ଜାପାନର ନୂତନ ଯୁଗ

ଟୋକିଓ,୧।୫: ଜାପାନ ଏବେ ପରିବର୍ତ୍ତନ ଆଡ଼କୁ ମୁହାଁଇଛି। ସମ୍ରାଟ୍‌ ଆକିହିତୋ ମଙ୍ଗଳବାର ରାଜଗାଦି ତ୍ୟାଗକରି ବୁଧବାର ତାଙ୍କର ପୁତ୍ର ରାଜକୁମାର ନାରୁହିତୋଙ୍କୁ ନୂତନ ରାଜାଭାବରେ ଅଭିଷିକ୍ତ କରାଇଛନ୍ତି। ୮୫ବର୍ଷୀୟ ବୃଦ୍ଧଙ୍କଠାରୁ ୫୯ ବର୍ଷୀୟ ପୁତ୍ରଙ୍କୁ ଏହି ଐତିହାସିକ ସିଂହାସନ ହସ୍ତାନ୍ତର ପର୍ବ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ୩୦ ବର୍ଷ କାଳ ଜାପାନ ପରି ଦେଶର ସମ୍ରାଟ୍‌ ରହିବା ଅବସରରେ ଆକିହିତୋ ରକ୍ଷଣଶୀଳମାନଙ୍କ ଜାତୀୟତାବାଦ ଅପେକ୍ଷା ମାନବବାଦକୁ ପ୍ରାଧାନ୍ୟ ଦେଇ ସାଧାରଣ ଜନତାଙ୍କର ପ୍ରିୟଭାଜନ ହୋଇଥିଲେ। ପ୍ରତିଟି କାର୍ଯ୍ୟରେ ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ତାଙ୍କର ମାନବବାଦୀ ଚିନ୍ତାଧାରାର ପ୍ରତିଫଳନ ଦେଖିବାକୁ ମିଳୁଥିଲା। ନିର୍ବାଚିତ ପ୍ରତିନିଧିମାନଙ୍କ ହାତରେ ଶାସନ ଦାୟିତ୍ୱ ନ୍ୟସ୍ତ ଥିଲେ ମଧ୍ୟ ଜନସାଧାରଣ ହିଁ ଥିଲେ ତାଙ୍କର ସବୁ ଯୋଜନାର କେନ୍ଦ୍ରରେ।
ରାଜଗାଦି ତ୍ୟାଗ କରିବା ଅବସରରେ ଆକିହିତୋ କହିଛନ୍ତି ଯେ ୩୦ ବର୍ଷ ତଳେ ସିଂହାସନାରୂଢ଼ ହେବା ଦିନଠାରୁ ଲୋକଙ୍କ ପ୍ରତି ଗଭୀର ବିଶ୍ୱାସ ଓ ସମ୍ମାନକୁ ନେଇ ସେ ନିଜର କର୍ତ୍ତବ୍ୟ କରିଆସିଛନ୍ତି। ସେ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ପାଳନ କରିପାରିଥିବାରୁ ନିଜକୁ ଭାଗ୍ୟବାନ୍‌ ମନେକରନ୍ତି। ଜାପାନ ଓ ଏହାର ସମ୍ରାଟ୍‌ମାନଙ୍କର ଦୀର୍ଘ ଇତିହାସରେ ଏହା ଥିଲା ଏକ ବିରଳ ମୁହୂର୍ତ୍ତ। ନୂତନ ସମ୍ରାଟ୍‌ଙ୍କ ସିଂହାସନ ଆରୋହଣ ପର୍ବକୁ ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ସରକାର ୧୦ ଦିନିଆ ଛୁଟି ଘୋଷଣା କରିଛନ୍ତି। କାମ ପାଇଁ ପ୍ରତିବଦ୍ଧ ଏକ ଦେଶରେ ଏତେ ଦିନ ଛୁଟି ଘୋଷଣାରୁ ସେମାନେ ଏହାକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ବୁଝାପଡ଼ିଯାଉଛି। ଗତ ୨୦୦ ବର୍ଷ ଭିତରେ ଆକିହିତୋ ହେଉଛନ୍ତି ପ୍ରଥମ ସମ୍ରାଟ୍‌ ଯେକି ସ୍ବେଚ୍ଛାକୃତ ଭାବରେ ରାଜସିଂହାସନ ତ୍ୟାଗ କରିଛନ୍ତି। ୧୮୧୭ ମସିହାରେ ତତ୍କାଳୀନ ସମ୍ରାଟ୍‌ କୋଉକାଉ ଅନୁରୂପ ଭାବେ ସିଂହାସନ ତ୍ୟାଗ କରି ତାଙ୍କର ପୁତ୍ରକୁ ଗାଦିନସୀନ କରାଇଥିଲେ। ବର୍ତ୍ତମାନ ଜାପାନରେ ଆରମ୍ଭ ହେଲା ‘ରଓ୍ବୋ ଏରା’ ବା ‘ସୌନ୍ଦର୍ଯ୍ୟ ଓ ସମନ୍ବୟର ଯୁଗ’। ଇତିହାସ ଜାପାନର ଉତ୍ଥାନ-ପତନର ସାକ୍ଷୀ। ଆକିହିତୋଙ୍କ ପିତା ସମ୍ରାଟ୍‌ ହିରୋହିତୋଙ୍କ ଅମଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାର ପରମାଣୁ ଆକ୍ରମଣରେ ଏହାର ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଲୋକମାନଙ୍କ ଅଧ୍ୟବସାୟ ଓ ଗଭୀର ଜାତିପ୍ରୀତି ଯୋଗୁ ଖୁବ୍‌ଶୀଘ୍ର ଏହାର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଘଟିଥିଲା। ଏହି ଯୁଦ୍ଧ ପରେ ଜାପାନ ସାମରିକ ଶକ୍ତି ଉପରେ ଗୁରତ୍ୱ ନ ଦେଇ ଏକ ଶାନ୍ତିପ୍ରିୟ ଦେଶରେ ପରିଣତ ହୋଇଥିଲା। ଆଧୁନିକ ବିଶ୍ୱରେ ଜାପାନ ହେଉଛି ଦୁଇଟି ‘ପି’ର ପ୍ରତୀକ: ପିସ୍‌ (ଶାନ୍ତି) ଓ ପ୍ରୋଗ୍ରେସ୍‌ (ପ୍ରଗତି)। ଏଥି ସହ ଆଉ ଗୋଟିଏ ଶବ୍ଦ ଯୋଡ଼ି ହୋଇଯାଇଛି- ଡାଇନାମିଜିମ୍‌ (ଗତିଶୀଳତା), ଯାହାଫଳରେ ଜାପାନ ଦ୍ୱିତୀୟ ବିଶ୍ୱଯୁଦ୍ଧର ପାଉଁଶ ଭିତରୁ ଫିନିକ୍ସ (ଅଗ୍ନିରୁ ଜନ୍ମ ନେଉଥିବା ପୌରାଣିକ ପକ୍ଷୀ ବିଶେଷ) ପରି ଅଗ୍ରଗତି କରିଚାଲିଛି ଫଳରେ ଏହା ବିଶ୍ୱର ଅନ୍ୟତମ ଅର୍ଥନୈତିକ ମହାଶକ୍ତିରେ ପରିଣତ ହୋଇଛି ଏବଂ ଏସିଆ ତଥା ଅନ୍ୟ ଦେଶଗୁଡ଼ିକ ଲାଗି ପ୍ରଗତିର ଆଲୋକବର୍ତ୍ତିକା ରୂପେ କାର୍ଯ୍ୟ କରୁଛି। ଚାଇନା ଆଜି ଇଲେକ୍ଟ୍ରୋନିକ୍‌ ଯନ୍ତ୍ରପାତି ତିଆରି କରିବାରେ ଯେଉଁ ପରଦର୍ଶିତା ଦେଖାଉଛି, ତାହା ସେ ଜାପାନକୁ ନକଲ କରି ହିଁ କରିବାରେ ସଫଳ ହୋଇଛି। କିନ୍ତୁ ମାନରେ ସେ କେବେହେଲେ ଜାପାନର ସମକକ୍ଷ ହୋଇପାରି ନାହିଁ। ଜାପାନର ପ୍ରାଧାନ୍ୟ ମାନେ ଏସିଆର ପ୍ରାଧାନ୍ୟ। ଜାପାନ ସହ ଭାରତର ସମ୍ପର୍କରେ ଏବେ ଯଥେଷ୍ଟ ଉନ୍ନତି ଘଟିଛି। ଭାରତରେ ଅନେକ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ଜାପାନ ସହଯୋଗ କରୁଛି। ତେଣୁ ଜାପାନରେ ନୂତନ ସମ୍ରାଟ୍‌ଙ୍କ ସିଂହାସନ ଆରୋହଣ ଭାରତ ପାଇଁ ମଧ୍ୟ ଆନନ୍ଦର ବିଷୟ। ଏଥି ସହ ବିଦାୟୀ ସମ୍ରାଟ୍‌ଙ୍କର ସୁଖଶାନ୍ତିପୂର୍ଣ୍ଣ ଦୀର୍ଘ ଜୀବନ ପାଇଁ ଭାରତ କାମନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?