Posted inଖେଳ

ଭାରତର ଆଉ ଏକ ସୁପର ବିଜୟ

ଓ୍ବେଲିଂଟନ, ୧।୨(ପି.ଟି.)- ରୋମାଞ୍ଚକ ଢଙ୍ଗରେ ଭ୍ରମଣକାରୀ ଭାରତ ଆଉ ଏକ ସୁପର ଓଭର ବିଜୟ ହାସଲ କରିଛି। ସ୍ଥାନୀୟ ଓ୍ବେଷ୍ଟପ୍ୟାକ୍‌ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଭାରତ ଘରୋଇ ନ୍ୟୁଜିଲାଣ୍ଡକୁ ସୁପର ଓଭରରେ ପରାସ୍ତ କରି ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୪-୦ରେ ଅଗ୍ରଣୀ ହାସଲ କରିଛି। ଏଥିସହିତ ନ୍ୟୁଜିଲାଣ୍ଡର ସୁପର ଓଭର ଦୁଃସ୍ବପ୍ନ ଜାରି ରହିଛି। ବୁଧବାର ଖେଳାଯାଇଥିବା ତୃତୀୟ ଟି୨୦ରେ ମଧ୍ୟ ନ୍ୟୁଜିଲାଣ୍ଡ ପରାସ୍ତ ହୋଇ କ୍ରମାଗତ ଦ୍ୱିତୀୟଥର ପାଇଁ ସୁପର ଓଭରରେ ମ୍ୟାଚ୍‌ ହାତଛଡା କରିଥିଲା। ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ ଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡ ସମାନ ଢଙ୍ଗରେ ପରାସ୍ତ ହୋଇଥିଲା।
ଟସ୍‌ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ ମଧ୍ୟ ୮ ଉଇକେଟ ହରାଇ ୧୬୫ ରନର ସମ୍ମାନଜନକ ସ୍କୋର ହାସଲ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୭ ଉଇକେଟ ହରାଇ ସମାନ ୧୬୫ ରନରେ ସୀମିତ ରହିଥିଲା। ବିଜୟ ପାଇଁ ଶେଷ ଦୁଇ ଓଭରରେ ୧୧ ରନ ଓ ଅନ୍ତିମ ଓଭରରେ ୭ ରନର ଆବଶ୍ୟକ ହେଉଥିଲା। ଅନ୍ତିମ ଓଭର ବୋଲିଂ କରିବାକୁ ଆସି ଶାର୍ଦ୍ଦୂଳ ଠାକୁର ଚମତ୍କାର ପ୍ରଦର୍ଶନ କରିଥିଲେ। ନ୍ୟୁଜିଲାଣ୍ଡ ଏହି ଓଭରରେ ୪ ଉଇକେଟ ହରାଇ ୬ ରନ ସଂଗ୍ରହ କର ସ୍କୋର ସମାନ କରିବା ସହ ବିଜୟଠାରୁ ୧ ରନ ଦୂରରେ ରହିଯାଇଥିଲା। ଏହା ପରେ ସୁପର ଓଭରରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଗୋଟିଏ ଉଇକେଟ ହରାଇ ୧୩ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ଗୋଟିଏ ଉଇକେଟ ହରାଇ ଗୋଟିଏ ବାକି ରଖି ୧୬ ରନକରି ବିଜୟ ହାସଲ କରିଥିଲା।
ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ ପାଇଁ ଶାର୍ଦ୍ଦୂଳଙ୍କୁ ମ୍ୟାନ୍‌ ଅଫ୍‌ ମ୍ୟାଚ୍‌ ବିବେଚିତ କରାଯାଇଥିଲା। ପଞ୍ଚମ ତଥା ଅନ୍ତିମ ଟି୨୦ ଆସନ୍ତା ରବିବାର ମାଉଣ୍ଟ ମାଉନଗାନୁଇରେ ଖେଳାଯିବ।
୧୬୬ ରନ ଆଭରେଜ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ଆଉଟ୍‌ ଅଫ୍‌ ଫର୍ମ ତଥା ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲଙ୍କୁ ଆରମ୍ଭରୁ ହରାଇଥିଲା। ୪ ରନ କରିଥିବା ବେଳେ ଉଇକେଟକିପର ଲୋକେଶ ରାହୁଲଙ୍କୁ କ୍ୟାଚ୍‌ ଦେଇ ଗୁପ୍ଟିଲ ବୁମ୍‌ରାଙ୍କ ଶିକାର ହୋଇଥିଲେ। ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପନର କଲିନ ମୁନରୋ ଟିମ୍‌ ସିଫର୍ଟ ୪୪ ବଲରୁ ୭୪ ରନ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ତେବେ ମୁନରୋ ୬୪ (୪୭ ବଲ, ୬ ଚୌକା, ୩ ଛକା) ଓ ସିଫର୍ଟ ୫୭ (୩୯ ବଲ, ୪ ଚୌକା, ୩ ଛକା)ରନର ଅର୍ଦ୍ଧଶତକୀୟ ପାଳି ଖେଳି ଉଭୟ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଅଭିଜ୍ଞ ରସ୍‌ ଟେଲର ୨ ଚୌକା ସହ ୧୮ ବଲରୁ ୨୪ ରନକରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଭାରତ ତରଫରୁ ଠାକୁର ୨, ବୁମ୍‌ରା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ସିରିଜରେ ପ୍ରଥମଥର ପାଇଁ ଖେଳିବାର ସୁଯୋଗ ପାଇଥିବା ସଞ୍ଜୁ ସାମସନ ୫ ବଲରୁ ୧ ଛକା ସହ ୮ ରନ କରି ପ୍ରଥମେ ଆଉଟ ହୋଇଥିଲେ ଓ ଭାରତ ଆରମ୍ଭରୁ ଝଟ୍‌କା ଖାଇଥିଲା। ଅଧିନାୟକ ବିରାଟ କୋହଲି ମଧ୍ୟ ଚମକ ଦେଖାଇ ନ ପାରି ୨ ଚୌକା ସହ ୯ ବଲରୁ ୧୧ ରନ କରିଥିବା ବେଳେ ଦ୍ରୁତ ବୋଲର ହାମିଶ ବେନେଟଙ୍କ ବଲ୍‌ରେ ମିଚେଲ ସାଣ୍ଟନରଙ୍କୁ କ୍ୟାଚ୍‌ ଦେଇଥିଲେ। ଶ୍ରେୟାସ ଆୟାର ଓ ଶିବମ ଦୁବେ ମଧ୍ୟ ଫେଲ୍‌ ମାରିଥିଲେ। ଆୟାର ୧ ଓ ଦୁବେ ୧୨ ରନ କରି ସ୍ପିନର ଇଶ୍‌ ସୋଧିଙ୍କ ଶିକାର ହୋଇଥିଲେ। ତେବେ ଓପନର ରାହୁଲ ଆଉଟ ହେବା ପୂର୍ବରୁ ୨୬ ବଲରୁ ୩ ଚୌକା ଓ ୨ ଛକା ସହ ୩୯ ରନ ସଂଗ୍ରହ କରିଥିଲେ। ସେ ସୋଧିଙ୍କ ବଲ୍‌ରେ ମିଡ୍‌ ଉଇକେଟକୁ ଜୋରଦାର ଶଟ୍‌ ଖେଳିଥିଲେ ମଧ୍ୟ ବାଉଣ୍ଡରୀରେ ସାଣ୍ଟନରଙ୍କୁ କ୍ୟାଚ୍‌ ଦେଇଥିଲେ। ଗୋଟିଏ ପଟେ ଉଇକେଟ ପତନ ଜାରି ରହିଥିବା ବେଳେ ଅନ୍ୟପଟରେ ମନୀଷ ପାଣ୍ଡେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ମଧ୍ୟ ଦ୍ରୁତ ଗତିରେ ରନ ସଂଗ୍ରହ ଜାରି ରଖିଥିଲେ। ୩୬ଟି ବଲର ସମ୍ମୁଖୀନ ହୋଇ ସେ ୩ ଚୌକା ସହ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ଶାର୍ଦ୍ଦୁଳ ୨ ଚୌକା ସହ ୧୫ ବଲରୁ ମହତ୍ତ୍ୱପୂର୍ଣ୍ଣ ୨୦ ରନ ସଂଗ୍ରହ କରିଥିଲେ। ସେହିପରି ନବୀଦପ ସଇନି ୨ ଚୌକା ସହ ୯ ବଲରୁ ୧୧ ରନ ସଂଗ୍ରହ କରି ପାଣ୍ଡେଙ୍କୁ ଉପଯୁକ୍ତ ସହଯୋଗ କରିଥିଲେ। ଓ୍ବାଶିଂଟନ ସୁନ୍ଦର ଖାତା ଖୋଲିପାରି ନ ଥିବା ବେଳେ ୟୁଜବେନ୍ଦ୍ର ଚହଲ ୧ ରନକରି ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡ ତରଫରୁ ବୋଲିଂରେ ଲେଗ୍‌ ସ୍ପିନର ସୋଧି ସର୍ବାଧିକ ୩, ବେନେଟ ୨, କାମଚଳା ଅଧିନାୟକ ତଥା ଅଭିଜ୍ଞ ଦ୍ରୁତ ବୋଲର ଟିମ୍‌ ସୌଦି, ସ୍କଟ କୁଗେଲେଜିନ ଓ ମିଚେଲ ସାଣ୍ଟରନ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଭାରତ ତାରକା ଓପନର ରୋହିତ ଶର୍ମା, ଦ୍ରୁତ ବୋଲର ମହମ୍ମଦ ସାମି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦେଇଥିଲା। ଏମାନଙ୍କ ବଦଳରେ ସାମସନ, ଓ୍ବାଶିଂଟନ ଓ ସଇନିଙ୍କୁ ସୁଯୋଗ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri