ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ

ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର କଲ୍‌କୁ ରିସିଭ କଲେ ଚନ୍ଦ୍ର। ସକାଳୁଆ ଚାଲିକୁ ଉତୁଉତା ଗରମ। ଦେହରୁ ପାଣି ଝରି ପଡୁଥାଏ। ସେପଟୁ ବନ୍ଧୁ ଜଣକ ସମ୍ବୋଧନ ନ କରି ସିଧା ପଚାରିଲେ – ‘କିରେ ଭାଇ! ତୁମ ଆଡେ କେମିତି ସବୁ?’ ଟିକେ ବିରକ୍ତରେ ଉତ୍ତର ଦେଲେ ଚନ୍ଦ୍ର – ”ଆରେ ଭାଇ! ସେ ରାଜନୀତିରୁ ଆମକୁ କ’ଣ ମିଳିବ। କୋଉ ଆଦର୍ଶଟା ଅଛି ଏ ପଲିଟିକ୍ସରେ। ସବୁ ତ ସେଇ ଏକା ଲାଉର ମଞ୍ଜି। ଖାଲି ନଁା ଅଲଗା। ଦଳକୁ ଛାଡ଼ି ବ୍ୟକ୍ତିକୁ ଯଦି ଦେଖିବା ସେତକ ମଧ୍ୟ ଏଇ ନେତା ଗଣ୍ଡାକ ପୋଡ଼ି ପାଉଁଶ କରିଦେଲେ। କଥାରେ ଅଛି ସବୁ ଯାଉ ଚରିତ୍ର ଥାଉ। କିନ୍ତୁ ଏବର ଏଇ ନିର୍ବାଚନକୁ ଦେଖିଲେ ଲାଗିଲାଣି ବିଚାର ବଦଳିଗଲା। ଚରିତ୍ର ଯାଉ ପଛେ ଟିକେଟ ଖଣ୍ଡେ ମିଳିଯାଉ। ହାର୍‌ଜିତ୍‌ ପଛେ, ରାଜନୀତିର ଗୋଳିଆ ପାଣି ଭିତରେ ଘାଣ୍ଟି ହୋଇ ରହିବାକୁ ଯେଉଁ ଦଳର ହେଉ ପଛେ ଟିକେଟ ଖଣ୍ଡେ ଲୋଡ଼ା। ଟିକେଟ ମିଳିଲେ ଦଳ ଦାୟିତ୍ୱ ମୁଣ୍ଡେଇବ। ତଳିଆ କର୍ମୀ ହମହମ ହେବେ। ନ ହେଲେ ସେମାନଙ୍କ କାଟ୍‌ତି ବି ଦି’ପାଞ୍ଜିରୁ ଯିବ। କୁଜି ନେତା ବାହାରିଲେ ପଛକୁ ସବୁ ଅନୁଗତ ଆସିବେ। ସବୁ ମିଶିଲେ ରାଜନୀତିରେ ଫୁଲ୍‌ ପଲିଟିକ୍ସ ପଶିବ। ତେଣିକି ପାର୍ଟି ଚାନ୍ଦା ଆସିବ। ସେଥିରୁ କିଛି ହାତ ଚିକ୍କଣ କରିଦେଲେ କାମ ତୁଟିଲା। ନ ଜିତିଲେ ବି ପାଞ୍ଚ ବର୍ଷର ଧଁ ସଁ ହୋଇ ବଞ୍ଚି ହୋଇଯିବ। ଏମିତି କାରବାର ଭିତରେ ଆମେ ହେଲୁ ସାଧାରଣ ଭୋଟର। କିଏ ଲଲିପପ୍‌ ଯାଚିବ, ଆଉ କିଏ ମିଠେଇ , ପୁଣି ଆଉ କିଏ ରସମଲେଇ। ସେଇ ଲୋଭରେ ଥୋକାଏ ହାମୁଡ଼ିବେ। ପ୍ରାପ୍ତିର ବିଭୋରପଣରେ ଭୋଟ ସବୁ ନାଦି ଦେଇଯିବେ।“ ‘ସେ କଥା ନୁହଁରେ ଭାଇ!’ ସେପଟୁ ପୁଣି ସେ କହିଲା। ଚନ୍ଦ୍ର ସହ ଚାଲୁଥିବା ବନ୍ଧୁ ଜଣକ ମୋବାଇଲରୁ ନିର୍ଗତ ଧ୍ୱନିରୁ ଶୁଣିପାରୁଥିଲେ କଥା ସବୁ। କ’ଣ ବୁଝିଲେ କେଜାଣି ଆଖି ଠାରି ଆହୁରି ଶୁଣେଇବାକୁ ଇସାରା ଦେଲେ। ଆଉ କ’ଣ ଅଟକି ହେବ। ପୁଣି ଚାଲିଲା ଚନ୍ଦ୍ରର ପ୍ରବଚନ।
”ଆରେ ଭାଇ! ଆମ ଭଳି ସବ୍‌ ଜାନ୍‌ତା ଭୋଟରର ଗତି କୁଆଡ଼େ। ଆମେ ପାଠ ପଢ଼ିଲୁ। ସବୁ ପଢ଼ିଶୁଣି ଦେଖି ହରେକ କଥାକୁ ବୁଝିଲୁ। ଭଲ କୋଉଟା ମନ୍ଦ କୋଉଟା ମଧ୍ୟ ଜାଣିଲୁ। ହେଲେ କ’ଣ ହେବ କହିଲୁ। କର୍ମଚାରୀ ଭୋଟର ତ ନିର୍ବାଚନ କାମର ସୈନିକ ହେବେ। ନିଜ ଭୋଟ ଦେବା ସୁଯୋଗକୁ ହାତଛଡ଼ା କରିବେ। ପୋଷ୍ଟାଲ ବାଲଟର ଝିନ୍‌ଝଟକୁ ଯିବେନି। ବାକି ଯେଉଁ ଶିକ୍ଷିତ ବର୍ଗ ରହିଲେ ପ୍ରତିପତ୍ତି ଓ ଇଜ୍ଜତ ନାମରେ ଭୋଟଦାନ କେନ୍ଦ୍ରକୁ ଯାଇ ଲାଇନରେ ଠିଆ ହୋଇ ଭୋଟ ଦେବାକୁ କୁନ୍ଥୁ କୁନ୍ଥୁ ହେବେ। ଯେତକ ଦେବେ ପୂରା ସଲିଡ ଦେବେ। ସବୁ ଯଦି ଦିଅନ୍ତେ ତାହା ହେଲେ ଗଣତନ୍ତ୍ର ପ୍ରକ୍ରିୟା ଭିତରକୁ ଅଗା ବଗା ଖଗା ସବୁ ପଶି ନ ଥାନ୍ତେ। ଯାହା କହ ପଛେ ନେତାଙ୍କ ଅହୋଃ ଭାଗ୍ୟ। ଭୋଟ ଦେବେ ଜନତା। କ୍ଷମତାରେ ପାଞ୍ଚ ବର୍ଷ ରହି ରାଜୁତି କରିବେ ନେତା। ପାଞ୍ଚ ବର୍ଷଯାକ ଜନତା ଏକଦମ ଭକୁଆ। ଆଉ କିଛି କରିପାରିବେନି ଜନତା। ତେଣୁ ବୁଝିଲୁ ଭାଇ!
ତୁମ ଆଡେ ଯେମିତି, ଆମ ଆଡେ ସେମିତି। ଯେତକ ହନୁମନ୍ତ ସମସ୍ତେ ବାସ୍ତରି ହାତ। କିଛି ନୂଆ ନାହିଁ। କିନ୍ତୁ ବାପଧନ! ଭୋଟ ଦେବାକୁ ଜରୁର୍‌ ଯିବୁ। ଇଭିଏମ୍‌ର ସୁଇଚ୍‌ ଟିପି ମନର ରାଗଟିକୁ ତ ଶୁଝେଇ ପାରିବୁ।“ ସେପଟେ ସେ ବିରକ୍ତ ହୋଇ କହିଲା – ”ବୁଝିଲୁ ତୋର ସେଇ ପୁରୁଣା ପ୍ରକୃତି ଗଲାନି। ଆସି ବୁଢ଼ା ହେବାକୁ ବସିଲୁ ସେମିତି ହିଁ ରହିଲୁ। ମୁଁ ପଚାରୁଛି କ’ଣ। ତୁ କହୁଛୁ କ’ଣ। ପୂରା ନ ଶୁଣି ଗପି ଚାଲିଛୁ।“‘ଆଚ୍ଛା ଏମିତି କଥା! ଏ ସମୟରେ ତୁମ ଆଡେ କେମିତି ବୋଲି ପଚାରିଲେ କ’ଣ ଉତ୍ତର ଦେବି। ଏବେ ତ ସବୁଠି ରାଜନୀତି।’ ଚନ୍ଦ୍ର ପୁଣି କହିଲା ‘ବାବୁ! ତୁମ ପାହାଡ଼ିଆ ଇଲାକାରେ ଖରାର ତାତି କେମିତି ପଚାରୁଥିଲି?’
ଠୋ ଠୋ ହସିଲା ଚନ୍ଦ୍ର। ଲମ୍ବା ନିଶ ହଳକ ଆଉ ଟିକେ ଲମ୍ବିଗଲା। ଏଥର ପୁଣି କହିଲା ସେ – ‘ଆରେ ଭାଇ! କହନା। କି ତାତି। ପାରଦ ୪୩ ଡିଗ୍ରୀକୁ ଛୁଇଁଲା। ନଁାକୁ ମାଳଭୂମି। କିନ୍ତୁ ସବୁଆଡ଼େ ଟାଙ୍ଗରା। ପୋଡୁଚାଷକୁ କାଠମାଫିଆ ମିଶି ବଣକୁ ସାରିଦେଲେ। ଚୈତ୍ର ମାସ ନ ଆସୁଣୁ ଖରାର ତାଣ୍ଡବ। ତା’ପରେ ବୈଶାଖ ଓ ଜ୍ୟେଷ୍ଠ ମାସରେ ତ ଡହ ଡହ ଖରା। ଆମ ଇଲାକାର ପୋଖରୀ, ଗାଡ଼ିଆ, ଝୋଲା ଝରଣା ଏବେ ଠିଆ ଠିଆ ଶୁଖିଲା। ପାଣି ମୁନ୍ଦିଏ ପାଇଁ ଡହଳବିକଳ ଗାଁ ଲୋକ। ନିଜର ଦୋଷକୁ ନ ବୁଝି ସରକାର ଓ ପ୍ରଶାସନ ଉପରେ ଲୋକଙ୍କ ରାଗ। ମାଟି ତଳେ ପାଣିର ସ୍ତର, ପାଖରେ ଥିଲେ ତ ନଳକୂପ ଖୋଳିି ପାଣି ଯୋଗାଇବ ପ୍ରଶାସନ। ଲୋକେ ଗଛ ହାଣିବେ। ଚାରିଆଡେ କଂକ୍ରିଟ ରାସ୍ତା କରିବେ। ପାଣି ଭିତରକୁ ଯିବ କେମିତି! ଏ ବର୍ଷ ନଳକୂଅ ଖୋଳାହେଲେ ଆର ବର୍ଷକୁ ସେଥିରୁ ପାଣି ବାହାରୁନି। କୋଉଠି କେମିତି ଆକାଶକୁ ହାତ ଯୋଡ଼ି ଠିଆ ହୋଇଥିବା ଗଛ ସବୁ ତ୍ରାହି ତ୍ରାହି ଡାକୁଛନ୍ତି। ପାହାଡ଼ ସୁଦୁ ଲଙ୍ଗଳା। ନଣ୍ଡା ପଥର ଦାନ୍ତ ନେଫେଡି ହସୁଛି ଯେମିତି। ଚାରିପଟ ପାହାଡ଼ର ପଥର ତାତିଲେ ମଝିରେ ଥିବା ଗାଁଗଣ୍ଡାର ଅବସ୍ଥା କ’ଣ ହେଉଥିବ ବୁଝୁଥିବୁ। ଖରାବେଳ ସାରା ଉଷୁନା ଧାନ ସିଝିଲା ଭଳି ସ୍ଥିତି। ଆଗକୁ ଲୋକେ ଠାଇ ଠାଇ ହୋଇ ମରିବେ। ଗଛ ନ ଲଗାଇଲେ ଆଗକୁ ପରିସ୍ଥିତି ଭୟଙ୍କର।’
‘ଆମର ଏଠି ତ ଖଣି ଓ କାରଖାନା। ବର୍ଷସାରା ତାତି। ଖରାଦିନେ ଭୟଙ୍କର ସ୍ଥିତି। ମାଟି ଗଲା, ପାଣି ଶୁଖିଲା, ପବନରେ କଳା ମିଶିଲା ଆଉ ଜଳବାୟୁ ଶୁଷ୍କ। ଆମ ରାଜଧାନୀ ତ ଦେଶର ଦ୍ୱିତୀୟ ଗରମ ସହରର ରେକର୍ଡ କଲା। ଓଡ଼ିଶା ପୂରା ତତଲା। ତାହାହେଲେ ତୁମ ଆଡେ ବି ଏବେ ଘାଏଲା।’
ଏତିକିରେ ଫୋନ୍‌ କଟିଗଲା। ଚନ୍ଦ୍ର ଓ ସବୁ କଥା ଶୁଣୁଥିବା ତା’ର ବନ୍ଧୁ ଏଥର ପାର୍କର ଏକ ଗଛ ତଳେ ଥିବା ଚେୟାରରେ ବସିଲେ। ବସୁ ବସୁ ମୁଣ୍ଡ ଉପରେ ଥିବା ଗଛକୁ ଚାହିଁଲେ। ତଳ ଓଠକୁ ବାହାରକୁ କାଢ଼ି ଦୁଇ ହାତକୁ ବିପରୀତ ଦିଗକୁ ମୋଡ଼ିଲେ। ଇସାରାରେ ପରସ୍ପରକୁ ଯେମିତି ଜଣାଇବାକୁ ଚାହଁୁଥିଲେ ଗଛ ହିଁ ମଣିଷର ଗତି ଓ ମୁକ୍ତି।
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri