କାହାର ମଙ୍ଗଳ

ତଥାଗତ ସତପଥୀ

ଭାରତୀୟ ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିଥିବାରୁ ବିଭିନ୍ନ ସର୍ଭେ ସଂସ୍ଥା ଆର୍ଥିକ ବ୍ୟାପାର ସହ ଜଡ଼ିତ ବିଷୟ ଉପରେ ଅନୁଶୀଳନ କରିବାରେ ଲାଗିଛନ୍ତି। ଏବେ ଏକ ବିଚିତ୍ର କୌତୂହଳ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସରକାରୀ ସଂସ୍ଥା ଦ୍ୱାରା ପ୍ରସ୍ତୁତ କେତେକ ସର୍ଭେ ରିପୋର୍ଟକୁ ଖୋଦ୍‌ କେନ୍ଦ୍ର ସରକାର ନାକଚ କରିବାକୁ ବାଧ୍ୟ ହେଉଛନ୍ତି। ଉଦାହରଣ ସ୍ବରୂପ, ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳର ଉପଭୋକ୍ତା କରୁଥିବା ଖର୍ଚ୍ଚ ୧୦ ପ୍ରତିଶତ ହ୍ରାସ ପାଇଛି। ଏହା ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ଏବଂ ସର୍ବାଧିକ। ବିବ୍ରତ କଲା ଭଳି ଏହି ପ୍ରକାରର ଖବରକୁ ସିଧାସଳଖ ବିରୋଧ କରିବାର ବ୍ୟବସ୍ଥା ସରକାରଙ୍କ ପାଖରେ ନାହିଁ। ଯେତେବେଳେ ଗଣମାଧ୍ୟମରେ ଏହି ତଥ୍ୟ ପ୍ରକାଶ ପାଇଲା, ତତ୍‌କ୍ଷଣାତ୍‌ ସରକାର ଏହି ତଥ୍ୟକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ନାକଚ କରିବାର ଘୋଷଣା ୧୫ ନଭେମ୍ବରରେ କରିଦେଲେ। ତା’ ପରେ ଏବେ କହିଛନ୍ତି ଯେ, ଖୁବ୍‌ଶୀଘ୍ର ସେହି ଏନ୍‌ଏସ୍‌ଓ ତରଫରୁ ସଦ୍ୟ ଡାଟା ପ୍ରକାଶ ପାଇବ। ଅର୍ଥାତ୍‌ ବିଳମ୍ବରେ ସରକାରଙ୍କ ଚେତା ପଶିବା ପରେ ଅର୍ଥନୈତିକ ପରିସ୍ଥିତିକୁ ସଜାଡ଼ିବାର ଚେଷ୍ଟା ନ କରି ଡାଟା ବା ତଥ୍ୟକୁ ବିଭ୍ରାନ୍ତ କରିବା ହୋଇପଡ଼ିଛି ମୁଖ୍ୟ ଉଦ୍ଦେଶ୍ୟ।
ବିଶେଷଜ୍ଞଙ୍କ ମତରେ ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା ହେବା ପରେ ଅର୍ଥନୀତିରେ ଧିମାବସ୍ଥା ଦେଖାଦେଇଛି। ବିମୁଦ୍ରୀକରଣ ପରେ ଅନ୍‌ଲାଇନ କାରବାରକୁ ଗୁରୁତ୍ୱ ଦିଆଯାଇଥିଲା। ସେବେଠାରୁ ଏହି କାରବାର ବଢ଼ୁଥିଲେ ମଧ୍ୟ ଲୋକେ ନଗଦକୁ ଅଗ୍ରାଧିକାର ଦେଉଥିବା ଜଣାପଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ତଥ୍ୟ ମୁତାବକ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ବିମୁଦ୍ରୀକରଣ ପରେ ବ୍ୟବସ୍ଥାରେ ନଗଦ ପରିମାଣ ୧୭ ପ୍ରତିଶତ ବଢ଼ି ୨୧.୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ଇତିମଧ୍ୟରେ ଏହି ସଂଖ୍ୟା ନିଶ୍ଚିତ ଭାବେ ଆହୁରି ବଢ଼ିଯାଇଥିବ। ବିମୁଦ୍ରୀକରଣ ପୂର୍ବରୁ ନୋଟ୍‌ ପରିମାଣ ଥିଲା ୧୭.୯୭ ଲକ୍ଷ କୋଟି ଟଙ୍କା। ଏଥିରୁ ବୁଝିବାକୁ ହେବ ଯେ, ଲୋକେ ନଗଦ କାରବାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ବିମୁଦ୍ରୀକରଣ ବେଳେ କୁହାଯାଉଥିଲା ଯେ, ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ବଡ଼ ନୋଟ୍‌କୁ ରଦ୍ଦ କରିଦିଆଗଲେ ଲୋକଙ୍କ ପାଖରେ କଳାଧନ ହ୍ରାସ ପାଇବ। କିନ୍ତୁ ୨୦୦୦ ଟଙ୍କିଆ ବଜାରକୁ ଆସିବା ପରେ କଳାଧନ ଚିତ୍ରକୁ ସମ୍ପୂର୍ଣ୍ଣ ଭିନ୍ନ କରିଦେଉଛି। ନଗଦ ଟଙ୍କା ଲୁକ୍କାୟିତ ରଖିବା ଏକ କଷ୍ଟକର କାର୍ଯ୍ୟ ବୋଲି ଆମେ ଭାବୁ। ୧୦୦୦ ଟଙ୍କିଆ ଥିଲା ପୂର୍ବର ସର୍ବବୃହତ୍‌ କାଗଜ ଟଙ୍କା। ସେହି ଟଙ୍କାରେ କୋଟିଏ ଟଙ୍କା ରଖିବା ପାଇଁ ଯେତିକି ସ୍ଥାନ ବ୍ୟବହୃତ ହେଉଥିଲା, ଏବେ କଳାଧନ ଅର୍ଜନକାରୀମାନେ ସେତିକି ସ୍ଥାନରେ ଦୁଇ କୋଟି ଟଙ୍କା ରଖିପାରୁଥିବେ। ଏଭଳି ସ୍ଥଳେ ଯେଉଁମାନେ ଟିକସ ଫାଙ୍କି ଅର୍ଥ ସାଇତି ରଖିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ୨୦୦୦ ଟଙ୍କିଆ ବରଦାନ ସାବ୍ୟସ୍ତ ହୋଇଛି। ଜନସାଧାରଣ ଏହା ମଧ୍ୟ ଲକ୍ଷ୍ୟ କରିପାରୁଥିବେ ଯେ ପୂର୍ବାପେକ୍ଷା ୨୦୦୦ ଟଙ୍କିଆ ନୋଟ୍‌ର ସର୍କୁଲେଶନ ବା ମୁଦ୍ରା ସଞ୍ଚାଳନ କମିବାରେ ଲାଗିଛି। ବ୍ୟାଙ୍କରେ ୨୦୦୦ ଟଙ୍କିଆ ମାଗିଲେ ଉତ୍ତର ମିଳୁଛି, ସେହି ନୋଟ୍‌ ଆଉ ବ୍ୟାଙ୍କକୁ ଫେରୁନାହିଁ। ଏଥିରୁ ଦୁଇଟି କଥା ବୁଝିହେବ। ପ୍ରଥମଟି ହେଲା ଯାହା ଜନସାଧାରଣଙ୍କ ପାଖକୁ ଯାଉଛି, କଳାଧନ ଭାବେ ଠୁଳ ହୋଇ ରହିଯାଉଛି। ଅନ୍ୟପଟେ ଯଦି ଜନସାଧାରଣ ରଖୁନାହାନ୍ତି ବୋଲି ଚିନ୍ତା କରାଯାଏ, ତେବେ ବ୍ୟାଙ୍କକୁୁ ଯାହା ଯାଉଛି ତାହାକୁ ବଜାରକୁ ଛାଡ଼ିବା ପାଇଁ ସରକାର ଅନିଚ୍ଛୁକ। ଉଭୟ ଭାରତୀୟ ଅର୍ଥନୀତି ପାଇଁ ମାରାତ୍ମକ।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) କହିଛି ଯେ, ଭାରତରେ ଏଟିଏମ୍‌ଗୁଡ଼ିକର ଉଚ୍ଚ ପରିଚାଳନା ଖର୍ଚ୍ଚ ଯୋଗୁ ନୂଆ ଏଟିଏମ୍‌ ଖୋଲିବାରେ ବାଧା ଉପୁଜୁଛି। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ତୁଳନା କଲେ ଭାରତରେ ୧ ଲକ୍ଷ ଲୋକଙ୍କ ପାଇଁ ଏଟିଏମ୍‌ କମ୍‌ ରହିଛି। ବର୍ତ୍ତମାନର ସ୍ଥିତି ଦେଖିଲେ ଆଗକୁ ବ୍ୟାଙ୍କଗୁଡ଼ିକ ମଧ୍ୟରେ ମିଶ୍ରଣ ହେଲେ ଶାଖା ଓ ଏଟିଏମ୍‌ ସଂଖ୍ୟା ଆହୁରି କମିଯିବ। ଅର୍ଥନୈତିକ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ଲାଗି ଏହାର ଭିତ୍ତିଭୂମିକୁ ବଢ଼ାଇବା ନିତାନ୍ତ ଆବଶ୍ୟକ। ଅନ୍ୟପକ୍ଷରେ ଭାରତରେ ସବୁ ଶିକ୍ଷିତ ଲୋକ ଅନ୍‌ଲାଇନ୍‌ କାରବାର କରୁନାହାନ୍ତି। ସେଭଳିସ୍ଥଳେ ଗାଁ ଗହଳିରେ ବାସ କରୁଥିବା ବ୍ୟକ୍ତି ପାଇଁ ଏକ ନୂତନ ବ୍ୟବସ୍ଥା ସୁରକ୍ଷିତ ମନେହେଉ ନାହିଁ। ଏବର ଅର୍ଥନୈତିକ ସ୍ଥିତିରେ ଲୋକେ ବଜାରରେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପସନ୍ଦ କରୁନାହାନ୍ତି। ମାନ୍ଦାବସ୍ଥାକୁ ସମ୍ମୁଖୀନ ହେବା ସକାଶେ ନିଜ ପାଖରେ ନଗଦ ଅର୍ଥ ସାଇତି ରଖିବାକୁ ଚେଷ୍ଟା କଲେଣି। କାରଣ ସେମାନେ ବୁଝିଲେଣି ଅସୁବିଧା ବେଳେ ନଗଦ ଅର୍ଥ କାମରେ ଆସିବ। ଏଠାରେ ଉଲ୍ଲେଖ କରାଯାଇପାରେ, ଯେତେବେଳେ ବିଗତ ଦିନରେ ବିମୁଦ୍ରୀକରଣ ସମର୍ଥକ ପାଲଟି ଯେଉଁମାନେ ବିଭିନ୍ନ ଉଚ୍ଚକୋଟୀର ଅର୍ଥନୈତିକ ମନ୍ତବ୍ୟ ଶୁଣାଉଥିଲେ, ସେମାନେ ଏବେ ଜନସାଧାରଣ ସହୁଥିବା କଷ୍ଟ ସମ୍ପର୍କରେ ଦେଶକୁ ବୁଝାଇବା ଉଚିତ।
ସବୁକିଛି ଅନ୍‌ଲାଇନ୍‌ କରିବା ଲାଗି ଦେଶବ୍ୟାପୀ ଯେଉଁ ଉଦ୍ୟମ କରାଯାଉଛି, ତାହା ଦ୍ୱାରା କାହାର କାର୍ଯ୍ୟ ତ୍ୱରାନ୍ବିତ ହେଉଥାଇପାରେ, ସାଧାରଣ ନାଗରିକର କ୍ଷତି ଘଟୁଥିବା ପରିଲକ୍ଷିତ ହେଉଛି। ଓଡ଼ିଶାରେ ମଣ୍ଡିରେ ଧାନ ବିକ୍ରିକୁ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ। ପଶ୍ଚିମ ଓଡିଶାରେ ଏବେ ଚାଷୀମାନେ ରାଜ୍ୟସ୍ତରୀୟ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ମିଳୁଥିବା ଟୋକନ୍‌ ଯୋଗୁ ହଇରାଣ ହେଉଥିବା ଅଭିଯୋଗ କରୁଛନ୍ତି। ଧାନକୁ ମଣ୍ଡିରେ ଦିନ ଦିନ ଧରି ରଖିଥିଲେ ମଧ୍ୟ ତାହାକୁ ବିକ୍ରି କରିପାରୁ ନାହାନ୍ତି। ତେଣୁ ଟୋକନ୍‌ ବ୍ୟବସ୍ଥା ଉଚ୍ଛେଦ କରିବା ଲାଗି ଚାଷୀମାନେ ଦାବି କରୁଛନ୍ତି। ଦେଖିବାକୁ ଗଲେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ମଣ୍ଡି ସୁପରିଚାଳନାରେ ଥିବା ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯାଇ କାର୍ଯ୍ୟକୁ ସୁରୁଖୁରୁରେ କିଭଳି କରାଯାଇପାରିବ ସେଥିଲାଗି ଚେଷ୍ଟା ହେବା ଦରକାର। ଅନ୍‌ଲାଇନ୍‌ରେ ସ୍ବଚ୍ଛତା ଅଣାଯାଇ ବ୍ୟବସ୍ଥିତ କରାଯିବା ଲାଗି ସବୁ ପ୍ରକାର ପ୍ରୟାସ କରାଯାଉଛି ବୋଲି କେବଳ କହିଚାଲିଲେ ଚାଷୀକୁଳ ବୁଡ଼ିଯିବ। ଏଠାରେ ସନ୍ଦେହ ଉପୁଜୁଛି ଯେ, ଏଭଳି ଜୋରଜବରଦସ୍ତ ଅନ୍‌ଲାଇନ୍‌ ବ୍ୟବସ୍ଥା ଗିଳେଇବାର ଉଦ୍ୟମ କାହାର ମଙ୍ଗଳ ପାଇଁ ଉଦ୍ଦିଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri