Posted inଜାତୀୟ

ବିଡିଏ ନିର୍ଦ୍ଦେଶକୁ ମାନିଲେନି ମଲ୍‌ କର୍ତ୍ତୃପକ୍ଷ:ଖୋଲାଖୋଲି ପାର୍କିଂ ଫି ଆଦାୟ କଲେ

ଭୁବନେଶ୍ୱର, ୧୮-୧୦ (ସ୍ଥିତପ୍ରଜ୍ଞ ମିଶ୍ର):ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌, ମଲ୍‌, ଆପାର୍ଟମେଣ୍ଟରେ ପାର୍କିଂ ଫି ଆଦାୟ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ବୁଧବାର ନିର୍ଦ୍ଦେଶ ଦେଇଥିଲେ। ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ହେଲେ ଗୋଟିଏ ଦିନ ବି ମାନିଲେନି ମଲ୍‌ ଓ ଘରୋଇ ହସ୍ପିଟାଲ ମାଲିକ। ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଗୁରୁବାର ଲୋକଙ୍କଠାରୁ ପାର୍କିଂ ଫି ନେଇଛନ୍ତି। କେତେକ ସ୍ଥାନରେ ଗଣମାଧ୍ୟମଠାରୁ ଦୂରେଇ ରହିବା ପାଇଁ ଭିନ୍ନ ପନ୍ଥା ଆପଣାଯାଇଛି। ତେବେ ଏହାକୁ ଲୋକେ ବିରୋଧ କରିଥିଲେ ମଧ୍ୟ ଦାୟିତ୍ୱରେ ଥିବା କର୍ମଚାରୀ ନାଲିଆଖି ଦେଖାଇଥିବା ଅଭିଯୋଗ ହୋଇଛି।
ବାସ୍ତବ ସ୍ଥିତି ପରଖିବାକୁ ଆମ ପ୍ରତିନିଧି ସହରର ପ୍ରମୁଖ ମଲ୍‌ ଓ ଘରୋଇ ହସ୍ପିଟାଲକୁ ଯାଇଥିଲେ। ଶହୀଦନଗରସ୍ଥିତ ବିଏମ୍‌ସି ଭବାନୀ ମଲ୍‌ରେ ପୂର୍ବପରି ପାର୍କିଂ ହେଉଥିବା ଦେଖାଯାଇଥିଲା। କିନ୍ତୁ ପ୍ରବେଶଦ୍ୱାରକୁ ଛାଡ଼ି ପାର୍କିଂ ସ୍ଥଳରେ ଫି ଆଦାୟ କରାଯାଉଥିଲା। ଲୋକେ ଗାଡ଼ି ରଖିସାରିବା ପରେ କର୍ମଚାରୀମାନେ ଫି ମାଗି ନେଉଥିଲେ। ବାଇକ୍‌ ପାଇଁ ୧୦ଟଙ୍କା ଓ କାର୍‌ ୨୦ ଟଙ୍କା ଆଦାୟ କରାଯାଇ ରସିଦ ଧରାଇ ଦିଆଯାଉଥିଲା। ଲୋକେ ନିୟୋଜିତ ସିକ୍ୟୁରିଟି ଗାର୍ଡଙ୍କୁ ପଚାରିବାରୁ ସେମାନେ କହିଥିଲେ, ଏହା ‘ପାର୍କିଂ ଫି ନୁହେଁ, ସେଫ୍‌ ମେଣ୍ଟେନାନ୍ସ ଚାର୍ଜ’। ରସିଦ ନ ଦେଖାଇଲେ ଗେଟ୍‌ରୁ ବାହାରିପାରିବେନି ବୋଲି କହି ପରୋକ୍ଷ ଧମକ ଦେଇଥିଲେ। ତେବେ କେତେଜଣ ଲୋକ ସିକ୍ୟୁରିଟି ଅଫିସରଙ୍କୁ ଭେଟିବାକୁ ଚହିଁଥିଲେ ମଧ୍ୟ ଏଡ଼ାଇ ଯାଇ ଅଯଥା ଗହଳି କରନ୍ତୁ ନାହିଁ ବୋଲି କହି ସ୍ଥାନ ଛାଡ଼ିବାକୁ ଉଚ୍ଚଗଳାରେ କହିଥିଲେ।
ସେହିପରି ରସୁଲଗଡ଼ ନିକଟ କଟକରୋଡ୍‌ରେ ଥିବା ଏସ୍‌ପ୍ଲାନେଡ୍‌ ମଲ୍‌ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ମଲ୍‌କୁ ପ୍ରବେଶ କରିବା ବାଟରେ ହିଁ ଦୁଇଜଣ ମହିଳା କର୍ମଚାରୀ ପାର୍କିଂ ଫି ଆଦାୟ କରୁଥିଲେ। ଏହା ବେଆଇନ ବୋଲି ବିଡିଏ ଘୋଷଣା କରିଥିବାବେଳେ ଆପଣ କେମିତି ଫି ନେଉଛନ୍ତି ବୋଲି ପ୍ରଶ୍ନ କରିବାରୁ ସେମାନେ ଏ ବିଷୟରେ କିଛି ଜାଣି ନ ଥିବା କହିଥିଲେ। ମଲ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ପାର୍କିଂ ସ୍ଥଳ ପରିଚାଳିତ ହେଉଛି, ଫି ଆଦାୟ ବନ୍ଦ କରିବାକୁ କୁହାଯାଇ ନ ଥିବା ସେମାନେ କହିଥିଲେ।
ଅନ୍ୟପକ୍ଷରେ ସତ୍ୟନଗରସ୍ଥିତ ଫୋରମ୍‌ ମାର୍ଟ ଭିନ୍ନ ପନ୍ଥା ଆପଣାଇଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ମଲ୍‌ ପରିସରରେ ହେଉଥିବା ପାର୍କିଂକୁ ଯିବା ପ୍ରବେଶ ପଥରେ ପାର୍କିଂ ଫୁଲ୍‌ ଲେଖାଥିବା ବୋର୍ଡ ରଖି ଭିତରକୁ ଗାଡ଼ି ଛଡ଼ାଯାଉ ନ ଥିଲା। ଉପସ୍ଥିତ ସିକ୍ୟୁରିଟି ଗାର୍ଡ ଆସୁଥିବା ଲୋକଙ୍କୁ ଏହା କେବଳ ଷ୍ଟାଫ୍‌ଙ୍କ ପାଇଁ ରଖାଯାଇଥିବା କହୁଥିଲେ। ମଲ୍‌ ପାର୍ଶ୍ୱରେ ଥିବା ବିଏମ୍‌ସି ପାର୍କିଂ ସ୍ଥଳରେ ଗାଡ଼ି ରଖିବାକୁ କହି ସେମାନଙ୍କୁ ବିଦା କରୁଥିଲେ। କିନ୍ତୁ ପୂର୍ବପରି ଫାଟକର ଗୋଟିଏ ପାର୍ଶ୍ୱରେ ୪ ଚକିଆ ଯାନକୁ ୨ ଘଣ୍ଟା ପାଇଁ ପାର୍କିଂ ଫି ୨୦ ଟଙ୍କା ଓ ପରବର୍ତ୍ତୀ ଅତିରିକ୍ତ ଘଣ୍ଟା ଲାଗି ୧୦ ଟଙ୍କା ଲେଖାଯାଇଥିବା ଦେଖିବାକୁ ମିଳିଥିଲା।
କେବଳ ମଲ୍‌ ନୁହେଁ, ବିଭିନ୍ନ ସିନେମା ହଲ୍‌ ଓ ମଲ୍ଟିପ୍ଲେକ୍ସରେ ମଧ୍ୟ ଖୁଲମ୍‌ଖୁଲା ପାର୍କିଂ ଆଦାୟ ହେଉଥିଲା। ଶ୍ରୀୟା, ଶ୍ରୁତି, ସ୍ତୁତି ସିନେ କମ୍ପ୍ଲେକ୍ସ ହେଉ କି କେଶରୀ ଅଥବା ମହାରାଜା ସମସ୍ତ ସିନେମା ହଲ୍‌ରେ ଲୋକଙ୍କଠାରୁ ପାର୍କିଂ ଫି ନିଆଯାଉଥିଲା। ସେହିଭଳି ଆପୋଲୋ, କଳିଙ୍ଗ ହସ୍ପିଟାଲ, କିମ୍ସ, କେୟାର ଆଦି ପ୍ରମୁଖ ଘରୋଇ ହସ୍ପିଟାଲ ପକ୍ଷରୁ ମଧ୍ୟ ଗାଡ଼ି ରଖିବା ପାଇଁ ଫି ଆଦାୟ କରାଯାଉଥିବା ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ଲୋକେ ପ୍ରତିବାଦ କରିବାରୁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।
ଏନେଇ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ମୋଟ ୭୨ ବିଲ୍ଡିଂ ବେଆଇନ ଭାବେ ପାର୍କିଂ ଫି ଆଦାୟ କରୁଥିବା ଜଣାପଡିଛି। କାହିଁକି ସେମାନେ ପାର୍କିଂ ଫି’ ଆଦାୟ କରୁଛନ୍ତି ସେନେଇ ନୋଟିସ୍‌ କରାଯିବ। ଦିଆଯାଉଥିବା ମଧ୍ୟରେ ସଂଶୋଧନ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟଁା କହିଛନ୍ତି, ଲୋକେ ଆମକୁ ଅଭିଯୋଗ କରନ୍ତୁ, ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏହାଛଡ଼ା ବିଡିଏର ଏକ ଟିମ୍‌ କ୍ଷେତ୍ର ପରିଦର୍ଶନ କରୁଛି। ବେଆଇନ ପାର୍କିଂ ଫି ଆଦାୟ ନଜରକୁ ଆସିଲେ ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉକ୍ତ ସଂସ୍ଥାକୁ ନୋଟିସ କରାଯିବା ସହ ମାସେ ସମୟ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri