ନିର୍ବାଚନ ଓ ଦେଶଭାବନା

ଡ. ଶରତଚନ୍ଦ୍ର ରଥ
କିଛି ଲୋକ ଅଛନ୍ତି ଯାହାଙ୍କର କେବଳ ନୋଟ ପାଇଁ ଚିନ୍ତା। ଶୟନେ ସ୍ବପନେ ଜାଗରଣେ କେବଳ ସେଇ ନୋଟ କଥା ହିଁ ଭାବୁଥାଆନ୍ତି। ଭୋଟ ବେଳ ଆସିଗଲେ ନୋଟ ଚିନ୍ତାଟା ଟିକିଏ ଦାନା ବାନ୍ଧିଲାପରି ଲାଗେ। ସେମାନେ ବୁଝିପାରନ୍ତି ଯେ ଠିକଣା ବେଳ ଆସିଗଲା। ନୋଟ ରୂପକ ମୁଗୁରାରେ ଏଥର ଭୋଟ ରୂପକ ମାଛ ପଡିବ। ଖାଲି ମୁଗୁରା ଝାଡିବା କଥା, ଯଦି ମୁଗୁରା ପଛ ମେଲା ଥିବ, ତେବେ ସରିଲା କଥା। ବେଳେବେଳେ ମାଛ ପଡୁପଡୁ ଖସିଯାଆନ୍ତି କିନ୍ତୁ ମୁଗୁରା ବସିଥାଏ। ମୁଗୁରା ନ ବସିଲେ ମାଛ ଧରିବାର ଉପାୟ ନାହିଁ, ତେଣିକି ଭାଗ୍ୟ।
ଭୋଟବେଳେ ନୋଟର ଆକର୍ଷଣ ନିଆରା। ସେତେବେଳର ନୋଟ ଲାଗେ ଆକାଶରୁ ଗୋଟା ଗୋଟା ରୋହି, ଭାକୁଡ ରୋଷେଇ ଘରେ ଖସିଲା ପରି। ବିଶେଷ କିଛି କଷ୍ଟ ପଡେନାହିଁ, ଯାହା କଷ୍ଟ ତାହା ଖାଲି ମୁଣ୍ଡ ଖେଳାଇବାର କଷ୍ଟ, ବିନିମୟରେ ବିଡାବିଡା ନୋଟ। କିଏ କିଏ ହୁଏତ କହିବେ ଦେବାଲୋକ ତ ଦେବ, ନେବା ଲୋକ ତ ନେବ, ମଝିରେ ଅନ୍ୟମାନଙ୍କର କାହିଁକି ମୁଣ୍ଡ ବଥାଇବ, ତା’ ଅବଶ୍ୟ ଠିକ୍‌ କଥା, ‘ଅନାହୂତେ ପ୍ରବିଶତି’।
ନେବା ଲୋକର ଖୁସି ବଡ଼ ନିଆରା, ସେ ବୁଝେନା ଭୋଟର ମହତ୍ତ୍ୱ, ଗୁରୁତ୍ୱ। ସେ କେବଳ ବୁଝେ, କିଏ କେତେ ଦେଇଛି ବା ଦବ। ଦବାଟା କିଛି ଲୋକଙ୍କର କାମ ଆଉ ନବାଟା ଆମ କାମ। କେହି କାହା ହାତରୁ ଦେଉନାହିଁ ତେଣୁ ନେବାରେ ଏତେ କୁଣ୍ଠିତ କାହିଁକି? ଆମ ଜିନିଷ ଆମେ ନେଲୁ। ‘ନେଲ ଯାହା ଦେଲ ତାହା’- ଦବାନବା ଚାଲିଛି, ମାଛତେଲରେ ମାଛ ଭଜା ହେଉଛି, ଆମେ ତ ଖାଇବା ଲୋକ, ଏତେ କଥା ବୁଝିବୁ କାହିଁକି? ଚକୁଳି ଖାଇବା ଲୋକ ବିନ୍ଧ ଗଣି ଲାଭ କ’ଣ? ଆଉ କିଛି ଲୋକ ବଙ୍କା ନୋଟର ବ୍ୟବସ୍ଥା କଥା ଭଲଭାବରେ ଜାଣନ୍ତି। ଭୋଜିଭାତ, ପ୍ରଚାର, ବ୍ୟାନର ପାଇଁ ନୋଟ ବ୍ୟବସ୍ଥା ପରୋକ୍ଷ ବ୍ୟବସ୍ଥା। କଥାଟି ହେଉଛି, ‘ଦୀପ ତେଜିଲେ ହାତ ଚିକ୍କଣ।’
ସିଧା ନୋଟରେ ମନଟିକେ ଅଧିକ ଖୁସି, ପରିଶ୍ରମ ନାହିଁ, ବିଶେଷ ଧାଁ ଦଉଡ ନାହିଁ। କିଛି ଲୋକଙ୍କୁ କହିବୋଲି ବୁଝାଇବା କଥା। ଏଥିପାଇଁ ଯେଉଁ ନୋଟ ମିଳେ ତାହା ପାଇଲେ ନିଜକୁ ଓଜନିଆ ଲାଗେ। ମନେହୁଏ, ‘ମୋର ଗୋଟାଏ ଗୁରୁତ୍ୱ ଅଛି’- ନ ହେଲେ ମୋତେ ଖୋଜା ହୁଅନ୍ତା କାହିଁକି? ପ୍ରକୃତରେ ମୋ ପାଖରେ କିଛି ନିଆରା ଗୁଣ ଅଛି, ଦକ୍ଷତା ଅଛି, କିଏ ମାନୁ କି ନ ମାନୁ, କିଏ ବୁଝୁ କି ନ ବୁଝୁ ମୁଁ ତ ବୁଝୁଛି, ଆପେ ବୁଝିଲେ ହେଲା।
ନୋଟ ବିକଳିଆଙ୍କୁ ଦେଖିଲେ ଯେତିକି ଖୁସି ଲାଗେ ତା’ଠାରୁ ଅଧିକ ଦୁଃଖ ଲାଗେ ସେମାନଙ୍କ ମାନସିକ ସ୍ଥିତି କଥା ଭାବି। ଦବାଲୋକ କେତେ ଖୁସି ତାହା ଅଲଗା କଥା ମାତ୍ର ନବାଲୋକର ଖୁସି ଦେଖି ଦବାଲୋକ ଖୁସି ହେବାକୁ ବାଧ୍ୟ ହୁଏ, କାରଣ କେରାଣ୍ଡି ଗୁନ୍ଥା ହେଲା, ବାଳିଆ ମାଛ ବନିଶୀରେ ପଡିବ। ଆଉ ମଝିରେ ଥିବା ଲୋକଟି ହାତ କେତେ ଖୋଲିବ କେତେ ବନ୍ଦ କରିବ, ସେକଥା ଭାବୁଥାଏ, ଅଙ୍କ କଷୁଥାଏ, ଲାଭକ୍ଷତି ମାପୁଥାଏ, ଦୀପ ତେଜୁଥାଏ।
ଏ ତ ଗଲା କେନାଲ, ସବ୍‌କେନାଲ ପୁଣି ଶସ୍ୟକ୍ଷେତ୍ରର କଥା। ବର୍ତ୍ତମାନ ଦେଖିବା ତା’ ଉତ୍ସର କଥା। କେତେ କବାଟ କେଉଁଦିଗରୁ କେତେ ସମୟ ପାଇଁ ଖୋଲାହେବ, ଏ ଅଙ୍କକଷା ବଡ଼ ଜଟିଳ। ତଥାପି ଅଙ୍କକଷା ହୁଏ, ଭାଗଫଳ ମିଳେ। ଜନସମୁଦ୍ରରୁ ପାଣି ବାଷ୍ପରୂପେ ଆସି ଘନୀଭୂତ ହୋଇ ଜଳଭଣ୍ଡାର ଭରିଥାଏ। ପୁଣି ସେହି ଜଳ ଜନସମୁଦ୍ର ନିକଟକୁ ଯାଏ, ଖାଲି କବାଟ ଖୋଲିବା କଥା। ନ୍ୟାୟଟି ଏହିପରି ”ନେଲେ ଯାହା, ଦେଲେ ତାହା, ମଝିରେ ଖାଲି ନେଲେ ନାଁ“। ଖାଲି ନାଁ ନୁହେଁ, ଯଶ, ପ୍ରଶଂସା ଓ କ୍ଷମତା ଇତ୍ୟାଦି। ସଙ୍କଳ୍ପ ଦେଶସେବାର, ବିକଳ୍ପ ଚଉକି ଚିନ୍ତା। ଅବଶ୍ୟ ନେତୃତ୍ୱ ଭିତରେ ଦେଶପ୍ରେମୀ ବ୍ୟକ୍ତିତ୍ୱ ଯେ ନାହାନ୍ତି ଏପରି ନୁହେଁ, ସମସ୍ତେ ସମାନ ନୁହନ୍ତି, ପାଞ୍ଚ ଆଙ୍ଗୁଠି ସମାନ ନୁହେଁ।
ଏପରି ନେତୃବର୍ଗ ଅଛନ୍ତି ଯେଉଁମାନେ ଦେଶକୁ ଏକ ଶକ୍ତି, ଏକ ସାମର୍ଥ୍ୟ ବୋଲି ବିଚାର କରନ୍ତି, ‘ବହୁଜନ ସୁଖାୟ, ବହୁଜନ ହିତାୟ’ ନୀତିକୁ ଗୁରୁତ୍ୱ ଦିଅନ୍ତି। ଅନ୍ତତଃପକ୍ଷେ ସେମାନେ ବିବେକାନନ୍ଦ, ଶ୍ରୀଅରବିନ୍ଦଙ୍କୁ ପଢିଛନ୍ତି ଓ ଜାଣିଛନ୍ତି। ସ୍ବାମୀ ବିବେକାନନ୍ଦଙ୍କର ଦେଶାତ୍ମବୋଧଭିତ୍ତିକ ଓଜସ୍ବିନୀ ବାଣୀକୁ ପଢିଛନ୍ତି ଓ ତାହାର ଗମ୍ଭୀରତାକୁ ଅନୁଭବ କରିଛନ୍ତି। ସିଏ କହୁଥିଲେ, ”ସଦର୍ପରେ କହ, ମୁଁ ଭାରତବାସୀ, ଭାରତବାସୀ ମୋର ଭାଇ, ଦରିଦ୍ର ଭାରତବାସୀ ମୋର ଭାଇ, ଭାରତର ସମାଜ ମୋର ଶୈଶବର ଶିଶୁଶଯ୍ୟା, ଯୌବନର ଉପବନ, ବାର୍ଦ୍ଧକ୍ୟର ବାରାଣସୀ। ଭାରତର ମୃତ୍ତିକା ମୋର ସ୍ବର୍ଗ, ଭାରତର କଲ୍ୟାଣ ମୋର କଲ୍ୟାଣ।“
ସେମାନେ ଶ୍ରୀଅରବିନ୍ଦଙ୍କୁ ପଢିଛନ୍ତି, ତାଙ୍କର ଅଗ୍ନିବର୍ଷୀ ବାଣୀର ମହତ୍ତ୍ୱକୁ ଉପଲବ୍ଧି କରିଛନ୍ତି। ଶ୍ରୀଅରବିନ୍ଦ କହିଥିଲେ- ”ଭାରତବର୍ଷ ମାଟି, ଗୋଡି ଓ ପଥରରେ ଗଢା ଏକ ଜଡପିଣ୍ଡ ନୁହେଁ, ଏହା ଏକ ଜାଗ୍ରତ ଚେତନା। ଭାରତ ହିଁ ଜଗତର ଗୁରୁ, ପୃଥିବୀର ଭବିଷ୍ୟତ ରୂପରେଖ ଭାରତ ଉପରେ ନିର୍ଭର କରେ। ଭାରତ ଯଦି ସଙ୍କଳ୍ପ କରେ, ତେବେ ମାନବଜାତି ଆଜି ଯେଉଁ ସମସ୍ତ ସମସ୍ୟା ନେଇ ବିବ୍ରତ ହୋଇପଡିଛି, ସେସବୁର ଦେଇପାରେ ଏକ ଅବ୍ୟର୍ଥ ମୀମାଂସା। ଭାରତ ହିଁ ଜୀବନ୍ତ ଆତ୍ମା। ଭାରତ ହିଁ ଏକମାତ୍ର ଦେଶ ଯାହା ଶାନ୍ତି ଓ ସାମାଜିକ ଶୃଙ୍ଖଳା ସ୍ଥାପନରେ ପୃଥିବୀକୁ ନେତୃତ୍ୱ ଦେବ।“ ସେମାନେ ମଧ୍ୟ ପଢିଛନ୍ତି ଓ ଜାଣିଛନ୍ତି କେତେ ପ୍ରାତଃସ୍ମରଣୀୟ ଦେଶପ୍ରେମୀ ବ୍ୟକ୍ତିତ୍ୱଙ୍କୁ। ଖାଲି ଜାଣିନାହାନ୍ତି ବା ପଢିନାହାନ୍ତି, ଉଦ୍‌ବୁଦ୍ଧ ମଧ୍ୟ ହୋଇଛନ୍ତି ମହାତ୍ମା ଗାନ୍ଧୀ, ଲାଲବାହାଦୁର ଶାସ୍ତ୍ରୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାଲଗଙ୍ଗାଧର ତିଲକ, ବିପିନଚନ୍ଦ୍ର ପାଲ, ଭଗତ୍‌ ସିଂହ, ଶହୀଦ ଲକ୍ଷ୍ମଣ ନାୟକଙ୍କ ଆଦର୍ଶ ଦ୍ୱାରା।
ସେମାନେ ପଢିଛନ୍ତି ଜର୍ମାନ ମନୀଷୀ ମାକ୍‌ସମୁଲ୍ଲରଙ୍କୁ ଯିଏ କହିଥିଲେ, ”ଯଦି ମୁଁ ନିଜକୁ ପଚାରେ ଆମେ ୟୁରୋପୀୟମାନେ ଯେଉଁମାନେ କି ପୂର୍ଣ୍ଣଭାବରେ ଗ୍ରୀକ୍‌ ଓ ରୋମାନ୍‌ ଚିନ୍ତାଧାରାରେ ବଢିଆସିଛୁ, ଆମର ଅନ୍ତର୍ଜୀବନକୁ ଆହୁରି ପୂର୍ଣ୍ଣ, ଆହୁରି ସାର୍ବଜନୀନ ଓ ବାସ୍ତବରେ ମାନବିକ କରିବାକୁ ହେଲେ କେଉଁ ଦେଶର ସାହିତ୍ୟରୁ ଆମେ ଯଥାର୍ଥ ପ୍ରେରଣା ପାଇବୁ, ତେବେ ମୁଁ ନିର୍ଦ୍ଦେଶ କରିବି, ସେହି ଦେଶ ହେଉଛି ଭାରତବର୍ଷ।“
ସେମାନେ ପଢ଼ିଛନ୍ତି ଜର୍ମାନ କବି ଗେଟେଙ୍କର କାଳିଦାସଙ୍କ ‘ଅଭିଜ୍ଞାନଶାକୁନ୍ତଳମ୍‌’ ପାଠ ପରେ ପ୍ରଦତ୍ତ ମତାମତକୁ, ଯାହାର ଅନୁବାଦ ଏହିପରି- ”ବସନ୍ତର କୁସୁମ ଓ ଗ୍ରୀଷ୍ମର ଫଳ ଏକାବେଳକେ ମିଳିବ। ମନର ଆଉ କିଛି ରସାୟନ ଅଛି ଯାହା କି ସ୍ବର୍ଗ ଓ ପୃଥିବୀ ଲୋକକୁ ଏକାକାର କରିଦେଇଛି? ସବୁ ଐଶ୍ୱର୍ଯ୍ୟକୁ ଯଦି ଚାହୁଁଛ, ତେବେ ‘ଶକୁନ୍ତଳା’ ପଢ଼।“
ସେମାନେ ନିଶ୍ଚୟ ପଢିଛନ୍ତି ଓ ଜାଣିଛନ୍ତି ଋଗ୍‌ବେଦର ଏହି ମନ୍ତ୍ର ”ସଂଗଚ୍ଛଧ୍ୱଂ ସଂବଦଧ୍ୱଂ ସଂବୋ ମନାଂସି ଜାନତାମ୍‌। ଦେବାଭାଗଂ ଯଥାପୂର୍ବେ ସଂଜାନନା ଉପାସତେ।ା“ ଯାହାର ଅର୍ଥ ହେଉଛି ଆମେ ଏକତାବଦ୍ଧ ହେବା, ଏକସ୍ବରରେ କହିବା, ଏକମନ ହେବା, ଦେବତାମାନେ ଯେପରି ନିଜ ନିଜ ପରିସୀମାରେ ସନ୍ତୁଷ୍ଟ ରହୁଥିଲେ, ସେପରି ଆମେ ସନ୍ତୁଷ୍ଟ ରହିବା।
ଏପରି ନେତୃବର୍ଗଙ୍କ ଦ୍ୱାରା ଅନ୍ୟ ନେତୃବର୍ଗ ତଥା ସମଗ୍ର ଦେଶବାସୀ ବହୁଳଭାବେ ଅନୁପ୍ରାଣିତ ହୁଅନ୍ତୁ, ନିର୍ବାଚନ ପ୍ରେକ୍ଷାପଟରେ ଆଜି ଏତିକି ସଦିଚ୍ଛା ରଖିବା।
କେଦାରଗୌରୀ ଆପାର୍ଟମେଣ୍ଟ, ଭୁବନେଶ୍ୱର, ମୋ- ୯୪୩୭୭୫୬୨୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ର ଠାଣେର ହେନିକ ଗାଲା ଓ ଶ୍ରେୟାସ ଜଲାପୁର ସ୍କୁଲରେ ପଢ଼ିବାବେଳେ ଜଣେ କବାଡିବାଲାଙ୍କ କାର୍ଯ୍ୟକୁ ଦେଖୁଥିଲେ। ଏହି ଦୁଇ ବନ୍ଧୁ ସ୍କୁଲ ଶିକ୍ଷା ଶେଷ...

ଗୋଷ୍ଠୀଭିତ୍ତିକ ବିହନ ସଂରକ୍ଷଣ

ସାଧାରଣତଃ ମାଣ୍ଡିଆ ଏକ କ୍ଷୁଦ୍ର ଦାନାଯୁକ୍ତ, ଗରମ ଦିନିଆ ଫସଲ। ଏଥିରେ ଅଧିକ ପରିମାଣରେ ପ୍ରୋଟିନ୍‌, ଫାଇବର, ନିଆସିନ୍‌, ଥାଏମିନ୍‌, ରାଇବୋଫ୍ଲାବିନ୍‌, ମିଥିଓନାଇନ, ଲେସିଥିନ୍‌ ଓ...

ଜଳସଙ୍କଟର ସମାଧାନ

ଳ ହେଉଛି ଜୀବନର ମୂଳାଧାର, କିନ୍ତୁ ଭାରତରେ ଜଳସଙ୍କଟ ଏକ ଗମ୍ଭୀର ଚ୍ୟାଲେଞ୍ଜ ଭାବେ ଉଭାହୋଇଛି। ନୀତି ଆୟୋଗର ୨୦୧୮ ରିପୋର୍ଟ ଅନୁସାରେ ଭାରତର ୬୦୦...

ଶାନ୍ତି ଚୁକ୍ତିରେ ମହିଳାଙ୍କ ଭୂମିକା

ବିଶ୍ୱରେ ଲିଙ୍ଗଗତ ସମାନତା ପାଇଁ ସବୁ ପ୍ରକାର ଅଗ୍ରଗତି ହୋଇଥିଲେ ମଧ୍ୟ ଅନେକେ ଅଦ୍ୟାବଧି ସଶସ୍ତ୍ର ସଂଘର୍ଷକୁ ମୁଖ୍ୟତଃ ପୁରୁଷ ପ୍ରାଧାନ୍ୟ ଭାବେ ଦେଖିବାକୁ ଅଧିକ...

ଏସୀୟ ଏକତାର ବେଳ ଆସିଛି

ପହଲଗାମ୍‌ ଆତଙ୍କବାଦ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ପ୍ରାଣହାନି ପରେ ଭାରତ ଆରମ୍ଭ କରିଥିବା ଅପରେଶନ ସିନ୍ଦୂର ଏସୀୟ ରାଜନୀତିକୁ ସ୍ପଷ୍ଟ କରିଦେଇଛି। ଭାରତ ତା’ର...

ଶ୍ରବଣ କୁମାର କାହାଣୀ କେତେ ଜରୁରୀ

ଆଜିକାଲି ପିଲାମାନଙ୍କ ବୌଦ୍ଧିକ ଓ ମନସ୍ତାତ୍ତ୍ୱିକ ଏବଂ ଶାରୀରିକ ବିକାଶ ସହ ସାଂସ୍କୃତିକ ଓ ବ୍ୟବହାରିକ ସ୍ତରରେ ମଧ୍ୟ ବିକାଶ ହେବା ଆବଶ୍ୟକତା ପରିଲକ୍ଷିତ ହୁଏ।...

ସମୃଦ୍ଧିର ଦର୍ଶନ

ଭାରତରେ ଏବେ ସାମାଜିକ କାର୍ଯ୍ୟକଳାପ ଓ ଜାତିବିରୋଧୀ ଅଭିଯାନଗୁଡ଼ିକ ସହ ବୌଦ୍ଧଧର୍ମକୁ ଦୃଢ଼ ଭାବେ ଯୋଡ଼ାଯାଉଛି। କିନ୍ତୁ ଦେଖିବାକୁ ଗଲେ ସମ୍ରାଟ ଅଶୋକଙ୍କ ଶାସନକାଳ ଖ୍ରୀଷ୍ଟପୂର୍ବ...

ଅମୂଲ୍ୟ ସମ୍ପଦ ଇତିହାସ

ଏପ୍ରିଲ ୨୨ରେ ପହଲଗାମ୍‌ରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କଲେ। ତା’ର ପ୍ରତିଶୋଧ ନେବାକୁ ଭାରତ ‘ଅପରେଶନ୍‌ ସିନ୍ଦୂର’ ଆରମ୍ଭ କଲା ଓ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri