ବିଦ୍ୟା ଅଟଇ ମହାବଳ…

ସୌରଚନ୍ଦ୍ର ମହାପାତ୍ର

ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ। ବିଦ୍ୟା ଅଟଇ ମହାରତ୍ନ, ହୃଦୟେ ଘେନ କରି ଯତ୍ନ। ବିଦ୍ୟା ଅଟଇ ମହାମିତ୍ର, ସେ ସଙ୍ଗେ ହୁଅ ହେ ପବିତ୍ର। ବିଦ୍ୟା ଅଟଇ ମହାବଳ, ସେ ବଳେ ଜିଣ ଭୂମଣ୍ଡଳ’ – ଭକ୍ତ କବି ମଧୁସୂଦନଙ୍କ ଏହି ବିଲକ୍ଷଣ ଧାଡ଼ି ଜୀବନରେ ବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସମ୍ପର୍କରେ ଆମମାନଙ୍କୁ ଆଲୋକ ବର୍ତ୍ତିକା ବାର୍ତ୍ତା ପ୍ରଦାନ କରୁଛି। ମନୁଷ୍ୟ ଶରୀରରେ ଆଖି, କାନ, ପାଟି ଆଦି ସବୁ ଅଙ୍ଗଗୁଡ଼ିକ ପରସ୍ପର ସହିତ ଅଭିନ୍ନ ଭାବରେ ସମ୍ପୃକ୍ତ। ଏହି ଅଙ୍ଗଗୁଡ଼ିକ ଯେପରି ମନୁଷ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ସେହିପରି ସାମାଜିକ ପ୍ରକ୍ରିୟାର ଏକ ଅଙ୍ଗ ଭାବରେ ମନୁଷ୍ୟ ମଧ୍ୟ ସମାଜ ପାଇଁ ଗୁରୁତ୍ୱ ପୂର୍ଣ୍ଣ। ମନୁଷ୍ୟ ମାନବଜାତିର ଏକ ଅଂଶ। ପ୍ରକୃତି ଈଶ୍ୱରଙ୍କର ଏକ ଅଂଶ। ଏହି ପାରସ୍ପରିକ ସମ୍ପର୍କକୁ ମନୁଷ୍ୟ ଜାଣିପାରି ନାହିଁ।
ଆମ୍ଭେମାନେ ପ୍ରକୃତରେ ଜଣେ ଜଣେ ମଞ୍ଚ ନିର୍ଦ୍ଦେଶକଙ୍କ ପରି ଜୀବନ ନିର୍ବାହ କରୁଛେ। ମନୁଷ୍ୟ ନିଜ ଅଧିକାର ପାଇଁ ସଂଗ୍ରାମ କରୁଛି ନିଜର ଦାୟିତ୍ୱକୁ ଭୁଲିଯାଇ। ଗଭୀର ଭାବରେ ଅନୁସନ୍ଧାନ କଲେ ଜଣାଯିବ ଯେ ଏ ସଂସାରରେ ମନୁଷ୍ୟର କୌଣସି ଅଧିକାର ନାହିଁ। ତା’ର କେବଳ କର୍ତ୍ତବ୍ୟ ଅଛି, ଅଧିକାର ନୁହେଁ। ନିଜର କର୍ତ୍ତବ୍ୟ ସମ୍ପାଦନ ନ କରି ଅଧିକାର ପାଇଁ ଲଢ଼ିବା ନିର୍ବୋଧତା। ”ସଂସାରରେ ସବୁ ପ୍ରକାର ଦ୍ୱନ୍ଦ୍ୱ ଓ ବିଶୃଙ୍ଖଳାର କାରଣ ହେଉଛି ମନୁଷ୍ୟ ନିଜର କର୍ତ୍ତବ୍ୟକୁ ଭୁଲିଯିବା। ଆମ୍ଭେମାନେ ନିଜର କର୍ତ୍ତବ୍ୟର ସୁସମ୍ପାଦନ କଲେ ଜଗତ ଶାନ୍ତ ଓ ସମୃଦ୍ଧ ହେବ। ତା’ର ଏକମାତ୍ର ଅଧିକାର ହେଉଛି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା। ତା’ର ଆଉ ଅନ୍ୟ କୌଣସି ଅଧିକାର ନାହିଁ। ପିତାମାତାମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କଲେ ପିଲାମାନେ ମଧ୍ୟ ନିଜର ଦାୟିତ୍ୱ ହୃଦୟଙ୍ଗମ କରିବେ। ପିଲାମାନେ ନିଜର ମାତାପିତାଙ୍କ ପ୍ରତି କର୍ତ୍ତବ୍ୟ ସମ୍ପାଦନ କଲେ ମାତାପିତାମାନେ ସମ୍ମାନିତ ହେବେ। ସେହିପରି ଶିକ୍ଷକମାନେ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କଲେ ଛାତ୍ରମାନେ ଠିକ୍‌ ଭାବରେ ଆଚରଣ କରିବେ। ଛାତ୍ରୀଛାତ୍ରମାନେ ସେମାନଙ୍କର କର୍ତ୍ତବ୍ୟ ଠିକ୍‌ ଭାବରେ ସମ୍ପାଦନ କଲେ, କର୍ମକର୍ତ୍ତାମାନେ ସମ୍ମାନ ଲାଭ କରିବେ।“
ଆଜିର ସମୟକୁ ଦେଖିଲେ, ଆମ୍ଭେମାନେ ବାସ୍ତବରେ ଆମ ଦାୟିତ୍ୱ ସବୁକୁ ନିର୍ବାହ କରିବାରେ ଏକ ପ୍ରକାର ଭୁଲି ଯାଇଛୁ। ପ୍ରତ୍ୟେକ ନିଜର କର୍ତ୍ତବ୍ୟ କଲେ ସମସ୍ତଙ୍କୁ ଲାଭ ମିଳିବ। ମଣିଷ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯୋଗ୍ୟ, ତାହାର ଫଳ ପାଇଁ ନୁହେଁ। ଶିକ୍ଷା କ୍ଷେତ୍ରକୁ ଦେଖିଲେ ସେଠାରେ ମଧ୍ୟ ମୂଲ୍ୟବୋଧର ଅବକ୍ଷୟ। ଆଜି ଶିକ୍ଷା ଜଗତ ବହୁବିଧ ସମସ୍ୟାରେ ପରିପୂର୍ଣ୍ଣ; ଯାହା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ବିଚଳିତ କରୁଛି। ଶିକ୍ଷା ପଦ୍ଧତି ସମାଜରେ ମାନବୀୟ ମୂଲ୍ୟବୋଧର ବିଧ୍ୱଂସରେ ସହାୟକ ହେଉଛି। ଦେଶର ସର୍ବବିଧି ଅଭିବୃଦ୍ଧି ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକ ନେତୃତ୍ୱ ନେବା କଥା, କିନ୍ତୁ ସେଗୁଡ଼ିକ ଦେଶକୁ ପଥଭ୍ରଷ୍ଟ କରୁଛନ୍ତି। ତ୍ୟାଗ, ଚରିତ୍ରବତ୍ତା, ସାଧୁତା ଓ ନୈତିକତା ଆଦି ମାନବୀୟ ମୂଲ୍ୟବୋଧଗୁଡ଼ିକ ପ୍ରାୟ ଉଭେଇ ଗଲେଣି। ଆମର ଯାହା ଦରକାର ତାହା ଏକ ନୂତନ ଶିକ୍ଷାପଦ୍ଧତି ବା ଏକ ନୂତନ ସମାଜ ବ୍ୟବସ୍ଥା କିମ୍ବା ଏକ ନୂଆ ଧର୍ମ ନୁହେଁ। ନୂତନ ସମାଜ ତିଆରି ପାଇଁ ଏବଂ ଏହାର ଆଦର୍ଶଗତ ପ୍ରଗତି ପାଇଁ ଅନେକ ଉଦ୍ୟମ, କଳ୍ପନାଜଳ୍ପନା ଦେଖିବାକୁ ମିଳୁଛି କିନ୍ତୁ ଏସବୁ ବୃଥାରେ ପରିଣତ ହେଉଛି। କେବଳ ଉତ୍ତମ ଲୋକ ଚରିତ୍ର ହିଁ ଉତ୍ତମ ରାଷ୍ଟ୍ର ପରିଚାଳନାରେ ସହାୟକ ହୋଇଥାଏ। ମହତ୍‌ ମନ ଓ ହୃଦୟସମ୍ପନ୍ନ ଲୋକମାନେ ରହିଲେ ରାଷ୍ଟ୍ର ପ୍ରଗତିଶୀଳ ହେବ। ଏପରି ଲୋକମାନେ ସମାଜରେ ସେତିକିବେଳେ ବାହାରିବେ ଯେତେବେଳେ ସମାଜରେ ମାନସିକ ନିର୍ମଳତା ଓ ନୈତିକତା ରହିବ। ନୈତିକ ମୂଳଦୁଆରେ ପ୍ରତିଷ୍ଠିତ ସମାଜ ହିଁ ଏପରି ମହତ୍‌ ଲୋକମାନଙ୍କର ପୁଷ୍ଟି କରିପାରିବ।
ଆଜି ଆମେମାନେ ଆଧ୍ୟାତ୍ମିକତାକୁ ଭୁଲିଯାଇ ବିଷୟ ବାସନା ଉପରେ ଆଧାରିତ କୃତ୍ରିମ ଜୀବନଯାପନ କରୁଛୁ। ରାଷ୍ଟ୍ରର କଲ୍ୟାଣ ନିମନ୍ତେ ଶିକ୍ଷାର ପ୍ରୟୋଗ ହେବା ଉଚିତ। ଶିକ୍ଷା ମାଧ୍ୟମରେ ଉପଲବ୍ଧ ଜ୍ଞାନ ସମାଜର କଲ୍ୟାଣ ନିମନ୍ତେ ନିଃସ୍ବାର୍ଥପର ଭାବରେ ବିନିଯୋଗ କରାଯିବା ଉଚିତ। ଛାତ୍ରମାନଙ୍କ ମଧ୍ୟରେ ଏହିପରି ମନୋଭାବ ବିକଶିତ କରିବାକୁ ହେଲେ ସେମାନେ ଉତ୍ତମ ଗୁଣାବଳୀର ଅନୁଶୀଳନ କରିବା ଉଚିତ। କେବଳ ଉତ୍ତମ ଚରିତ୍ରସମ୍ପନ୍ନ ଛାତ୍ରର ମାତୃଭୂମି ପ୍ରତି ପ୍ରେମ ଓ ସମାଜକଲ୍ୟାଣ ପାଇଁ ଚିନ୍ତା ରହିବ। ଶିକ୍ଷା ଆତ୍ମ କଲ୍ୟାଣ ବା ନିଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ନୁହଁ ଏହା ବିଶ୍ୱକଲ୍ୟାଣ ଲାଗି ଉତ୍ସର୍ଗିତ ହେବା ଉଚିତ। ଛାତ୍ରଠାରେ ଉତ୍ତମ ଗୁଣାବଳୀ ରହିଲେ ହିଁ ସେ ଜାତୀୟ ନିରାପତ୍ତା, ସମୃଦ୍ଧି ଓ କଲ୍ୟାଣ ଏବଂ ରାଷ୍ଟ୍ରର ଉନ୍ନତି ଓ ମାନବଜାତି ପ୍ରତି ପ୍ରେମ ପାଇଁ କାମ କରିପାରିବ। ଆମ୍ଭେମାନେ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ପ୍ରତ୍ୟେକେ ବିଶ୍ୱାସ କରିବା ଉଚିତ।
ଶ୍ରୀ ସତ୍ୟସାଇ ତାଙ୍କ ଦିବ୍ୟ ସମ୍ଭାଷଣରେ ଉଲ୍ଲେଖ କରିଛନ୍ତି – ‘ଜଣେ ଯେତେ ଜ୍ଞାନ ଆହରଣ କଲେ ବି ତାହା ସମସ୍ତଙ୍କ ହିତ ପାଇଁ ପ୍ରୟୋଗ କରିବା ଉଚିତ। ତା’ହେଲେ ହିଁ ସେ ଜ୍ଞାନ-ସମ୍ପନ୍ନ ହୋଇପାରିବ। ଏପରି ଜ୍ଞାନୀଜନ ସମସ୍ତ ସଦ୍‌ଗୁଣରେ ଅଳଙ୍କୃତ ହେବା ଉଚିତ।’ ଏହି ମହତ୍‌ ଅଭିପ୍ରାୟରେ ପ୍ରାଚୀନ ଶିକ୍ଷାପଦ୍ଧତି ପ୍ରଚଳିତ ଥିଲା। ଆଜି ଛାତ୍ରମାନେ ଯାହା ସବୁ ଶିଖୁଛନ୍ତି ତାହା ଭାରତୀୟ ଶିକ୍ଷାପଦ୍ଧତି ସହିତ ଅସମ୍ପୃକ୍ତ। ଯେଉଁ ଶିକ୍ଷାପଦ୍ଧତି ମନକୁ ଭୃତ୍ୟଭାବାପନ୍ନ କରି ପକାଏ ଏବଂ ଚାକିରି ଖୋଜିବାର ମନୋବୃତ୍ତି ସୃଷ୍ଟି କରେ, ତାହାର ଭାରତୀୟ ଶିକ୍ଷା ସହିତ କୌଣସି ସମ୍ପର୍କ ନାହିଁ। ତମାମ ଜୀବନ ଭିତରେ ଜ୍ଞାନର ଜିଜ୍ଞାସା, ଅଧ୍ୟୟନର ଅନ୍ତ ହୋଇ ନ ଥାଏ। ଜୀବନ ବିସ୍ତାରୀ ଜ୍ଞାନ, ମଣିଷର ଆୟୁଷ ଭିତରେ ସେ ସହିପାରି ନ ଥାଏ। ଭକ୍ତ କବି ମଧୁସୂଦନଙ୍କ ସେହି କାଳଜୟୀ ଧାଡ଼ିଟି ଉଦ୍ଧୃତ କରୁଛି – ‘ନୁହେଁ ବୃଦ୍ଧ ସେହି ଜନ, ଶୁକ୍ଳକେଶ ଅଟେ ଜାର ଶିର। ଯୌବନେ ଯେ ଜ୍ଞାନେରତ, ଦେବେ ତାକୁ ବୋଲନ୍ତି ସ୍ତବିର।’
ବରିଷ୍ଠ ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ, ମୋ : ୯୪୩୭୦୦୪୪୬୬


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri