ର ତିନି ମିନିଟରେ ତାଙ୍କ ଦୁଃଖ ଜଣାଇ ଫେରିଯିବେ। ମାତ୍ର ରାଜ୍ୟର ଦୁଃଖ ଦୂର କରିବାରେ ବ୍ୟସ୍ତ ରହୁଥିବା ପ୍ରଶାସକଙ୍କ ନିକଟରେ କାହାର ବ୍ୟକ୍ତିଗତ ଦୁଃଖ ଶୁଣିବା ପାଇଁ ସମୟ ନ ଥିଲା। ସାକ୍ଷାତ ପାଇଁ ଅନୁମତି ମିଳିଲା ନାହିଁ। ପର ସପ୍ତାହର ଅଭିଯୋଗ ଦିବସରେ ଆସିବାକୁ କହି ବିଦାୟ କରି ଦିଆଗଲା ସେଇ ଅବସରପ୍ରାପ୍ତ ଶିକ୍ଷକଙ୍କୁ, ଯାହାଙ୍କ ଭଳି ଅନ୍ୟ କାହାଠାରୁ ନିଜର ପ୍ରାଥମିକ ଶିକ୍ଷା ଗ୍ରହଣ କରି ଜଣେ ପ୍ରଶାସକ ଚୌକିରେ ବସିବାର ଯୋଗ୍ୟତା ହାସଲ କରିଥାନ୍ତି!
ପଇସା ନ ଥିବା ଗରିବ ଲୋକଙ୍କୁ ଚିକିତ୍ସା କଲେ ଡାକ୍ତରଙ୍କ ଧନ୍ବନ୍ତରୀପଣର ମାନ ହ୍ରାସ ପାଇଯିବ! ନିର୍ଦ୍ଦିଷ୍ଟ ତିଥି ବାହାରେ ଦୁଃଖ ଜଣାଇବାକୁ ଆସିଥିବା ଲୋକଟିର କଥା ଶୁଣିଲେ ପ୍ରଶାସକଙ୍କ ହାକିମପଣର ଅପମାନ ହେବ! ଏ କେବଳ ଦୁଇଟି ଦୃଷ୍ଟାନ୍ତ ନୁହେଁ ବରଂ ଦୁଇପ୍ରକାର ଦୃଷ୍ଟାନ୍ତ, ଯାହାର ସଂଖ୍ୟା ଗଣିବାକୁ କାହାର ସମୟ ନାହିଁ, ସ୍ପୃହା ବି ନାହିଁ। ନିଜ ନିଜର ଚୌକିକୁ ନେଇ ବଡପଣ ପ୍ରକଟ କରୁଥିବା ବଡଲୋକଙ୍କ ପତିଆରା ସବୁ ଏହିଭଳି। ଏମାନଙ୍କ ବଡପଣ ସର୍ବଦା ମସ୍ତିଷ୍କ ଦ୍ୱାରା ହିଁ ନିୟନ୍ତ୍ରିତ। ବୃତ୍ତିଗତ କାର୍ଯ୍ୟରେ ନିୟୋଜିତ ଥିଲାବେଳେ ଏମାନେ ନିଜ ହୃଦୟକୁ ଛୁଟିରେ ପଠାଇ ଦିଅନ୍ତି।
ଡାକ୍ତର ହୁଅନ୍ତୁ କି ପ୍ରଶାସକ ଅବା ଅନ୍ୟ କେହି ବୃତ୍ତିଧାରୀ, ଯେଉଁମାନେ ନିଜର ମଗଜ ବଳରେ ଆପଣା ଆସନର ଅଧିକାରୀ ହୋଇ ପାରିଛନ୍ତି, ସେମାନେ ହୃଦୟବାନ ନ ହୁଅନ୍ତୁ ଭଲ କଥା। ନିଜର ମସ୍ତିଷ୍କ ଖଟାଇ କରଣୀୟ ଅକରଣୀୟ ମଧ୍ୟରେ ପାର୍ଥକ୍ୟ ଦେଖି କାମ କରନ୍ତୁ ମନା ନାହିଁ, ହେଲେ ଯେଉଁ ସାଧାରଣ ଜନତାଙ୍କ ସେବା କରିବା ପାଇଁ ସେମାନଙ୍କୁ ମହାର୍ଘ ଅଧିକାର ମିଳିଛି, ନିଜ ଆଚରଣରେ ସେଇ ଅଧିକାରର ଅବମାନନା କରିବା କେତେଦୂର ଯୁକ୍ତିଯୁକ୍ତ, ଏହା ବୁଝିବା ପାଇଁ ହୃଦୟ ନୁହେଁ, ସେଇ ମସ୍ତିଷ୍କ ହିଁ ଲୋଡା। ଅଥଚ ବିଡମ୍ବନାର ବିଷୟ ଏହା ଯେ, ଯେଉଁଠି ବ୍ୟକ୍ତିର ପରିଚୟ ପଦବୀର ଅହଙ୍କାର ଓ ଔଦ୍ଧତ୍ୟ ଦ୍ୱାରା ଆକ୍ରାନ୍ତ ହୋଇଥାଏ, ସେଠି କେବଳ ହୃଦୟ ନୁହେଁ, ମସ୍ତିଷ୍କ ବି ନିର୍ବାସନରେ ଚାଲି ଯାଇଥାଏ। ବାକି କେବଳ ପଡି ରହିଥାଏ ଏକ ଯନ୍ତ୍ରଚାଳିତ ଶରୀର !
ବିଶ୍ୱବିଜୟୀ ସ୍ବାମୀ ବିବେକାନନ୍ଦ ଆମେରିକାର ଏକ ସହରକୁ ଯାତ୍ରା କରୁଥାନ୍ତି। କେଇଦିନ ପୂର୍ବରୁ ଶିକାଗୋ ଧର୍ମ ମହାସଭାରେ ନିଜ ଜ୍ୱାଳାମୟୀ ବକ୍ତୃତା ପାଇଁ ଢେର ପ୍ରସିଦ୍ଧି ଲାଭ କରିଥିବା ଏହି ଚର୍ଚ୍ଚିତ ମହାନାୟକଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ଷ୍ଟେଶନର ପ୍ଲାଟଫର୍ମ ଲୋକାରଣ୍ୟ ହୋଇ ଯାଇଥାଏ। ତାଙ୍କ ଜୟଜୟକାରରେ ଗଗନପବନ ମୁଖରିତ ହୋଇ ଉଠୁଥାଏ। ଅସ୍ପୃଶ୍ୟ ଇତର ନିଗ୍ରୋ କୁଲିଟିଏ ବିଶାଳ ଜନଭିଡ ଭେଦ କରି ନ ପାରି ଖଣ୍ଡେ ଦୂରରୁ ଏହି ତରୁଣ ତପସ୍ବୀଙ୍କୁ ଏକ ଲୟରେ ଚାହିଁ ରହିଥାଏ। ସ୍ବାମିଜୀଙ୍କ ଭଳି ଏକ ପୁଣ୍ୟ ପୁରୁଷଙ୍କ ସାକ୍ଷାତ ସଂସ୍ପର୍ଶରେ ଆସିପାରୁ ନ ଥିବା ଦୁଃଖରେ ଦ୍ରବୀଭୂତ ହୋଇ ଯାଉଥାଏ ତା’ର ଶରୀର ଓ ଆତ୍ମା!
କୁଲିଟି ଉପରେ ବିବେକାନନ୍ଦଙ୍କ ଦୃଷ୍ଟି ପଡିଲା। ସେ ତାକୁ କିଛି ସମୟ ଚାହିଁଲେ ଓ ପରେ ପରେ ଭିଡ ଭେଦ କରି ତା’ ନିକଟକୁ ଆଗେଇଗଲେ। ସେ ଯାଏ ତଟସ୍ଥ ହୋଇ ତାଙ୍କୁ ଚାହିଁ ରହିଥିବା କୁଲିଟି ନିକଟରେ ପହଞ୍ଚି ‘ମୋ ଭାଇ’ ବୋଲି କହି ତାକୁ ନିବିଡ ଆଲିଙ୍ଗନରେ ବାନ୍ଧି ପକାଇଲେ ସ୍ବାମିଜୀ। ପରମ ତୃପ୍ତିରେ ନିଗ୍ରୋଟିର ଦୁଇ ଆଖିରୁ ଲୁହ ଦୁଇଟୋପା ଝରିପଡିଲା। ତା’ ସହ ଦୁଇ ପଦ କଥା ହୋଇ ଷ୍ଟେଶନ ବାହାରକୁ ବାହାରିଲା ମାତ୍ରେ ନିଭୃତରେ ତାଙ୍କର ଜଣେ ଗୋରା ଶିଷ୍ୟ ସ୍ବାମିଜୀଙ୍କୁ ଚେତାଇ ଦେଲେ, ‘ଏ ଘୃଣ୍ୟ କଳା ଲୋକମାନଙ୍କୁ ଏମିତି ସର୍ବସାଧାରଣରେ କୋଳେଇ ନିଅନ୍ତୁ ନାହିଁ ସ୍ବାମିଜୀ! ଏପରି ହେଲେ ଗୋରାମାନେ ଆପଣଙ୍କଠୁ ଦୂରେଇଯିବେ।“ ଚରମ ଉତ୍ତେଜନାରେ ଥରି ଉଠିଲେ ବିଦ୍ରୋହୀ ସନ୍ନ୍ୟାସୀ ବିବେକାନନ୍ଦ। କହିଲେ, ”କେବଳ ଗୋରାମାନଙ୍କ ପାଇଁ ମୁଁ କ’ଣ ଏ ପୃଥିବୀକୁ ଆସିଛି?
ବରଂ କଳାମାନଙ୍କ ସାନ୍ନିଧ୍ୟ ହିଁ ମୋର କାମ୍ୟ!“
ଏଇଠି ମନରେ ପ୍ରଶ୍ନଟିଏ ଆସେ। ନିଜ ସ୍ବଳ୍ପ ଜୀବନକାଳ ମଧ୍ୟରେ ଏକ ଉନ୍ନତ ମସ୍ତିଷ୍କ ସହ ବିଶାଳ ହୃଦୟ ନେଇ ଅଜସ୍ର କୀର୍ତ୍ତି ଅର୍ଜନ କରିଥିବା ସ୍ବାମୀ ବିବେକାନନ୍ଦ କେଉଁଥିପାଇଁ ଥିଲେ ଅଧିକ ପ୍ରସିଦ୍ଧ?
ଶିକାଗୋ ଧର୍ମସଭାରେ ପ୍ରଦର୍ଶନ କରିଥିବା ନିଜର ଅକଳ୍ପନୀୟ ପାଣ୍ଡିତ୍ୟ ପାଇଁ ନା ମହାମାରୀ ପ୍ଲେଗ୍‌ ଅଧ୍ୟୁଷିତ ପାଟନାରେ ପ୍ରପୀଡିତ ଜନତାଙ୍କ ସେବା ପାଇଁ? ସାମ୍ପ୍ରତିକ ସମାଜର ବହୁବିଧ ବିବିଧତା ମଧ୍ୟରେ କେବଳ ଗୋରାମାନଙ୍କୁ କୋଳେଇ ନେଇ କଳାମାନଙ୍କୁ ଦୂର୍‌ ଦୂର୍‌ କରୁଥିବା ଡାକ୍ତର, ପ୍ରଶାସକ ଓ ସେହିଭଳି ଅନ୍ୟ ଅଧିକାରୀମାନେ ବେଶି ମସ୍ତିଷ୍କ ଓ କମ୍‌ ହୃଦୟ ନେଇ ବଞ୍ଚୁଥିବା ବେଳେ ଏକାନ୍ତରେ ନିଜକୁ ପ୍ରଶ୍ନ କରିବା ଉଚିତ- ‘ସେମାନେ କ’ଣ ବିବେକାନନ୍ଦଙ୍କଠାରୁ ଅଧିକ ଉନ୍ନତ ମସ୍ତିଷ୍କର ଅଧିକାରୀ? ସେମାନେ କ’ଣ ସ୍ବାମିଜୀଙ୍କଠୁ ଅଧିକ ପ୍ରାଜ୍ଞ, ଅଧିକ ମେଧାସମ୍ପନ୍ନ?
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri