ଗରିବଙ୍କ ଦ୍ୱାରା ଧନୀଙ୍କୁ ଭୋଟ୍‌

ତୁଷାରକାନ୍ତ
ଧରିତ୍ରୀ(୪ା୧୧)ରେ ପ୍ରକାଶିତ ମୋ ପ୍ରବନ୍ଧ ‘ମୋ ସରକାର: ଗାନ୍ଧୀରୁ ନବୀନ’ ପଢ଼ି ମୋ ଭଳି ୭୦ ବର୍ଷରୁ ଅଧିକ ବୟସର କେତେଜଣ ଲୋକ ଫୋନ୍‌ ଯୋଗେ ପଚାରିଥିଲେ- ତେବେ ବାଟ କ’ଣ? ପ୍ରଥମ ଫୋନ୍‌ ପାଇବା ପରେ ମୁଁ ବିଶିଷ୍ଟ ଲେଖକ ଚିତ୍ତରଞ୍ଜନ ଦାସଙ୍କ ‘ବିଦ୍ୟାବନ୍ତେ ଶୂନ’ ପୁସ୍ତକରେ ଥିବା ‘ଯିଏ ଯେଝା ପାଇଁ ଲାଗିଲେ’ ପ୍ରବନ୍ଧଟିକୁ ଦାଗ ଦେଇ ରଖିଥିଲି ଓ ଫୋନ୍‌ ପାଇଲେ ସେ ପ୍ରବନ୍ଧଟିର ଶେଷ ପାରାଗ୍ରାଫ୍‌କୁ ସେମାନଙ୍କୁ ଶୁଣାଇଦେଇ, ‘ଆଉ କିଛି ହେବାର ନାହିଁ’ ବୋଲି କହୁଥିଲି। ସେହି ପାରାଗ୍ରାଫ୍‌ରେ ଲେଖା ଥିଲା-
”ଯିଏ ତ ଯେଝା ପାଇଁ ଲାଗିଲେ, ଯେଝା ନିଶକୁ ଦର୍ପଣ ଭିତରେ ଦେଖି ଫୁଲେଇ ହେଲେ। ତେବେ ଦେଶ ପାଇଁ, ମଣିଷ ପାଇଁ କିମ୍ବା ନ୍ୟାୟ ପାଇଁ କଥା କହିବାକୁ ଆଉ ବାକି କେଉଁମାନେ ରହିଲେ? ମାତ୍ର ଅଧିକରୁ ଅଧିକ ମଣିଷ ତଥାପି ଦେଶ ବିଷୟରେ ବକ୍ତୃତା ଦେଲେ। ଆଦର୍ଶ ବିଷୟରେ ପିଲାମାନଙ୍କୁ ତ୍ୟାଗର ଉଦ୍‌ବୋଧନ ଦେଲେ। ଏଣିକି ଚରିତ୍ର ବିଷୟରେ ଅଧିକ କଥା କୁହାଗଲା, ଧର୍ମସଭାରେ ଧର୍ମକଥାର ଉଦ୍‌ଗାର ହେଲା। ଶ୍ରଦ୍ଧାଳୁ ଶ୍ରୋତାମାନେ ରାତି ଅନିଦ୍ରା ହୋଇ ସେଇ ଶୁଣିଲେ, କୃତକୃତ୍ୟ ହେଲେ, ମର ଜୀବନକୁ ଧନ୍ୟ କଲେ, ପରଜୀବନ ପାଇଁ ପୁଣ୍ୟ କିଣି ରଖିଲେ। କିଏ କୋଉଠୁ ଛତରା ପିଲାଟିଏ ଯଦି ଏହିସବୁ ଆଖଡ଼ା ଭିତରେ ପଶିଯାଆନ୍ତା ଓ କେବଳ ଆପଣା ପାଇଁ ଲାଗିଥିବା ଏହି ମହାମଣିଷଙ୍କର ପିତ୍ତ ଭିତରେ ରହିଥିବା କଥାଟାକୁ ଖୋଲି କହିଦିଅନ୍ତା, ତେବେ ସତକୁ ସତ କେଡ଼େ ବଢ଼ିଆ କଥାଟିଏ ହୁଅନ୍ତା!“
ସେ ଯେଉଁ ଛତରାପିଲାଟି କଥା ଉଲ୍ଲେଖ କରିଥିଲେ, ସେଭଳି କିଛି ଛତରାପିଲା ମଝିରେ ବାହାରିଥିଲେ। କିନ୍ତୁ ସେମାନେ ତା’ ପୂର୍ବରୁ ଗାନ୍ଧିଜୀ ଓ ଜୟପ୍ରକାଶଜୀଙ୍କ ଅନୁଗତଗଣ ଗାନ୍ଧିଜୀ ଓ ଜୟପ୍ରକାଶଙ୍କ ଆଦର୍ଶକୁ ଦଳିଚକଟି ଦେଇଥିଲା ଭଳି ନିଜ ଆଦର୍ଶକୁ ଦଳିଦେଇ ଗାନ୍ଧିଜୀ ଓ ଜୟପ୍ରକାଶଙ୍କ ଅନୁଗତମାନଙ୍କ ଭଳି ହୋଇଗଲେ। ଅତଏବ ଠିକ୍‌ ରାଜନୈତିକ ଦିଗ ନିର୍ଦ୍ଦେଶ ପାଇଁ ଆଉ କେହି ଦିଶୁ ନ ଥିବାରୁ ଫୋନ୍‌ କରୁଥିବା ବରିଷ୍ଠ ନାଗରିକମାନଙ୍କୁ କ’ଣ ବା ଉତ୍ତର ଦେଇଥାନ୍ତି! ଏଇ ହାଲିରେ ମହାରାଷ୍ଟ୍ରରେ ଯେଉଁ ପାଲା, ସେଥିରୁ ପ୍ରମାଣିତ ହେଲା ଯେ, ‘ଅର୍ଥ, କ୍ଷମତା ଓ ସରକାରୀ କଳ ଥିଲେ ହାତରେ, କିବା ଅସମ୍ଭବ ଭାରତରେ।’
ରାଜନୀତି ଭଳି ପୁଣ୍ୟ କାମକୁ ଏମିତି କଳୁଷିତ ଓ ଅର୍ଥସର୍ବସ୍ବ କରି ଦିଆଯାଉଛି ଯେ, ଏବେ ଅର୍ଥ ଓ ତଜ୍ଜନିତ ଗୁଣ୍ଡା ଓ ଖଣ୍ଡାବଳ ଆଗରେ ଚାଲିଲେ, ରାଜନୀତି ପଛରେ ଚାଲିଛି। ଯେଉଁ ଦଳର ଯେତେ ଅଧିକ ରୋଜଗାର, ସେ ଦଳର ସେତେ ଅଧିକ ଗୁଣ୍ଡା, ଖଣ୍ଡା ଓ ସେ ଜରିଆରେ ସେତେ ଅଧିକ ଭୋଟ୍‌। ଅଧିକ ଅର୍ଥ ପାଇଁ ଅନୀତିକୁ ନୀତି କରିଦିଆଯାଉଛି, ଯାହାର ପ୍ରମୁଖ ଉଦାହରଣ ହେଉଛି ‘ଇଲେକ୍ଟୋରାଲ ବଣ୍ଡ୍‌’ର ପ୍ରଚଳନ ଓ ‘ବିଦେଶୀ କମ୍ପାନୀରୁ ଚାନ୍ଦା ଗ୍ରହଣ କରା ନ ଯିବା’ ଆଇନକୁ ବଦଳେଇ ଦିଆଯିବା।
‘ଇଲେକ୍ଟୋରାଲ ବଣ୍ଡ୍‌’ ଉପରେ ଗତମାସରେ ଧରିତ୍ରୀରେ ପ୍ରକାଶିତ ନୀତୀନ୍‌ ସେଠୀଙ୍କ ପ୍ରବନ୍ଧଗୁଡ଼ିକ ପାଠକେ ଅବଶ୍ୟ ପଢ଼ିଥିବେ। ତା’ସାଙ୍ଗକୁ ଅନ୍ୟ ଗୋଟିଏ ଭୟଙ୍କର ପଦକ୍ଷେପ ବି ନିଆଯାଇଛି, ସେଗୁଡ଼ିକର ବିବରଣୀ ନିମ୍ନରେ-
(କ) ଇଲେକ୍ଟୋରାଲ ବଣ୍ଡ ଆଇନ ଏକ କଳା ଆଇନ, ଯେଉଁଥିରେ କେଉଁ ରାଜନୈତିକ ଦଳକୁ କେଉଁ ଲୋକ ବା କମ୍ପାନୀ କେତେ ଚାନ୍ଦା ଦେଲେ, ତାହା କେବଳ ବ୍ୟାଙ୍କ ତଥା କେନ୍ଦ୍ର ସରକାର ଜାଣିବେ ଓ ଭୋଟରମାନେ କିଛି ଜାଣି ପାରିବେନି। ଏହା କେନ୍ଦ୍ର ସରକାରଙ୍କଠାରୁ ଫାଇଦା ପାଇବା ପାଇଁ ଲାଞ୍ଚ ଦିଆଯିବାର ଗୋଟିଏ ଅଭିନବ ଉପାୟ। ପୂର୍ବରୁ ନିୟମ ଥିଲା ଯେ କୌଣସି କମ୍ପାନୀ ଏହାର ଲାଭର ୭%ରୁ ଅଧିକ ଚାନ୍ଦା ଦେଇପାରିବ ନାହିଁ ଏବଂ ୩ ବର୍ଷରୁ କମ୍‌ ଅବଧିର କମ୍ପାନୀ ଚାନ୍ଦା ଦେଇପାରିବ ନାହିଁ। ଏହି ଦୁଇଟି ନିୟମକୁ ବି ଉଠେଇ ଦିଆଯାଇଛି, ଯାହାଦ୍ୱାରା ଯେତିକି ଟଙ୍କାର କାମ ପାଇବାକୁ ଇଚ୍ଛା, ସେଇ ଅନୁପାତରେ ଇଲେକ୍ଟୋରାଲ ବଣ୍ଡ୍‌ କିଣି ଶାସନରେ ଥିବା ଦଳକୁ ଦେବାକୁ ବାଟ ଖୋଲିଯାଇଛି। ବିମୁଦ୍ରୀକରଣର ମୂଳ ଉଦ୍ଦେଶ୍ୟ ‘କଳାଟଙ୍କା ବିଲୋପ’ ବୁଲିବୁଲି ‘ଡିଜିଟାଲ ଇଣ୍ଡିଆ’ରେ ପହଞ୍ଚତ୍ଲା ଅଥଚ ଭାଜପା ଡିଜିଟାଲ ପ୍ରଣାଳୀରେ ଚାନ୍ଦା ନ ନେଇ ଦାତାଙ୍କ ନାମ ଲୁଚେଇବାକୁ ଏପରି ବାଟ କାଢ଼ିଛି। ଏ ବାବଦରେ ରିଜର୍ଭ ବ୍ୟାଙ୍କ ଓ ନିର୍ବାଚନ କମିଶନଙ୍କ ସୁପାରିସକୁ ମଧ୍ୟ ଅଣଦେଖା କରାଯାଇଛି। ୨୦୧୮ ଏପ୍ରିଲରେ ପ୍ରଥମ ବଣ୍ଡ୍‌ ବିକ୍ରି କରାଯିବାର ଥିଲେ ମଧ୍ୟ ତା’ ପୂର୍ବ ମାର୍ଚ୍ଚ ମାସରେ ଏହା ବିକ୍ରି କରାଯାଇଛି। ଏ ଜରିଆରେ ଚାନ୍ଦାର ୯୫% ଅର୍ଥ ଭାଜପା ପାଇଛି।
(ଖ) ୧୯୭୬ ଅଗଷ୍ଟ ୫ରେ ରାଜନୈତିକ ଦଳଗୁଡ଼ିକୁ ବିଦେଶରେ ରେଜିଷ୍ଟ୍ରିଭୁକ୍ତ କମ୍ପାନୀରୁ ଚାନ୍ଦା ଗ୍ରହଣ କରିବାକୁ ବାରଣ କରାଯାଇଥିଲା। ଏହି ନିୟମକୁ ଅଣଦେଖା କରି ଭାଜପା ଓ କଂଗ୍ରେସ ଦଳ ବିଦେଶରେ ପଞ୍ଜୀକୃତ କମ୍ପାନୀରୁ ୨୦୧୨ ମସିହାରେ ଚାନ୍ଦା ନେଇଥିଲେ। ଏହି ବେନିୟମ କାମ ବିରୋଧରେ Association for Democratic Rights (ADR) ନାମକ ସଂସ୍ଥା ଦିଲ୍ଲୀ ହାଇକୋର୍ଟରେ ମକଦ୍ଦମା କରିଥିଲା। ମକଦ୍ଦମାର ବିଚାରକରି ଦୁଇଜଣ ବିଚାରପତି କହିଥିଲେ ଯେ, ‘ଦୁଇଟିଯାକ ଦଳ ଭୁଲ୍‌ କରିଛନ୍ତି’ ଓ କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ତଥା ନିର୍ବାଚନ କମିଶନଙ୍କୁ ଦୁଇଟି ଯାକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ନିର୍ବାଚନ କମିଶନ ତଥା ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଆପାତତଃ କେନ୍ଦ୍ରରେ ଥିବା ସରକାରଙ୍କ ହାତବାରିସି ହୋଇଯାଇଥିବାରୁ ତଥା ଏହାର ପ୍ରମୁଖମାନେ ଅବସର ପରେ ପୁଣି ଲୋଭନୀୟ ପଦବୀରେ ଅଧିଷ୍ଠିତ ହେବାକୁ ଲାଳାୟିତ ଥିବାରୁ ନିର୍ବାଚନ କମିଶନଙ୍କ ତରଫରୁ ଏଭଳି ନିର୍ଦ୍ଦେଶ ବିରୋଧରେ କିଛି କରାଗଲା ନାହିଁ। ସ୍ବରାଷ୍ଟ୍ର ବିଭାଗର ମନ୍ତ୍ରୀ ଥିଲେ ଭାଜପାର ରାଜନାଥ ସିଂ, ଯିଏ ନିଜ ଦଳର ସ୍ବାର୍ଥ ବିରୋଧରେ ଯାଇ କିଛି ପଦକ୍ଷେପ ଗ୍ରହଣ କରିବାର ନ ଥିଲା। କିନ୍ତୁ ବିଚାରାଳୟର ରାୟକୁ କାର୍ଯ୍ୟକାରୀ ନ କରେଇଲେ ଅସୁବିଧା ହୁଏ ବୋଲି ଦୁଇଟି ଯାକ ଦଳ ସୁପ୍ରିମ୍‌କୋର୍ଟର ଆଶ୍ରୟ ନେଇଥିଲେ। ସୁପ୍ରିମ୍‌କୋର୍ଟ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ରାୟକୁ ଖାରଜ କରିବା ସମ୍ଭାବନା ନ ଥିବାରୁ ୨୦୧୭ ମସିହା କେନ୍ଦ୍ର ବଜେଟ ଅଧିବେଶନରେ ୧୯୭୬ ମସିହାର ନିୟମକୁ ପିଛିଲା ୨୦୧୦ ମସିହାରୁ ବଦଳାଇ ଦିଆଯାଇଥିଲା ଓ ସୁପ୍ରିମ୍‌କୋର୍ଟରୁ କେସ୍‌ ପ୍ରତ୍ୟାହାର କରାଯାଇଥିଲା। କିନ୍ତୁ ଯେତେବେଳେ ଜଣାପଡ଼ିଲା ଯେ ୨୦୧୦ ମସିହାରେ ବଦଳାଯାଇଥିବା ନିୟମ ବି କାମ କରିବ ନାହିଁ, ୨୦୧୮ ମସିହା ବଜେଟ ଅଧିବେଶନରେ କଂଗ୍ରେସ ଦଳ ସହାୟତାରେ ସେହି ନିୟମକୁ ୪୨ ବର୍ଷ ପୂର୍ବରୁ ତା୫ା୮ା୧୯୭୬ରିଖରୁ ବଦଳେଇ ଦିଆଗଲା, ଅର୍ଥାତ୍‌ ‘କଂଗ୍ରେସମୁକ୍ତ ଭାରତ’ ଡାକରା ଦେଉଥିବା ମୋଦିଜୀ ଓ ‘ଚୌକିଦାର ଚୋର୍‌ ହେ’ ଚିଲାଉଥିବା ରାହୁଲ ଗାନ୍ଧୀ ‘ଦୋଷ ଓ ଦଣ୍ଡମୁକ୍ତ’ ହେବାକୁ ଏକାଠି ହୋଇଗଲେ।
ଚାନ୍ଦା ଦେଇଥିବା କମ୍ପାନୀର ଗୋଟିଏ କାରଖାନା ପାଇଁ ଡ. ମନମୋହନ ସିଂହଙ୍କ ସରକାର ଜନଶୁଣାଣି ନ କରି ଅନୁମତି ଦେଇଥିଲେ। ୨୦୧୪ ଡିସେମ୍ବରରେ ମୋଦିଜୀଙ୍କ ସରକାର ବି ସେହି ଚାନ୍ଦାଦାତା କମ୍ପାନୀକୁ ଏ ଦିଗରେ ସାହାଯ୍ୟ କରିଥିଲେ।
ଆଜିର ରାଜନୀତି ପାଇଁ ‘ଅର୍ଥ’ ଯେ ଏକମାତ୍ର ଅସ୍ତ୍ର, ତାହାର ପ୍ରମାଣ ହେଉଛି- (୧) ଅନ୍ୟ ସମୟରେ ଲୋକଙ୍କ ହାତରେ ଯେତିକି ଅର୍ଥ ଥାଏ, ଭୋଟ୍‌ ପୂର୍ବରୁ ସେଥିରେ ବୃଦ୍ଧି ଘଟିଥାଏ। (୨) ୨୦୧୯ ନିର୍ବାଚନବେଳେ ପୂର୍ବବର୍ଷ ଅପେକ୍ଷା ୧୭.୩% ଅଧିକ ଅର୍ଥର ପ୍ରଚଳନ ଥିଲା। (୩) ବିଗତ ସାତଟି ସଂସଦୀୟ ନିର୍ଚାଚନ ତୁଳନାରେ ୨୦୧୯ରେ ସର୍ବାଧିକ ଅର୍ଥ ପ୍ରଚଳନ ହୋଇଥିଲା। (୪) Cost of Democracy ବହିରେ, ଏହାର ରଚୟିତା ମିଲନ ବୈଷ୍ଣବ ଓ ଦେବେଶ କପୁର ୨୦୧୯ ସଂସଦୀୟ ନିର୍ବାଚନ ପୂର୍ବରୁ ଲେଖିଥିଲେ, ”ଏଥର ନିର୍ବାଚନରେ ପ୍ରାୟ ୭୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ, ଯାହା ୨୦୧୬ ମସିହାରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଖର୍ଚ୍ଚରୁ ଅଧିକ।“ (୫) ଯେଉଁଠି ଦେଶର ୧୩୦ କୋଟିରୁ ଅଧିକ ଲୋକଙ୍କ ଭିତରୁ ମାତ୍ର ୮୧ ହଜାର କୋଟିପତି ବୋଲି ଟିକସ ଦାଖଲ ଜରିଆରେ ଜଣାନ୍ତି, ସେଠି ସଂସଦର ସଭ୍ୟମାନଙ୍କ ଭିତରୁ ୮୦%ରୁ ଅଧିକ କୋଟିପତି ଥିବା ପ୍ରମାଣ କରେ ଯେ, ‘ଅର୍ଥ ଥିଲେ ହିଁ ନିର୍ବାଚନ ଲଢ଼ିହେବ’। (୬) ସାଧାରଣତଃ ଗରିବ ଲୋକମାନେ ଭୋଟଦାନ କରୁଥିବାରୁ ଆମ ନିର୍ବାଚନ ପ୍ରକ୍ରିୟାକୁ ‘ଗରିବଙ୍କ ଦ୍ୱାରା ଧନୀଙ୍କୁ ଭୋଟ୍‌ଦାନ’ ବୋଲି କୁହାଯାଇପାରେ। (୭) ବଡ଼ ବଡ଼ ଦୁର୍ନୀତିକୁ ନେଇ ରଡ଼ି ଛାଡ଼ୁଥିବା ଗଣମାଧ୍ୟମକୁ ଆମ ନିର୍ବାଚନ ପ୍ରକ୍ରିୟାରେ ଗୁରୁତ୍ୱ ଦିଆଯାଏ ନାହିଁ। ଭୋଟ୍‌ଗଣତି ପରେ ଭୋଟ୍‌ ଖର୍ଚ୍ଚ ଉପରେ ଆଉ ଆଲୋଚନା ହୁଏନାହିଁ। ତେଣୁ ବୟସ୍କମାନଙ୍କ ପ୍ରଶ୍ନର ଉତ୍ତର ମୋ ପାଖରେ ନାହିଁ। ରକ୍ଷା ହୋଇଛି ଯେ, ଯୁବକମାନେ ଏ ପ୍ରକାର ପ୍ରଶ୍ନ ପଚାରୁ ନାହାନ୍ତି।
tusar1950kanta@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri