କ୍ରିକେଟାୟ ନମଃ

ଡ. କୁଳାଙ୍ଗାର
ଭାଇରେ କ୍ରିକେଟ ଖେଳ କି ମନ୍ତର କଲା, ବୁଢ଼ାହଡ଼ା ଭେଣ୍ଡିଆ ପିଲା ସଭିଙ୍କୁ ପାଗଳ କଲା…! କ୍ରିକେଟ କ୍ରିକେଟ ଘୋଷିଘୋଷି ଆମେ ଏ ଶବ୍ଦଟିକୁ ମନ୍ତ୍ରରେ ପରିଣତ କରିସାରିଲେଣି। ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏହା ଅନେକଙ୍କର ରୋଜଗାର ଓ ଆନନ୍ଦର ଉତ୍ସ ପାଲଟିଛି। ତେବେ କ୍ରିକେଟକୁ ଏକ ଆଧ୍ୟାତ୍ମିକ ଖେଳ କହିଲେ ଅତ୍ୟୁକ୍ତି ହେବନାହିଁ।
ଆମେ ବହୁଦିନରୁ କ୍ରିକେଟ ଖେଳାଳିଙ୍କୁ ଭଗବାନ ରୂୂପେ ଗ୍ରହଣ କରିଆସିଛେ। କିଏ ଠାକୁର ଘରେ ତାଙ୍କ ଫଟୋ ରଖି ପୂଜା କଲାଣି ତ କିଏ ତାଙ୍କର ଶୁଭକାମନା କରି ଖୋଳ କୀର୍ତ୍ତନ ସହ ହୋମଯଜ୍ଞର ଆୟୋଜନ କଲାଣି। କେଉଁଠି କ୍ରିକେଟ ଖେଳାଳିଙ୍କର ପୂଜା ପାଇଁ ମନ୍ଦିର ବି ତୋଳା ହେଲାଣି। ଈଶ୍ୱର ପ୍ରେମରେ ପାଗଳୀ ହୋଇ ଯୁବତୀ ଭକ୍ତ ନିଜକୁ ସମର୍ପିତ କରିଦେବା ପରି ଅନେକ ଯୁବତୀ କ୍ରିକେଟ ଖେଳାଳିଙ୍କ ପ୍ରେମରେ ଏକପାଖିଆ ମଜ୍ଜି ଆଜୀବନ ଅବିବାହିତ ରହିଯାଉଛନ୍ତି। ଆଧ୍ୟାତ୍ମିକତା ବା ଭକ୍ତିରେ ଉପବାସ ରଖିବା ପରି କ୍ରିକେଟ ଖେଳରେ ପିଲାଏ ଭୋକଶୋଷ ଭୁଲି ଯାଉଛନ୍ତି।
ଆଧ୍ୟାତ୍ମିକତାରେ ପୋଷାକ ଏକ ନିର୍ଦ୍ଦିଷ୍ଟ ଭୂମିକା ବହନ କରିଥାଏ। ଗୁରୁ ଅବା ଧର୍ମ ସବୁର ପୋଷାକ ସ୍ବତନ୍ତ୍ର। ଦେଖନ୍ତୁ କ୍ରିକେଟରେ ମଧ୍ୟ ସେଇ ଏକା କଥା। ସବୁ ଦଳର ଅଲଗା ଅଲଗା ପୋଷାକ, ଯାହା ସେମାନଙ୍କର ପରିଚୟ ମଧ୍ୟ। ଏ ବିଶ୍ୱ ବ୍ରହ୍ମାଣ୍ଡ ହେଉଛି ଗୋଲ ଆଉ କ୍ରିକେଟ ପଡ଼ିଆ ମଧ୍ୟ ଚକ୍ରାକାର। ପ୍ରବଚନ ଆଧ୍ୟାତ୍ମିକତାର ଅନ୍ୟତମ ବିଭବ। ସମାନ ପ୍ରକାର କଥା କ୍ରିକେଟରେ ମଧ୍ୟ ଦେଖିବାକୁ ମିଳିଥାଏ। ଏଠାରେ ଧାରା ବିବରଣୀ କାର୍ଯ୍ୟକୁ ଦର୍ଶନ, ଶ୍ରବଣ କରାଯାଏ। କ୍ରିକେଟ ଭକତେ କ୍ରିକେଟ ଖେଳକୁ ସ୍ବଚକ୍ଷୁରେ ଦର୍ଶନ କରିବାକୁ ଧାଆନ୍ତି। ଯିଏ ନ ଯାଇ ପାରିଲା ଟିଭି, ମୋବାଇଲ୍‌ ଜରିଆରେ ଦର୍ଶନ କରି ପାପମୋଚନ କରିଥାଆନ୍ତି। କିଏ ରେଡିଓ ଜରିଆରେ ପାପମୋଚନ କରିଥାଆନ୍ତି ତ କିଏ ପରଦିନ ଖବରକାଗଜରୁ ପଢ଼ିଥାଆନ୍ତି। ଯିଏ ଏହି ସୌଭାଗ୍ୟ ହାସଲ କରି ନ ପାରିଲା ସିଏ କିଛି ନ ହେଲେ ସ୍କୋର୍‌ କେତେ ହେଲା ଜାଣିବାକୁ ଚେଷ୍ଟା କରିଥାଆନ୍ତି।
ମୃତ୍ୟୁଦଣ୍ଡ ଦେବାକୁ ଯାଉଥିବା ଜନୈକ ଜଜ୍‌ ସାହେବ ଅପରାଧୀକୁ ପଚାରିଲେ- ତୁମର ଶେଷଇଚ୍ଛା କ’ଣ? ଅପରାଧୀ କହିଲା- ହଜୁର୍‌ ମୁଁ ମରିବା ପୂର୍ବରୁ ଆଜି କ୍ରିକେଟ ଲିଗ୍‌ରେ ସିଂହ ଓ ବାଘଦଳ ମଧ୍ୟରେ ଚାଲିଥିବା ମ୍ୟାଚ୍‌ର ସର୍ବଶେଷ ସ୍କୋର୍‌ ଜାଣିବାକୁ ଚାହେଁ! ଅପରାଧୀର କଥା ଶୁଣି ଜଜ୍‌ କହିଲେ- ଓହୋ! ମ୍ୟାଚ୍‌ ଟାଇମ୍‌ ଆରମ୍ଭ ହୋଇଗଲାଣି ତା’ହେଲେ। ହଉ ମୁଁ ଆସୁଛି। ଅଦାଲତର କାର୍ଯ୍ୟକ୍ରମ ଆଜିପାଇଁ ସ୍ଥଗିତ ରହିଲା। ଏହି ଘଟଣାରୁ ଏହା ପ୍ରତୀତ ହେଉଛି କି ଆଧ୍ୟାତ୍ମିକତା ପରି କ୍ରିକେଟ ମଧ୍ୟ ଚମତ୍କାର କରି ଜୀବନ ବଞ୍ଚାଇ ଦେଇପାରେ।
ଠାକୁର ଦର୍ଶନ କରିବାକୁ ଯାଇ ପ୍ରେମରେ ପଡିବା ପରି କ୍ରିକେଟ ଖେଳ ଦେଖିବାକୁ ଯାଇ କିଛି ଘଣ୍ଟା ଭିତରେ ମଧ୍ୟ ପ୍ରେମ ହୋଇ ଯାଇପାରୁଛି। ଜଣେ କ୍ରିକେଟପ୍ରେମୀ ଲୋକର ଝିଅ ସହିତ ଜଣେ ପ୍ରବଚକର ପ୍ରେମ ହୋଇଗଲା। ଝିଅଠାରୁ ସବୁକଥା ଶୁଣି ବାପା କହିଲେ- ମୋର ଇଚ୍ଛା ତୁ ଗୋଟେ କିକେଟ ଖେଳାଳିକୁ ବାହା ହୋଇଥାଆନ୍ତୁ! ହେଲେ ଏମିତି ବାବାଜିଆଟେ ବାଛିଲୁ କାହିଁକି? ଝିଅ କହିଲା- ବାପା, କ୍ରିକେଟ ଖେଳାଳି ଓ ପ୍ରବଚକ ଭିତରେ ବିଶେଷ ଫରକ ନାହିଁ ତ। ଉଭୟରେ ଆଧ୍ୟାତ୍ମିକତା ଖୁନ୍ଦି ହୋଇରହିଥାଏ। ବାପା ପଚାରିଲେ- କିପରି? ଝିଅ ବୁଝେଇଲା- ଆଧ୍ୟାତ୍ମିକ ଅନୁଭବ ମାଗଣାରେ ମିଳେନା। ଠାକୁର ହୁଅନ୍ତୁ କି ଧାର୍ମିକ ଗୁରୁ ମହାରାଜ, ଦର୍ଶନ ପାଇଁ ମୋଟା ଦକ୍ଷିଣା ଦେବାକୁ ହୋଇଥାଏ। ସେହିପରି କ୍ରିକେଟ ପାଇଁ ମୋଟାଅଙ୍କ ଦେଇ ଟିକେଟ କିଣିବାକୁ ହୋଇଥାଏ। ଏ ଜୀବନ ଏକ ଦୌଡ଼। ଶୂନ୍ୟରୁ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଯେମିତି ଦୌଡିବାକୁ ହୁଏ, ପୋତା ହୋଇଥିବା ଷ୍ଟମ୍ପ୍‌ର ଏପାଖରୁ ସେପାଖକୁ ସେମିତି ଦୌଡିବାକୁ ହୋଇଥାଏ। ଷ୍ଟମ୍ପ୍‌ର ସଂଖ୍ୟା ମଧ୍ୟ ତିନି। କେବେ ଏହା ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ପ୍ରତୀକ ତ କେବେ ଏହା ପ୍ରଚଣ୍ଡ ତ୍ରିଶୂଳ ପରି। ସାମାନ୍ୟ ସନ୍ଦେହରେ ହରି ଛୁ ମାରିବା ପରି ସାମାନ୍ୟ ଅସତର୍କତାରେ ଷ୍ଟମ୍ପ୍‌ ଖସି ଯାଇପାରେ। ଆମେ କ’ଣ କରୁଛେ, ଭୁଲ୍‌ କି ଠିକ୍‌ ଯେମିତି ଅନବରତ ଈଶ୍ୱର ଦେଖୁଛନ୍ତି, ଠିକ୍‌ ସେହିପରି କ୍ରିକେଟ ମ୍ୟାଚ୍‌ରେ ଅମ୍ପାୟାର ଆଖି ମେଲାକରି ଚାହିଁଥାଆନ୍ତି। ମର୍ତ୍ତ୍ୟରେ ଫାଙ୍କିଦେଲେ ମଧ୍ୟ ଉପରବାଲା ପାପପୁଣ୍ୟର ହିସାବ କରିବା ପରି ତୃତୀୟ ଅମ୍ପାୟାର ମଧ୍ୟ ତାହା କରିବା ପାଇଁ ବସିଥାଆନ୍ତି। ମହାଭାରତରେ ଶ୍ରୀକୃଷ୍ଣ ଯେମିତି ଅର୍ଜୁନକୁ ନାନା ଉପଦେଶ ଦେଇଛନ୍ତି, କ୍ରିକେଟ ଖେଳାଳିମାନେ ଠିକ୍‌ ସେମିତି ଚିତ୍ର ଓ ଚଳଚ୍ଚିତ୍ର ମାଧ୍ୟମରେ ପ୍ରକଟ ହୋଇ ବିଜ୍ଞାପନ ଯୁଦ୍ଧରେ ଆମକୁ ବିଭିନ୍ନ ଦ୍ରବ୍ୟ ବ୍ୟବହାର କରିବା ପାଇଁ ଉପଦେଶ ଦେଇଥାଆନ୍ତି। ପ୍ରବଳ ଭକ୍ତି କାରଣରୁ ଆମେମାନେ ସେ ଉପଦେଶ ସବୁକୁ ମାନିକରି ବଜାରରୁ ଉକ୍ତ ଦ୍ରବ୍ୟଗୁଡିକୁ କିଣି ଆଣୁଛେ।
ଝିଅର ଯୁକ୍ତିରେ ପ୍ରଭାବିତ ହୋଇ ବାପା ସେ ବିବାହ ପ୍ରସ୍ତାବରେ ରାଜି ହୋଇଯିବା ସହିତ ମନେ ମନେ ଭାବିଲେ ପୂର୍ବରୁ ପର୍ବପର୍ବାଣିରେ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରିବାକୁ ଦାବି ହେଉଥିଲା। ଏବେ ରୋଚକ କ୍ରିକେଟ ମ୍ୟାଚ୍‌ର ଫାଇନାଲକୁ ଛୁଟି ଘୋଷଣା କରିବାକୁ ଜୋରଦାର ଦାବି ହେବା ଦରକାର, ଯାହା ଫଳରେ ଲୋକେ ନିଶ୍ଚିନ୍ତରେ ବସି ଖେଳ ଦେଖିବା ସହ ‘ଓଁ କ୍ରିଂ କ୍ରିକେଟାୟ ନମଃ’ ମନ୍ତ୍ରକୁ ଜପ କରିପାରନ୍ତେ!
ମୋ- ୯୩୩୮୫୮୧୩୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri