ଜୀବେ ନିଷ୍ଠୁରତା ଓ ଅପରାଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଆମର କେତେଜଣ ବିଚାରପତି ଜୀବେ ନିଷ୍ଠୁରତାର ଦେଶ ଉପରେ କି ପ୍ରଭାବ ପଡ଼ୁଛି ତାହା ବୁଝିବାକୁ ଆରମ୍ଭ କଲେଣି ଏବଂ ତା’ ଉପରେ କାର୍ଯ୍ୟାନୁଷ୍ଠାନ ବି ନେଲେଣି। ପଞ୍ଜାବ ଓ ହରିୟାଣା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରାଜୀବ ଶର୍ମା ଜୀବେ ନିଷ୍ଠୁରତା ଉପରେ କେତେକ ଉଚ୍ଚକୋଟୀର ରାୟ ଲେଖିଛନ୍ତି। ନିର୍ଦ୍ଦିଷ୍ଟ ବିଷୟରେ ଭୋପାଳକୁ ତାଲିମ ପାଇଁ ଆସୁଥିବା ବିଚାରପତିମାନଙ୍କୁ ତାହା ପଢ଼ାଯିବା ଉଚିତ। ଶୀଘ୍ର ବିଭିନ୍ନ ମାମଲାର ରାୟ ଶୁଣାଇବାରେ ଜଷ୍ଟିସ୍‌ ଶର୍ମାଙ୍କର ସୁନାମ ଅଛି ଏବଂ ପ୍ରକୃତି ଓ ପରିବେଶ ପ୍ରତି ସେ ଅତ୍ୟନ୍ତ ସଚେତନ। ଗଙ୍ଗା ଓ ଜୈବମଣ୍ଡଳକୁ ଜୀବନ୍ତ ସତ୍ତା ଭାବେ ମାନ୍ୟତା ଦେବା ପରି ସେ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି। ତାଙ୍କର ଆଉ କେତେକ ଐତିହାସିକ ରାୟ ଭିତରେ ଅଛି: ଏତଲାରେ କାହାର ଜାତି ବିଷୟରେ ଉଲ୍ଲେଖ ନ କରିବା, ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅପରାଧୀକୁ ଏକାନ୍ତ କାରାବାସରେ ରଖିବାର ପୁରୁଣା ପରମ୍ପରାର ବିଲୋପ ଏବଂ ଶିକ୍ଷା, ସ୍ବାସ୍ଥ୍ୟ, ମାନସିକ ସ୍ବାସ୍ଥ୍ୟ ଆଦି ସମ୍ପର୍କିତ ଆହୁରି ଅନେକ ରାୟ।
ଏବେ ଆସିବା ମୁଖ୍ୟ ବିଚାରପତି ସଞ୍ଜୟ କାରୋଲ ଏବଂ ଜଷ୍ଟିସ୍‌ ଅରିନ୍ଦମ ଲୋଧାଙ୍କ ରାୟ ପ୍ରସଙ୍ଗକୁ ଯେଉଁମାନେ ତ୍ରିପୁରାର ମନ୍ଦିରଗୁଡ଼ିକରେ ପଶୁବଳିକୁ ନିଷିଦ୍ଧ କରିଛନ୍ତି। ପୂର୍ବତନ ଆଇନ ସେବା ଅଧିକାରୀ ସୁଭାଷ ଭଟ୍ଟାଚାର୍ଜୀ ଗତବର୍ଷ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ବିଚାରପତିଦ୍ୱୟ ବୁଝିଥିଲେ ଏ ପ୍ରଥା ମୂଳରେ ରହିଥିବା କିଛି ଲୋକଙ୍କ ଲୋଭ ଓ ଅର୍ଥନୈତିକ କାରଣ ବିଷୟରେ। ଏକ ସଭ୍ୟ ସମାଜରେ ଏପରି ବର୍ବର ପରମ୍ପରାର କୌଣସି ସ୍ଥାନ ନାହିଁ। ଏହାକୁ ଆମର ସଂସ୍କୃତି ବୋଲି ବି କୁହାଯାଇପାରିବ ନାହିଁ। ୫୨୫ ବର୍ଷ ପରେ ପ୍ରଥମ ଥର ପାଇଁ ଅଗରତାଲାର ଦୁର୍ଗାବାଡ଼ି ମନ୍ଦିରରେ କୌଣସି ବଳି ଦିଆଯିବ ନାହିଁ।
୨୦୧୯ ଅଗଷ୍ଟ ୧୯ରେ କିଶୋର ଓ ପରିବାର ନ୍ୟାୟାଳୟର ବିଚାରପତିମାନଙ୍କ ଜାତୀୟ ପରିଷଦ (ଏନ୍‌ସିଜେଏଫ୍‌ସିଜେ) ଜୀବେ ନିଷ୍ଠୁରତା ଏବଂ ଅନ୍ୟାନ୍ୟ ହିଂସା ସହ ଏହାର ସମ୍ପର୍କ ବିଷୟରେ ଏକ ସଂକଳ୍ପନାମା ଜାରି କଲେ। ଏଥିରେ କୁହାଯାଇଛି: ପ୍ରୟୋଗସିଦ୍ଧ ଗବେଷଣାରୁ ଜଣାପଡ଼ିଛି ଯେ ଜୀବେ ନିଷ୍ଠୁରତା ଏବଂ ମଣିଷ ସମାଜରେ ଘଟୁଥିବା ବିଭିନ୍ନ ପ୍ରକାର ହିଂସା (ପାର୍ଟନର ସହ ଦୁର୍ବ୍ୟବହାର, ଶିଶୁ ନିର୍ଯାତନା, ବୁଢ଼ୀବୁଢ଼ାଙ୍କ ପ୍ରତି ନିର୍ଯାତନା ସମେତ) ମଧ୍ୟରେ ଏକ ସିଧାସଳଖ ଯୋଗସୂତ୍ର ରହିଛି। ଯେଉଁ ଘରଗୁଡ଼ିକରେ ପ୍ରାଣୀମାନଙ୍କ ପ୍ରତି ନିର୍ଯାତନା ଦିଆଯାଏ, ସେଠାରେ ଅନ୍ୟ ପାରିବାରିକ ହିଂସା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି। ଜୀବେ ନିଷ୍ଠୁରତା ହେଉଛି ଏକ ହିଂସାମୂଳକ ଅପରାଧ ଏବଂ ଏଥିରୁ ଅତୀତ ବା ଭବିଷ୍ୟତ ହିଂସାକାଣ୍ଡର ସୂଚନା ମିଳେ।
ଗବେଷକମାନେ ଦେଖିଲେ ଯେ ୧୯୮୮ରୁ ୨୦୧୨ ମଧ୍ୟରେ ଆମେରିକାରେ ସ୍କୁଲଗୁଡ଼ିକରେ ଗୁଳିକାଣ୍ଡ ଘଟାଇଥିବା ଅପରାଧୀମାନଙ୍କର ପ୍ରାଣୀମାନଙ୍କୁ ନିର୍ଯାତନା ଦେବା ବା ଜୀବହିଂସା କରିବାର ଇତିହାସ ରହିଛି। ଏନ୍‌ସିଜେଏଫ୍‌ସିଜେ ଦର୍ଶାଇଛି ଯେ ଘରୋଇ ହିଂସା ସମେତ କିଶୋର ଓ ପାରିବାରିକ କୋର୍ଟ କେସ୍‌ରେ କୋର୍ଟ ନିଷ୍ପତ୍ତି ନେବା ବେଳେ ନିର୍ଯାତିତ ପ୍ରାଣୀମାନଙ୍କ ମଙ୍ଗଳ ବିଷୟକୁ ମଧ୍ୟ ବିଚାରକୁ ନେବା ଉଚିତ। ପ୍ରାଣୀ ପ୍ରତି ହିଂସା ଆଚରଣ କରୁଥିବା ବ୍ୟକ୍ତି ମଣିଷ ପ୍ରତି ମଧ୍ୟ ସେପରି କରିବାର ସମ୍ଭାବନା ରହିଛି। ଘରୋଇ ହିଂସାର ଶିକାର ହୋଇଥିବା ୮୯ ପ୍ରତିଶତ ମହିଳାଙ୍କ ଘରେ ପୂର୍ବରୁ ନିର୍ଯାତକଙ୍କ ଦ୍ୱାରା ପୋଷା ପ୍ରାଣୀ ହିଂସା ବା ନିର୍ଯାତନାର ଶିକାର ହୋଇଥିବା ଜଣାପଡ଼ିଛି। ଯେଉଁ ପିଲାମାନେ ପ୍ରାଣୀଙ୍କ ପ୍ରତି ହିଂସା ଆଚରଣ କରନ୍ତି ସେମାନେ ହିଂସାତ୍ମକ ବ୍ୟବହାର ପ୍ରଦର୍ଶନ କରିବାର ଦୁଇଗୁଣ ଅଧିକ ସମ୍ଭାବନା ଥାଏ। କିଶୋର ଓ ପାରିବାରିକ ମାମଲାରେ ନିଷ୍ପତ୍ତି ନେବା ବେଳେ ବିଚାରପତିମାନେ ପୋଷା ପ୍ରାଣୀକୁ ପରିବାରର ସଦସ୍ୟ ଭାବେ ବିଚାର କରିବା ଉଚିତ ବୋଲି ଏନ୍‌ସିଜେଏଫ୍‌ସିଜେର ଅଧ୍ୟକ୍ଷ ଜଷ୍ଟିସ୍‌ ଜନ୍‌ ଜେ. ରୋମେରୋ କହିଛନ୍ତି।
ଏନ୍‌ସିଜେଏଫ୍‌ସିଜେ ବିଚାରପତିମାନଙ୍କୁ ତାଲିମ ଦେବା ଏବଂ ଜୀବେ ନିଷ୍ଠୁରତା ସହ ଜଡ଼ିତ କିଶୋର ଓ ପାରିବାରିକ ମାମଲା ବିଚାରରେ ସହଯୋଗ କରିବା ଲାଗି ପ୍ରାଣୀ ମଙ୍ଗଳ ସଂଗଠନଗୁଡ଼ିକ ସହ ଅନୁବନ୍ଧିତ ହେବ। ଚଳିତ ବର୍ଷ ଏନ୍‌ସିଜେଏଫ୍‌ସିଜେ ଓ ପ୍ରାଣୀ ଆଇନଗତ ସୁରକ୍ଷା ପାଣ୍ଠି (ଏଏଲ୍‌ଡିଏଫ୍‌) ଜୀବେ ନିଷ୍ଠୁରତା ଉପରେ ପ୍ରଥମ ମିଳିତ ବୈଠକର ଆୟୋଜନ କରିଥିଲେ। ଏହି ବୈଠକରେ ନୂତନ ଟେକ୍ନିକାଲ ଆସିଷ୍ଟାନ୍ସ ବୁଲେଟିନ, ଆନିମଲ ଆବ୍ୟୁଜ୍‌ ଇସ୍ୟୁଜ୍‌ ବାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା, ଯେଉଁଥିରୁ କିଶୋର ଓ ପାରିବାରିକ କୋର୍ଟ ବିଚାରପତିମାନେ ଆବଶ୍ୟକ ଶିକ୍ଷା ପାଇପାରିବେ। ଏପରି ଶିକ୍ଷାପ୍ରାପ୍ତ ବିଚାରପତିମାନେ ଉଭୟ ମଣିଷ ଓ ପ୍ରାଣୀମାନଙ୍କ ପାଇଁ ନିରାପଦ ସହାବସ୍ଥାନ ନିମନ୍ତେ ସମାଧାନ ବାହାର କରିପାରିବେ।
ଏମାନେ କ’ଣ ଏକମାତ୍ର ନ୍ୟାୟ ପ୍ରବର୍ତ୍ତନକାରୀ ବ୍ୟକ୍ତି ଯେଉଁମାନେ ପ୍ରାଣୀ ପ୍ରତି ଅପରାଧ ଓ ସାଧାରଣ ଅପରାଧ ମଧ୍ୟରେ ସମ୍ବନ୍ଧ ଥିବା ବୁଝିପାରିଛନ୍ତି? ନା। ୨୦୧୯ ଜାନୁୟାରୀ ପହିଲାରୁ ଏଫ୍‌ବିଆଇର କ୍ରିମିନାଲ ଡାଟାବେସ୍‌ରେ ବିଭିନ୍ନ ଗୁରୁତର ଅପରାଧ ଯଥା ଗୃହଦାହ, ସିନ୍ଧି ଚୋରି, ଆକ୍ରମଣ ଓ ନରହତ୍ୟା ପ୍ରଭୃତି ସହ ଜୀବେ ନିଷ୍ଠୁରତାକୁ ଅନ୍ତର୍ଭୁକ୍ତ କରାଯାଇଛି। ଜାତୀୟ ଅପରାଧ ବ୍ୟୁରୋ ବର୍ତ୍ତମାନ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକଠାରୁ ପ୍ରାଣୀମାନଙ୍କ ପ୍ରତି ଗୁରୁତର ଅବହେଳା, ନିର୍ଯାତନା, ସଂଗଠିତ ନିର୍ଯାତନା, ଯୌନ ନିର୍ଯାତନା ସମେତ ଜୀବେ ନିଷ୍ଠୁରତାର ବିଭିନ୍ନ ତଥ୍ୟ ସଂଗ୍ରହ କରୁଛି। ସେମାନଙ୍କ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଜୀବେ ନିଷ୍ଠୁରତା ହେଉଛି ବଡ଼ ଅପରାଧର ପୂର୍ବାଭାସ।
ଆମେରିକାରେ ଶେରିଫ ହେଉଛନ୍ତି ଏକ କାଉଣ୍ଟିର ଆଇନ ପ୍ରବର୍ତ୍ତନକାରୀ ଅଧିକାରୀ। ଅନେକ ଶେରିଫ ପୋଲିସ ମୁଖ୍ୟର ଦାୟିତ୍ୱ ତୁଲାଇଥାନ୍ତି। ଏବେ ଜାତୀୟ ଶେରିଫ ସଂଘ ଦାବି କରୁଛି ଯେ ବ୍ୟୁରୋର ଅପରାଧ ପରିସଂଖ୍ୟାନରେ ଜୀବେ ନିଷ୍ଠୁରତା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ରଖାଯାଉ। ଜୀବେ ନିଷ୍ଠୁରତା ସହ ନରହତ୍ୟା ସମେତ ବିଭିନ୍ନ ଅପରାଧର ସମ୍ପର୍କ ଥିବା ନେଇ ସଂଘ ଅନେକ ବର୍ଷ ହେଲା ତଥ୍ୟ ଉପସ୍ଥାପନ କରିଆସୁଛି। ଜୀବେ ନିଷ୍ଠୁରତା ସହ ପାରିବାରିକ ହିଂସା ଓ ଶିଶୁ ନିର୍ଯାତନାର ସମ୍ପର୍କ ରହିଥିବା ସଂଘ ଦର୍ଶାଇ ଆସୁଛି। ଯଦି ଜଣେ ଲୋକ ଏକ ପ୍ରାଣୀର କ୍ଷତି କରୁଛି, ତେବେ ସେ ମଣିଷକୁ ବି ଆଘାତ ଦେବାର ସମ୍ଭାବନା ଅଛି ବୋଲି ଜାତୀୟ ଶେରିଫ ସଂଘର ଡେପୁଟି ନିର୍ବାହୀ ନିର୍ଦ୍ଦେଶକ ଜନ୍‌ ଥମ୍ପସନ କହିଛନ୍ତି। ଜୀବେ ନିଷ୍ଠୁରତା ଜନିତ ଅପରାଧଗୁଡ଼ିକ ଚିହ୍ନଟ କରିବା ଓ ତର୍ଜମା କରିବା ଦ୍ୱାରା ଆଇନ ପ୍ରବର୍ତ୍ତନ ସୁଗମ ହୋଇଥାଏ। ଜୀବେ ନିଷ୍ଠୁରତା ଯେ କେବଳ ପ୍ରାଣୀମାନଙ୍କ ପ୍ରତି ଅପରାଧ ଏ ଧାରଣା ଲୋକମାନେ ମନରୁ ପୋଛିଦେବା ଉଚିତ। ଏହା ହେଉଛି ସମାଜ ପ୍ରତି ଅପରାଧ। ଏହିସବୁ ଅପରାଧ ପ୍ରତି ଧ୍ୟାନ ଦେଲେ ତାହାଦ୍ୱାରା ସମଗ୍ର ସମାଜ ଉପକୃତ ହୋଇପାରିବ। ଆପଣ ଯଦି କୌଣସି ବିଚାରପତିଙ୍କୁ ଜାଣିଥାନ୍ତି, ତେବେ ଏ ଲେଖାର ପେପର କଟିଂ ତାଙ୍କୁ ଦେବାକୁ ଭୁଲିବେ ନାହିଁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri