କରୋନାଠୁ ପଙ୍ଗପାଳ

ଭାରତ ଏବେ ସବୁଆଡ଼ୁ ବିପଦରେ ପଡ଼ିଛି। ବାତ୍ୟା, ବନ୍ୟା, ଭୂମିକମ୍ପ, ଦୁର୍ଭିକ୍ଷ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିଆସୁଥିବା ଏହି ଦେଶ ପାଇଁ କରୋନା ଭୂତାଣୁ ବିଷମ ପରିସ୍ଥିତି ସୃଷ୍ଟି କରିଛି। କୋଭିଡ୍‌-୧୯ ଯୋଗୁ କରାଯାଇଥିବା ଲକ୍‌ଡାଉନ୍‌ ଫଳରେ ଦୁଇ ମାସରୁ ଅଧିକ ସମୟ କିଛି ଲୋକ ଘରେ ବସି ଖାଇଲେ ଓ ଆହୁରି ଅନେକେ ଖାଇବାକୁ ପାଇଲେ ନାହିଁ। ଭବିଷ୍ୟତ ପାଇଁ ସାଇତା ହୋଇ ରହିଥିବା ଖାଦ୍ୟଶସ୍ୟ କମିଆସିଲାଣି। ନୂତନ ଭାବେ ଫସଲ ଉତ୍ପାଦନ ହୋଇପାରି ନ ଥିବାରୁ ଆଗକୁ ଖାଦ୍ୟ ସଙ୍କଟ ଦେଖାଦେବ ବୋଲି ସ୍ପଷ୍ଟ ଦିଶିଲାଣି। ଏଭଳିସ୍ଥଳେ ଶସ୍ୟ ଖେତ ଉପରେ ପଙ୍ଗପାଳଙ୍କ ଆକ୍ରମଣ ଚାଷୀଙ୍କ ପାଇଁ ଏକ ବଡ଼ ନୂଆ ବିପଦ ଆଣିଦେଇଛି। ଗୁଜରାଟ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶ ଆଦି ରାଜ୍ୟର ଚାଷଜମିରେ ପ୍ରବେଶ କରି ସର୍ବନାଶ କଲେଣି। ୧ ବର୍ଗ କିଲୋମିଟର ଅଞ୍ଚଳରେ ୮ କୋଟି ପଙ୍ଗପାଳଙ୍କ ଉପସ୍ଥିତି ଓ ଯେଉଁ ହାରରେ ସେଗୁଡ଼ିକ ଖାଦ୍ୟ ଖାଇ ଚାଲିଛନ୍ତି ତାହା ଚିନ୍ତାର ବିଷୟ ହୋଇଛି। କୁହାଗଲାଣି ୨୭ ବର୍ଷ ପରେ ଏହା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜର ସମୟ ଆଣିଛି। ୧୯୯୩ ପରେ ଏହା ଖାଦ୍ୟଶସ୍ୟ ଉପରେ ସବୁଠାର ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଏହି ଭ୍ରମଣକାରୀ କୀଟଙ୍କୁ ହଟେଇବା ସହଜ ନ ଥିବାରୁ ସେମାନେ ଫସଲ ଖାଇବା ସହ ସେଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣରେ ନଷ୍ଟ କରିଚାଲିଛନ୍ତି। ଗୋଟିଏ ପଙ୍ଗପାଳ ମାତ୍ର ୯୦ ଦିନ ବଞ୍ଚୁଥିଲେ ହେଁ ଯେଉଁ ହାରରେ ସେଗୁଡ଼ିକ ବଂଶ ବିସ୍ତାର କରିଥାଆନ୍ତି, ସେଗୁଡ଼ିକୁ ରୋକିବା ସମ୍ଭବ ନୁହେଁ।
କୁହାଯାଇଥାଏ, ଦୁର୍ଭାଗ୍ୟ ଏକୁଟିଆ ଆସେ ନାହିଁ, ସେ ତା’ ବନ୍ଧୁବାନ୍ଧବଙ୍କୁ ଧରି ଆସେ। ଭାରତ ଆଜି ସେଭଳି ଗୋଟିଏ ପରେ ଗୋଟିଏ ବିପଦର ସାମ୍ନା କରିଚାଲିଛି। ଉତ୍ତର ଆଫ୍ରିକା ଓ ପଶ୍ଚିମ ଏସିଆର ରାଷ୍ଟ୍ରରେ ପଙ୍ଗପାଳ ଆକ୍ରମଣ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏହାର ପ୍ରଭାବରେ ଏହିସବୁ ଅଞ୍ଚଳର କୃଷି ଅର୍ଥନୀତି ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ସେହି ତାଲିକାରେ ଏବେ ଭାରତ ସାମିଲ ହୋଇଯାଇଛି।
ଭାରତ ଉପମହାଦେଶ ପାଇଁ ପଙ୍ଗପାଳ ଏକମାତ୍ର ବିପଦ ନୁହେଁ, ସମଗ୍ର ପୃଥିବୀକୁ ଗ୍ରାସ କରିଥିବା ନୋଭେଲ କରୋନା ଭାଇରସ୍‌ କୋଭିଡ-୧୯ ଭାରତକୁ ବାଦ୍‌ ପକାଇ ନାହିଁ। ସରକାରୀ ସ୍ତରରେ ତଥ୍ୟ ଏବଂ ଦୂରଦୃଷ୍ଟିର ଅଭାବ ଯୋଗୁ ଅସମୟରେ ଲକ୍‌ଡାଉନ୍‌ କରାଗଲା। ସେହି ଭୁଲ୍‌ ନିଷ୍ପତ୍ତିରୁ ଉପୁଜିଲା ପ୍ରବାସୀ ଶ୍ରମିକଙ୍କ ସମସ୍ୟା। କର୍ମସ୍ଥଳୀରେ ମାଲିକମାନେ ଅମାନୁଷିକତା ପ୍ରଦର୍ଶନ କରି ସେହି ଶ୍ରମିକମାନଙ୍କୁ ମୌଳିକ ସୁବିଧା ଯୋଗାଇବା ପରିବର୍ତ୍ତେ ସେଠାରୁ ତଡ଼ିଦେଲେ। ଅନେକ ଶହ କିଲୋମିଟର ପାଦରେ ଚାଲି ଚାଲି ଘର ପାଖରେ ପହଞ୍ଚିଲା ବେଳକୁ ନିଜ ଗ୍ରାମବାସୀ ପାଲଟିଯାଇଛନ୍ତି ସେମାନଙ୍କ ଶତ୍ରୁ। ଅର୍ଥାତ୍‌ ଘରେ ମଧ୍ୟ ନ୍ୟାୟରୁ ବଞ୍ଚିତ ହେଲେ ଏହି ଅସହାୟ ଶ୍ରମିକ, କାରଣ ସେମାନଙ୍କୁ କରୋନା ଭୂତାଣୁର ସକ୍ରିୟ ପ୍ରତୀକ ଭାବେ ଦେଖାଗଲା। ଘରମୁହାଁ ହୋଇଥିବା ଏହି ଲୋକମାନେ କେବଳ ଶିଳ୍ପର ନୁହେଁ, ତନ୍ମଧ୍ୟରୁ ଅନେକେ କୃଷି ଖେତରେ କାମ କରୁଥିଲେ। ପଞ୍ଜାବ, ହରିୟାଣା, କେରଳ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶର ଚାଷୀ ତାହାର ବିଲରେ କାମ କରୁଥିବା କୃଷିଜୀବୀଙ୍କୁ ଅଣଦେଖା କରି ଏବେ ନିଜେ ରବି ଫସଲ ଅମଳ ବେଳେ ଏକୁଟିଆ ହୋଇଯାଇଛି। ଏହାଦ୍ୱାରା କୃଷିକାର୍ଯ୍ୟ ମଧ୍ୟ ଅନେକ କ୍ଷତି ସହିବାକୁ ଯାଉଛି।
ବାତ୍ୟା ଅମ୍ଫନ୍‌ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ସହିତ ବାଂଲାଦେଶରେ ଛିଡ଼ା ଫସଲକୁ ଉଜାଡ଼ିଦେବା ସହିତ ଅନେକ କ୍ଷୟକ୍ଷତି ଘଟାଇଛି। ମଣିଷ ସୃଷ୍ଟି କରିଥିବା ବିଭାଜନ ଯଥା ଜିଲା, ରାଜ୍ୟ ବା ଦେଶକୁ ପ୍ରକୃତିର ଶକ୍ତି ମାନେନାହିଁ। ଭୁଲିଯିବା ପୂର୍ବରୁ ଏଠାରେ ଉଲ୍ଲେଖ କରିବା ଦରକାର ଯେ ଗତ ସୋମବାର, ୨୫ ମେ’ ୨୦୨୦ରେ ଉତ୍ତରପୂର୍ବାଞ୍ଚଳର କେତୋଟି ରାଜ୍ୟ ଯଥା- ମେଘାଳୟ, ନାଗାଲାଣ୍ଡ, ମିଜୋରାମ ଏବଂ ପଡ଼ୋଶୀ ଦେଶ ମ୍ୟାନ୍‌ମାର୍‌ରେ ରିକ୍ଟର ସ୍କେଲ୍‌ରେ ୫.୫ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହୋଇଯାଇଛି। ଏଥିରୁ କ୍ଷୟକ୍ଷତି ବିଶେଷ ଦୃଷ୍ଟି ଆକର୍ଷଣ କରି ନ ଥିଲେ ମଧ୍ୟ ଏହି ଘଟଣା ପ୍ରମାଣ କରିଦେଉଛି ଯେ କୌଣସି ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଭାରତ ଉପମହାଦେଶକୁ ଛାଡୁନାହିଁ। ଅବଶ୍ୟ ନୋଭେଲ୍‌ କରୋନା ଭାଇରସ୍‌ ପ୍ରକୃତିର ସୃଷ୍ଟି ନୁହେଁ। ଏହା ମନୁଷ୍ୟକୃତ ବୋଲି କୁହାଯାଉଛି। ସମ୍ଭବତଃ ସେଥିପାଇଁ ପୃଥିବୀର କୋଣ ଅନୁକୋଣରେ ଏହାର କୁପ୍ରଭାବ ଦେଖିବାକୁ ମିଳୁଛି। ଯାହା କୁହାଯାଉଛି ଏହାଦ୍ୱାରା ମୁଖ୍ୟତଃ ପୁରୁଷ, ଉଭୟ ବୟସ୍କ ଓ ଯୁବକ ଅଧିକ ଆକ୍ରାନ୍ତ ହେଉଛନ୍ତି। ଗୋଟେପଟେ ଏହି ରୋଗର ଚିନ୍ତା ଘାରୁଥିବା ବେଳେ ଅନ୍ୟପଟେ ତାହାର ନାଗରିକମାନଙ୍କୁ ଅତିଶୀଘ୍ର ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିବାରୁ ଚାଇନାର ମନ୍ଦ ଉଦ୍ଦେଶ୍ୟ ପରିଲକ୍ଷିତ ହୋଇଛି। ଯେଉଁଭଳି ଭାବେ ଭାରତୀୟ କୂଟନୀତି ବିଫଳ ହୋଇଛି ସେଥିରୁ ବାଂଲାଦେଶ ଓ ନେପାଳ ଆମଠାରୁ ଦୂରେଇ ଗଲେଣି। ମନେହେଉଛି ଯେପରି ଚାଇନାର ଲାଲ୍‌ସେନା ଭିଆଉଥିବା ସୀମାନ୍ତ ସମସ୍ୟା ଆହୁରି ଉଗ୍ର ହୋଇପାରେ। ଏଠାରେ ମନେପଡ଼େ ଓଡ଼ିଆର ଢଗ ନଈ ନ ଦେଖୁଣୁ…। କରୋନା ପ୍ରଭାବରୁ ପୃଥିବୀର ଅର୍ଥନୀତି କେଉଁ ମୋଡ଼ ନେବ ସ୍ପଷ୍ଟ ହେବା ଆଗରୁ ଭାରତର ମନ୍ତ୍ରୀମାନେ ଯେଉଁଭଳି ଭାବେ ବୟାନ ଦେଇ କହୁଛନ୍ତି ଯେ, ଅନେକ ପାଶ୍ଚାତ୍ୟ କମ୍ପାନୀ ଚାଇନା ଛାଡ଼ି ଭାରତ ଆସିବେ ତାହା ସମ୍ପୂର୍ଣ୍ଣ ଭାବେ ଅପରିପକ୍ୱ ମନେହୁଏ। ଭାରତକୁ ଏକ ଶିକ୍ଷା ଦେବା ପାଇଁ ସୀମାନ୍ତରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରାଯାଇଥାଇପାରେ।
ପଙ୍ଗପାଳ, କୋଭିଡ୍‌-୧୯, ପ୍ରବାସୀ ଶ୍ରମିକଙ୍କ ସମସ୍ୟା, ଅର୍ଥନୈତିକ ମାନ୍ଦାବସ୍ଥା, କୂଟନୈତିକ ବିଫଳତା, ଅମ୍ଫନ, ଭୂକମ୍ପ ଏବଂ ଶେଷରେ ଚାଇନାର ଧମକ ଭାରତୀୟମାନଙ୍କୁ ଅତିଷ୍ଠ କରିବା କଥା। ଏହା ପରେ ତ୍ରାହି ତ୍ରାହି ଡାକିଲେ ହୁଏତ ଆମ କଥା ଶୁଣିବାକୁ କେହି ଇଚ୍ଛୁକ ହେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri