ଭାଷାପ୍ରାଣ ଫକୀରମୋହନ

ଡା. ସୁରେନ୍ଦ୍ରନାଥ ପତି
ସଂକ୍ରାନ୍ତିପୁରୁଷ ରୂପେ ଖ୍ୟାତ ବ୍ୟାସକବି ଫକୀରମୋହନଙ୍କ ଜନ୍ମ ହୋଇଥିଲା ୧୮୪୩ ମସିହା ଜାନୁୟାରୀ ୧୩ ତାରିଖ ମକରସଂକ୍ରାନ୍ତିରେ ଏବଂ ସେ ଦେହତ୍ୟାଗ କରିଥିଲେ ୧୯୧୮ ମସିହା ଜୁନ୍‌ ୧୪ ତାରିଖ ରଜସଂକ୍ରାନ୍ତି ଦିନ। ବାଲ୍ୟକାଳରୁ ମାତୃପିତୃହୀନ ହୋଇ ଜେଜେମା’ଙ୍କ ଦ୍ୱାରା ଲାଳିତପାଳିତ ହେଲେ। ଗ୍ରାମ ଚାଟଶାଳୀର ଅବଧାନଙ୍କଠାରୁ ଯତ୍‌କିଞ୍ଚିତ୍‌ ଶିକ୍ଷା ଲାଭ କରି ଦାରିଦ୍ର୍ୟ ମୋଚନ ଅର୍ଥେ ଅଝାଲ (ପାଲଟଣା ପୋତର ପାଲ) ସିଲାଇ କାମ କରି କିଛି ଅର୍ଥ ରୋଜଗାର କଲେ। ବିଦ୍ୟା ପ୍ରତି ପ୍ରବଳ ଆକର୍ଷଣ ଥିବାରୁ ବାରବାଟୀ ସ୍କୁଲରେ ଅଳ୍ପକାଳ ଅଧ୍ୟୟନ, ତା’ ମଧ୍ୟରେ ଗୀତା, ଭାଗବତ, ରାମାୟଣ, ମହାଭାରତ ଆଦି ଅନ୍ୟ ଭାଷାରୁ ପଢ଼ି ମନେ ରଖୁଥିଲେ। ପାର୍ସୀ, ବଙ୍ଗଳା, ହିନ୍ଦୀ ଆଦି ପଢ଼ି କହିପାରୁଥିଲେ। ଯୁବାବସ୍ଥାରେ ୧୮୬୬ ମସିହାରେ ଘଟିଥିବା ଭୟଙ୍କର ନ’ଅଙ୍କ ଦୁର୍ଭିକ୍ଷକୁ ସେ ପ୍ରତ୍ୟକ୍ଷ କରିଛନ୍ତି। ଓଡ଼ିଆମାନଙ୍କର କ୍ଷୁଧା, ଦୈନ୍ୟ, ଦୁଃଖ, ବହୁ ସଂଖ୍ୟାରେ ଅପମୃତ୍ୟୁ ସ୍ବଚକ୍ଷୁରେ ଦେଖି ତାଙ୍କ ପ୍ରାଣ କାନ୍ଦିଉଠିଥିଲା। ସେତେବେଳେ ଏକତ୍ର ସ୍ବର ଉଠାଇବା ପାଇଁ କୌଣସି ସଙ୍ଗଠନ, ସାମାଜିକ ଅନୁଷ୍ଠାନ ନ ଥିଲା। ଇଂଲିଶ ଶିକ୍ଷାର କୁପ୍ରଭାବରେ ନବ୍ୟ ଶିକ୍ଷିତ ଯୁବକମାନେ ସ୍ଥାନୀୟ ଲୋକଙ୍କୁ ଘୃଣା କରିବା, ମିଳାମିଶା ନ କରିବା, ଅଲଗା ବାସକରି ମାତାପିତାଙ୍କୁ ହତାଦର କରିବା ଏକ ସାଧାରଣ ଘଟଣା ହୋଇଯାଇଥିଲା ସମାଜରେ। ତେଣୁ ଫକୀରମୋହନ ଚିନ୍ତାକଲେ, ସର୍ବପ୍ରଥମେ ଓଡ଼ିଆ ଭାଷାର ଉତ୍ଥାନ କରି ଓଡ଼ିଶାରୁ ବଙ୍ଗୀୟ ଭାଷାକୁ ହଟାଇବାକୁ ପଡ଼ିବ।
ସେତେବେଳେ ଓଡ଼ିଆ ଛାପାଖାନା ଏଠାରେ ନ ଥିଲା। ଧାରକରଜ କରି ଫକୀରମୋହନ କଲିକତାରୁ ଏକ ପୁରୁଣା ଓଡ଼ିଆ ପ୍ରିଣ୍ଟିଂ ମେଶିନ ଖର୍ଦ୍ଦିକରି ନିଜେ ଶଗଡ଼ରେ ବାଲେଶ୍ୱର ଆଣିଲେ। ସ୍ଥାନୀୟ କିଛି ଲୋକଙ୍କୁ ନେଇ ପତ୍ରିକା ଛପାଇଲେ। ସର୍ବପ୍ରଥମେ ‘ବୋଧଦାୟିନୀ’ ସୂର୍ଯ୍ୟାଲୋକ ଦେଖିଲା, ତା’ପରେ ନବସମ୍ବାଦ, ସମ୍ବାଦବାହିକା ଆଦି ପତ୍ରପତ୍ରିକା। ପ୍ରେସର ନାମ ରଖିଲେ ଉତ୍କଳ ପ୍ରେସ। ଏସବୁ ହେବାରୁ ଅଦ୍ଭୁତ ଜନଜାଗରଣ ଦେଖାଗଲା। ଲୋକମାନେ ସେହିସବୁ ପତ୍ରପତ୍ରିକା ପାଠକରି ମାତୃଭାଷାର ବନ୍ଦନା ଗାନ କଲେ, ଭୂମିରେ ମୁଣ୍ଡିଆ ମାରିଲେ। କ୍ରମେ କଟକ, ଭଦ୍ରକ, ସମ୍ବଲପୁର, ବାମଣ୍ଡା, କଲିକତାର ଓଡ଼ିଆମାନଙ୍କୁ ବିନା ମୂଲ୍ୟରେ ବଣ୍ଟା ହେଲା। ନିଜ ସ୍ବଳ୍ପ ସମ୍ବଳରୁ ଫକୀରମୋହନ ଏସବୁ କରୁଥିଲେ। କତିପୟ ଧନୀ ବ୍ୟକ୍ତି ସାହାଯ୍ୟ ମଧ୍ୟ ଦେଉଥିଲେ। ସେତେବେଳେ କଟକରେ ଗୌରୀଶଙ୍କର ରାୟ ‘ଉତ୍କଳ ଦୀପିକା’ ସାପ୍ତାହିକ ବାହାର କରୁଥିଲେ। ଫକୀରମୋହନ ନିଜର ଲେଖାମାନ ଏଠାକୁ ପ୍ରେରଣ କରୁଥିଲେ। ଗବେଷଣାମୂଳକ ଅଧ୍ୟୟନରୁ ଜନମାନସରେ ଆନ୍ଦୋଳନ ସୃଷ୍ଟିକାରୀ ରଚନାଗୁଡ଼ିକ ଅର୍ଦ୍ଧଶିକ୍ଷିତ, ଶିକ୍ଷିତ, ସରକାରୀ କାର୍ଯ୍ୟରେ ନିଯୁକ୍ତ ଓଡ଼ିଆମାନଙ୍କୁ ଭାଷା ମାଧ୍ୟମରେ ଏକତ୍ରିତ କରାଇଲା, ମାତୃଭାଷାର ସୁରକ୍ଷା ହୋଇପାରିଲା।
ଫକୀର ମୋହନ ନିଜେ ବିଭିନ୍ନ ସ୍ଥାନ ଭ୍ରମଣ କରି ସଭା ସମିତି, ଆଲୋଚନାଚକ୍ର, ସାହିତ୍ୟ ସଭା କରି ସମସ୍ତେ ଓଡ଼ିଆ କହିବା, ପଢ଼ିବା, ଲେଖିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିଥିଲେ। ଓଡ଼ିଆ ଭାଷାରେ ପ୍ରଥମ ଗଳ୍ପ ‘ରେବତୀ’ ଫକୀରମୋହନ ଲେଖିଥିଲେ। ଏତଦ୍‌ବ୍ୟତୀତ ଡାକମୁନ୍‌ସୀ, ପେଟେଣ୍ଟ ମେଡିସିନ, ରାଣ୍ଡିପୁଅ ଅନନ୍ତା, ଅଧର୍ମବିତ୍ତ, ସଭ୍ୟ ଜମିଦାର ଆଦି ଗଳ୍ପ ଗଳ୍ପସଳ୍ପ ପୁସ୍ତକରେ ସ୍ଥାନ ପାଇଛି। ତାଙ୍କର ଚାରିଗୋଟି ଉପନ୍ୟାସ- ଛଅମାଣ ଆଠଗୁଣ୍ଠ, ମାମୁଁ, ଲଛମା, ପ୍ରାୟଶ୍ଚିତ୍ତ ପ୍ରକାଶ ପାଇଛି।
ଫକୀରମୋହନ ସେନାପତି ବାଲେଶ୍ୱର ମିଶନ୍‌ ସ୍କୁଲରେ ଶିକ୍ଷକତା କଲାବେଳେ ତତ୍କାଳୀନ ଶିକ୍ଷା ବିଭାଗର କର୍ମକର୍ତ୍ତା ତଥା ବିଶିଷ୍ଟ କବି ରାଧାନାଥ ରାୟଙ୍କ ସଂସ୍ପର୍ଶରେ ଆସିଥିଲେ। ଦୁଇ ଭାଷାପ୍ରେମୀ ମୃତପ୍ରାୟ ଓଡ଼ିଆ ଭାଷାକୁ ନବଜୀବନ ଦେବା ପାଇଁ ମିଳିତ ଉଦ୍ୟମ କରିଥିଲେ। ଅନ୍ୟ ଏକ ଦିଗରେ ଇଂରେଜ ସାହେବଙ୍କ ସହ ସମ୍ପର୍କ ରଖୁଥିଲେ। ତତ୍କାଳୀନ ବାଲେଶ୍ୱର ଜିଲା କଲେକ୍ଟର ଜନ୍‌ ବିମ୍‌ସ ବିଭିନ୍ନ ଭାରତୀୟ ଭାଷାରେ ବ୍ୟାକରଣ ପୁସ୍ତକ ରଚନା କରୁଥିଲେ। ଫକୀରମୋହନ ତାଙ୍କୁ ଓଡ଼ିଆ ଶିକ୍ଷା ଦେଲେ। ମହାନ୍‌ହୃଦୟ ଉତ୍କଳପ୍ରେମୀ ବିମ୍‌ସ ସାହେବ ଏହି ଅଳ୍ପଶିକ୍ଷିତ ଓଡ଼ିଆଙ୍କର ପାଣ୍ଡିତ୍ୟ, ଜାତିପ୍ରୀତି, ଉପସ୍ଥିତ ବୁଦ୍ଧି ଲକ୍ଷ୍ୟକରି ତାଙ୍କୁ ଗଡଜାତ ରାଜ୍ୟ ନୀଳଗିରିର ଦଓ୍ବୋନ ରୂପେ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟଦକ୍ଷତା ଦେଖି ପରେ ପରେ ଡମପଡା (ଦୁଇଥର), ଢେଙ୍କାନାଳ, ପାଲଲହଡା, ଦଶପଲ୍ଲା, କେନ୍ଦୁଝର ଆଦି ଦେଶୀୟ ରାଜ୍ୟର ଦଓ୍ବୋନ ରୂପେ ବ୍ରିଟିଶ ସରକାର ନିଯୁକ୍ତ କରିଥିଲେ। କେନ୍ଦୁଝରର ପ୍ରଜାମେଳି କାଳରେ ଚତୁରତାର ସହ ସେ ବିଦ୍ରୋହ ଦମନ କରି ହାତୀ ପିଠିରେ କଟକ ଚାଲି ଆସିଥିଲେ।
(ବ୍ୟାସକବି ଫକୀରମୋହନଙ୍କ ତିରୋଭାବ ଦିବସ ଉପଲକ୍ଷେ)
ପୁରୀ, ମୋ- ୯୪୩୭୪୯୪୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri