କାହା ଉପରେ ଶିଶୁଙ୍କ ଦାୟିତ୍ୱ

ଭାଗୀରଥି ବେହେରା
ପ୍ରତ୍ୟେକ ଶିଶୁ ଅଗଢା ପଥର ସଦୃଶ। ସେ ପଥରରେ ସୁନ୍ଦର ମୂର୍ତ୍ତିଟିଏ ଲୁଚିଥାଏ। ଏ ମୂର୍ତ୍ତିକୁ ଶିଳ୍ପୀଟିଏ ଦେଖିପାରେ। ସେହି ଶିଳ୍ପୀମାନେ ହେଲେ- ମାତା, ପିତା, ଶିକ୍ଷକ ଓ ସମାଜ ଯେଉଁମାନେ ତାକୁ ସୁନ୍ଦର ବ୍ୟକ୍ତିତ୍ୱ ପ୍ରଦାନ କରନ୍ତି। ଶିଶୁଙ୍କର ବିକାଶରେ ଯଦି ଶିଳ୍ପୀଗଣ ଟିକିଏ ବି ଅସାବଧାନତା କିମ୍ବା ଅବହେଳା କରନ୍ତି, ତେବେ ମୂର୍ତ୍ତି ଖଣ୍ଡବିଖଣ୍ଡିତ ହେବାର ଭୟ ଥାଏ। ଏ ବିଷୟରେ ଆମକୁ ଭାବିବାକୁ ହେବ, ଆମେ କିଛି ଅତି କରୁନେ ତ! ଏମିତି ତ ନୁହଁ ଯେ ଛୋଟ ଛୋଟ ଭୁଲ୍‌ରେ ଆମେ ଶିଶୁଙ୍କୁ ଅପମାନିତ, ଦଣ୍ଡିତ ଓ ପ୍ରତାରିିତ କରୁଛେ କିମ୍ବା ଆବଶ୍ୟକଠାରୁ ଅଧିକ ସୁରକ୍ଷା ପ୍ରଦାନ କରି ସେମାନଙ୍କ ସ୍ବତନ୍ତ୍ର ବ୍ୟକ୍ତିତ୍ୱ ବିକାଶରେ ବାଧକ ହେଉଛେ? ଆମ ସମାଜରେ ଏମିତି ଅନେକ ଉଦାହରଣ ଅଛି ଯେଉଁଠି ମାତା ପିତା ଓ ଅଭିଭାବକ ଏମିତି ଭୁଲ କରିଛନ୍ତି। ଅତ୍ୟଧିକ ନିର୍ଭରଶୀଳତା ଯୋଗୁ ପିଲାମାନେ ନା ନିର୍ଣ୍ଣୟ ନେଇପାରନ୍ତି, ନା କେଉଁ ସମସ୍ୟାର ସମାଧାନ ନିଜେ ଖୋଜି ପାରନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ଛୋଟ ବଡ ସମସ୍ୟାର ସମାଧାନ ପାଇଁ ଅନ୍ୟ ଉପରେ ନିର୍ଭର କରନ୍ତି। ଯେମିତି ସ୍କୁଲ ବ୍ୟାଗ ଉଠେଇବା, ପାଣି ପିଇବା, ଖାଦ୍ୟ ଖାଇବା, ପାର୍କ ଯିବା, ଖେଳିବା ଆଦି ଅତି ସାଧାରଣ କାର୍ଯ୍ୟରେ ଅନ୍ୟ ଉପରେ ନିର୍ଭର କରନ୍ତି। ମାତାପିତା ନିଜ ମନ ଭିତରେ ଏକ କାଳ୍ପନିକ ଦୁର୍ଘଟଣାର ରୂପରେଖ ତିଆରି କରନ୍ତି ଓ ଭାବନ୍ତି ସେମାନଙ୍କ ପିଲା ସାଙ୍ଗରେ ମଧ୍ୟ ଏମିତି ଘଟିପାରେ। ସେଥିପାଇଁ ସେମାନେ ସବୁବେଳେ ପିଲାମାନଙ୍କୁ ନିଜ ପାଖରେ ରଖିବାକୁ ଚାହାନ୍ତି।
ନିଜ ବ୍ୟସ୍ତଜୀବନରେ ଅନେକ ମାତାପିତା, ବ୍ୟବସାୟୀ କି ଚାକିରିଆ ଶିଶୁମାନଙ୍କ ପ୍ରତି ଯତ୍ନବାନ ନୁହନ୍ତି। ବଡ ସ୍କୁଲରେ ପିଲାର ଆଡମିଶନ ହେଇଯିବା ଅର୍ଥ ନୁହଁ ଯେ ସେମାନଙ୍କର ଦାୟିତ୍ୱ ସରିଗଲା। ସେମାନଙ୍କ ପାଖରେ ନିଜ ପିଲାଙ୍କ ମାନସିକ, ବୌଦ୍ଧିକ, ରଚନାତ୍ମକ କ୍ଷମତା ଜାଣିବାକୁ ସମୟ ନ ଥାଏ। ତା’ଠାରୁ ବଡ କଥା ହେଲା ସେମାନେ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ। ଅଧିକାଂଶ ମାତାପିତା ନିଜ ଇଚ୍ଛା, ମହତ୍ତ୍ୱାକାଂକ୍ଷା, ସ୍ବପ୍ନ ପିଲାମାନଙ୍କ ଉପରେ ଲଦିଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ପୁଣି ସେମାନଙ୍କର ବିଚାର ଓ ରୁଚିକୁ ମଧ୍ୟ ସମ୍ମାନ କରନ୍ତି ନାହିଁ। ସେମାନଙ୍କ ବାଳସୁଲଭ କାର୍ଯ୍ୟକଳାପ ଉପରେ ଅନେକ କଟକଣା ଲଗେଇଥାଆନ୍ତି। ଏ ପ୍ରକାର ନୀତିନିୟମ ଓ ବ୍ୟବହାର ଶିଶୁଙ୍କ ବିକାଶର ଧାରାକୁ ଅବରୋଧ କରେ।
ଶିଶୁର ବିକାଶରେ ଘରେ ମା’ବାପା, ବିଦ୍ୟାଳୟରେ ଶିକ୍ଷକ, ସମାଜର ବାଳସେବା ସଂସ୍ଥା, ବାଳ ଚଳଚ୍ଚିତ୍ର ଓ ପ୍ରେରଣାପଦ ସାହିତ୍ୟର ଦାୟିତ୍ୱ ଥାଏ। ଶିଶୁଙ୍କର ପ୍ରଥମ ପାଠଶାଳା ହେଲା ଘର ପରିବାର, ଯେଉଁଠି ତା’ର ବ୍ୟକ୍ତିତ୍ୱ ବିକାଶ ଆରମ୍ଭ ହୁଏ। ଏଠି ମାଆର ଭୂମିକା ଅତି ମହତ୍ତ୍ୱପୂର୍ଣ୍ଣ। ଯଦି ମାତାପିତା ନିଜ ପିଲାଙ୍କୁ ନିଃସର୍ତ୍ତ ଭଲ ପାଆନ୍ତି କିମ୍ବା ପ୍ରେମର ଅଭିବ୍ୟକ୍ତି କରନ୍ତି, ତା’ହେଲେ ପିଲାଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡେ। ଶିଶୁର ପ୍ରତ୍ୟେକ କାର୍ଯ୍ୟରେ ରୁଚି ଦେଖେଇବା ଅବା ତା’ ଇଚ୍ଛାକୁ ସମ୍ମାନ କରିବା ହିଁ ଭଲ ପାଇବାର ଠିକ୍‌ ଅଭିବ୍ୟକ୍ତି। ଏ ପ୍ରକାର ପିଲାଙ୍କ ମଧ୍ୟରେ ଉତ୍ତରଦାୟିତ୍ୱ, ସହଯୋଗ, ସଦ୍‌ଭାବନା ଆଦି ସାମାଜିକ ଗୁଣର ବିକାଶ ହୁଏ ଏବଂ ସାମାଜିକ ଦାୟିତ୍ୱବୋଧରେ ନିଜର ମହତ୍ତ୍ୱପୂର୍ଣ୍ଣ ନେତୃତ୍ୱ ଦେଖାଏ। ଶିଶୁର ନୈତିକ ବିକାଶ ପାଇଁ ପାରିବାରିକ ଓ ସାମାଜିକ ପରିବେଶ ଅତି ମହତ୍ତ୍ୱ ରଖେ। କିନ୍ତୁ ଯେତେବେଳେ ସେହି ଶିଶୁ ପାଠଶାଳା ଯାଏ, ସେତେବେଳେ ତା’ ଭିତରେ ଏକ ନୂଆ ଦୁନିଆ ପ୍ରବେଶ କରେ, ଯେଉଁଠି ଭିନ୍ନ ଭିନ୍ନ ପରିବେଶ ଓ ସମାଜରୁ ଅନେକ ପିଲା ପଢିବାକୁ ଆସନ୍ତି। ବିଦ୍ୟାଳୟର ବାତାବରଣ ଶିଶୁର ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବା ଆରମ୍ଭ କରେ। ଶିକ୍ଷକ ଓ ସହପାଠୀଙ୍କ ସହ ଯେଉଁ ସାମାଜିକ ସମ୍ବନ୍ଧ ଗଢିଉଠେ, ତାହା ଶିଶୁର ବ୍ୟକ୍ତିତ୍ୱ ଓ ନେତୃତ୍ୱ ବିକାଶରେ ନିର୍ଣ୍ଣାୟକ ମୋଡ ଆସେ। ଯେତେବେଳେ ଆମେ ବିଦ୍ୟାଳୟର ଶିକ୍ଷା ଓ ସଂସ୍କାର କଥା କହୁ ସେତେବେଳେ ପ୍ରଥମ ସଂସ୍କାର ହେଲା କି ପିଲାଙ୍କୁ ସ୍ନେହପ୍ରେମ ମିଳିବା। ପିଲାଙ୍କ ପ୍ରକୃତିଦତ୍ତ ଗୁଣକୁ ମୁଖରିତ କରିବା, ନୈତିକ ଗୁଣକୁ ଚିହ୍ନି ସଜାଡିବା, ସେମାନଙ୍କୁ ସତ୍ୟ, ନ୍ୟାୟ ଧର୍ମ ପଥରେ ନିଷ୍ଠାବାନ ନାଗରିକ କରି ଗଢ଼ିତୋଳିବା ଶିକ୍ଷକଗଣଙ୍କ ମୁଖ୍ୟ ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ହେବା ଉଚିତ। ପ୍ରାଚୀନ ଭାରତରେ ଗୁରୁକୁଳ ପରମ୍ପରା ଥିବା ଯୋଗୁ ଶିଷ୍ୟଙ୍କ ସର୍ବାଙ୍ଗୀଣ ଉନ୍ନତି ପାଇଁ ଅନେକ କାର୍ଯ୍ୟ ଶିକ୍ଷା ପଦ୍ଧତିର ମୁଖ୍ୟ ଧାରା ଥିଲା। ସେଥିପାଇଁ ତ ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କ ପରି ଶାସକ, ଦ୍ରୋଣାଚାର୍ଯ୍ୟ ଅର୍ଜୁନଙ୍କ ପରି ମହାରଥୀ ଓ ବିଶ୍ୱାମିତ୍ର ଶ୍ରୀରାମଙ୍କ ପରି ପ୍ରଜାପାଳକ ଭାରତୀୟ ସମାଜକୁ ଦେଇଥିଲେ। ସାମ୍ପ୍ରତିକ ସମୟରେ କର୍ପୋରେଟ ସେକ୍ଟରରେ ଗୀତାର କର୍ମଯୋଗ ପଢାଯାଇ କର୍ମଚାରୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱ ବିକାଶ କରାଯାଏ।
ବ୍ୟକ୍ତିତ୍ୱ ବିକାଶରେ ବଂଶାନୁକ୍ରମ ତଥା ପରିବେଶ ଦୁଇଟି ପ୍ରଧାନ ତତ୍ତ୍ୱ। ବଂଶାନୁକ୍ରମ ଶିଶୁକୁ ବ୍ୟକ୍ତି ରୂପେ ଜନ୍ମଜାତ ଶକ୍ତି ପ୍ରଦାନ କରେ ଏବଂ ପରିବେଶ ସେସବୁ ଶକ୍ତିକୁ ଜୀବନରେ ପ୍ରୟୋଗ କରିବା ଶିଖାଏ। ଯେମିତି ପିଲା ବଡ ହୁଏ, ଶିଶୁରୁ କିଶୋର ଓ ଯୁବକ ହୁଏ, ସେ ରହୁଥିବା ସମାଜର ଶୈଳୀକୁ ଆତ୍ମସାତ୍‌ କରି ବଡ ହୁଏ।
ଆଜି ସମାଜରେ ଯେଉଁ ବାତାବରଣ, ସେଥିରେ ଶିଶୁଙ୍କର ନୈତିକତା ହ୍ରାସ ପାଉଛି। ଭୌତିକବାଦର ଏ ସମୟରେ ପିଲାଙ୍କୁ ଧନବାନ୍‌, ଶକ୍ତିମାନ୍‌ ଓ ସମୃଦ୍ଧିଶାଳୀ ହେବାର ସମସ୍ତ କଳା ଶିଖିବାକୁ ପ୍ରେରିତ କରାଯାଏ। ଯାହାଦ୍ୱାରା ତା’ର ଏକ ଷ୍ଟାଟସ୍‌ ତିଆରି ହେଇପାରେ। ମାଆବାପା ସେହି ଦିଗରେ ପିଲାଙ୍କୁ ବଢାନ୍ତି। ପଇସା ହିଁ ସବୁକିଛି, ପଇସା ରୋଜଗାର କର- ଏହା ହିଁ ସକାଳସା ଶିକ୍ଷା ଦିଆଯାଏ। କିନ୍ତୁ ପଇସା କମେଇବା ପାଇଁ କେଉଁ ପ୍ରକାର ପ୍ରଶିକ୍ଷଣ ଆବଶ୍ୟକ ତାହା ବିଚାରକୁ ନିଆଯାଏ ନାହିଁ। ସେଥିପାଇଁ ପଇସା କମେଇବାର ପ୍ରତିଯୋଗିତା ଆରମ୍ଭ ହୁଏ।
ବର୍ତ୍ତମାନ ସମୟରେ ପିଲାମାନଙ୍କୁ ପ୍ରତିସ୍ପର୍ଦ୍ଧା ଓ ଷ୍ଟାଟସ୍‌ର ପରିବେଶରେ ରଖି ଆମେ ନିଜର ସ୍ବପ୍ନ ସାକାର କରିବାକୁ ଚାହୁଁ, ଯାହାଦ୍ୱାରା ଆମେ ଶିଶୁର ହଁରେ ହଁ ମିଶାଉ କିମ୍ବା ଅଯଥା ଉପଦେଶ ଦେଉ। ଶିକ୍ଷଣ ସଂସ୍ଥାନ ମଧ୍ୟ ସମୟ ଅନୁସାରେ ଅଧିକ ଲୋଭନୀୟ କାର୍ଯ୍ୟ ଓ ଚାକିରି ପ୍ରତି ଅଧିକ ଧ୍ୟାନ ଦିଅନ୍ତି ଓ ଶିକ୍ଷଣ ପଦ୍ଧତି ସ୍ଥିରୀକୃତ କରନ୍ତି। ଏମିତି ସମୟରେ ବିଦ୍ୟାଳୟର ଦାୟିତ୍ୱ ହେଲା ବାଳକ ଓ ବାଳିକାଙ୍କ କ୍ଷମତା ଓ ଶକ୍ତିକୁ ରଚନାତ୍ମକ ଦିଶା ଦେବା, ଯାହାଦ୍ୱାରା ଶିଶୁଗଣ ଭୌତିକ ଓ ଆତ୍ମିକ ବିକାଶରେ ସନ୍ତୁଳନ ରଖିବାର କଳା ଶିଖିପାରିବେ।
ଆଜି ସବୁଠୁ ଆବଶ୍ୟକ ହେଲା ଠିକ୍‌ ପ୍ରେରଣା, ମାର୍ଗଦର୍ଶନ ଓ ପରାମର୍ଶ ସହ ସୁସ୍ଥ ପାରିବାରିକ ଶୈଖିକ ଏବଂ ସାମାଜିକ ବାତାବରଣ। ଏହାର ଦାୟିତ୍ୱ ହେଲା ମାତାପିତା (ପରିବାର), ଶିକ୍ଷକ (ପାଠଶାଳା) ଓ ସମାଜ (ଜନ୍ମସ୍ଥାନ)ର।
ବ୍ରହ୍ମପୁର, ଗଞ୍ଜାମ, ମୋ-୮୨୮୦୨୨୩୬୪୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri