ଜନପ୍ରତିନିଧିଙ୍କ ଶିକ୍ଷାଗତ ଯୋଗ୍ୟତା

ବୃହସ୍ପତି ସାମଲ

ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶର ଶାସନ ମଙ୍ଗ ସମ୍ଭାଳୁଥିବା ବିଧାୟକ ଓ ସାଂସଦଙ୍କ କୌଣସି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନ ରହିବା ଏକ ବିଡ଼ମ୍ବନାର ବିଷୟ। ସମ୍ବିଧାନର ଧାରା ୮୪, ଧାରା ୧୦୨, ଧାରା ୧୯୧, ଜନ ପ୍ରତିନିଧିତ୍ ଅଧିନିୟମ ୧୯୫୧ ଇତ୍ୟାଦିରେ ସାଂସଦ ଏବଂ ବିଧାୟକଙ୍କ ଯୋଗ୍ୟତା ଓ ଅଯୋଗ୍ୟତାକୁ ନେଇ ବିଶେଷ ସର୍ତ୍ତାବଳୀମାନ ଉଲ୍ଲେଖ ଥିଲେ ବି ଶିକ୍ଷାଗତ ଯୋଗ୍ୟତା ଉପରେ ଏସବୁ ନୀରବ। ଅବଶ୍ୟ ସଂସଦ ଚାହିଁଲେ ଉପରୋକ୍ତ ଆଇନରେ ସଂଶୋଧନ ଆଣି ସାଂସଦ ଏବଂ ବିଧାୟକଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରିପାରିବ। ହେଲେ, ସମ୍ବିଧାନ ପ୍ରସ୍ତୁତି ସମୟରୁ ଆଜିଯାଏ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହେଉଥିଲେ ମଧ୍ୟ ଏ ଦିଗରେ କୌଣସି କ୍ଷମତାସୀନ ସରକାର କିଛି ପଦକ୍ଷେପ ନେଇନାହାନ୍ତି।
ସାଧୀନତା ପ୍ରାପ୍ତି ପରେ ଭାରତର ସମ୍ବିଧାନ ୨୬ ଜାନୁଆରୀ ୧୯୫୦ରୁ ଲାଗୁ ହେଲା ଏବଂ ଭାରତର ପ୍ରଥମ ଲୋକ ସଭାର ସାଧାରଣ ନିର୍ବାଚନ ୨୫ ଅକ୍ଟୋବର ୧୯୫୧ରୁ ୨୧ ଫେବୃଆରୀ ୧୯୫୨ ମଧ୍ୟରେ ମୋଟ ୪୮୯ଟି ଆସନ ପାଇଁ ଅନୁଷ୍ଠିତ ହୋଇଥିଲା। ୧୯୫୧ରେ ଭାରତର ସାକ୍ଷରତା ହାର ମାତ୍ର ୧୮.୩୩% ଥିଲା; ଅର୍ଥାତ୍‌ ପ୍ରତ୍ୟେକ ଛଅ ଜଣରେ ପାଞ୍ଚଜଣ ନିରକ୍ଷର ଥିଲେ। ଜଣେ ନିର୍ବାଚିତ ଜନପ୍ରତିନିଧି ହେବାପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯଦିବା ମାଟ୍ରିକୁଲେସନ ସ୍ଥିର କରାଯାଇଥାନ୍ତା, ତେବେ ଏହି ହାର ଆହୁରି କମି ଯାଇଥାନ୍ତା। ତେଣୁ ସମ୍ବିଧାନରେ ଜଣେ ନିର୍ବାଚିତ ଜନପ୍ରତିନିଧି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାର ବିଧିବଦ୍ଧ ନିୟମ ପ୍ରଣୟନ କରି ସେହି ଆଧାରରେ ଜନପ୍ରତିନିଧିଙ୍କୁ ନିର୍ବାଚିତ କରାଯାଇଥିଲେ ଭାରତର ୮୨%ରୁ ଊର୍ଦ୍ଧ୍ୱ ନାଗରିକ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାର ସୁଯୋଗରୁ ବଞ୍ଚିତ ହୋଇଥାନ୍ତେ; ଯାହା ଗଣତନ୍ତ୍ର ପ୍ରତି ଅବମାନନା ହୋଇଥାନ୍ତା ନିଶ୍ଚୟ । ଅଧିକନ୍ତୁ, ଆନୁଷ୍ଠାନିକ ଶିକ୍ଷା ଜ୍ଞାନର ଏକମାତ୍ର ମାପକାଠି ନ ହୋଇପାରେ। ଗଣତନ୍ତ୍ରରେ ଲୋକଙ୍କର ମାନସିକତାକୁ ହୃଦୟଙ୍ଗମ କରି ସଫଳତାର ସହ କାର୍ଯ୍ୟ କରିବାକୁ ଆନୁଷ୍ଠାନିକ ଶିକ୍ଷା ଅପେକ୍ଷା ଅଧିକ ଅଭିଜ୍ଞତା, ନେତୃତ୍ୱ ନେବାର ଗୁଣାବଳୀ, ବିଶ୍ୱସନୀୟତା, ଉପଲବ୍ଧି, ଦୃଷ୍ଟିଭଙ୍ଗୀ ଏବଂ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱର ପ୍ରତିବଦ୍ଧତା ଭଳି ଅନେକ ଗୁଣର ଆବଶ୍ୟକତା ରହିଛି। ଆବ୍ରାହମ ଲିଙ୍କନ, ହାରି ଏସ୍‌ ଟ୍ରୁମ୍ୟାନ, ଜର୍ଜ ୱାଶିଂଟନ, ବେନଜାମିନ ଫ୍ରାଙ୍କଲିନ, ଆନ୍ଡ୍ରିଉ ଜାକ୍‌ସନଙ୍କ ଭଳି ବିଶ୍ୱର ବହୁ ନେତା ସେମାନଙ୍କର ସ୍ବଳ୍ପ ଆନୁଷ୍ଠାନିକ ଶିକ୍ଷା ସତ୍ତ୍ୱେ ସଫଳ ରାଜନୀତିଜ୍ଞ ହିସାବରେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। ତେଣୁ ପ୍ରାରମ୍ଭରୁ ଶିକ୍ଷିତ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦେଇଥିଲେ ତାହା ଜନସାଧାରଣଙ୍କ ଆତ୍ମବିଶ୍ବାସ ପ୍ରତି କୁଠାରାଘାତ ହେବା ସହ ଗଣତନ୍ତ୍ରରେ ସମାନତାର ଅଧିକାରକୁ କ୍ଷୁଣ୍ଣ କରିଥାନ୍ତା ନିଶ୍ଚୟ। କିନ୍ତୁ, ସ୍ବାଧୀନ ଭାରତରେ ସାକ୍ଷରତା ହାରରେ ନିଶ୍ଚୟ ଅଭିବୃଦ୍ଧି ହେବ, ସମ୍ଭବତଃ ଆମର ଦୂରଦ୍ରଷ୍ଟା ସମ୍ବିଧାନ ପ୍ରଣେତାମାନଙ୍କୁ ଏକଥା ଜଣାଥିଲା। ତେଣୁ ଭବିଷ୍ୟତରେ ସାଂସଦ ଏବଂ ବିଧାୟକଙ୍କ ଯୋଗ୍ୟତା ଓ ଅଯୋଗ୍ୟତାର ସର୍ତ୍ତାବଳୀମାନ ସଂଶୋଧନ କଲାବେଳେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା କଥା ମଧ୍ୟ ବିଚାରକୁ ନେବାପାଇଁ ସମ୍ବିଧାନରେ ସଂସଦକୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହରିୟାଣା ସରକାର ୨୦୧୫ରେ ସରପଞ୍ଚ ଏବଂ ପଞ୍ଚାୟତ ସମିତି ଓ ଜିଲା ପରିଷଦ ସଭ୍ୟ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ (ତଫସିଲଭୁକ୍ତ ଜାତି ଓ ମହିଳାଙ୍କ ପାଇଁ ପୂର୍ବ ମାଧ୍ୟମିକ) ନିର୍ଦ୍ଧାରିତ କରି ପଞ୍ଚାୟତିରାଜ (ସଂଶୋଧନ) ଅଧିନିୟମ ୨୦୧୫ ଦ୍ୱାରା ଯେଉଁ ନ୍ୟାୟିକ ପ୍ରାବଧାନ ଆଣିଥିଲେ, ପରବର୍ତ୍ତୀ ଅଧ୍ୟାୟରେ ତାହା ବିରୋଧରେ ଉଚ୍ଚତମ ନ୍ୟାୟାଳୟରେ ଆପତ୍ତି କରାଯାଇଥିଲା (ରାଜବାଳା ବନାମ ହରିୟାଣା ରାଜ୍ୟ ସରକାର, ୨୦୧୬)। ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ସପକ୍ଷରେ ଯୁକ୍ତିବାଢି ଉଚ୍ଚତମ ନ୍ୟାୟାଳୟ କହିଥିଲେ କି କେବଳ ଶିକ୍ଷା ହିଁ ମଣିଷକୁ ଠିକ ଓ ଭୁଲ୍‌, ଭଲ ଓ ମନ୍ଦ ଭିତରେ ବାଛବିଚାର କରିବାକୁ କ୍ଷମତା ପ୍ରଦାନ କରିଥାଏ। ନିର୍ବାଚିତ ପ୍ରତିନିଧିମାନଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ରହିବା ଜରୁରୀ, ଯାହା ସେମାନଙ୍କୁ ସେମାନଙ୍କର ଉତ୍ତରଦାୟିତ୍ୱକୁ ଅଧିକ ସଫଳତାର ସହ ନିର୍ବାହ କରିବା ପାଇଁ ସକ୍ଷମ କରିବ। ତେଣୁ ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାର ପ୍ରାବଧାନ ଉତ୍ତମ ପ୍ରଶାସନ ଦୃଷ୍ଟିରୁ ଆଦୌ ଅପ୍ରାସଙ୍ଗିକ ବା ଅଯୌକ୍ତିକ ନୁହେଁ। ପଞ୍ଚାୟତ ସ୍ତରରେ ସରପଞ୍ଚ ଏବଂ ସମିତି ସଭ୍ୟମାନଙ୍କର ସୀମିତ କାର୍ଯ୍ୟାବଳୀ ପାଇଁ ଯେତେବେଳେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାର ପ୍ରାବଧାନକୁ ଉଚ୍ଚତମ ନ୍ୟାୟାଳୟ ଠିକ ବୋଲି ମତପୋଷଣ କରିଛନ୍ତି, ରାଜ୍ୟ ଓ ଜାତୀୟ ସ୍ତରରେ ଦେଶ ଓ ଦଶର ଉନ୍ନତି ପାଇଁ ପ୍ରମୁଖ ନିୟମ ପ୍ରଣୟନ ସହ ବିଧି ମୁତାବକ ବିଭିନ୍ନ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଦାୟିତ୍ୱବୋଧ ତୁଲେଇବାକୁ ବିଧାୟକ ତଥା ସାଂସଦଙ୍କ ନିମନ୍ତେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯେ ନିହାତି ଜରୁରୀ କହିଲେ ଅତ୍ୟୁକ୍ତି ହେବନାହିଁ।
୧୯୫୧ ତୁଳନାରେ ବର୍ତ୍ତମାନ ଭାରତର ସ୍ଥିତି ଅନେକାଂଶରେ ଉନ୍ନତ। ୧୯୮୧ର ସାକ୍ଷରତା ହାର ୪୦.୭୬%ରୁ ବୃଦ୍ଧି ପାଇ ୨୦୧୮ ବେଳକୁ ୭୪.୩୭ରେ ପହଞ୍ଚିସାରିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ତଥ୍ୟ ଅନୁସାରେ ୨୦୨୧ ସୁଦ୍ଧା ଭାରତର ହାରାହାରି ସାକ୍ଷରତା ହାର ୭୭.୭୦%। ଏବର୍ଷ ଏହା ୮୫.୯୫%କୁ ଛୁଇଁବାର ଆଶା। ପିଆର୍‌ଏସ୍‌ ଲେଜିସଲେଟିଭ ରିସର୍ଚ୍ଚର ସର୍ବେକ୍ଷଣ ଅନୁଯାୟୀ ୨୦୧୪ ସାଧାରଣ ନିର୍ବାଚନରେ ଜିତି ଥିବା ମାତ୍ର ୧୩% ସାଂସଦ ମାଟ୍ରିକ୍ୟୁଲେସନ ଉତ୍ତୀର୍ଣ୍ଣ ହୋଇ ନ ଥିଲେ। ଶାସକ ଭାଜପା ଓ ବିରୋଧୀ କଂଗ୍ରେସ ଦଳର କଥା ଆଲୋଚନା କଲେ ଜଣାଯାଏ ଯେ ଭାଜପାର ୧୦% ସାଂସଦ ଦଶମ ପାସ୍‌ କରିଥିଲା ବେଳେ, କଂଗ୍ରେସର ୨% ଏବଂ ଭାଜପାର ୧୦% ଦ୍ୱାଦଶ ପାସ୍‌ ଥିଲା ବେଳେ, କଂଗ୍ରେସର ୧୬%। ସେହିଭଳି ଭାଜପାର ୨୩% ସାଂସଦ ସ୍ନାତକ ଥିଲା ବେଳେ, କଂଗ୍ରେସର ୧୪% ଏବଂ ଭାଜପାର ୨୫% ସାଂସଦ ସ୍ନାତକୋତ୍ତର ଥିଲା ବେଳେ, କଂଗ୍ରେସର ୩୪%। ସେହିଭଳି ୨୦୧୯ ନିର୍ବାଚନରେ ଜିତି ଥିବା ସାଂସଦଙ୍କ ମଧ୍ୟରୁ ୪୩% ସ୍ନାତକ, ୨୫% ସ୍ନାତକୋତ୍ତର ଏବଂ ୪% ଡକ୍ଟରେଟ ଡିଗ୍ରୀଧାରୀ। ତେଣୁ ଶିକ୍ଷିତମାନଙ୍କ ଭାଗୀଦାରି ନିର୍ବାଚନରେ ବଢ଼ିଚାଲିଥିବାବେଳେ, ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ଥିର କରିବାରେ ଏବେ ହୁଏତ କିଛି ଅସୁବିଧା ହୋଇ ନ ପାରେ। ଏହି ପରିପ୍ରେକ୍ଷୀରେ ଜନପ୍ରତିନିଧିଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଆବଶ୍ୟକୀୟ ସମ୍ବିଧାନ ସଂଶୋଧନ ଏକାନ୍ତ ଅପରିହାର୍ଯ୍ୟ।
ପଦ୍ମପୁର (ଆନନ୍ଦପୁର), କେନ୍ଦୁଝର
ମୋ: ୯୪୩୭୦୨୨୬୬୯


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ପରୀକ୍ଷାର ଆନନ୍ଦମୟ ଆହ୍ବାନ

ପିଲାମାନେ, ମନେରଖିଥାଅ ଜୀବନ ଏକ ପରୀକ୍ଷା। ଜୀବନର ପ୍ରତିଟି ମୁହୂର୍ତ୍ତରେ ଆମେ ଦୈବ ଓ କର୍ମର ପରୀକ୍ଷାକୁ ସାମ୍ନା କରିଥାଉ। ମଣିଷର ଜୀବନ ସମ୍ପୂର୍ଣ୍ଣ ଧରାବନ୍ଧା ପରୀକ୍ଷା…

ଦୋଳପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ: ଏହି ସମୟରେ ଆରମ୍ଭ ହେବ ପାକତ୍ୟାଗ

କିଛିବର୍ଷ ତଳେ ପ୍ରାଥମିକ ସ୍ତରରେ ପଢାଯାଉଥିବା ସାହିତ୍ୟ ବହିର ଏକ କବିତାର କିୟଦଂଶ ସହିତ ଊଣା ଅଧିକେ ସମସ୍ତେ ପ୍ରାୟତଃ ପରିଚିତ ଥିବେ। ଆଜିର ଆଲୋଚ୍ୟ ପ୍ରସଙ୍ଗ…

ଡାଟା ସେଣ୍ଟର ନୁହେଁ ଏଆଇ

ନୂଆଦିଲ୍ଲୀରେ ୬ ଦିନ ଧରି ଚାଲିଥିବା ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬ ଉଦ୍‌ଯାପିତ ହୋଇଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ଉପରେ ଦିଲ୍ଲୀ…

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri