ମନ୍ଥର ଗତିରେ ଚାଲିଛି ବୁଢ଼ାବଳଙ୍ଗ ପୋଲ ନିର୍ମାଣ କାର୍ଯ୍ୟ : ନିମ୍ନମାନର ଅଭିଯୋଗ, ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା

ବାରିପଦା ଅଫିସ, ୧୫ା୫ : ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ବାରିପଦା ସହର ବୁଢ଼ାବଳଙ୍ଗ ନଦୀରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି।  ଗତ ୨୦୧୬ ଅକ୍ଟୋବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଳିଆପଦା ଗସ୍ତରେ ଆସିଥିଲେ। ସେହି ସମୟରେ ଏହି ପୋଲର ଶିଳାନ୍ୟାସ କରିଥିଲେ। ଏଥିପାଇଁ ୨୭ କୋଟି ୨୯ ଲକ୍ଷ ୮୦ହଜାର ୨୦୮ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଏକ ସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ନଦୀକୂଳରେ ପୂର୍ତ୍ତବିଭାଗ ପକ୍ଷରୁ ଲାଗିଥିବା ଏକ ବୋର୍ଡରେ କାର୍ଯ୍ୟାରମ୍ଭ ତାରିଖ ୧୨ ମେ ୨୦୧୭ ଓ କାର୍ଯ୍ୟ ଶେଷ ତାରିଖ ୧୧ ଡିସେମ୍ବର ୨୦୧୮ ବୋଲି ଉଲ୍ଲେଖ ରହିଛି। ତେବେ କାର୍ଯ୍ୟ ଶେଷ ତାରିଖରୁ ୫ ମାସର ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ଏହି ପୋଲ କାର୍ଯ୍ୟ ଶେଷ ହୋଇନାହିଁ। ସେହିପରି ନିର୍ମାଣ କାର୍ଯ୍ୟ ନିମ୍ନମାନର ବୋଲି ମଧ୍ୟ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।  ଅପରପକ୍ଷେ କାର୍ଯ୍ୟ ଶେଷ ତାରିଖ ୨୬ ଫେବୃୟାରୀ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ବିଭାଗୀୟ ଯନ୍ତ୍ରୀ ସୁପାରିସ କରିଛନ୍ତି। ଏହାକୁ ନେଇ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟ ତଦାରଖ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବିଭାଗ ସୂତ୍ରରୁ ପ୍ରକାଶ। ଆଗକୁ ବର୍ଷା ଋତୁ ଆସିବ। ଏପରିସ୍ଥଳରେ ବାରିପଦା ସହରକୁ ପୁଣିଥରେ ବନ୍ୟା ଭୟ ଘାରିଛି। କାରଣ ଗତ ୨୦୧୩ ମସିହାରେ ହୋଇଥିବା ଫାଇଲିନ୍‌ ଯୋଗୁ ଏହି ବୁଢ଼ାବଳଙ୍ଗ ନଦୀରେ ଜଳ ପ୍ରବାହିତ ହୋଇ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସହରର ୪,୭,୮,୯,୧୦,୧୧ ଓ ୨୦ ନମ୍ବର ୱାର୍ଡ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଥିଲା। ତେବେ ଏହି ନଦୀରେ ଆଡ଼ିବନ୍ଧ ନ ଥିବାରୁ ପାଣି ପଶି ଆସିଥିବା ଅଭିଯୋଗ କରି ଏକ ଆଡିବନ୍ଧ ନିର୍ମାଣ କରିବାକୁ ସହରବାସୀ ଦାବି କରିଥିଲେ। ଆଡ଼ିବନ୍ଧ ନିର୍ମାଣ ପାଇଁ ଗତ ଜାନୁୟାରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ଗସ୍ତ ଅବସରରେ ଘୋଷଣା କରିଥିଲେ। ହେଲେ କୌଣସି ପଦକ୍ଷେପ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇ ନାହିଁ। ଏପରିସ୍ଥଳରେ ଫାଇଲିନ୍‌ ପରେ ହୁଡ୍‌ହୁଡ୍‌, ତିତ୍‌ଲି ଓ ଫନୀରେ ମଧ୍ୟ ଏହି ନଦୀରେ ବନ୍ୟା ଆଶାଙ୍କା କରାଯାଇ ତଳି ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଫାଇଲିନ୍‌ ସମୟରେ ପୁରୁଣା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିବାରୁ ଏହା ଦୁର୍ବଳ ହୋଇଗଲାଣି। ଅନ୍ୟପକ୍ଷରେ ପୋଲ କାର୍ଯ୍ୟ ନିମ୍ନମାନର ବୋଲି ସ୍ଥାନୀୟ ବାସିନ୍ଦା ଯଯାତି ମହାନ୍ତ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ କର୍ମଚାରୀମାନେ ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଛନ୍ତି। ଫଳରେ ପୋଲର ସ୍ଥାୟିତ୍ୱ ନେଇ ପ୍ରଶ୍ନବାସୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୋଲ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ବିରଞ୍ଚି ନାରାୟଣ ପଣ୍ଡାଙ୍କ ସହିତ ଆଲୋଚନା କରିବାରୁ,୨୯୨ ମିଟର ଲମ୍ବ ଓ ୧୫.୪ ମିଟର ଚଉଡ଼ାରେ ଏହାର ନିର୍ମାଣ କାର୍ଯ୍ୟ କରାଯାଉଛି। ଆରମ୍ଭରୁ ୧୧ଟି ଖମ୍ବ ହେବା ନେଇ ଡିଜାଇନ ହୋଇଥିଲା। ପରେ ଏହାକୁ ବଦଳାଇ ୯ଟି କରାଯାଇଛି। ପୋଲ କାମ ୪୦ ପ୍ରତିଶତ ସରିଥିବାବେଳେ ତଳ କାମ ୯୦ ପ୍ରତିଶତ ସରିଛି। ସେହିପରି ତଳ କାମ ସରିଲେ ଉପର କାମ ପାଇଁ ସମୟ କମ୍‌ ଲାଗିବ। ପୋଲ ନିର୍ମାଣର ଡିଜାଇନରେ ପରିବର୍ତ୍ତନ ହୋଇଥିବାରୁ ବିଳମ୍ବରେ କାର୍ଯ୍ୟ ହୋଇଥିଲା। ଏଣୁ ଏହାର ସମୟସୀମା ବୃଦ୍ଧି ପାଇଁ ସୁପାରିସ କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?