ନେତା ନୁହେଁ, ଜନତାର ସେବା

ବୈକୁଣ୍ଠନାଥ ମିଶ୍ର
ବ୍ରିଟିଶ ରାଜତ୍ୱ ସମୟରୁ ଆଜି ପର୍ଯ୍ୟନ୍ତ ପୋଲିସ ପ୍ରତି ଭିନ୍ନ ଏକ ଧାରଣା ଜନମାନସରେ ରହିଆସିଛି। ଏ ଧାରଣାର ପ୍ରମୁଖ ଉତ୍ସ ହେଉଛି ଭୟ। ପୋଲିସବାବୁ ଗାଁକୁ ଆସିଲେ ଲୋକଙ୍କ ମନରେ ସନ୍ଦେହର ଜାଲ ବୁଣି ହୋଇଯାଏ। ମନରେ ଶଙ୍କା ଜାତ ହୁଏ ଯେ କିଛି ଗୋଟିଏ ଅଘଟଣ ଘଟିଛି ନିଶ୍ଚୟ। ଏହା କିନ୍ତୁ ଅନ୍ୟ ସରକାରୀ ଅଧିକାରୀଙ୍କ କ୍ଷେତ୍ରରେ ହୁଏ ନାହିଁ। ଉଚ୍ଚ ଅଧିକାରୀଙ୍କ ଆଗମନରେ ଲୋକେ ରୁଣ୍ଡ ହୋଇ କିଛି ପ୍ରତ୍ୟାଶା ରଖି ତାଙ୍କ କଥା ଶୁଣୁଥିବା ସମୟରେ ପୋଲିସ ଅଧିକାରୀଙ୍କ ଆଗମନରେ ‘କାଦୁଅକୁ ଯିବି ନାହିଁ କି ଗୋଡ ଧୋଇବି ନାହିଁ’ ନ୍ୟାୟରେ ସେମାନେ ଛତ୍ରଭଙ୍ଗ ଦେଇ ଅବିଳମ୍ବେ ସେ ସ୍ଥାନ ତ୍ୟାଗ କରନ୍ତି। ସହରାଞ୍ଚଳ କଥା ଭିନ୍ନ- ଗ୍ରାମାଞ୍ଚଳରେ ପୋଲିସ ପ୍ରତି ନକାରାତ୍ମକ ଚିନ୍ତାଧାରା ଏବେ ମଧ୍ୟ ବଳବତ୍ତର ଅଛି। ପୋଲିସ ମଧ୍ୟ କେବେ ନିଜ ଆଡୁ ଜନସାଧାରଣଙ୍କର ନିକଟତର ହେବାକୁ ଉଦ୍ୟମ କରିନାହିଁ। ଯଦିଓ ‘ମୋ ସରକାର’ ଭଳି କେତେକ କାର୍ଯ୍ୟକ୍ରମ ଯୋଗୁ ସେ ଜନତାର ବନ୍ଧୁ ରୂପେ ପ୍ରତୀତ ହେବାକୁ ଚେଷ୍ଟା କରୁଛି। ଅନ୍ୟଥା ସେ କେବଳ ନେତାଙ୍କର ରକ୍ଷାକବଚ ସାଜିଛି।
ଅଶାଳୀନ ଭାଷା ଓ ଅମାର୍ଜିତ ବ୍ୟବହାର ପୋଲିସ ଭିନ୍ନ ଅନ୍ୟ କାହାଠାରେ ପ୍ରାୟ ପରିଦୃଷ୍ଟ ହୁଏ ନାହିଁ। ମୋ ଜୀବନର ଏକ ତିକ୍ତ ଅନୁଭୂତି ଏଠାରେ ପ୍ରାସଙ୍ଗିକ ମନେହୁଏ। ୧୯୭୯ ମସିହାରେ ମୁଁ ଏକ ନୂଆ ହମ୍ବର ସାଇକେଲ କିଣିଥିଲି, ଯାହାର ଦାମ୍‌ ଥିଲା ୫୦୦ ଟଙ୍କା- ମୋର ପ୍ରାୟ ୧୫ ଦିନର ବେତନ। କିଣିବାର ମାସକ ମଧ୍ୟରେ ସାଇକେଲଟି ଚୋରି ହୋଇଗଲା। ମୁଁ ଥାନାରେ ଏତଲାଟିଏ ଦେଇ ମନ ଦୁଃଖରେ ଥାଏ। କିଛିଦିନ ପରେ ଖବର ମିଳିଲା ଥାନାକୁ କିଛି ଚୋରି ସାଇକେଲ ଧରାହୋଇ ଆସିଛି। ଥାନା ବାବୁଙ୍କ ଅନୁମତି ନେଇ ମାଲଖାନା ଦେଖିଲି। ଅନେକ ସାଇକେଲ ଭିତରେ ମୋ ସାଇକେଲଟି ଚିହ୍ନଟ କରି ଦାୟିତ୍ୱରେ ଥିବା କନଷ୍ଟେବଳଙ୍କୁ ଦେଖାଇଲି। ସେ କହିଲେ, ସାଇକେଲର ମୂଳ କାଗଜପତ୍ର ଧରି କାଲି ଆସ, ସାରଙ୍କୁ ଦେଖାଇ ତୁମ ସାଇକେଲ ନେଇଯିବ। ପରଦିନ ଥାନାରେ ପହଞ୍ଚି ଆନୁଷଙ୍ଗିକ କାର୍ଯ୍ୟ ସାରି ଦେଖେ ତ ଅନେକ ଭିତରେ ମୋ ସାଇକେଲଟି ନାହିଁ। ମୁଁ ଥାନା ବାବୁଙ୍କୁ ଏହା ଜଣାଇବାରୁ ସେ କିଛି କହିବା ପୂର୍ବରୁ କନଷ୍ଟେବଳ ଜଣକ ଯାହା କହିଲେ, ଆଉ ଯେଉଁ ଭାଷାରେ କହିଲେ ତାହା ପ୍ରକାଶ କରିବା ସମ୍ଭବ ନୁହେଁ। ମୋଟାମୋଟି ତାଙ୍କ ଉତ୍ତର ଥିଲା, ଶ…, ଆମେ କ’ଣ ଚୋର! ଯାଉଛୁ ନା ଦେଖିବୁ। ମୁଁ କାନମୁଣ୍ଡା ଆଉଁଶି ମନ ଦୁଃଖରେ ଫେରି ଆସିଲି। ଥାନା ବାବୁଙ୍କ ଉପସ୍ଥିତିରେ ଜଣେ କନଷ୍ଟେବଳର ଏତାଦୃଶ ଆଚରଣ ବାସ୍ତବିକ ଅନୁଶୋଚନୀୟ। ସେହିଦିନଠାରୁ ପୋଲିସ ପ୍ରତି ମୋର ଧାରଣା ଅତ୍ୟନ୍ତ ଅସ୍ବାଭାବିକ।
ସ୍ବାଧୀନତାର ୭୨ ବର୍ଷ ଭିତରେ ଦେଶ ବହୁ ପରିବର୍ତ୍ତନକୁ ଅଙ୍ଗେ ନିଭାଇଛି। ହେଲେ ପୋଲିସ ସଂସ୍ଥାର ମାନସିକତାରେ ସେପରି କିଛି ପରିବର୍ତ୍ତନ ହୋଇଥିବା ପରି ସାଧାରଣ ମଣିଷ ଅନୁଭବ କରେନାହିଁ। ନିକଟରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପମେଣ୍ଟ ବୁ୍‌ୟରୋ ଦ୍ୱାରା ଆୟୋଜିତ ଏକ କର୍ମଶାଳାରେ କହିଲେ ଯେ, ବ୍ରିଟିଶ ରାଜତ୍ୱ ସମୟରେ ପୋଲିସ ବାହିନୀ କେବଳ ଶାସକ ଗୋଷ୍ଠୀର ସ୍ବାର୍ଥରକ୍ଷା ଛଡ଼ା ଜନସାଧାରଣଙ୍କ ସ୍ବାର୍ଥ ପ୍ରତି ଅନ୍ଧ ଥିଲା। କିନ୍ତୁ ଆଜିର ପୋଲିସ ଜନସ୍ବାର୍ଥ ପାଇଁ ଉତ୍ସର୍ଗୀକୃତ। ତାଙ୍କ ବକ୍ତବ୍ୟ ଅନୁଯାୟୀ ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୩୪୦୦୦ରୁ ଊର୍ଦ୍ଧ୍ୱ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ପ୍ରଶ୍ନ ଉଠେ ଆଜିର ପୋଲିସ କ’ଣ ବାସ୍ତବରେ ଜନସେବା ଓ ଜନସ୍ବାର୍ଥ ପାଇଁ ତତ୍ପର? ଏକଥା ସାଧାରଣ ମଣିଷ ଭଲ ଭାବରେ ବୁଝିଛି ଯେ ପୋଲିସ ଆଜି ମଧ୍ୟ ନେତା ସେବାରେ ସମ୍ପୂର୍ଣ୍ଣ ସମର୍ପିତ।
ଜାତୀୟ ପୋଲିସ କମିଶନଙ୍କ ୧୯୭୯ ରିପୋର୍ଟ ଅନୁସାରେ ସ୍ବାଧୀନତା ପୂର୍ବରୁ ପୋଲିସ ଓ ବିଦେଶୀ ଶାସକଙ୍କ ମଧ୍ୟରେ ଥିବା ସମ୍ପର୍କ ବର୍ତ୍ତମାନର ପୋଲିସ ଓ ଶାସକ ଦଳଙ୍କ ସମ୍ପର୍କରେ ପରିଣତ ହୋଇଛି। ୧୯୯୭ ଏପ୍ରିଲ ୩ ତାରିଖରେ ତତ୍କାଳୀନ ସ୍ବରାଷ୍ଟ୍ରମନ୍ତ୍ରୀ ଇନ୍ଦ୍ରଜିତ ଗୁପ୍ତା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ, ”ବର୍ତ୍ତମାନ ସମୟ ଉପଗତ, ଯେତେବେଳେ କି ଆମେ ଆମର ସଂକୀର୍ଣ୍ଣ ଉପଲବ୍ଧିର ଊର୍ଦ୍ଧ୍ୱକୁ ଉଠି ପୋଲିସ ସଂଗଠନର ବ୍ୟାପକ ସଂସ୍କାର ଓ ପୁନର୍ଗଠନ କରିବା ଜରୁରୀ। ତେଣୁ ମୁଖ୍ୟମନ୍ତ୍ରୀମାନେ ଔପନିବେଶିକ ଚିନ୍ତାଧାରାରୁ ମୁକ୍ତ ହୋଇ ପୋଲିସ ସଂସ୍ଥାର ସଂସ୍କାର ଓ ପୁନର୍ଗଠନ ମାଧ୍ୟମରେ ଜନସାଧାରଣଙ୍କୁ ଆପରାଧିକ ମାମଲାରେ ତ୍ୱରିତ ନ୍ୟାୟ ପ୍ରଦାନ ଲାଗି ପ୍ରୟାସ କରିବା ଉଚିତ।“ କେବଳ ସେତିକି ନୁହେଁ ନିକଟରେ ପ୍ରକାଶିତ ‘ଦି ସେଣ୍ଟର ଫର୍‌ ଷ୍ଟଡି ଅଫ୍‌ ଡେଭ୍‌ଲପିଙ୍ଗ ସୋସାଇଟିଜ୍‌’ଓ ‘କମନ୍‌ କଜ୍‌’ ନାମକ ଏକ ଖ୍ୟାତନାମା ବେସରକାରୀ ସଂସ୍ଥାର ମିଳିତ ଉଦ୍ୟମରେ ପ୍ରସ୍ତୁତ ଏକ ସର୍ଭେ ରିପୋର୍ଟ ଅନୁଯାୟୀ ପୋଲିସର ଅପରାଧ ଅନୁସନ୍ଧାନ ଓ ଅପରାଧୀକୁ କବଳିତ କରିବା ଦିଗରେ ସବୁଠାରୁ ବୃହତ୍‌ ଆହ୍ବାନ ହେଲା ପୋଲିସ ପ୍ରଶାସନରେ ରାଜନୈତିକ ହସ୍ତକ୍ଷେପ। ସାଧାରଣ ଅପରାଧୀକୁ ଧରିବାରେ ପୋଲିସ ଯେତେ ତତ୍ପର ଶାସକ ଦଳ ନେତାଙ୍କ ସମ୍ପୃକ୍ତି ଥିବା ଅପରାଧଗୁଡିକରେ କାର୍ଯ୍ୟାନୁଷ୍ଠାନ ପ୍ରାୟ ଶୂନ। ସେହିସବୁ କେସ୍‌ ନାଲିଫିତା ତଳେ ଚାପି ହୋଇ ପରିଶେଷରେ ଗୁରୁତ୍ୱହୀନ ହୋଇଯାନ୍ତି। ସମୟାନୁକ୍ରମେ ଜନମାନସରୁ ତାହା ଲିଭିଯାଏ।
ଅଧିକନ୍ତୁ ୨୨ ସେପ୍ଟେମ୍ବର ୨୦୦୬ରେ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରମାନଙ୍କୁ ଦେଇଥିବା ନିର୍ଦ୍ଦେଶନାମାରେ କୁହାଯାଇଥିଲା ଯେ ପୋଲିସକୁ ରାଜନୀତିକ ଚାପରୁ ମୁକ୍ତ ରଖାଯାଉ ଏବଂ ପୋଲିସ ଉପରେ କାର୍ଯ୍ୟର ଦାୟବଦ୍ଧତା ନିର୍ଦ୍ଧାରଣ କରାଯାଉ। ଡିଜିଙ୍କ ନିଯୁକ୍ତିକୁ ରାଜନୀତି ପୃଷ୍ଠପୋଷକତା ଦୃଷ୍ଟିରୁ ବିଚାର କରା ନ ଯାଇ କାର୍ଯ୍ୟଦକ୍ଷତା ଓ ନିଷ୍ଠା ପ୍ରତି ଗୁରୁତ୍ୱ ଦିଆଯାଉ। ଏଥିରେ ସ୍ବଚ୍ଛତା ରକ୍ଷା କରାଯାଉ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ମେଟ୍ରୋ ସହରଗୁଡ଼ିକରେ ଅପରାଧୀ ଅନୁସନ୍ଧାନ ଓ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପରସ୍ପରଠାରୁ ପୃଥକ୍‌ ହେବା ଜରୁରୀ। ୨୦୦୬ ଶେଷ ସୁଦ୍ଧା ଏ କାର୍ଯ୍ୟ ସମାପନ ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ଏ ଯାବତ୍‌ ବିଶେଷ କିଛି ପଦକ୍ଷେପ ନିଆଯାଇନାହିଁ। ପୋଲିସ ସଂସ୍କାର କଥା ଯାହା କୁହାଯାଉଛି, ତାହା କେବଳ ଯୋଜନାରେ ସୀମାବଦ୍ଧ। ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ପ୍ରାୟ ୫ ଲକ୍ଷ ବିଭିନ୍ନ ବର୍ଗର ପୋଲିସ ପଦବୀ ଖାଲି ପଡିଛି, ଯାହା ମଧ୍ୟରେ ଓଡିଶାରେ ପ୍ରାୟ ୮ ହଜାର ପଦବୀ ଅନ୍ତର୍ଭୁକ୍ତ। ପୋଲିସ ସଂସ୍ଥାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରଚଳନ ଆଶାନୁରୂପ ନୁହେଁ। କ୍ଷେତ୍ର ବିଶେଷରେ ଅପରାଧୀ ପୋଲିସଠାରୁ ଜ୍ଞାନକୌଶଳରେ ଢେର୍‌ ଆଗୁଆ। ପୋଲିସ ଅପରାଧୀକୁ ଧରିବାରେ ବିଫଳ ହେଉଛି ବୋଲି ଯାହା କୁହାଯାଉଛି ତାହା ଅନେକାଂଶରେ ସତ୍ୟ। ଏହାର କାରଣ ସ୍ବରୂପ ଦୁଇଟି ସୂଚକକୁ ଚିହ୍ନିତ କରାଯାଇପାରେ। ପ୍ରଥମତଃ ସୂଚନାପ୍ରଯୁକ୍ତି ବିଦ୍ୟାର ପର୍ଯ୍ୟାପ୍ତ ପ୍ରୟୋଗର ଅଭାବ ଓ ଦ୍ୱିତୀୟତଃ ପୋଲିସ ଉପରେ ରାଜନୀତିକ ଚାପର ଆଧିକ୍ୟ। ଉତ୍ତରପ୍ରଦେଶରେ ଯୌନ ନିର୍ଯାତନାରେ ସଂପୃକ୍ତ ଜଣେ ଶାସକ ଦଳର ବିଧାୟକଙ୍କୁ ଗିରଫ କରିବାରେ ପୋଲିସ କାଳକ୍ଷେପଣ ନୀତି ଗ୍ରହଣ କରି ଚାଲିଥିଲା। ପରେ ବିରୋଧୀଙ୍କ ସ୍ବର ଉଗ୍ର ରୂପ ଧାରଣ କରିବାରୁ ସରକାରଙ୍କ ନିର୍ଦ୍ଦେଶରେ ବିଧାୟକଙ୍କୁ ଗିରଫ କରାଗଲା।
ଏତଦ୍‌ବ୍ୟତୀତ କେତେଜଣ ପୋଲିସବାବୁଙ୍କ ମାତ୍ରାଧିକ କାର୍ଯ୍ୟ ସମଗ୍ର ବିଭାଗ ପାଇଁ ନିନ୍ଦାର କାରଣ ହୋଇଥାଏ। ସ୍ଥାନେ ସ୍ଥାନେ ହାଜତ ମୃତ୍ୟୁର ଖବର ଗଣମାଧ୍ୟମରୁ ଜଣାଯାଏ। ହାଜତରେ ହୁଏତ ବ୍ୟକ୍ତିର ସାଧାରଣ ମୃତ୍ୟୁ ଘଟିଥାଇପାରେ, ମାତ୍ର ପୋଲିସ ନିର୍ଯାତନାଜନିତ ମୃତ୍ୟୁକୁ ଅସ୍ବୀକାର କରିହେବନାହିଁ। ନିକଟରେ ଆମ ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମର ଅଂଶ ସ୍ବରୂପ ସ୍ବୟଂ ପୋଲିସ ଡିଜି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ସହ ସିଧାସଳଖ ଫୋନ ଯୋଗେ କଥା ହେଉଛନ୍ତି ଓ ଥାନାରେ ତାଙ୍କ ପ୍ରତି ହୋଇଥିବା ବ୍ୟବହାରର ସମୀକ୍ଷା କରୁଛନ୍ତି। ସେ ଅଭିଯୋଗକାରୀଙ୍କୁ ପଚାରୁଥିବା ପ୍ରଶ୍ନର ଉତ୍ତର ଅନୁସାରେ ଥାନାବାବୁଙ୍କ ଚରିତ୍ର ଓ କାର୍ଯ୍ୟଶୈଳୀର ମୂଲ୍ୟାୟନ କରୁଛନ୍ତି। ଅଭିଯୋଗକାରୀଙ୍କ ଦ୍ୱାରା ୧ ନମ୍ବର ପ୍ରାପ୍ତ ପୋଲିସ ଅଧିକାରୀ ସର୍ବନିମ୍ନସ୍ତରର ଓ ୫ ନମ୍ବର ପାଉଥିବା ପୋଲିସ ଅଧିକାରୀ ସର୍ବୋଚ୍ଚ ସ୍ତରର ବୋଲି ବିବେଚନା କରାଯାଉଛି। ସୂଚନା ଅନୁସାରେ ୯୦ ଭାଗ ଅଭିଯୋଗକାରୀଙ୍କ ମନ୍ତବ୍ୟ ନକାରାତ୍ମକ।
ପୋଲିସର ପ୍ରାଥମିକ କର୍ତ୍ତବ୍ୟ ହେଲା ଜନତାର ସୁରକ୍ଷା। ନିଜ କର୍ତ୍ତବ୍ୟ ଓ ଜନତାର ସ୍ବାର୍ଥରକ୍ଷାରେ ଉତ୍ସର୍ଗୀକୃତ ପୋଲିସ ଅଧିକାରୀ ସଦା ପ୍ରଶଂସନୀୟ। ନେତା-ଜନତା, ଧନୀ-ଦରିଦ୍ର, କ୍ଷମତାଶାଳୀ ଓ ଅକ୍ଷମ ମଧ୍ୟରେ ପାର୍ଥକ୍ୟ ଦେଖୁ ନ ଥିବା ପୋଲିସ ଅଧିକାରୀଙ୍କୁ ଏ ଦେଶ ପୂଜା କରିବ।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri