ମନ ମୋହିଲା ଲୌକିକ ପରମ୍ପରା: ବୈଦିକ ରୀତିରେ ସରିଲା ଦେବଦମ୍ପତିଙ୍କ ବିବାହ

ଆରଡ଼ି, ୮।୬ (ଡି.ଏନ.ଏ.) – ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ ଶୁକ୍ରବାର ପବିତ୍ର ଶୀତଳଷଷ୍ଠୀ ପର୍ବରେ ଦେବଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବରେ ଲୌକିକ ପରମ୍ପରା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା। ବିଭିନ୍ନ ଅଞ୍ଚଳରୁ ଆସିଥିବା ଭକ୍ତଙ୍କ ସମାଗମରେ ମନ୍ଦିର ପରିବେଶ ଚଳଚଞ୍ଚଳ ରହିଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ବରାନୁଗମନ ଶୋଭାଯାତ୍ରା। ବାଣ, ରୋଶଣି ଓ ବାଦ୍ୟର ଟମକରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାର ଲୋକକଳାର ଆକର୍ଷଣରେ ଭକ୍ତମାନଙ୍କ ମନ ଜିଣି ନେଇଥିଲେ। ବାବାଙ୍କର ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ବସ୍‌ଷ୍ଟାଣ୍ଡରୁ କନ୍ୟାପିତାଙ୍କ ଗୃହକୁ ନିଆଯାଇଥିଲା। ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀର ସାହିମେଢ ନୃତ୍ୟ, ବାଘ ନୃତ୍ୟ, ପାଇକ ଆଖଡା, ଗୋଟିପୁଅ ନୃତ୍ୟ, ଡାଇନୋସର ନୃତ୍ୟ, ମୟୂରଚୂଳ, ଦୁଲୁଦୁଲି, ଯୋଡ଼ିଶଙ୍ଖ, ଘଣ୍ଟ, ଝୁମର, ଡ୍ରମ ଆଦି ବାଦ୍ୟ ପରିବେଷିତ ହୋଇଥିଲା। ଏଥିସହିତ ମହିଳା ଓ ପୁରୁଷ କୀର୍ତ୍ତନ ମଣ୍ଡଳୀ, ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀଙ୍କ କୀର୍ତ୍ତନ ପରିବେଷଣ ଦେଖିବାକୁ ମିଳିଥିଲା।
ବରାନୁଗମନ ଶୋଭାଯାତ୍ରାରେ ସେବାୟତମାନେ ବେଦପତି ବ୍ରହ୍ମା, ପ୍ରଭୁ ନାରାୟଣ, ଦେବରାଜ ଇନ୍ଦ୍ର, ବରୁଣଦେବ, ଜନ୍ତୁପତି ଯମ, କୁବେର, ମହାଗ୍ରହ ଶନି, ସୂର୍ଯ୍ୟଦେବ, ଚନ୍ଦ୍ରଦେବ, ଦେବର୍ଷି ନାରଦ, ନନ୍ଦୀ, ଭୃଙ୍ଗୀ ଆଦି ଦେବଗଣ, ଦାନବ, କିନ୍ନର ବେଶରେ ନିଜକୁ ସଜ୍ଜିତ କରି ବରଯାତ୍ରୀ ରୂପେ ଉଭା ହୋଇଥିଲେ। ଶୋଭାଯାତ୍ରାରେ ହନୁମାନ ବେଶଧାରୀ ସେବାୟତଙ୍କ ଅଭିନୟ ଆକର୍ଷଣ ସାଜିଥିଲା। ବରଯାତ୍ରୀ ଦଳ କନ୍ୟାଙ୍କ ଘରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ବାହାବେଦୀରେ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଆୟୋଜିତ ହୋଇଥିଲା ବିବାହ ଉତ୍ସବ।
ଅର୍ଦ୍ଧରାତ୍ରରେ ଫୁଲ ବେଦୀରେ ସ୍ବୟଂ ଶିବଶମ୍ଭୁ ଭୋଳାଶଙ୍କର ମାତା ପାର୍ବତୀଙ୍କ ହାତ ଧରିଥିଲେ। ମନ୍ତ୍ର ପାଠ ସାଙ୍ଗକୁ ହରିବୋଲ, ହୁଳହୁଳି, ଶଙ୍ଖ ଏବଂ ଓଁ ନମଃ ଶିବାୟ ଧ୍ୱନି ମଧ୍ୟରେ ଦେବଦମ୍ପତିଙ୍କ ବିବାହ ସରିଥିଲା। ଏହାପରେ ବରପିତା ଓ କନ୍ୟାପିତାଙ୍କ ସମୁଦୀ ମିଳନ, ଯୌତୁକ ଦାନ ଓ ସବୁଠାରୁ ଉତ୍କଣ୍ଠିତ ମୁହୂର୍ତ୍ତ କନ୍ୟା ବିଦାୟ ବେଳା ଆସିଥିଲା। କନ୍ୟା ମାତାପିତାଙ୍କ ଆଖି ଲୁହରେ ଭିଜି ଉଠିଥିଲା। ବିବାହ ବେଳେ ଦେବଦେବ ମହାଦେବଙ୍କୁ ୨ ଏକର ଶ୍ମଶାନ ଜମି, ୧୦ ହଳ ନାଗ, ୨୫ ବୃଷଭ, ଅନ୍ୟାନ୍ୟ ସ୍ବର୍ଣ୍ଣ ଓ ରୌପ୍ୟ ନିର୍ମିତ ଅଳଙ୍କାର ଯାନିଯୌତୁକ ରୂପେ ଦିଆଯାଇଥିଲା। ଦେବଦମ୍ପତିଙ୍କ ଏହି ବିବାହ ଉତ୍ସବ ସନ୍ଦର୍ଶନ କରି ଅସଂଖ୍ୟ ଭକ୍ତ ଭାବବିହ୍ବଳ ହୋଇପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?