ପାଟକୁରାରେ ଖବରଦାତାଙ୍କୁ ଦୁର୍ବ୍ୟବହାର ଘଟଣା : ବିଧାନସଭାରେ ହଟ୍ଟଗୋଳ; କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିଲମ୍ବନ ଦାବି

ଭୁବନେଶ୍ୱର,୧୮।୭(ବ୍ୟୁରୋ) : ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ହଟାଯାଉ, ନଚେତ୍‌ ଗୃହ ଚଳାଇ ଦେବୁ ନାହିଁ। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଧାନସଭାରେ ହଙ୍ଗାମା କରିଥିଲେ। ପ୍ରସଙ୍ଗ ଗୋଟିଏ ହେଲେ ମଧ୍ୟ ଭାଜପା ଏବଂ କଂଗ୍ରେସ ଭିନ୍ନ ଭିନ୍ନ ଢଙ୍ଗରେ ସରକାରଙ୍କୁ ଘେରିଛନ୍ତି। ପାଳି କରି ଉଭୟ ଦଳ ଗୃହକୁ ବାରମ୍ବାର ଅଚଳ କରିଛନ୍ତି। ଏହାକୁ ନେଇ ଗୃହରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା। ଭାଜପା ଏହି ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ କୈଫିୟତ ତଲବ କରୁଥିବାବେଳେ କଂଗ୍ରେସ ସଦସ୍ୟମାନେ ଚୁପ୍‌ ହୋଇ ବସିଥିଲେ। ସାମ୍ବାଦିକଙ୍କ ବିଷୟବସ୍ତୁ ହୋଇଥିବାରୁ କଂଗ୍ରେସ ମଧ୍ୟ ଏହି ବିଷୟକୁ ହାତଛଡ଼ା କରିବାକୁ ଚାହିଁ ନ ଥିଲା। ଭାଜପା ସହିତ ତାଳ ଦେଇ ନ ଥିଲେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ଗର୍ଜନ କରିଥିଲା। ଏଥିପାଇଁ ଏକ ଆଇନ ଅଣାଯାଉ ବୋଲି ସେମାନେ ଦାବି କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ବିରୋଧୀଙ୍କ ହୋହଲ୍ଲା ଯୋଗୁ ଗୃହକୁ ବିଭିନ୍ନ ପର୍ଯ୍ୟାୟରେ ୧୧ଟା ୪୯ମିନିଟ୍‌ରୁ ଅପରାହ୍ନ ୩ଟା ଯାଏ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।
ଶୂନ୍ୟକାଳ ଆରମ୍ଭ ମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ପାଟକୁରାଠାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ଏକ ଟିଭି ଚ୍ୟାନେଲ ସାମ୍ବାଦିକଙ୍କୁ ଏସ୍‌ପି ମାଡ଼ ମାରିଥିବା ବିଷୟ ଉଠାଇଥିଲେ। ସେ କହିଥିଲେ ଯେ, ରାଜ୍ୟରେ ସାମ୍ବାଦିକମାନେ ମଧ୍ୟ ସୁରକ୍ଷିତ ନୁହନ୍ତି। ଏସ୍‌ପି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଛନ୍ତି, ତାଙ୍କୁ ମାଡ଼ ମାରିଛନ୍ତି। ତୁରନ୍ତ ଏସ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଜିଲାପାଳମାନେ ବିଜେଡିର ଜିଲା ସଭାପତି ଏବଂ ଏସ୍‌ପିମାନେ ଜିଲା ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ସାମ୍ବାଦିକମାନେ ଖବର ସଂଗ୍ରହ କରିବାକୁ ଯାଇଥାନ୍ତି। ସେମାନଙ୍କୁ ଏଭଳି ବ୍ୟବହାର କରିବା କେତେଦୂର ଯଥାର୍ଥ ବୋଲି ପ୍ରଦୀପ୍ତ ପ୍ରଶ୍ନ କରିଥିଲେ। ଏସ୍‌ପିଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ବିରୋଧୀ ଦଳ ନେତା ଉଠାଇଥିବା ପ୍ରସଙ୍ଗକୁ ସମର୍ଥନ କରି କହିଥିଲେ, ବୁଧବାର ମୁଖ୍ୟମନ୍ତ୍ରୀ ପାଟକୁରାରେ ରୋଡ୍‌ ଶୋ’ କରୁଥିଲେ। ଗୋଟିଏ ଟିଭି ଚ୍ୟାନେଲର ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରାଗଲା, ରାଜ୍ୟରେ ଗଣତନ୍ତ୍ର ନା ରାଜତନ୍ତ୍ର ନା ପୋଲିସତନ୍ତ୍ର ନା ନବୀନତନ୍ତ୍ର ଚାଲିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଜି ବି ଦେଶ ସ୍ବାଧୀନ ହୋଇନି। ଦେଶ ଓ ରାଜ୍ୟ ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ ବୋଲି ସେ କହିଥିଲେ।
ଭାଜପା ସଭ୍ୟ ବିଷ୍ଣୁଚରଣ ସେଠୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଗତ ଦୁଇ ତିନି ଦିନ ପୂର୍ବରୁ ଆମେ ଆଇନଶୃଙ୍ଖଳା କଥା ଉଠାଇଥିଲୁ। ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖିଲେ। ସେହି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଧକ୍କା ମରାଯାଇଛି। କିଟ୍‌ ବିଶ୍ୱବିଦ୍ୟାଳୟ ପରିସରକୁ ଜମି ହଡ଼ପ ମାମଲାରେ ଯାଇଥିବା ସାମ୍ବାଦିକମାନଙ୍କୁ ମଧ୍ୟ ସେଠାରେ ଭଡ଼ାଟିଆ ଗୁଣ୍ଡା ଲଗାଇ ମାଡ଼ ମରାଗଲା। ସେହି ସଂସ୍ଥାର ଲୋକଙ୍କୁ ବିଜେଡି ଟିକେଟ ଦେଇଛି। ଗଣତନ୍ତ୍ରର ଚତୁର୍ଥସ୍ତମ୍ଭକୁ କାହିଁକି ସୁରକ୍ଷା ଦିଆଯାଉନାହିଁ। ମହାରାଷ୍ଟ୍ରରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଆଇନ ରହିଛି। ରାଜ୍ୟରେ ମଧ୍ୟ ସାମ୍ବାଦିକଙ୍କ ପାଇଁ ଆଇନ ହେଉ। ବାଚସ୍ପତି ଏନେଇ ରୁଲିଂ ଦିଅନ୍ତୁ ବୋଲି ସେ କହିଥିଲେ। ଏହି ସମୟରେ ଭାଜପା ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରୁଲିଂ ଦିଆଯାଉ ବୋଲି ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ। ମାତ୍ର ବାଚସ୍ପତି ସଦସ୍ୟମାନଙ୍କୁ ନିଜ ସିଟ୍‌କୁ ଚାଲିଯିବାକୁ କହିବା ସହିତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ସହଯୋଗ ପାଇଁ ଅନୁରୋଧ କରିଥିଲେ। ଏ ବିଷୟରେ ଚିନ୍ତା କରି କହିବି ବୋଲି ବାଚସ୍ପତି କହିଥିଲେ। ମାତ୍ର ଭାଜପା ସଦସ୍ୟମାନେ ବାଚସ୍ପତିଙ୍କ କଥାକୁ ଏଡ଼ାଇ ଦେଇ ନାରାବାଜି କରିଥିଲେ। ପୋଲିସ ଶାସନ ଚଳିବ ନାହିଁ, ଚଳିବ ନାହିଁ, ପୋଲିସ ଜୁଲମ ବନ୍ଦ କର, ବନ୍ଦ କର ସ୍ଲୋଗାନ ଦେଇ ବିଧାନସଭାକୁ କମ୍ପାଇ ଦେଇଥିଲେ। ଏପରିକି ଗୃହରେ ଧାରଣାରେ ବସିଥିଲେ। ହଟ୍ଟଗୋଳ ଚାଲିଥିବାବେଳେ ବାଚସ୍ପତି ପ୍ରଦୀପ ମହାରଥୀଙ୍କୁ କହିବା ପାଇଁ ସୁଯୋଗ ଦେଇଥିଲେ। ମହାରଥୀ ହଟ୍ଟଗୋଳ ଚାଲିଥିବାବେଳେ ବୁଧବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କ ପ୍ରତି ଦେଇଥିବା ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍‌ ଦେବା ଲାଗି କହିଥିଲେ। ହଟ୍ଟଗୋଳ ଜୋରଦାର ହେବାରୁ ବାଚସ୍ପତି ଗୃହକୁ ୧୧ଟା ୪୯ ମିନିଟ୍‌ରେ ୧୫ ମିନିଟ୍‌ ଲାଗି ମୁଲତବୀ ଘୋଷଣା କରିଥିଲେ। ଏହା ପରେ ଆଉ ୩୦ ମିନିଟ୍‌ ମୁଲତବୀ କରାଯାଇଥିଲା। ୧୨ଟା ୫୦ରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ କଂଗ୍ରେସ ସଦସ୍ୟମାନେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ହଟ୍ଟଗୋଳ କରିଥିଲେ। ତେବେ ଏହି ପ୍ରସଙ୍ଗ ଉଠାଇଥିବା ଭାଜପା ସଦସ୍ୟମାନେ କଂଗ୍ରେସ ସହ ତାଳ ଦେଇ ନ ଥିଲେ। ଚୁପ୍‌ଚାପ ନିଜ ସିଟ୍‌ ନିକଟରେ ଛିଡ଼ା ହୋଇ ରହିଥିଲେ। ଏହାକୁ ଦେଖି କଂଗ୍ରେସ ସଦସ୍ୟମାନେ ସଲାସୁତରା ଚଳିବ ନାହିଁ ଚଳିବ ନାହିଁ, ବାଚସ୍ପତି ଆମର ଦାବି ମାନି ନିଅ, ମାନି ନିଅ ସ୍ଲୋଗାନ ଦେଇଥିଲେ। ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ୧୨ଟା ୫୬ ମିନିଟ୍‌ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୨୫ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଇତିମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ରବିବାର…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

‘ମୁଁ ଫୋନ୍ କରୁଥିଲି କିନ୍ତୁ…’… ବିରାଟ କୋହଲିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ DCର କୋଚ୍

ନୂଆଦିଲ୍ଲୀ,୨୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବିରୋଧରେ ପୁଣିଥରେ ଏକ ବଡ଼ ଅଭିଯୋଗ ଆସିଛି। ପୂର୍ବତନ ଭାରତୀୟ ସ୍ପିନର୍…

ଆସୁଛି ବାତ୍ୟା: ଇନ୍ଦ୍ରାବତୀର ୨ ଗେଟ୍‌ ଖୋଲିଲା

ନବରଙ୍ଗପୁର,୨୪।୧୦: ସମ୍ଭାବ୍ୟ ବାତ୍ୟା ଏବଂ ବର୍ଷାକୁ ଦୃଷ୍ଟିରେ ରଖି ଶନିବାର ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍‌ ଖୋଲାଯାଇଛି। ଡ୍ୟାମ୍‌ର ୩ ଓ ୬ ନମ୍ବର ଗେଟ୍‌ରୁ ୧୩୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?