ବିଧିବିଧାନ ବନାମ ବିଧିରକ୍ଷା

ଯଦୁମଣି ପାଣିଗ୍ରାହୀ

ଗବାନଙ୍କର ଏ ବିଶାଳ ସୃଷ୍ଟି ଯେମିତି ବିଚିତ୍ର ଓ ରହସ୍ୟମୟ ଠିକ୍‌ ସେମିତି ଏ ସୃଷ୍ଟିକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁପରିଚାଳନା କରିବା ନିମନ୍ତେ ତାଙ୍କ ପ୍ରଣିତ ଓ ନିର୍ଦ୍ଧାରିତ ବିଧିବିଧାନ ବା ନୀତିନିୟମଗୁଡିକ ମାନବ ସମାଜ ଲାଗି ଗୁରୁତ୍ୱପୂର୍ଣ୍ଣ ମନେହୁଏ। ଏହି ପ୍ରାକୃତିକ ନୀତିନିୟମଗୁଡିକ କେଉଁ ଅନାଦି କାଳରୁ ଆଜି ଯାଏ ନିରନ୍ତର ଭାବେ କାର୍ଯ୍ୟକାରୀ ହୋଇ ଆସୁଛି। ଏହାକୁ ବଦଳାଇବାର ସାଧ୍ୟ କାହାର ନାହିଁ। ଉଭୟ ପ୍ରାଣୀ ଓ ଉଦ୍ଭିଦ ଜଗତ ପ୍ରକୃତିର ଏହି ବିଧାନ ଅନୁସାରେ ଚାଲିଛି। ତେବେ ବୁଦ୍ଧି, ବିବେକ ଓ ଜ୍ଞାନର ଅଧିକାରୀ ଭାବେ ସକଳ ପ୍ରାଣୀଜଗତ ମଧ୍ୟରେ ଶ୍ରେଷ୍ଠତାର ଆଖ୍ୟା ପାଇଥିବା ମନୁଷ୍ୟ ଆଜି ପ୍ରକୃତିର ସମସ୍ତ ନୀତି ନିୟମକୁ ନଷ୍ଟ କରିବାରେ ଲାଗିଛି। ପ୍ରକୃତି ତଥା ପରିବେଶ ସ୍ବଚ୍ଛ ଓ ସୁରକ୍ଷିତ ରହିଲେ ସିନା ଯାଇ ଜୀବଜଗତ ତିଷ୍ଠି ରହିବ, ଏକଥାକୁ ସେ ଭୁଲିଯାଇ କେବଳ ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଉଛି। ପରିବେଶ ସୁରକ୍ଷା ନାଁରେ ଯେତେସବୁ କାର୍ଯ୍ୟକ୍ରମ କରାଯାଉଛି ତାହା କେବଳ ବିଧିରକ୍ଷାରେ ସୀମିତ ରହୁଛି। ଫଳରେ ପରିବେଶ ପ୍ରଦୂଷଣ ବଢି ଚାଲିଛି।
ଶିଳ୍ପ ପ୍ରତିଷ୍ଠା, ଖଣି ଖନନ, ରାସ୍ତା ନିର୍ମାଣ ଓ ସହରୀକରଣ ଆଦି ଆଳରେ ନିରନ୍ତର ବୃକ୍ଷ କଟାଯାଉଛି। ଯେଉଁଥିପାଇଁ ବନ୍ୟ ଜୀବଜନ୍ତୁ ବାସସ୍ଥାନ ହରାଇ ଜନବସତିମୁହଁା ହେଉଛନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ବୃକ୍ଷରୋପଣ ନାଁରେ କେବଳ ବିଧି ରକ୍ଷା କରାଯାଉଛି ସିନା ହେଲେ ଜଙ୍ଗଲରୁ ବୃକ୍ଷ ସଂଖ୍ୟା ଦିନକୁଦିନ ବିଲୋପ ହେବାରେ ଲାଗିଛି। ଏପଟେ ନଦୀକୁ ଦୂଷିତ ଜଳ ଓ ବାୟୁମଣ୍ଡଳକୁ ଦୂଷିତ ବାଷ୍ପ ଛଡାଯାଉଛି। ସେପଟେ ନଦୀ ଜଳ ସୁରକ୍ଷାଠାରୁ ପୁଣି ବାୟୁ ପ୍ରଦୂଷଣ ରୋକିବାର ପ୍ରୟାସ ସବୁକିଛି ଖାଲି ଯାହା ବିଧିରକ୍ଷାରେ ସୀମିତ ରହୁଛି। ଭବିଷ୍ୟତର ପରିଣାମ କଥା ଚିନ୍ତା ନ କରି ମଣିଷ କେବଳ ନିଜର ସୁଖ ସୁବିଧା ହାସଲ କରିବାକୁ ଯାଇ ପରିବେଶ ଉପରେ ଅହରହ ଅତ୍ୟାଚାର କରିବାରେ ଲାଗିଛି। ନିଜ ଗୋଡରେ ନିଜେ କୁରାଢି ମାରିବା ଭଳି ଆଜି ବିପଦକୁ ପାଖକୁ ଡାକି ଆଣୁଛି । ଆଜି ଯେତେ ଯାହା ପ୍ରାକୃତିକ ବିପତ୍ତି ଓ ବିପର୍ଯ୍ୟୟମାନ ଘଟୁଛି ସେସବୁ କେବଳ ମନୁଷ୍ୟର ଓଦ୍ଧତ୍ୟ ଓ ଅହଙ୍କାରର ପରିଣାମ। ପ୍ରକୃତିର ବିଧିବିଧାନ ବା ନୀତିନିୟମକୁ ପାଳନ କରିବାର ନିଷ୍ଠା ଓ ଆନ୍ତରିକତା ଯେତେଦିନ ଯାଏ ମଣିଷ ଭିତରେ ସୃଷ୍ଟି ନ ହୋଇଛି, ସେତେଦିନ ଯାଏ ମଣିଷକୁ ଏମିତି ପ୍ରକୃତିର ଦଣ୍ଡ ଭୋଗିବାକୁ ହେଉଥିବ। ଅନ୍ୟପକ୍ଷେ ମଣିଷର ବ୍ୟକ୍ତିଗତ ଓ ପାରିବାରିକ ସର୍ବୋପରି ସାମାଜିକ ଜୀବନକୁ ସରସ, ସୁନ୍ଦର, ଶୃଙ୍ଖଳିତ କରିବା ଲାଗି ମୁନିଋଷି ଓ ମହାପୁରୁଷଗଣ ଅନେକ ବିଧିବିଧାନ ପ୍ରଣୟନ କରିଯାଇଛନ୍ତି। ବେଦ ବେଦାନ୍ତ, କର୍ମକାଣ୍ଡ, ପୁରାଣଶାସ୍ତ୍ର ଓ କାବ୍ୟକବିତା ପୁସ୍ତକାଦିରେ ସେମାନେ ଉକ୍ତ ବିଧିବିଧାନ ସମ୍ପର୍କରେ ଉଲ୍ଲେଖ କରିଯାଇଛନ୍ତି। ହେଲେ ସେସବୁ ଆଜି ମଣିଷ ପାଇଁ ନିରର୍ଥକ ଓ ଅଦରକାରୀ ସାବ୍ୟସ୍ତ ହୋଇଛି।
ଆଜି ଯେତେ ସବୁ ଧାର୍ମିକ ଅନୁଷ୍ଠାନ, ଓଷାବ୍ରତ, ଯାଗଯଜ୍ଞ, ଦେବଦେବୀ ପୂଜା ଓ ବିବାହବ୍ରତାଦିମାନ ପାଳନ କରାଯାଉଛି ସେସବୁରେ ନିଷ୍ଠା, ଭକ୍ତି ଓ ବିଶ୍ୱାସ ଅପେକ୍ଷା ତାମସିକତାର ଭାବ ବାରିହୋଇ ପଡୁଛି। ଆଗ୍ରହ ନାହିଁ କି ଆନ୍ତରିକତା ନାହିଁ। କେବଳ ବିଧିରକ୍ଷା ଲାଗି ମଣିଷ ଯେମିତି ଏସବୁ ନିହାତି ବାଧ୍ୟବାଧକତାରେ କରୁଛି। ବେଦ, କର୍ମକାଣ୍ଡ ଓ ପୁରାଣ ଶାସ୍ତ୍ରାଦିରେ ଉଲ୍ଲିଖିତ ନୀତିନିୟମକୁ ଉପେକ୍ଷା କରିବାର କୁପରିଣାମ ମଣିଷକୁ ଭୋଗିବାକୁ ପଡୁଛି, ଏକଥା ମଣିଷର ଚେତନାକୁ ଆସୁନାହିଁ।
ଆମ ସାମାଜିକ ଜୀବନକୁ ଶୃଙ୍ଖଳିତ, ସଂସ୍କାରିତ ଓ ସୁରକ୍ଷିତ କରିବା ଲାଗି ସରକାରୀ ସ୍ତରରେ ବିଭିନ୍ନ ବିଧିବିଧାନ ବା ନୀତିନିୟମମାନ ପ୍ରଣୟନ କରାଯାଇଛି। ତେବେ ଏହି ନୀତିନିୟମଗୁଡିକ ନାମକୁମାତ୍ର କାର୍ଯ୍ୟକାରୀ ହେଉଛି। ସରକାରୀ ବିଧିବିଧାନ ବା ନୀତିନିୟମକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗର ଅଧିକାରୀମାନେ କେବଳ ବିଧିରକ୍ଷାରେ ସେମାନଙ୍କ କର୍ତ୍ତବ୍ୟ ଶେଷ କରୁଛନ୍ତି। ଆଜିକାଲି ଆମ ସମାଜରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ନିରାକରଣ ନେଇ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ବହୁ ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ ବାସ୍ତବରେ ଏଥିରୁ କୌଣସି ସୁଫଳ ମିଳୁନି। ସେହିପରି ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବାକୁ ସରକାରୀ ବାବୁମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ହେଲେ ବାବୁମାନେ ଅଫିସ ପରିସରରେ ବ୍ୟାନର ଟାଙ୍ଗି ଆଉ ଫଟୋ ଉଠାଇ ସେମାନଙ୍କ କର୍ତ୍ତବ୍ୟ ସମାପନ କରୁଛନ୍ତି। ଠିକ୍‌ ସେମିତି ଲୋକଙ୍କ ଅସୁବିଧା ଓ ଅଭିଯୋଗ ଶୁଣିବାକୁ ବ୍ଲକ ଓ ଜିଲାସ୍ତରର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ହେଲେ ସେସବୁ କେବଳ ବିଧିରକ୍ଷାରେ ସୀମିତ ରହୁଥିବାରୁ ବର୍ଷ ବର୍ଷ ଧରି ଅପେକ୍ଷା ପରେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନି। ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନମାନଙ୍କରେ ମହାପୁରୁଷଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସଠାରୁ ଆରମ୍ଭ କରି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଦିବସ ପାଳନ ସର୍ବୋପରି ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ବଳିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମଗୁଡିକ ପାଳନ ବି କେବଳ ବିଧିରକ୍ଷାରେ ସୀମିତ ରହୁଛି। ଛାତ୍ରୀଛାତ୍ରମାନେ ଏସବୁ ବିଷୟରେ କିଛି ଜାଣିବାର ସୁଯୋଗ ପାଉନାହାନ୍ତି। ବିଧିବିଧାନ ବା ନୀତିନିୟମକୁ ବେଖାତିର କରିବା ଆଜିକାଲି ଆମ ସମସ୍ତଙ୍କର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି ଯେମିତି। ଏହାର ଗୁରୁତ୍ୱ ଓ ଉପକାରିତାକୁ ଉଭୟ ପଦାଧିକାରୀ ଓ ସାଧାରଣ ଲୋକେ ହୃଦୟଙ୍ଗମ କରିବା ପରିବର୍ତ୍ତେ କେବଳ ବିଧିରକ୍ଷାରେ ନିଜକୁ ସୀମିତ ରଖି ନିଜର ଦୂରଦୃଷ୍ଟିହୀନତା ଓ ଅପରିଣାମଦର୍ଶିତାର ପରିଚୟ ଦେବା ଉଚିତ ନୁହେଁ। ତା’ ନ ହେଲେ ଦୈନନ୍ଦିନ ଜୀବନରେ ଆମକୁ ଏମିତି ବିଭିନ୍ନ ସାମାଜିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିବ।
ଶଂଖିଡା, ତିହିଡି, ଭଦ୍ରକ
ମୋ: ୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri