ବିରାଡ଼ି ହାତରେ ମାଛଭାର

ଡ. ପ୍ରଫୁଲ୍ଲ କୁମାର ସାହୁ

ଗଣତନ୍ତ୍ର କହିଲେ ସାଧାରଣତଃ ସମାନତା, ସ୍ବାଧୀନତା ଓ ଆଇନର ଶାସନକୁ ବୁଝାଏ, ଯାହା ଏକ ପ୍ରତିନିଧିମୂଳକ କାର୍ଯ୍ୟବିଧି। ଏହା ଲୋକଙ୍କ ଇଚ୍ଛା ଉପରେ ପ୍ରତିଷ୍ଠିତ ଏକ ସର୍ବୋତ୍ତମ ଶାସନ ବ୍ୟବସ୍ଥା ଏବଂ ଜନମତ ଉପରେ ନିର୍ଭରକରେ ତା’ର ଗତି ଓ ପ୍ରକୃତି। ଅର୍ଥାତ୍‌ ଲୋକ ବା ନାଗରିକଙ୍କ ହାତରେ ରହିଛି ସରକାର ଗଢ଼ିବା,ଭାଙ୍ଗିବା ଓ ଗଣତନ୍ତ୍ରକୁ ସୁରକ୍ଷିତ ରଖିବାର ଦାୟିତ୍ୱ। କିନ୍ତୁ ବାସ୍ତବତା ହେଉଛି ନିର୍ବାଚନ ସରିଗଲା ପରେ ମତଦାତା ଅଦୃଶ୍ୟ ହୋଇଯାଆନ୍ତି ଏବଂ ଦୃଶ୍ୟପଟକୁ ଆସନ୍ତି କାର୍ଯ୍ୟନିର୍ବାହୀ ପ୍ରତିନିଧିମାନେ। ତେଣୁ ଶାସନର ଅସଲ ନିୟାମକ ହେଉଛନ୍ତି ଲୋକ ପ୍ରତିନିଧି ଏବଂ ସେମାନଙ୍କ ଦକ୍ଷତା ଓ ପ୍ରତିବଦ୍ଧତା ଉପରେ ନିର୍ଭରକରେ ଗଣତନ୍ତ୍ରର ଗରିମା। ମାତ୍ର ଦୁର୍ଭାଗ୍ୟର ବିଷୟ ଆମ ଗଣତନ୍ତ୍ର ଯେତିକି ପରିପକ୍ବ ହେଉଛି, ସେତିକି ନିମ୍ନଗାମୀ ହେଉଛି ତା’ର ରାଜନୈତିକ ବିଚାରଧାରା। ବିଶେଷକରି ଚଳିତ(୨୦୨୪) ନିର୍ବାଚନ ପରିପ୍ରେକ୍ଷୀରେ ଗଣତନ୍ତ୍ରକୁ ଏକ ତାମସାରେ ପରିଣତ କରିସାରିଲେଣି ଘନ ଘନ ରଙ୍ଗ ବଦଳାଉଥିବା ରାଜନୈତିକ ଏଣ୍ଡୁଅମାନେ।
ଗଣତନ୍ତ୍ର ଏବେ ଏକ ମତାନ୍ଧ ଦଳତନ୍ତ୍ରରେ ପରିଣତ ହୋଇସାରିଛି, ଯେଉଁଠି ନା ଅଛି ନୀତି ଆଦର୍ଶ ନା ଆଭ୍ୟନ୍ତରୀଣ ଗଣତନ୍ତ୍ର। ଆଗେ ରାଜନୈତିକ ଦଳଗୁଡ଼ିକ ଥିଲା ସମାନ ବିଚାରସମ୍ପନ୍ନ ବ୍ୟକ୍ତିମାନଙ୍କର ଏକ ଏକ ମିଳନପୀଠ। ଏବେ ତାହା ମୁଷ୍ଟିମେୟ କେତେଜଣ ନେତାଙ୍କ ମଧ୍ୟରେ କ୍ଷମତା ବଣ୍ଟନ ଓ ଉପଭୋଗ ନିମନ୍ତେ ଉଦ୍ଦିଷ୍ଟ ଏକ ସଂକୀର୍ଣ୍ଣ ଗୋଷ୍ଠୀ ମାତ୍ର। ଯେନତେନ ଉପାୟରେ କ୍ଷମତା ଦଖଲ ପାଇଁ ନେତା ଆମଦାନୀ ଉପରେ ଗୁରୁତ୍ୱ ଦେଉଛି ସବୁ ଦଳ।
କଙ୍କଡ଼ାକୁ ଗୋଳିଆପାଣି ସୁହାଇଲା ଭଳି ଦଳଡିଆଁଙ୍କୁ ସୁହାଉଛି ଲୋକଙ୍କ ଅନ୍ଧ ସମର୍ଥନ। ଦଳୀୟ ଭାବନାରେ ଆକ୍ରାନ୍ତ ମତଦାତା ପ୍ରାର୍ଥୀଙ୍କ ଦକ୍ଷତା ଦେଖେନି କି ସ୍ବଚ୍ଛତା ଖୋଜେନି, ଦଳୀୟ ଚିହ୍ନ ହିଁ ତା’ ପାଇଁ ଯଥେଷ୍ଟ। ଏହାର ସୁଯୋଗ ନେଇ ପ୍ରତି ଥର ନିର୍ବାଚନ ଜିଣି କ୍ଷମତା ଉପଭୋଗ କରୁଛନ୍ତି କେତେଜଣ ଅଭ୍ୟାସଗତ ଦଳଛଡ଼ା।
ଏକ ସ୍ବଚ୍ଛ ଓ ନୀତିନିଷ୍ଠ ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟିକରିବା ଦିଗରେ ବିଶେଷ ମହତ୍ତ୍ୱ ରଖେ ସଚେତନ ମତଦାତାଙ୍କ ଭୂମିକା। ବିଶେଷକରି ଯେଉଁମାନେ କାହାରି ଦ୍ବାରା ପ୍ରଭାବିତ ନ ହୋଇ ନିର୍ଭୀକ ଭାବେ ମତଦାନ କରନ୍ତି ତାଙ୍କୁ କୁହାଯାଏ ସଚ୍ଚୋଟ ମତଦାତା। ଏମାନେ ଦଳୀୟ ଭାବନାରେ ଅନ୍ଧହୋଇ ଭୋଟ ଦିଅନ୍ତି ନାହିଁ କି କାହାରି ପ୍ରଚାର ଓ ପ୍ରରୋଚନାରେ ବଦଳାନ୍ତି ନାହିଁ ମତ। ଯୋଗ୍ୟ ପ୍ରତିନିଧି ଚୟନ ପାଇଁ ବିଭିନ୍ନ ପ୍ରାର୍ଥୀଙ୍କ ଦକ୍ଷତାକୁ ନେଇ ଯେଉଁ ପ୍ରଶ୍ନ ସବୁ ମନକୁ ଆନ୍ଦୋଳିତ କରେ ସେମାନେ ତା’ର ଯଥାର୍ଥ ଉତ୍ତର ଖୋଜନ୍ତି ପ୍ରାର୍ଥୀମାନଙ୍କ କାର୍ଯ୍ୟଧାରା, ପ୍ରତିଶ୍ରୁତି ଓ ରାଜନୈତିକ ପୃଷ୍ଠଭୂମି ଆଧାରରେ। ସେହି ଉତ୍ତର ସାହାଯ୍ୟରେ ସେମାନେ ଚିହ୍ନନ୍ତି ଯୋଗ୍ୟ ପ୍ରାର୍ଥୀ। ବାସ୍ତବରେ ଏହିମାନେ ହେଉଛନ୍ତି ଗଣତାନ୍ତ୍ରିକ ସୈନିକ ଏବଂ ଏମାନଙ୍କ ସଂଖ୍ୟା ଯେତେ ବଢ଼ିବ ସେତେ ସୁରକ୍ଷିତ ରହିବ ଆମ ଗଣତାନ୍ତ୍ରିକ ପରମ୍ପରା ଓ ମୂଲ୍ୟବୋଧ। ଜଣେ ଦଳୀୟ କର୍ମୀ ବା ସମର୍ଥକ ମଧ୍ୟ ଗଣତାନ୍ତ୍ରିକ ସୈନିକର ଭୂମିକା ନିର୍ବାହ କରିପାରେ ବିବେକର ଆହ୍ବାନରେ। ଦଳୀୟ କର୍ମୀ ବା ସମର୍ଥକ ହେଲେ ବି ଜଣେ ମତଦାତା ଭାବରେ ବିବେକକୁ ଅଗ୍ରାଧିକାର ଦେଇ ଭାବିଲେ ରାଜନୈତିକ ଅନୀତି ଓ ଅନାଦର୍ଶକୁ କେବେ ବି ମିଳିବନି ଅନ୍ତରାତ୍ମାର ସମର୍ଥନ।
ସେ ଯେଉଁ ଦଳର ପ୍ରାର୍ଥୀ ହୁଅନ୍ତୁନା କାହିଁକି କୌଣସି ଅଭ୍ୟାସଗତ ଦଳଡିଆଁଙ୍କୁ ଦେଖିଲେ ମନକୁ ସ୍ବତଃ ଆନ୍ଦୋଳିତ କରିବ ଅନେକ ଉତ୍ପୀଡ଼କ ପ୍ରଶ୍ନ। ତା’ର ଉତ୍ତର ଖୋଜି ବସିଲେ ଆଖି ଆଗରେ ଖୋଲିଯିବ ଦଳଡିଆଁ ପ୍ରାର୍ଥୀଙ୍କ ଛଳନାର ମୁଖା। ସେଭଳି ସୁବିଧାବାଦୀ ନେତା ସପକ୍ଷରେ ମତଦାନ କରିବା ପାଇଁ କେବେ ବି ମିଳିବନି ବିବେକର ଅନୁମତି।
ଦଳଡିଆଁଙ୍କୁ ଛାଡ଼ିଲେ ଅନେକ ପ୍ରାର୍ଥୀ ଅଛନ୍ତି, ଯିଏ ନିର୍ଦ୍ଦିଷ୍ଟ ଦଳର ଶୃଙ୍ଖଳିତ ଓ ପୁରୁଣା କର୍ମୀ। ନିଜ ଦଳ ପାଇଁ ସେମାନେ ଶୃଙ୍ଖଳିତ ବା ଉତ୍ସର୍ଗୀକୃତ ହୋଇପାରନ୍ତି, କିନ୍ତୁ ଲୋକ ପ୍ରତିନିଧି ହେବାକୁ ତାଙ୍କର ଦକ୍ଷତା ଓ ସ୍ବଚ୍ଛତା କେତେ? ନିଶା ନିବାରଣ ଓ ପରିବେଶ ସୁରକ୍ଷା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କ’ଣ ତାଙ୍କର ଆଭିମୁଖ୍ୟ ? ଲୋକେ ଏସବୁ କଥା ବିଚାର ନ କରି ଭୁଲିଯାଆନ୍ତି ନେତାଙ୍କ ମଧୁର ବଚନ ଓ ତେରଛା ହସରେ। ‘ମନବୋଧ ଚଉତିଶା’ରେ କବି ଭକ୍ତଚରଣ ଦାସ ଲେଖିଛନ୍ତି-” ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ଚିରି ଭିତର ଦେଖ କି ନାରଖାର।“ ଏ କଥାଟି ଆମ ରାଜନେତାଙ୍କ ପାଇଁ ସମ୍ପର୍ଣ୍ଣ ପ୍ରଯୁଜ୍ୟ। ଅଥଚ ନେତାଙ୍କ ମୁଖାପିନ୍ଧା ଚେହେରା ଦେଖି ବାରମ୍ବାର ଭୁଲ୍‌ କରୁଛନ୍ତି ମତଦାତା।
ସବୁ ରାଜନୈତିକ ଦଳ ଆତ୍ମଘୋଷିତ ରାଷ୍ଟ୍ରବାଦୀ। ଜନକଲ୍ୟାଣ ନିମନ୍ତେ ସବୁଦଳ ସମର୍ପିତ। ଲୋକଙ୍କ ପାଇଁ କିଏ କ’ଣ କରିଛି ବା କରିବ, ତାକୁ ନେଇ ସବୁ ଦଳର ତାଲିକା ଖୁବ୍‌ ଲମ୍ବା। ସେହି ଆଧାରରେ କିଏ ହାତୀ ଦେବ ବୋଲି ପ୍ରତିଶ୍ରୁତି ଦେଲାଣି ତ କିଏ ଥୋଇଲାଣି ଘୋଡ଼ା ଦେବାର ଗ୍ୟାରେଣ୍ଟି। କିନ୍ତୁ ଏହା ପଛରେ ଯେଉଁ ରାଜନୈତିକ କପଟ-କୌଶଳ ରହିଛି ତାହା ହିଁ ଲୋକଙ୍କ ପାଇଁ ଅସଲ ଗ୍ୟାରେଣ୍ଟି। ସବୁ ଦଳର ନାରା ଗରିବ ହଟାଓ। ଅସଲରେ କିନ୍ତୁ ସମସ୍ତେ ଚାହାନ୍ତି ଦାରିଦ୍ର୍ୟର ସ୍ଥାୟିତ୍ୱ। ଦାରିଦ୍ର୍ୟ ଦୂରୀକରଣ ପାଇଁ ଏଠି ତିଆରି ହୋଇଛି ଜନ୍ମଠାରୁ(ମାଗଣା ପ୍ରସବ ଯୋଜନା) ମୃତ୍ୟୁ ପର ପର୍ଯ୍ୟନ୍ତ (ହରିଶ୍ଚନ୍ଦ୍ର ଯୋଜନା) ଅସୁମାରି ଯୋଜନା। କିନ୍ତୁ ତା’ର ଅନ୍ତରାଳରେ ରହିଛି ଦାରିଦ୍ର୍ୟକୁ ବଳ ଯୋଗାଇବାର ମସୁଧା।
ଶିଶୁଟିଏ ଚାଲି ଶିଖିଲା ବେଳେ ବାରମ୍ବାର ପଡ଼େ ଏବଂ ଏହି ପଡ଼ିବା ଦ୍ବାରା ଭୂଇଁର ଆଘାତ ପାଇ ଶକ୍ତ ହୁଏ ତା’ ଶରୀର। ଧୀରେ ଧୀରେ ସେ ଚାଲି ଶିଖେ ଏବଂ ଏହି ପ୍ରକ୍ରିୟା ପଛରେ ଥାଏ ମାଆର ପ୍ରଯତ୍ନ ଓ ଶିଶୁର ପ୍ରୟାସ। ଅନ୍ୟପକ୍ଷରେ ମା’ ଯଦି ତା’ ପିଲାକୁ ବଡ଼ହେବା ଯାଏ କୋଳରୁ ନ ଛାଡ଼ିବ,ତେବେ ସେ ଚାଲି ଶିଖିବ କେମିତି? କେମିତି ଶକ୍ତ ହେବ ତା’ ଶରୀର? ଏହି ସାମାନ୍ୟ କଥାଟି ସରକାରଙ୍କ ମଗଜକୁ ପଶେନି ନା ଦାରିଦ୍ର୍ୟକୁ କୋଳେଇ କାଖେଇ ବଡ଼ କରିବା ସରକାରଙ୍କ ଲକ୍ଷ୍ୟ? ଏକଥା ସତ୍ୟ ଯେ ଲୋକଙ୍କ ଦାରିଦ୍ର୍ୟ ସହ ଯୋଡ଼ିହୋଇ ରହିଛି କ୍ଷମତା ଦୀର୍ଘାୟୁ ହେବାର ସ୍ବପ୍ନ ଓ ସମ୍ଭାବନା। ସେଥିପାଇଁ କେବଳ ରାଜ୍ୟ ସରକାର ନୁହନ୍ତି, ଦାରିଦ୍ର୍ୟର ସ୍ଥାୟିତ୍ୱ ନିମନ୍ତେ କେନ୍ଦ୍ର ସରକାର ମଧ୍ୟ ବଦ୍ଧପରିକର। ଗୋଟିଏ ଦଶନ୍ଧି ପୂର୍ବରୁ ପ୍ରତିଦିନ ଦେଶର ଖବରକାଗଜ ପୃଷ୍ଠା ମଣ୍ଡନ କରୁଥିଲା ଅନାହାର ଜନିତ ମୃତ୍ୟୁ। ଏହାର ପ୍ରତିକାର ପାଇଁ ୨୦୧୩ ରେ ଆସିଲା ଖାଦ୍ୟ ସୁରକ୍ଷା ଆଇନ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣାରେ ଯୋଗେଇ ଦିଆଗଲା ଚାଉଳ, ଗହମ ଆଦି ଖାଦ୍ୟଶସ୍ୟ। ଏହାଦ୍ବାରା ଦେଶରୁ ଅନାହାର ମୃତ୍ୟୁ ହଟିଲା ସତ, କିନ୍ତୁ ନିଜ ଜାଗାରୁ ଇଞ୍ଚେ ବି ଘୁଞ୍ଚିଲାନି ଦାରିଦ୍ର୍ୟ।
ବିଶେଷଜ୍ଞଙ୍କ କହିବା ଅନୁସାରେ କୌଣସି ଜନ କଲ୍ୟାଣକାରୀ ଯୋଜନାର ଆଭିମୁଖ୍ୟ ଯଦି ଅର୍ଥନୀତିକୁ ଛାଡ଼ି ରାଜନୀତିକୁ ଜାବୁଡ଼ି ଧରେ,ତେବେ ପରସ୍ପର ବିପରୀତ ଦିଗରେ ଗତି କରନ୍ତି ଲକ୍ଷ୍ୟ ଓ ବାସ୍ତବତା। ଲକ୍ଷ୍ୟ ଥିଲା ଦାରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କୁ ଖାଦ୍ୟଶସ୍ୟ ବାଣ୍ଟିବା, ଯାହା ଅର୍ଥନୀତିର ବିଷୟ। ମାତ୍ର ଖାଦ୍ୟଶସ୍ୟ ବଣ୍ଟନକୁ ଆଧାରକରି ଭୋଟ ମାଗିବା ଅର୍ଥନୀତି ନୁହେଁ, ତୁଚ୍ଛା ରାଜନୀତି। ଏହି କାରଣରୁ ବିଭିନ୍ନ ଯୋଜନାର ଶ୍ରେୟ ନେବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଲାଗିଛି ଟଣାଓଟରା। କିଏ କହୁଛି ଏହା ରାଜ୍ୟ ସରକାରଙ୍କ ଯୋଜନା ତ ଆଉ କିଏ କହୁଛି ଏଥିପାଇଁ କେନ୍ଦ୍ର ଦେଇଛି ଟଙ୍କା। ଅସଲ କଥାଟି ହେଲା ଟଙ୍କା କେନ୍ଦ୍ରର ନୁହେଁ କି ରାଜ୍ୟର ନୁହେଁ, ତାହା ଲୋକଙ୍କ ଟିକସ ଆୟ। ସରକାର କେବଳ ତା’ର ଉତ୍ତରଦାୟୀ। ଅନେକ କ୍ଷେତ୍ରରେ ସରକାରଙ୍କ ଦ୍ବାରା ତା’ର ଦୁରୁପଯୋଗ ହେବା କାରଣରୁ ଦୁର୍ବଳ ହେଉଛି ଦେଶର ଅର୍ଥନୀତି। ବର୍ଷକୁ ବର୍ଷ ବଢୁଛି ମୁଣ୍ଡ ପିଛା ଋଣଭାର। ଏକଥା ଲୋକଙ୍କୁ ଜଣାଇବ କିଏ? ଜଣାଇବା ଦାୟିତ୍ୱ ଥିଲା ଗଣମାଧ୍ୟମର, ଯିଏ ଏବେ ଅସତ୍ୟର ଭାଟ ହୋଇ ସତ୍ୟକୁ ବାଟବଣା କରୁଛି ଦିନ ଆଲୁଅରେ। ଆଗଭଳି ଆଉ କ’ଣ ନିର୍ଭୀକ କବି, ଲେଖକ ଅଛନ୍ତି ଯେ ସେମାନଙ୍କ ସ୍ବର ଓ ସଂଳାପ ଶୁଣିଲେ ସୃଷ୍ଟିହେବ ରାଜଶକ୍ତିର ହୃତ୍‌କମ୍ପନ!
ତେଣୁ ବିଚାର ଏବେ ମତଦାତାଙ୍କ ପାଖରେ। ବିବେକ ମାର୍ଗଦର୍ଶକ ହେଲେ ଆଶାତୀତ ଭାବରେ ବଢ଼ିବ ଗଣତାନ୍ତ୍ରିକ ସୈନିକ ସଂଖ୍ୟା। ଅନ୍ୟଥା ବିରାଡ଼ି ହାତରେ ମାଛଭାର ପଠାଇ ଆଖି ମଳିମଳି କାନ୍ଦିବା ଗଣତନ୍ତ୍ରର ପରବର୍ତ୍ତୀ ପର୍ବ ପର୍ଯ୍ୟନ୍ତ।
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri