ନିର୍ବାଚନ ଓ ଦେଶଭାବନା

ଡ. ଶରତଚନ୍ଦ୍ର ରଥ
କିଛି ଲୋକ ଅଛନ୍ତି ଯାହାଙ୍କର କେବଳ ନୋଟ ପାଇଁ ଚିନ୍ତା। ଶୟନେ ସ୍ବପନେ ଜାଗରଣେ କେବଳ ସେଇ ନୋଟ କଥା ହିଁ ଭାବୁଥାଆନ୍ତି। ଭୋଟ ବେଳ ଆସିଗଲେ ନୋଟ ଚିନ୍ତାଟା ଟିକିଏ ଦାନା ବାନ୍ଧିଲାପରି ଲାଗେ। ସେମାନେ ବୁଝିପାରନ୍ତି ଯେ ଠିକଣା ବେଳ ଆସିଗଲା। ନୋଟ ରୂପକ ମୁଗୁରାରେ ଏଥର ଭୋଟ ରୂପକ ମାଛ ପଡିବ। ଖାଲି ମୁଗୁରା ଝାଡିବା କଥା, ଯଦି ମୁଗୁରା ପଛ ମେଲା ଥିବ, ତେବେ ସରିଲା କଥା। ବେଳେବେଳେ ମାଛ ପଡୁପଡୁ ଖସିଯାଆନ୍ତି କିନ୍ତୁ ମୁଗୁରା ବସିଥାଏ। ମୁଗୁରା ନ ବସିଲେ ମାଛ ଧରିବାର ଉପାୟ ନାହିଁ, ତେଣିକି ଭାଗ୍ୟ।
ଭୋଟବେଳେ ନୋଟର ଆକର୍ଷଣ ନିଆରା। ସେତେବେଳର ନୋଟ ଲାଗେ ଆକାଶରୁ ଗୋଟା ଗୋଟା ରୋହି, ଭାକୁଡ ରୋଷେଇ ଘରେ ଖସିଲା ପରି। ବିଶେଷ କିଛି କଷ୍ଟ ପଡେନାହିଁ, ଯାହା କଷ୍ଟ ତାହା ଖାଲି ମୁଣ୍ଡ ଖେଳାଇବାର କଷ୍ଟ, ବିନିମୟରେ ବିଡାବିଡା ନୋଟ। କିଏ କିଏ ହୁଏତ କହିବେ ଦେବାଲୋକ ତ ଦେବ, ନେବା ଲୋକ ତ ନେବ, ମଝିରେ ଅନ୍ୟମାନଙ୍କର କାହିଁକି ମୁଣ୍ଡ ବଥାଇବ, ତା’ ଅବଶ୍ୟ ଠିକ୍‌ କଥା, ‘ଅନାହୂତେ ପ୍ରବିଶତି’।
ନେବା ଲୋକର ଖୁସି ବଡ଼ ନିଆରା, ସେ ବୁଝେନା ଭୋଟର ମହତ୍ତ୍ୱ, ଗୁରୁତ୍ୱ। ସେ କେବଳ ବୁଝେ, କିଏ କେତେ ଦେଇଛି ବା ଦବ। ଦବାଟା କିଛି ଲୋକଙ୍କର କାମ ଆଉ ନବାଟା ଆମ କାମ। କେହି କାହା ହାତରୁ ଦେଉନାହିଁ ତେଣୁ ନେବାରେ ଏତେ କୁଣ୍ଠିତ କାହିଁକି? ଆମ ଜିନିଷ ଆମେ ନେଲୁ। ‘ନେଲ ଯାହା ଦେଲ ତାହା’- ଦବାନବା ଚାଲିଛି, ମାଛତେଲରେ ମାଛ ଭଜା ହେଉଛି, ଆମେ ତ ଖାଇବା ଲୋକ, ଏତେ କଥା ବୁଝିବୁ କାହିଁକି? ଚକୁଳି ଖାଇବା ଲୋକ ବିନ୍ଧ ଗଣି ଲାଭ କ’ଣ? ଆଉ କିଛି ଲୋକ ବଙ୍କା ନୋଟର ବ୍ୟବସ୍ଥା କଥା ଭଲଭାବରେ ଜାଣନ୍ତି। ଭୋଜିଭାତ, ପ୍ରଚାର, ବ୍ୟାନର ପାଇଁ ନୋଟ ବ୍ୟବସ୍ଥା ପରୋକ୍ଷ ବ୍ୟବସ୍ଥା। କଥାଟି ହେଉଛି, ‘ଦୀପ ତେଜିଲେ ହାତ ଚିକ୍କଣ।’
ସିଧା ନୋଟରେ ମନଟିକେ ଅଧିକ ଖୁସି, ପରିଶ୍ରମ ନାହିଁ, ବିଶେଷ ଧାଁ ଦଉଡ ନାହିଁ। କିଛି ଲୋକଙ୍କୁ କହିବୋଲି ବୁଝାଇବା କଥା। ଏଥିପାଇଁ ଯେଉଁ ନୋଟ ମିଳେ ତାହା ପାଇଲେ ନିଜକୁ ଓଜନିଆ ଲାଗେ। ମନେହୁଏ, ‘ମୋର ଗୋଟାଏ ଗୁରୁତ୍ୱ ଅଛି’- ନ ହେଲେ ମୋତେ ଖୋଜା ହୁଅନ୍ତା କାହିଁକି? ପ୍ରକୃତରେ ମୋ ପାଖରେ କିଛି ନିଆରା ଗୁଣ ଅଛି, ଦକ୍ଷତା ଅଛି, କିଏ ମାନୁ କି ନ ମାନୁ, କିଏ ବୁଝୁ କି ନ ବୁଝୁ ମୁଁ ତ ବୁଝୁଛି, ଆପେ ବୁଝିଲେ ହେଲା।
ନୋଟ ବିକଳିଆଙ୍କୁ ଦେଖିଲେ ଯେତିକି ଖୁସି ଲାଗେ ତା’ଠାରୁ ଅଧିକ ଦୁଃଖ ଲାଗେ ସେମାନଙ୍କ ମାନସିକ ସ୍ଥିତି କଥା ଭାବି। ଦବାଲୋକ କେତେ ଖୁସି ତାହା ଅଲଗା କଥା ମାତ୍ର ନବାଲୋକର ଖୁସି ଦେଖି ଦବାଲୋକ ଖୁସି ହେବାକୁ ବାଧ୍ୟ ହୁଏ, କାରଣ କେରାଣ୍ଡି ଗୁନ୍ଥା ହେଲା, ବାଳିଆ ମାଛ ବନିଶୀରେ ପଡିବ। ଆଉ ମଝିରେ ଥିବା ଲୋକଟି ହାତ କେତେ ଖୋଲିବ କେତେ ବନ୍ଦ କରିବ, ସେକଥା ଭାବୁଥାଏ, ଅଙ୍କ କଷୁଥାଏ, ଲାଭକ୍ଷତି ମାପୁଥାଏ, ଦୀପ ତେଜୁଥାଏ।
ଏ ତ ଗଲା କେନାଲ, ସବ୍‌କେନାଲ ପୁଣି ଶସ୍ୟକ୍ଷେତ୍ରର କଥା। ବର୍ତ୍ତମାନ ଦେଖିବା ତା’ ଉତ୍ସର କଥା। କେତେ କବାଟ କେଉଁଦିଗରୁ କେତେ ସମୟ ପାଇଁ ଖୋଲାହେବ, ଏ ଅଙ୍କକଷା ବଡ଼ ଜଟିଳ। ତଥାପି ଅଙ୍କକଷା ହୁଏ, ଭାଗଫଳ ମିଳେ। ଜନସମୁଦ୍ରରୁ ପାଣି ବାଷ୍ପରୂପେ ଆସି ଘନୀଭୂତ ହୋଇ ଜଳଭଣ୍ଡାର ଭରିଥାଏ। ପୁଣି ସେହି ଜଳ ଜନସମୁଦ୍ର ନିକଟକୁ ଯାଏ, ଖାଲି କବାଟ ଖୋଲିବା କଥା। ନ୍ୟାୟଟି ଏହିପରି ”ନେଲେ ଯାହା, ଦେଲେ ତାହା, ମଝିରେ ଖାଲି ନେଲେ ନାଁ“। ଖାଲି ନାଁ ନୁହେଁ, ଯଶ, ପ୍ରଶଂସା ଓ କ୍ଷମତା ଇତ୍ୟାଦି। ସଙ୍କଳ୍ପ ଦେଶସେବାର, ବିକଳ୍ପ ଚଉକି ଚିନ୍ତା। ଅବଶ୍ୟ ନେତୃତ୍ୱ ଭିତରେ ଦେଶପ୍ରେମୀ ବ୍ୟକ୍ତିତ୍ୱ ଯେ ନାହାନ୍ତି ଏପରି ନୁହେଁ, ସମସ୍ତେ ସମାନ ନୁହନ୍ତି, ପାଞ୍ଚ ଆଙ୍ଗୁଠି ସମାନ ନୁହେଁ।
ଏପରି ନେତୃବର୍ଗ ଅଛନ୍ତି ଯେଉଁମାନେ ଦେଶକୁ ଏକ ଶକ୍ତି, ଏକ ସାମର୍ଥ୍ୟ ବୋଲି ବିଚାର କରନ୍ତି, ‘ବହୁଜନ ସୁଖାୟ, ବହୁଜନ ହିତାୟ’ ନୀତିକୁ ଗୁରୁତ୍ୱ ଦିଅନ୍ତି। ଅନ୍ତତଃପକ୍ଷେ ସେମାନେ ବିବେକାନନ୍ଦ, ଶ୍ରୀଅରବିନ୍ଦଙ୍କୁ ପଢିଛନ୍ତି ଓ ଜାଣିଛନ୍ତି। ସ୍ବାମୀ ବିବେକାନନ୍ଦଙ୍କର ଦେଶାତ୍ମବୋଧଭିତ୍ତିକ ଓଜସ୍ବିନୀ ବାଣୀକୁ ପଢିଛନ୍ତି ଓ ତାହାର ଗମ୍ଭୀରତାକୁ ଅନୁଭବ କରିଛନ୍ତି। ସିଏ କହୁଥିଲେ, ”ସଦର୍ପରେ କହ, ମୁଁ ଭାରତବାସୀ, ଭାରତବାସୀ ମୋର ଭାଇ, ଦରିଦ୍ର ଭାରତବାସୀ ମୋର ଭାଇ, ଭାରତର ସମାଜ ମୋର ଶୈଶବର ଶିଶୁଶଯ୍ୟା, ଯୌବନର ଉପବନ, ବାର୍ଦ୍ଧକ୍ୟର ବାରାଣସୀ। ଭାରତର ମୃତ୍ତିକା ମୋର ସ୍ବର୍ଗ, ଭାରତର କଲ୍ୟାଣ ମୋର କଲ୍ୟାଣ।“
ସେମାନେ ଶ୍ରୀଅରବିନ୍ଦଙ୍କୁ ପଢିଛନ୍ତି, ତାଙ୍କର ଅଗ୍ନିବର୍ଷୀ ବାଣୀର ମହତ୍ତ୍ୱକୁ ଉପଲବ୍ଧି କରିଛନ୍ତି। ଶ୍ରୀଅରବିନ୍ଦ କହିଥିଲେ- ”ଭାରତବର୍ଷ ମାଟି, ଗୋଡି ଓ ପଥରରେ ଗଢା ଏକ ଜଡପିଣ୍ଡ ନୁହେଁ, ଏହା ଏକ ଜାଗ୍ରତ ଚେତନା। ଭାରତ ହିଁ ଜଗତର ଗୁରୁ, ପୃଥିବୀର ଭବିଷ୍ୟତ ରୂପରେଖ ଭାରତ ଉପରେ ନିର୍ଭର କରେ। ଭାରତ ଯଦି ସଙ୍କଳ୍ପ କରେ, ତେବେ ମାନବଜାତି ଆଜି ଯେଉଁ ସମସ୍ତ ସମସ୍ୟା ନେଇ ବିବ୍ରତ ହୋଇପଡିଛି, ସେସବୁର ଦେଇପାରେ ଏକ ଅବ୍ୟର୍ଥ ମୀମାଂସା। ଭାରତ ହିଁ ଜୀବନ୍ତ ଆତ୍ମା। ଭାରତ ହିଁ ଏକମାତ୍ର ଦେଶ ଯାହା ଶାନ୍ତି ଓ ସାମାଜିକ ଶୃଙ୍ଖଳା ସ୍ଥାପନରେ ପୃଥିବୀକୁ ନେତୃତ୍ୱ ଦେବ।“ ସେମାନେ ମଧ୍ୟ ପଢିଛନ୍ତି ଓ ଜାଣିଛନ୍ତି କେତେ ପ୍ରାତଃସ୍ମରଣୀୟ ଦେଶପ୍ରେମୀ ବ୍ୟକ୍ତିତ୍ୱଙ୍କୁ। ଖାଲି ଜାଣିନାହାନ୍ତି ବା ପଢିନାହାନ୍ତି, ଉଦ୍‌ବୁଦ୍ଧ ମଧ୍ୟ ହୋଇଛନ୍ତି ମହାତ୍ମା ଗାନ୍ଧୀ, ଲାଲବାହାଦୁର ଶାସ୍ତ୍ରୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାଲଗଙ୍ଗାଧର ତିଲକ, ବିପିନଚନ୍ଦ୍ର ପାଲ, ଭଗତ୍‌ ସିଂହ, ଶହୀଦ ଲକ୍ଷ୍ମଣ ନାୟକଙ୍କ ଆଦର୍ଶ ଦ୍ୱାରା।
ସେମାନେ ପଢିଛନ୍ତି ଜର୍ମାନ ମନୀଷୀ ମାକ୍‌ସମୁଲ୍ଲରଙ୍କୁ ଯିଏ କହିଥିଲେ, ”ଯଦି ମୁଁ ନିଜକୁ ପଚାରେ ଆମେ ୟୁରୋପୀୟମାନେ ଯେଉଁମାନେ କି ପୂର୍ଣ୍ଣଭାବରେ ଗ୍ରୀକ୍‌ ଓ ରୋମାନ୍‌ ଚିନ୍ତାଧାରାରେ ବଢିଆସିଛୁ, ଆମର ଅନ୍ତର୍ଜୀବନକୁ ଆହୁରି ପୂର୍ଣ୍ଣ, ଆହୁରି ସାର୍ବଜନୀନ ଓ ବାସ୍ତବରେ ମାନବିକ କରିବାକୁ ହେଲେ କେଉଁ ଦେଶର ସାହିତ୍ୟରୁ ଆମେ ଯଥାର୍ଥ ପ୍ରେରଣା ପାଇବୁ, ତେବେ ମୁଁ ନିର୍ଦ୍ଦେଶ କରିବି, ସେହି ଦେଶ ହେଉଛି ଭାରତବର୍ଷ।“
ସେମାନେ ପଢ଼ିଛନ୍ତି ଜର୍ମାନ କବି ଗେଟେଙ୍କର କାଳିଦାସଙ୍କ ‘ଅଭିଜ୍ଞାନଶାକୁନ୍ତଳମ୍‌’ ପାଠ ପରେ ପ୍ରଦତ୍ତ ମତାମତକୁ, ଯାହାର ଅନୁବାଦ ଏହିପରି- ”ବସନ୍ତର କୁସୁମ ଓ ଗ୍ରୀଷ୍ମର ଫଳ ଏକାବେଳକେ ମିଳିବ। ମନର ଆଉ କିଛି ରସାୟନ ଅଛି ଯାହା କି ସ୍ବର୍ଗ ଓ ପୃଥିବୀ ଲୋକକୁ ଏକାକାର କରିଦେଇଛି? ସବୁ ଐଶ୍ୱର୍ଯ୍ୟକୁ ଯଦି ଚାହୁଁଛ, ତେବେ ‘ଶକୁନ୍ତଳା’ ପଢ଼।“
ସେମାନେ ନିଶ୍ଚୟ ପଢିଛନ୍ତି ଓ ଜାଣିଛନ୍ତି ଋଗ୍‌ବେଦର ଏହି ମନ୍ତ୍ର ”ସଂଗଚ୍ଛଧ୍ୱଂ ସଂବଦଧ୍ୱଂ ସଂବୋ ମନାଂସି ଜାନତାମ୍‌। ଦେବାଭାଗଂ ଯଥାପୂର୍ବେ ସଂଜାନନା ଉପାସତେ।ା“ ଯାହାର ଅର୍ଥ ହେଉଛି ଆମେ ଏକତାବଦ୍ଧ ହେବା, ଏକସ୍ବରରେ କହିବା, ଏକମନ ହେବା, ଦେବତାମାନେ ଯେପରି ନିଜ ନିଜ ପରିସୀମାରେ ସନ୍ତୁଷ୍ଟ ରହୁଥିଲେ, ସେପରି ଆମେ ସନ୍ତୁଷ୍ଟ ରହିବା।
ଏପରି ନେତୃବର୍ଗଙ୍କ ଦ୍ୱାରା ଅନ୍ୟ ନେତୃବର୍ଗ ତଥା ସମଗ୍ର ଦେଶବାସୀ ବହୁଳଭାବେ ଅନୁପ୍ରାଣିତ ହୁଅନ୍ତୁ, ନିର୍ବାଚନ ପ୍ରେକ୍ଷାପଟରେ ଆଜି ଏତିକି ସଦିଚ୍ଛା ରଖିବା।
କେଦାରଗୌରୀ ଆପାର୍ଟମେଣ୍ଟ, ଭୁବନେଶ୍ୱର, ମୋ- ୯୪୩୭୭୫୬୨୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?