ଉତ୍କଳର ରାଜବଂଶ ଓ ବାଇଶି ପାହାଚ

ବୈକୁଣ୍ଠନାଥ ମିଶ୍ର

ଭୌମକର ବଂଶର ଶାସକମାନେ କଳିଙ୍ଗକୁ ଶାସନ କରୁଥିବା ସମୟରେ ସୋମବଂଶୀମାନେ କୋଶଳର ଶାସନକର୍ତ୍ତା ଥିଲେ। ନବମ ଶତାବ୍ଦୀର ଶେଷଭାଗରେ ଭୌମକର ଶାସନର ପତନ ଘଟିଲା ଓ ପ୍ରବଳ ପରାକ୍ରମୀ ସୋମବଂଶୀମାନେ ଓଡ଼ିଶା ଶାସନର ଭାଗ୍ୟବିଧାତା ସାଜିଲେ। ଏହି ବଂଶର ସୁଦକ୍ଷ ଶାସକ ଯଯାତିକେଶରୀ-୨ୟଙ୍କ ରାଜତ୍ୱ ସମୟରେ କଳିଙ୍ଗ, କଙ୍ଗୋଦ, ଉତ୍କଳ ଓ କୋଶଳର ମିଶ୍ରଣ ଘଟି ବୃହତ୍‌ ଓଡ଼ିଶା ଜନ୍ମନେଲା। ଆଗଙ୍ଗାଗୋଦାବରୀ ଶାସନକର୍ତ୍ତା ସାଜିଥିବା ସୋମବଂଶୀମାନେ ଖ୍ରୀଷ୍ଟୀୟ ୯ମ ଶତାବ୍ଦୀରୁ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରି ଓଡ଼ିଶାର ରାଜନୈତିକ, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ବିତ କରିଥିଲେ। ଭାରତୀୟ ଉପମହାଦେଶରେ ଓଡ଼ିଶାର ସ୍ଥାନ ଅଦ୍ୱିତୀୟ ଥିଲା। ସୋମବଂଶୀ ଶାସକଙ୍କ ମଧ୍ୟରେ ଜନ୍ମେଜୟ-୧, ଯଯାତିକେଶରୀ-୧, ଯଯାତିକେଶରୀ-୨, ଧର୍ମନାଥ ଓ ଉଦ୍ୟୋତ କେଶରୀଙ୍କ ନାମ ଐତିହାସିକ ଦୃଷ୍ଟିକୋଣରୁ ଅତୀବ ଗୁରୁତ୍ୱପୂର୍ଣ୍ଣ। ସୋମବଂଶୀମାନେ ଥିଲେ ଶିବ ଉପାସକ। ଏହି ବଂଶର ରାଜା ଯଯାତିକେଶରୀ-୨ ଯାଜପୁରଠାରେ ଅଶ୍ୱମେଧ ଯଜ୍ଞ କରି ଯାଜପୁରକୁ ଓଡ଼ିଶାର ରାଜଧାନୀ କରିଥିଲେ। ସେ କାନ୍ୟକୁବ୍ଜରୁ ଦଶହଜାର ବ୍ରାହ୍ମଣ ଆଣି ଓଡ଼ିଶାରେ ସ୍ଥାୟୀ ବସତି ସ୍ଥାପନ କରାଇ ଆରାଧନାର ମାର୍ଗ ପ୍ରଶସ୍ତ କରିଥିଲେ। ଯଯାତିଙ୍କ କୀର୍ତ୍ତି ମଧ୍ୟରେ ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ଅନ୍ୟତମ, ଯାହାର ନିର୍ମାଣ କାର୍ଯ୍ୟ ତାଙ୍କ ସମୟରେ ଆରମ୍ଭ ହୋଇଥିଲା। ଏକାମ୍ର କ୍ଷେତ୍ରକୁ ମନ୍ଦିରମାଳିନୀ କରିବାରେ ସୋମବଂଶୀ ଶାସକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।
ସୋମବଂଶୀ ରାଜାମାନଙ୍କ ବଂଶାନୁକ୍ରମିକ ଶାସନର ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଉତ୍କଳରେ ଗଙ୍ଗ ସାମ୍ରାଜ୍ୟର ଭିତ୍ତିପ୍ରସ୍ତର ସ୍ଥାପିତ ହେଲା। ସୋମବଂଶୀମାନେ ପ୍ରବଳ ଶିବଭକ୍ତ ଥିଲେ। କିନ୍ତୁ ଗଙ୍ଗ ନରପତିମାନେ ଥିଲେ ବିଷ୍ଣୁଭକ୍ତ। ପ୍ରଗାଢ଼ ବିଷ୍ଣୁଭକ୍ତି ସେମାନଙ୍କୁ ବୈଷ୍ଣବ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ଅନୁପ୍ରେରିତ କରିଥିଲା। ଗଙ୍ଗବଂଶର ପ୍ରତିଷ୍ଠାତା ଥିଲେ ପ୍ରଥିତଯଶା ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ। ଚୋଡ଼ଗଙ୍ଗଦେବ ସ୍ବକୀୟ ରଣକୌଶଳ ଓ ପ୍ରଗାଢ଼ ବୁଦ୍ଧିମତ୍ତା ଯୋଗୁ ଆଗଙ୍ଗାଗୋଦାବରୀ ବିସ୍ତୃତ ଉତ୍କଳ ରାଜ୍ୟର ସୀମାକୁ ସୁରକ୍ଷିତ ରଖିପାରିଥିଲେ। ଦ୍ୱାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଚୋଡ଼ଗଙ୍ଗଦେବ ପୁରୀ ଶ୍ରୀମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ସର୍ବସମ୍ପଦର ଉତ୍ସ ତଥା ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ଓ ଓଡ଼ିଆ ଜାତିର ଗର୍ବଗୌରବର ମୂକସାକ୍ଷୀ ଶ୍ରୀମନ୍ଦିର ଆଜି ତା’ର ପତିତପାବନ ନେତକୁ ଫରଫର ଉଡ଼ାଇ ମାନବ ଜୀବନର ସକଳ ଅବସାଦକୁ ଦୂରେଇଦେଉଛି। ଶ୍ରୀମନ୍ଦିରରେ ବିରାଜିତ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ଓଡ଼ିଶା ଭଳି ଏକ କ୍ଷୁଦ୍ର ରାଜ୍ୟରେ ଆବିର୍ଭୂତ ହୋଇ ଓଡ଼ିଆମାନଙ୍କୁ ବିଶ୍ୱ ଦରବାରରେ ଏକ ଗୌରବମୟ ପରିଚୟ ପ୍ରଦାନ କରିଛନ୍ତି। ଯେଉଁ ସମୟରେ ସମଗ୍ର ଭାରତବର୍ଷ ମୁସଲମାନ ଅପଶାସନରେ ଜର୍ଜରିତ ଓ ହିନ୍ଦୁମାନଙ୍କ ପବିତ୍ର ଉପାସନାସ୍ଥଳୀ ମଥୁରା, ବୃନ୍ଦାବନ ଓ କାଶୀକ୍ଷେତ୍ର ମୁସଲମାନ ଶାସକଙ୍କ କ୍ରୂର ଆକ୍ରମଣର ଶିକାର, ସେହି ସମୟରେ ଶ୍ରୀକ୍ଷେତ୍ର ତା’ର ସୁରକ୍ଷା ସୁନିଶ୍ଚିତ କରିପାରିଥିଲା। ଏହା ସମ୍ଭବ ହୋଇଥିଲା କେବଳ ଲୀଳାମୟଙ୍କର ଓଡ଼ିଆଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା ଓ ଅନୁକମ୍ପା ଯୋଗୁ। ଶ୍ରୀକ୍ଷେତ୍ରର ଗରିମା ରକ୍ଷା କେବଳ ମାନବୀୟ କ୍ରିୟାର ଅଂଶବିଶେଷ ନୁହେଁ, ଏହା ସମ୍ପୂର୍ଣ୍ଣ ଦୈବୀ ଇଚ୍ଛାର ପ୍ରତିଫଳନ।
ଚୋଡ଼ଗଙ୍ଗ ଦେବଙ୍କ ପରେ ଗଙ୍ଗବଂଶର ଅନ୍ୟତମ ରାଜା ଅନଙ୍ଗଭୀମ ଦେବ ମନ୍ଦିରର ଚୂଡ଼ାନ୍ତ କାର୍ଯ୍ୟ ସମାପନ କରିଥିଲେ। ସେହି ବଂଶର ପରପିଢ଼ିର ରାଜା ଭାନୁଦେବ ଅପୁତ୍ରକ ଥିବାରୁ ଘୋର ମନସ୍ତାପ ମଧ୍ୟରେ କାଳାତିପାତ କରୁଥିଲେ। ଭାନୁଦେବଙ୍କ ରାଜତ୍ୱକାଳ ପରିବ୍ୟାପ୍ତ ଥିଲା ଖ୍ରୀ.ଅ. ୧୨୬୪ରୁ ୧୨୭୮ ପର୍ଯ୍ୟନ୍ତ। ସନ୍ତାନହୀନତାର ସନ୍ତାପରେ ଜର୍ଜରିତ ସମ୍ରାଟ ଭାନୁଦେବ ରାଜଗୁରୁଙ୍କ ପରାମର୍ଶ ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ନିକଟରେ ଆତ୍ମନିବେଦନ ସ୍ବରୂପ ଅନ୍ନଜଳ ତ୍ୟାଗକରି ସାତଦିନ ପର୍ଯ୍ୟନ୍ତ ଧ୍ୟାନସ୍ଥ ହେଲେ। ସପ୍ତମ ରାତ୍ରିର ଚତୁର୍ଥ ପ୍ରହରରେ ଶ୍ରୀଜଗନ୍ନାଥ ରାଜାଙ୍କୁ ସ୍ବପ୍ନାଦେଶ ଦେଇ ପ୍ରଭୁ ଯମେଶ୍ୱରଙ୍କ ଶରଣାପନ୍ନ ହେବାକୁ ଆଦେଶ କଲେ। ପ୍ରଭୁଙ୍କ ଆଜ୍ଞାନୁସାରେ ସମ୍ରାଟ୍‌ ଭାନୁଦେବ ଯମେଶ୍ୱରଙ୍କ ନିକଟରେ ଅନ୍ନଜଳ ପରିହାରପୂର୍ବକ ଭକ୍ତିପୂତ ଚିତ୍ତରେ ଧ୍ୟାନମଗ୍ନ ହେଲେ। ପ୍ରଭୁ ଯମେଶ୍ୱର ପ୍ରସନ୍ନ ହୋଇ ସପ୍ତମ ରାତ୍ରିରେ ସମ୍ରାଟ୍‌ଙ୍କୁ ସ୍ବପ୍ନରେ ଦର୍ଶନ ଦେଇ ପୁତ୍ରସନ୍ତାନ ପ୍ରାପ୍ତିର ବରଦାନ କଲେ। ଯଥାସମୟରେ ରାଣୀଙ୍କ ଗର୍ଭରୁ ପୁତ୍ର ସନ୍ତାନଟିଏ ଜାତହେଲା। ନବଜାତକ ଶିଶୁଟିର ତେଜରେ ସମଗ୍ର ରାଜପ୍ରାସାଦ ଅଲୌକିକ ଉଜ୍ଜ୍ୱଳ ରଶ୍ମିରେ ଉଦ୍ଭାସିତ ହେଲା। ରାଜା ଓ ରାଣୀଙ୍କର ମନ ଆନନ୍ଦରେ ନାଚି ଉଠିଲା। ମହାଆଡ଼ମ୍ବରରେ ପୁତ୍ରର ନାମକରଣ ଉତ୍ସବ ଅନୁଷ୍ଠିତ ହେଲା। ପାତ୍ର, ମନ୍ତ୍ରୀ, ରାଜଗୁରୁ, ସେନାପତି ଓ ରାଜନଅର ସହିତ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କ ଯୋଗଦାନରେ ରାଜପ୍ରାସାଦ ଉତ୍ସବମୁଖର ହୋଇଉଠିଲା। ମାତ୍ର ନାମକରଣ ଉତ୍ସବର ସମସ୍ତ ସରସତା ନିମିଷକେ ମଳିନ ପଡ଼ିଗଲା, ଯେତେବେଳେ ରାଜଜ୍ୟୋତିଷ ଦୁଃଖାତିଶଯ୍ୟରେ ପ୍ରକାଶ କଲେ ଯେ, ରାଜକୁମାରଙ୍କର ଆୟୁଷ ମାତ୍ର ବାଇଶି ବର୍ଷ। ରାଜାଙ୍କ ମୁଣ୍ଡରେ ସତେ ଯେପରି ବଜ୍ରପାତ ହେଲା।
ରାଜଗୁରୁଙ୍କ ପରାମର୍ଶ ଅନୁସାରେ ଇଷ୍ଟପ୍ରାଣ ସମ୍ରାଟ୍‌ ଭାନୁଦେବ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୁନର୍ବାର ଶରଣାପନ୍ନ ହେଲେ। ଶ୍ରୀଜଗନ୍ନାଥ ଅନ୍ତର୍ଯ୍ୟାମୀ। ସେ ସ୍ବପ୍ନରେ ସମ୍ରାଟ୍‌ଙ୍କୁ ଆଦେଶ କଲେ, ତୁମେ ମୋ ମନ୍ଦିରର ପ୍ରବେଶ ପଥରେ ବାଇଶିଗୋଟି ପାହାଚ ନିର୍ମାଣ କର। ମୋତେ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କର ପଦରଜରେ ବାଇଶି ପାହାଚ ପବିତ୍ରିତ ହେବ ଏବଂ ତଦ୍ଦ୍ବାରା ତୁମ ପୁତ୍ରର ରିଷ୍ଟ ଖଣ୍ଡନହେବ ଓ ସେ ଦୀର୍ଘଜୀବୀ ହେବେ। ସମ୍ରାଟ୍‌ ଭାନୁଦେବ ବାଇଶି ପାହାଚ ନିର୍ମାଣରେ ମନପ୍ରାଣ ଢାଳିଦେଲେ। ନାନା ବାଧାବିଘ୍ନ ସତ୍ତ୍ୱେ ବାଇଶି ପାହାଚ ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। କିମ୍ବଦନ୍ତୀ କହେ ବାଇଶି ପାହାଚ ନିର୍ମାଣ ସମୟରେ ପାହାଚର ଠିକ୍‌ ମଧ୍ୟସ୍ଥଳରେ ଏକ ଗର୍ତ୍ତ ସୃଷ୍ଟି ହୋଇ ପ୍ରବଳ ଜଳ ଉଦ୍‌ଗୀର୍ଣ୍ଣ ହେବାକୁ ଲାଗିଲା। କୁହାଯାଏ ଉକ୍ତ ଗର୍ତ୍ତ ମହୋଦଧି ସହ ସଂଯୁକ୍ତ ଥିବାରୁ ଉଦ୍‌ବେଳିତ ସାମୁଦ୍ରିକ ତରଙ୍ଗ ଦ୍ୱାରା ଆନିତ ଜଳ ଫୁକାର ମାଧ୍ୟମରେ ଉପରକୁ ଆସି ନିର୍ମାଣାଧୀନ କାର୍ଯ୍ୟରେ ଘୋର ଅନ୍ତରାୟ ସୃଷ୍ଟି କଲା। ଶିଳ୍ପୀଙ୍କର ସମସ୍ତ ପ୍ରତିକାର ବ୍ୟର୍ଥ ହେଲା। ସମ୍ରାଟ୍‌ ହତୋତ୍ସାହ ହୋଇପଡ଼ିଲେ। ବାଇଶି ପାହାଚର ନିର୍ମାଣ ପୂର୍ଣ୍ଣାଙ୍ଗ ନ ହେଲେ ପୁତ୍ରର ଦୀର୍ଘଜୀବନ ସମ୍ଭାବନା ଫଳବତୀ ହୋଇପାରିବ ନାହିଁ। ରାଜଗୁରୁଙ୍କ ପରାମର୍ଶକ୍ରମେ ସମ୍ରାଟ୍‌ ବରୁଣ ଦେବତାଙ୍କ ଉଦ୍ଦେଶ୍ୟରେ ହୋମଯଜ୍ଞ ଓ ଉପାସନା କଲେ। ବରୁଣ ଦେବତା ସନ୍ତୁଷ୍ଟ ହେଲେ ଓ ଜଳ ଉଦ୍‌ଗିରଣ ବନ୍ଦ ହେଲା। ବାଇଶି ପାହାଚର ନିର୍ମାଣ କାର୍ଯ୍ୟ ଶେଷ ହେଲା। ବାଇଶି ପାହାଚ ଉପର ଦେଇ ଭକ୍ତମାନେ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ କଲେ। ରାଜପୁତ୍ରଙ୍କ ରିଷ୍ଟ ଖଣ୍ଡନ ହେଲା ଓ ସେ ଦୀର୍ଘଜୀବନ ପ୍ରାପ୍ତ ହେଲେ। ରାଜପୁତ୍ର ଦୀର୍ଘଜୀବୀ ହେଲେ ସିନା, ସେ ଥିଲେ ଅତ୍ୟନ୍ତ ଦୁର୍ବଳ ଓ କାପୁରୁଷ। ଫଳରେ ପିତା ଭାନୁଦେବଙ୍କ ବିଚକ୍ଷଣ ସେନାଧ୍ୟକ୍ଷ କପିଳ ରାଉତରାୟ ନିଜକୁ କପିଳେନ୍ଦ୍ର ଦେବ ଘୋଷଣା କରି ସିଂହାସନ ଆରୋହଣ କଲେ। ସେ ଥିଲେ ସୂର୍ଯ୍ୟବଂଶୀ ଏବଂ ତାଙ୍କଠାରୁ ଉତ୍କଳରେ ଗଜପତି ଶାସନର ଅୟମାରମ୍ଭ ହେଲା।
ଆଉ କେତେଜଣ ଐତିହାସିକଙ୍କ ମତରେ ମନ୍ଦିରର ବହିସ୍ଥ ପାହାଚ କାଳକ୍ରମେ ଅପଭ୍ରଂଶ ହୋଇ ବାଇଶିପାହାଚ ନାମରେ ଲୋକମୁଖରେ ପ୍ରସିଦ୍ଧି ଅର୍ଜନ କରିଛି। ସେ ଯାହାହେଉ ବାଇଶି ପାହାଚ ନିର୍ମାଣ ଦ୍ୱାରା ରାଜପୁତ୍ର ଦୀର୍ଘଜୀବନ ପ୍ରାପ୍ତ ହୋଇଥିବାରୁ ଭକ୍ତମାନେ ବାଇଶି ପାହାଚରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରି ଆସୁଛନ୍ତି। ବିଶ୍ୱାସ ରହିଛି ବାଇଶି ପାହାଚରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କର ବୈକୁଣ୍ଠପ୍ରାପ୍ତି ହୋଇଥାଏ। ଶ୍ରୀମନ୍ଦିରର ଅନ୍ୟ ଅଂଶ ପରି ବାଇଶି ପାହାଚ ମଧ୍ୟ ଏକ ପବିତ୍ର ସ୍ଥାନ।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri