ଧର୍ମ ପାଇଁ ରକ୍ତପାତ ବାଞ୍ଛନୀୟ କି

ଡ. ଜୟଦେବ ସାହୁ

ଧର୍ମ ହିଁ ମଣିଷକୁ ପଶୁ ପରିହାର କରି ମାନବୀୟ ଗୁଣରେ ପରିପୂର୍ଣ୍ଣ କରିଛି। ଜୀବନର ମୂଳ ଲକ୍ଷ୍ୟ ମୋକ୍ଷପ୍ରାପ୍ତି ପାଇଁ ବାଟ ଦେଖେଇଛି। ଧର୍ମ ମଣିଷକୁ ଅଧର୍ମ କାର୍ଯ୍ୟରୁ ନିବୃତ୍ତ କରିବାର ଏକ ମାଧ୍ୟମ। ସେଥିପାଇଁ କହନ୍ତି ଧାରୟତି ଇତି ଧର୍ମ। ଅନ୍ୟ ଏକ ସଂସ୍କୃତ ଶ୍ଳୋକ ଧର୍ମର ସଂଜ୍ଞା ପ୍ରଦାନ କରି କହେ :‘ଅଥାହିଂସା କ୍ଷମା ସତ୍ୟମ୍‌ ହିଶ୍ରଦ୍ଧେନ୍ଦ୍ରୀୟ ସଂଯମ /ଦାନମିଜ୍ୟା ତପୋଧ୍ୟାନମ୍‌ ଦଶକମ୍‌ ଧର୍ମ ସାଧନମ୍‌।’
ଅହିଂସା, କ୍ଷମା, ସତ୍ୟ, ଲଜ୍ଜା, ଶ୍ରଦ୍ଧା, ଇନ୍ଦ୍ରିୟ ସଂଯମ, ଦାନ, ଯଜ୍ଞ, ତପ ଏବଂ ଧ୍ୟାନ ଧର୍ମର ଦଶଟି ଗୁଣ। ଏହା କେବଳ ହିନ୍ଦୁଧର୍ମର ସଂଜ୍ଞା ନୁହେଁ ବରଂ ବିଶ୍ୱର ସବୁ ଧର୍ମର ଏହା ଆଚରଣ। କୌଣସି ଧର୍ମ ହିଂସା କିମ୍ବା ଅସତ୍ୟରେ ବିଶ୍ୱାସ କରେନାହିଁ। ମଣିଷକୁ ସତ୍‌ କର୍ମ, ଅନ୍ୟକୁ ସମ୍ମାନ ଦେବା, ବିପଦରେ ସାହାଯ୍ୟ କରିବା, ନାରୀମାନଙ୍କ ଇଜ୍ଜତ ରକ୍ଷା କରିବାକୁ ଧର୍ମ ଉପଦେଶ ଦିଏ। କିନ୍ତୁ କାଳକ୍ରମେ ଧର୍ମ ନାମରେ ହିଂସା କରିବା, ଅନ୍ୟ ଧର୍ମାବଲମ୍ବୀଙ୍କୁ କାଫିର କହି ବିଦ୍ୱେଷ କରିବା ଏବଂ ଜୋରଜବରଦସ୍ତ ଧର୍ମାନ୍ତର କରିବା ମଣିଷ ପାଇଁ ସ୍ବାଭାବିକ୍‌ ହୋଇପଡ଼ିଛି। ପ୍ରେମ ବଦଳରେ ଘୃଣା ଏବଂ ଅହିଂସା ବଦଳରେ ହିଂସା ପ୍ରାୟ ସବୁ ଧର୍ମର ଆଚାର ହେବା ଲକ୍ଷ୍ୟ କରାଯାଏ। ଖ୍ରୀଷ୍ଟ ଧର୍ମ ଦୟା ଓ ପ୍ରେମର ନିଦର୍ଶନ। କିନ୍ତୁ ଆମେରିକାର ମୂଳ ବାସିନ୍ଦାମାନଙ୍କୁ ୟୁରୋପରୁ ଖ୍ରୀଷ୍ଟିୟାନ୍‌ମାନେ ଆସି ଜୋରଜବରଦସ୍ତ ଧର୍ମାନ୍ତର କଲେ ଏବଂ ଯେଉଁମାନେ ଅମଙ୍ଗ ହେଲେ ସେମାନଙ୍କୁ ଅକଥନୀୟ ଅତ୍ୟାଚାର କଲେ। ଇସ୍‌ଲାମ ଧର୍ମ ଶାନ୍ତି ଓ ନ୍ୟାୟରେ ବିଶ୍ୱାସ କରେ। କିନ୍ତୁ ଜିହାଦ ନାମରେ ଏବଂ ଇସ୍‌ଲାମିକ୍‌ ଦେଶ ସ୍ଥାପନ ପାଇଁ ଆଇଏସ୍‌ଆଇଏସ୍‌ ଏବଂ ହମାସ୍‌ ଭଳି ଉଗ୍ରପନ୍ଥୀ ଗୋଷ୍ଠୀ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ହତ୍ୟା, ଅତ୍ୟାଚାର ଓ ବଳାତ୍କାର କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ବୌଦ୍ଧଧର୍ମ ଅହିଂସା ପାଇଁ ବିଶ୍ୱବିଦିତ। କିନ୍ତୁ ଆଶ୍ଚର୍ଯ୍ୟର କଥା ମ୍ୟାନ୍‌ମାରରେ କିଛି ବୌଦ୍ଧ ଧର୍ମାବଲମ୍ବୀ ରୋହିଙ୍ଗ୍ୟାମାନଙ୍କ ପ୍ରତି ହିଂସା ଆଚରଣ କରୁଛନ୍ତି। ହିନ୍ଦୁ ଧର୍ମ ଶାଶ୍ୱତ ପ୍ରେମ, ଦୟା, କ୍ଷମା ଓ ଅହିଂସାରେ ବିଶ୍ୱାସ ରଖେ। ଭାରତରେ ଏବେ କିଛି ରକ୍ଷଣଶୀଳ ହିନ୍ଦୁ ଅନ୍ୟ ଧର୍ମାବଲମ୍ବୀମାନଙ୍କ ସହିତ ବିଦ୍ୱେଷ ଓ ହିଂସା ଆଚରଣ କରୁଥିବା ଦେଖାଯାଏ। ଏମିତି ପ୍ରାୟ ସବୁ ଧର୍ମ ନିଜ ନୀତି ନିୟମରୁ ବିଚ୍ୟୁତ ହୋଇଥିବା ଉପଲବ୍ଧି ହୁଏ।
ଧର୍ମ ଧର୍ମ ଭିତରେ ତିକ୍ତତା ନୂଆ ନୁହେଁ। ଇତିହାସରୁ ଜଣାଯାଏ, ମାନବ ସଭ୍ୟତା ଯେତିକି ପୁରୁଣା ଓ ଯେଉଁ ଦିନରୁ ବିଭିନ୍ନ ଧର୍ମର ଅଭ୍ୟୁଦୟ ଘଟିଛି, ସେହିଦିନଠାରୁ ଧର୍ମମାନେ ନିଜର ପତିଆରା ଜାହିର କରିବାର ପ୍ରୟାସ କରିଛନ୍ତି। ଏଥିପାଇଁ ଧର୍ମଯୁଦ୍ଧ ସଂଗଠିତ ହୋଇଛି ଓ ଅନେକ ଧନ ଜୀବନ ନଷ୍ଟ ହୋଇଛି। ୧୦୯୫ରୁ ୧୨୯୧ ମସିହା ପର୍ଯ୍ୟନ୍ତ ଖ୍ରୀଷ୍ଟିୟାନ୍‌ ଓ ମୁସଲମାନ୍‌ମାନଙ୍କ ମଧ୍ୟରେ ଅନେକ ଯୁଦ୍ଧ ହୋଇଥିଲା। ଏହାକୁ ଇଂଲିଶ୍‌ରେ ‘କୃସେଡ୍‌’ ବୋଲି କୁହାଗଲା। ଇସ୍‌ଲାମ ଧର୍ମର ବ୍ୟାପ୍ତିକୁ ରୋକିବା ଓ ଖ୍ରୀଷ୍ଟ ଧର୍ମର ପବିତ୍ର ସ୍ଥାନକୁ ନିଜ ଅକ୍ତିଆରକୁ ଆଣିବା ଥିଲା ଏହି ଯୁଦ୍ଧର ଲକ୍ଷ୍ୟ। ଜେରୁଜେଲମ୍‌କୁ ପାଇବା ପାଇଁ ଖ୍ରୀଷ୍ଟିୟାନ୍‌ମାନଙ୍କ ଏହି ଯୁଦ୍ଧରେ ଉଭୟ ପକ୍ଷର ପ୍ରଭୂତ କ୍ଷତି ହୋଇଥିଲା। ପ୍ରତି ୨୦ ଖ୍ରୀଷ୍ଟିୟାନ୍‌ଙ୍କ ମଧ୍ୟରୁ ମାତ୍ର ଜଣେ ଜେରୁଜେଲମ୍‌କୁ ପହଞ୍ଚି ଥିବାର ହିସାବ ଅଛି। ଏହି ଯୁଦ୍ଧସମୂହରେ ପ୍ରାୟ ୧୭ ଲକ୍ଷ ଲୋକ ହତାହତ ହୋଇଥିଲେ। ସ୍ପେନ୍‌ରେ ପଞ୍ଚଦଶ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ ଭିତରେ କ୍ୟାଥୋଲିକ୍‌ମାନେ ନିଜ ଧର୍ମର ବଡ଼ିମା ରକ୍ଷା ପାଇଁ ଅନେକ ଇହୁଦୀ ଏବଂ ମୁସଲମାନ୍‌ମାନଙ୍କୁ ଅତ୍ୟାଚାର କରିଥିବା ଇତିହାସରୁ ଜଣାଯାଏ। ଯେଉଁମାନେ କ୍ୟାଥୋଲିକ୍‌ମାନଙ୍କ ଧର୍ମକୁ ମହାନ୍‌ ବୋଲି ମାନୁ ନ ଥିଲେ ସେମାନଙ୍କୁ ଭୋକରେ ରଖାଯାଉଥିଲା, ବହୁତ ପାଣି ପିଇବାକୁ ଦିଆଯାଉଥିଲା ଏବଂ ଜଳନ୍ତା ଅଙ୍ଗାର ଦେହର ବିଭିନ୍ନ ଅଙ୍ଗରେ ରଖି ଦିଆଯାଉଥିଲା। ଏହି ପ୍ରକ୍ରିୟାରେ ପ୍ରାୟ ୩୨ ହଜାର ଇହୁଦୀ ଓ ମୁସଲମାନ୍‌ମାନଙ୍କୁ ହତ୍ୟା କରାଯାଇଥିଲା। ଆଉ ଏକ ଧର୍ମଯୁଦ୍ଧ ୧୬୧୮ରୁ ୧୬୪୮ ମଧ୍ୟରେ ୟୁରୋପରେ ସଂଗଠିତ ହୋଇଥିଲା। ଏହାକୁ ୩୦ ବର୍ଷର ଯୁଦ୍ଧ ବୋଲି କୁହାଯାଏ। ଏହା କ୍ୟାଥୋଲିକ୍‌ ଓ ପ୍ରୋଟେଷ୍ଟାଣ୍ଟ୍‌ସମାନଙ୍କ ଭିତରେ ହୋଇଥିଲା, ଯାହା ଜର୍ମାନୀ, ଫ୍ରାନ୍ସ, ସ୍ପେନ୍‌, ସ୍ବିଡେନ ପ୍ରଭୃତି ରାଷ୍ଟ୍ରରେ ବ୍ୟାପିଥିଲା। ପ୍ରାୟ ୮୦ ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇଥିଲା। ବର୍ତ୍ତମାନ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଧର୍ମ ଏବଂ ଜେରୁଜେଲମ୍‌କୁ ନେଇ ଭୟଙ୍କର ଯୁଦ୍ଧ ଚାଲିଛି, ଯେଉଁଥିରେ ହଜାର ହଜାର ଇହୁଦୀ ଓ ମୁସଲମାନ ମୃତ୍ୟୁବରଣ କରୁଛନ୍ତି। ହମାସ୍‌ ଭଳି ଆତଙ୍କି ଗୋଷ୍ଠୀ ଧର୍ମ ନାମରେ ଆକ୍ରମଣ କରୁଥିବାରୁ ମଣିଷମାନେ ମରୁଛନ୍ତି।
ଭାରତକୁ ମୁସଲମାନ ଶାସକମାନେ ଅନେକବାର ଆକ୍ରମଣ କରି ମନ୍ଦିର ଧ୍ବଂସ କରିଛନ୍ତି ଏବଂ ଇସ୍‌ଲାମ ଧର୍ମ ଗ୍ରହଣ ପାଇଁ ବାଧ୍ୟ କରିଛନ୍ତି। ବର୍ତ୍ତମାନ ଭାରତ ବର୍ଷ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହେଲେ ମଧ୍ୟ ଧର୍ମ ନାମରେ ସ୍ବାର୍ଥସର୍ବସ୍ବ ମଣିଷମାନେ ଦଙ୍ଗା ସୃଷ୍ଟି କରୁଛନ୍ତି। ୧୮୫୭ର ଭରୁଚ ଦଙ୍ଗା, ୧୯୨୭ର ନାଗପୁର ଦଙ୍ଗା, ୧୯୬୪ର କଲିକତା ଦଙ୍ଗା ପ୍ରଭୃତି ଘଟଣାମାନ ଅନେକ ଧନଜୀବନ ନଷ୍ଟ କରିଛନ୍ତି। କେବଳ ୧୯୪୭ର ଦଙ୍ଗାରେ ୨୦ ଲକ୍ଷ ଲୋକ ଜୀବନ ହରାଇଥିବା ଅନୁମାନ କରାଯାଏ।
ଏତେ ରକ୍ତପାତରୁ ଧର୍ମକୁ ମିଳୁଛି କ’ଣ? ଧର୍ମ ନାମରେ ମଣିଷ ପଶୁ ପାଲଟି ଯାଉଛି। ମନେରଖିବା ଉଚିତ ଯେ, କୌଣସି ଧର୍ମ ସାନ ନୁହେଁ କି ବଡ଼ ନୁହେଁ। ଯେ କୌଣସି ଧର୍ମ ବିନାଶ କିମ୍ବା ଅତ୍ୟାଚାରକୁ ପ୍ରୋତ୍ସାହନ ଦିଏନାହିଁ। ମଣିଷ ଏତେ ଶିକ୍ଷିତ ହୋଇ ମଧ୍ୟ ନିଜ ଧ୍ବଂସକୁ ଡାକିଆଣୁଛି ଧର୍ମ ପାଇଁ। ଯେଉଁ ଧର୍ମ ଅନ୍ୟ ଧର୍ମକୁ ନୂ୍ୟନ ମନେକରେ ତାହା ଧର୍ମ ପଦବାଚ୍ୟ ନୁହେଁ। ଯେଉଁମାନେ ଧର୍ମାନ୍ଧ ସେମାନେ ପ୍ରକୃତରେ ଶିକ୍ଷିତ ନୁହନ୍ତି। ସେମାନଙ୍କୁ ସାହିତ୍ୟ ହିଁ ଠିକ୍‌ ରାସ୍ତାକୁ ଆଣିପାରିବ। କାରଣ ସାହିତ୍ୟ ମାନବବାଦ୍‌ରେ ବିଶ୍ୱାସ କରେ।
କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ଭବାନୀପାଟଣା, ମୋ- ୭୯୭୮୯୯୦୦୧୬


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri