ଗ୍ୟାରେଣ୍ଟିର ଗ୍ୟାରେଣ୍ଟି

ଗଣେଶ୍ୱର ନାୟକ

ଆମେ ଯେକୌଣସି ପଣ୍ୟ ବଜାରରୁ କିଣିଥାଉ, ତାହା ଯଦି ଗୁଣବତ୍ତାରେ କିଛି ନୂ୍ୟନ ହୁଏ, ତେବେ ଆମେ ଅଭିଯୋଗ କରିବାକୁ ବହୁ ବ୍ୟବସ୍ଥା ଅଛି। କୌଣସି ଚୁକ୍ତି ମଧ୍ୟ ଖିଲାପ ହେଲେ, ତାହା ଦ୍ୱାରା କ୍ଷତି ଭରଣା ପାଇଁ ଅନେକ ବିଧି ବ୍ୟବସ୍ଥା ଅଛି। ଯାହାଦ୍ୱାରା ଦାତା ଓ ଗ୍ରହୀତା, ବିକ୍ରେତା ଓ କ୍ରେତା ସଭିଁଙ୍କ ଉତ୍ତରଦାୟିତ୍ୱ ରହିଥାଏ।
କିନ୍ତୁ ଗଣତନ୍ତ୍ରରେ ଅଂଶ ହେଉଥିବା ରାଜନୈତିକ ଦଳଗୁଡ଼ିକ ଦେଉଥିବା ପ୍ରତିଶ୍ରୁତି, ଯାହା ନିର୍ବାଚନୀ ଇସ୍ତାହାର ଭାବେ ଆମେ ଜାଣୁ, ଯାହା ଲିଖିତ ଭାବେ ପ୍ରକାଶ ହୋଇଥାଏ, ତାହା ପ୍ରଣୟନରେ ରକ୍ଷା ହୋଇନପାରିଲେ, ତାହା ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଧି ବ୍ୟବସ୍ଥା ନାହିଁ। ରାଜତନ୍ତ୍ର ପରେ ଆସିଛି ଗଣତନ୍ତ୍ର। ଗୋଟିଏ ବ୍ୟବସ୍ଥା ଆଉ ଗୋଟେ ବ୍ୟବସ୍ଥାଠାରୁ ଅପେକ୍ଷାକୃତ ଭଲ ନ ହେଲେ ସମାଜ ତାହାକୁ ଗ୍ରହଣ କରେ ନାହିଁ। ଅପେକ୍ଷାକୃତ ଭଲ ବ୍ୟବସ୍ଥା ମଧ୍ୟ ଏତେ ସହଜରେ ସମାଜରେ ପ୍ରଣୟନ ହୁଏ ନାହିଁ। ତାହା ପାଇଁ ସମାଜର ଅନେକ ବ୍ୟକ୍ତିଙ୍କୁ ଅନେକ ନିର୍ଯାତନା ସହିବାକୁ ହୁଏ, ଆଉ ଅନେକ ଯନ୍ତ୍ରଣା ମଧ୍ୟ। ଆମେ ତାହାକୁ ଯେଉଁଭଳି ଭାବେ ଗ୍ରହଣ କରିବା, ତାହା ସେହିଭଳି ଫଳ ଦେବ ନିଶ୍ଚୟ।
ରାଜନୈତିକ ଦଳଗୁଡ଼ିକର ନିର୍ବାଚନୀ ଇସ୍ତାହାର, ସେମାନଙ୍କର ମୌଳିକ ଅଧିକାର। ସେମାନେ ଏହାକୁ ପ୍ରକାଶ କରି, ଦେଶ ଓ ରାଜ୍ୟର ଉନ୍ନତି ପାଇଁ, ସେମାନଙ୍କର ଆଭିମୁଖ୍ୟର ପରିପ୍ରକାଶ କରିଥାଆନ୍ତି। ସେ ଆଭିମୁଖ୍ୟ କେତେବେଳେ ପ୍ରଣୟନ ହୋଇଥାଏ ବା କେତେବେଳେ ତାହାକୁ ପ୍ରଣୟନ କରିବାରେ ବିଫଳ ମଧ୍ୟ ହୋଇଥାନ୍ତି।
ଏବେ କେବଳ ନୁହେଁ, ଆଗରୁ ମଧ୍ୟ ନିର୍ବାଚନ ବେଳେ ରାଜନୈତିକ ଦଳଗୁଡ଼ିକ ଅନେକ ମିଛ ପ୍ରତିଶ୍ରୁତି ଜନତାଙ୍କୁ ଦେଇଛନ୍ତି। ଅନେକ ପ୍ରତିଶ୍ରୁତି ମଧ୍ୟ କାର୍ଯ୍ୟକାରୀ କରିବାରେ, ଅନେକ ରାଜନୈତିକ ଦଳ ଇଚ୍ଛା ପ୍ରକାଶ କରିନଥିବା ମଧ୍ୟ ଆମେ ଦେଖିବାକୁ ପାଇଛେ। ଏହାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ ପାଇଛି ସାଧାରଣ ଜନତାଙ୍କ ମଧ୍ୟରେ। ଅନେକ ରାଜନୈତିକ ଦଳର ପଟ ମଧ୍ୟ ପରିବର୍ତ୍ତନ କରିଛନ୍ତି ସାଧାରଣ ଭୋଟର। ଆଉ ଏହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହୋଇଛି। ନିର୍ବାଚନୀ ଇସ୍ତାହାର ଯେହେତୁ ରାଜନୈତିକ ଦଳଗୁଡ଼ିକର ମୌଳିକ ଅଧିକାର, ନିର୍ବାଚନ କମିଶନ ଏହା ଉପରେ ସେତେଟା ଅଙ୍କୁଶ ଲଗାଇବାକୁ ସକ୍ଷମ ହୋଇନାହାନ୍ତି। ତଥାପି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ, ନିର୍ବାଚନୀ ଇସ୍ତାହାର ପାଇଁ ନିର୍ବାଚନ କମିଶନ କିଛି ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି; ଯେଉଁଥିରେ ଭୋଟ୍‌ ପାଇଁ କୌଣସି ପ୍ରଲୋଭନକୁ ପ୍ରଶ୍ରୟ ନ ଦେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଅଛି। କିନ୍ତୁ ସବୁ ରାଜନୈତିକ ଦଳ କିଛିନାକିଛି ମାଗଣା ଯୋଜନା ଇସ୍ତାହାରରେ ରଖୁଥିବା ଦେଖାଯାଉଛି। ସେତେବେଳେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରଶ୍ନ ଥିଲା, କେଉଁ ଆଧାରରେ ରାଜନୈତିକ ଦଳଗୁଡ଼ିକ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁଛନ୍ତି। ଯେଉଁଥିରେ ଦେଖାଯାଉଛି, ଅନେକ ମାଗଣା ବାଣ୍ଟିବାର ଯୋଜନାର ପ୍ରତିଶ୍ରୁତି। ଏହି ମାଗଣା ବାଣ୍ଟିବା ପ୍ରତିଶ୍ରୁତି, ଯାହା ଦେଶର ଅର୍ଥନୀତିକୁ ଦୁର୍ବଳ କରେ ଆଉ ସାଧାରଣ ଜନତାର ଜୀବନଚର୍ଯ୍ୟା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। କିନ୍ତୁ ରାଜନୈତିକ ଦଳଗୁଡ଼ିକର ଯୁକ୍ତି, ତୃଣମୂଳ ସ୍ତରର ମଣିଷର ଉତ୍‌ଥାନ ପାଇଁ ଏଗୁଡ଼ିକ ଜରୁରୀ। କିନ୍ତୁ ଖଟି ଖାଇବାର ବ୍ୟବସ୍ଥା ହିଁ ସମାଜକୁ ଉନ୍ନତିର ଶୀର୍ଷକୁ ନେବ ସିନା, ମାଗଣା ଦେଇ କୌଣସି ମଣିଷକୁ ଧନବାନ୍‌ କରିପାରିବା ନାହିଁ।
ସାଧାରଣ ନିର୍ବାଚନ-୨୦୨୪ରେ ନିର୍ବାଚନୀ ଇସ୍ତାହାରକୁ ନେଇ ଏକ ନୂଆ ପରିକଳ୍ପନା ଦେଖିବାକୁ ମିଳିଲା, ଅଂଶଗ୍ରହଣକାରୀ ସବୁ ରାଜନୈତି ଦଳ ସେମାନଙ୍କର ଇସ୍ତାହାରର ଗ୍ୟାରେଣ୍ଟି କଥାକୁ ବାରମ୍ବାର ଦୋହରାଉଥିଲେ। ଗ୍ୟାରେଣ୍ଟି ଶବ୍ଦ ବ୍ୟବହାର କରିବାକୁ ବାଧ୍ୟ ହେଲେ। ରାଜନୈତିକ ଦଳଗୁଡ଼ିକ ବୋଧେ ବୁଝି ଯାଇଥିଲେ, ଭୋଟରଙ୍କୁ ଆଉ ଭୁଅଁା ବୁଲାଇବା ସମ୍ଭବ ନୁହେଁ। ପ୍ରତ୍ୟେକ ଭୋଟର ପ୍ରଶ୍ନ କରିବାକୁ ସକ୍ଷମ ହୋଇଗଲେଣି। ଆଗରୁ ସେମାନଙ୍କର ପ୍ରତିଶ୍ରୁତିର ଆଲୋଚନା ସାଧାରଣ ଗଣମାଧ୍ୟମରେ ପ୍ରକାଶ ପାଉଥିଲା, ଯାହା ସେତେଟା ଉତ୍ତରଦାୟିତ୍ୱ ଲଦି ପାରୁନଥିଲା। ସାମାଜିକ ଗଣମାଧ୍ୟମ ଯୋଗୁ ବୋଧେ ଏହି ଗ୍ୟାରେଣ୍ଟିର ଗ୍ୟାରେଣ୍ଟି କଥା ଆଲୋଚନା କରିବାକୁ ସମସ୍ତ ରାଜନୈତିକ ଦଳକୁ ବାଧ୍ୟ କଲା। ଜଣେ ସାଧାରଣ ଭୋଟରର ମନର କଥା କୌଣସି ମାଧ୍ୟମ ଦେଇ, ସାମାଜିକ ଗଣମାଧ୍ୟମରେ ପରିପ୍ରକାଶ ହେଉଥିଲା। ଶିକ୍ଷିତ ଲୋକ ନିର୍ବାଚନୀ ଆଚରଣ ବିଧି ଯୋଗୁଁ କୌଣସି ରାଜନୈତିକ ଦଳର ଆଭିମୁଖ୍ୟ ଉପରେ କିଛି ଆଲୋଚନା କରି ପାରିନଥାନ୍ତି କିମ୍ବା ପ୍ରତ୍ୟକ୍ଷ ରାଜନୀତିରେ ଅଂଶ ଗ୍ରହଣ କରିପାରନ୍ତି ନାହିଁ। କିନ୍ତୁ ସେ ଶିକ୍ଷିତ ହେଉ କି ଅଶିକ୍ଷିତ ହେଉ, ତାହାର ମତ ସିଧାସଳଖ ନହେଲେ ମଧ୍ୟ ବୁଲେଇ, ବଙ୍କେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବାରେ ସମର୍ଥ ହେଉଛି। ଏକ ସର୍ବେକ୍ଷଣ ଅନୁଯାୟୀ ଭାରତରେ ୧୧୯.୭୩୫ କୋଟି ମୋବାଇଲ ବ୍ୟବହାରକାରୀ। ସହରାଞ୍ଚଳରେ ୬୬ କୋଟିରୁ ଅଧିକ ଥିବାବେଳେ ଗ୍ରାମାଞ୍ଚଳରେ ଏହା ୫୩ କୋଟିରୁ ଅଧିକ। ଏହାକୁ ଲକ୍ଷ୍ୟ କରି ସବୁ ରାଜନୈତିକ ଦଳର ସାମାଜିକ ଗଣମାଧ୍ୟମ ବିଭାଗ ଅଛି। ସାମାଜିକ ଗଣମାଧ୍ୟମ ବୋଧେ ବାଧ୍ୟ କରିଛି, ଗ୍ୟାରେଣ୍ଟିର ଗ୍ୟାରେଣ୍ଟି ଦେବାକୁ। ଯାହା ପାଖରେ ମୋବାଇଲଟିଏ ଅଛି, ସେ ବି ଜଣେ ସାକ୍ଷୀ, ପ୍ରମାଣକୁ ସାଥିରେ ରଖି, ଯାହାକୁ କେହି ବି ପରବର୍ତ୍ତୀ ସମୟରେ ଫାଙ୍କିବାକୁ ସକ୍ଷମ ନୁହେଁ। ଏହା ଗଣତନ୍ତ୍ର ପାଇଁ ଶୁଭସଂକେତ। ଭାରତର ବୃହତ୍‌ ଗଣତନ୍ତ୍ର ସାରା ବିଶ୍ୱକୁ ନୂଆ ଦିଶା ଦେଖାଏ।
୨୦୨୪ ନିର୍ବାଚନର ଭୋଟର, ରାଜନୈତିକ ଦଳଗୁଡ଼ିକୁ ଶାସନରେ ରହିବାକୁ ଯେତିକି ଶକ୍ତି ଯୋଗାଇଛି, ସମାନ୍ତରାଳ ଭାବେ ବିରୋଧୀରେ ରହି ନିଜର କର୍ତ୍ତବ୍ୟ କରିବାକୁ ମଧ୍ୟ ସେତିକି ଶକ୍ତି ଦେଇଛି। ପୂର୍ବ ଅପେକ୍ଷା ସାଧାରଣ ଭୋଟର ମଧ୍ୟରେ ଗଣତାନ୍ତ୍ରିକ ସାକ୍ଷରତା ବଢ଼ିଛି ନିଶ୍ଚିତ।
ସମସ୍ତେ ନିଜ ନିଜର ଦାୟିତ୍ୱ ପ୍ରତି ପ୍ରତିବଦ୍ଧତା ରହିଲେ, ତାହା ସମୃଦ୍ଧ ରାଷ୍ଟ୍ର ଗଠନରେ ସହାୟକ ହେବ। ନିର୍ବାଚନ ସରିଯାଇଛି, ନୂଆ ସରକାର ଗଠନ ହୋଇସାରିଛି ମଧ୍ୟ। ନିର୍ବାଚନ ଇସ୍ତାହାର ଫଳବତୀର ଗ୍ୟାରେଣ୍ଟିର ଗ୍ୟାରେଣ୍ଟି ହାର କେତେ ହେବ ତାହା ସମୟ କହିବ ନିଶ୍ଚିତ।
ଗୋଗଳ, କାଏମା, ଧର୍ମଶାଳା, ଯାଜପୁର
ମୋ: ୯୭୭୭୭୪୯୭୨୭


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri