ଆଜିର ଅର୍ଥନୀତି/ଅଳସୁଆ ବଢୁଛନ୍ତି

ପ୍ରତ୍ୟେକ ରାଜନୈତିକ ଦଳ ଯେକୌଣସି ଉପାୟରେ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। ନିର୍ବାଚନ ବର୍ଷରେ ଏସବୁ ଦେଖିବାକୁ ମିଳିଥାଏ। ପ୍ରମୁଖ ରାଜନୈତିକ ଦଳ, ବିଶେଷତଃ କ୍ଷମତାସୀନ ଦଳ ବିଭିନ୍ନ ଲୋକପ୍ରିୟ ଯୋଜନା ଘୋଷଣା କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରନ୍ତି। ଲୋକଙ୍କ ଭୋଟ ହାତେଇବା ଓ ପୁନଃ ନିର୍ବାଚିତ ହେବା ପାଇଁ ଶାସକ ଦଳ ନିଜ ଟଙ୍କାମୁଣିର ଡୋର ଢିଲା କରିଦିଅନ୍ତି। କିନ୍ତୁ ଏଥିପାଇଁ ସରକାରଙ୍କ ପାଖରେ ଯଥେଷ୍ଟ ସମ୍ବଳ ଅଛି କି ନାହିଁ, ସେଥି ପ୍ରତି ସେମାନଙ୍କର ନଜର ନ ଥାଏ। ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଏ ଏବଂ ରାଜକୋଷରୁ ଅର୍ଥ ବଣ୍ଟାଯାଏ। ତେବେ ଏହା ନ କଲେ ରାଜନେତାମାନେ ନିଜର କ୍ଷତି ହିଁ କରିବେ। ଓଡ଼ିଶାରେ ବିଜୁ ଜନତା ଦଳ ସରକାର ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏପରି ଅନେକ ଲୋକପ୍ରିୟ ଯୋଜନା ଘୋଷଣା କରିଛନ୍ତି। କିନ୍ତୁ ଏଥିପାଇଁ ଟଙ୍କା କେଉଁଠୁ ଆସିବ ତାହା କାହାକୁ ଜଣାନାହିଁ। ଲୋକପ୍ରିୟ ଯୋଜନା ଘୋଷଣା କରିବାର ଦୁଇଟି ଅପକାରିତା ଅଛି। ପ୍ରଥମଟି ହେଉଛି, ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଯଥେଷ୍ଟ ଆଭ୍ୟନ୍ତରୀଣ ସମ୍ବଳ ଅଭାବରୁ ରାଜ୍ୟ ସରକାର ବିଭିନ୍ନ ସୂତ୍ରରୁ ଋଣ କରିପାରନ୍ତି। ଏହାଦ୍ୱାରା ସରକାର ସଦ୍ୟ ପୁଞ୍ଜି ଗଠନ କ୍ଷେତ୍ରରେ ନିବେଶ କରିପାରିବେ ନାହିଁ। ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) କମିବ। ମାଗଣା ବାଣ୍ଟିବାର ଆଉ ଏକ ଦୀର୍ଘସ୍ଥାୟୀ କୁପ୍ରଭାବ ହେଉଛି ରାଜ୍ୟରେ ବହୁସଂଖ୍ୟକ ପରାଙ୍ଗପୁଷ୍ଟ ମଣିଷ ସୃଷ୍ଟି ହେବେ। ସବୁ କଥାରେ ସେମାନେ ସରକାରଙ୍କ ଉପରେ ନିର୍ଭରଶୀଳ ହୋଇପଡ଼ିବେ। ଏହି ବ୍ୟବସ୍ଥା ଦ୍ୱାରା ମାଗଣା ଖାଇବାକୁ ମିଳୁଥିବାରୁ ଲୋକମାନେ କାମ ନ କରି ଅଳସୁଆ ହୋଇଯିବେ।
ରାଜ୍ୟର ଶ୍ରମଜୀବୀ ଲୋକମାନଙ୍କୁ ସରକାର କିଲୋ ପିଛା ଏକଟଙ୍କାରେ ଚାଉଳ ଯୋଗାଇଦେଉଛନ୍ତି। ପାଞ୍ଚଟଙ୍କାରେ ଭାତଡାଲମା ବି ଖାଇବାକୁ ମିଳୁଛି। ଶ୍ରମଜୀବୀମାନେ ପେଟ ପୋଷିବା ପାଇଁ ହିଁ ଶାରୀରିକ ଶ୍ରମସାଧ୍ୟ କାମ କରିବାକୁ ବାଧ୍ୟ ହୋଇଥାନ୍ତି। କିନ୍ତୁ ମାଗଣାରେ ଖାଇବାକୁ ମିଳିଲେ ସେମାନେ କାହିଁକି ବା କାମ କରିବାକୁ ଯିବେ? ରିଜର୍ଭ ବ୍ୟାଙ୍କର ଏକ ବାର୍ଷିକ ରିପୋର୍ଟ ଅନୁସାରେ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ) ଯୋଗୁ କୃଷିକ୍ଷେତ୍ରରେ କାମ କରିବା ପାଇଁ ଲୋକ ମିଳୁନାହାନ୍ତି। ଛଅଟି ରାଜ୍ୟରେ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଲୋକମାନେ ପାରମ୍ପରିକ କୃଷିକ୍ଷେତ୍ରରେ କାମକରିବା ବଦଳରେ ଏମ୍‌ଜିଏନ୍‌ଆର୍‌ଇଜିଏ ଅଧୀନରେ କାମ କରିବାକୁ ଆଗ୍ରହ ପ୍ରକାଶ କରୁଥିବାରୁ କୃଷିଶ୍ରମିକଙ୍କ ଅଭାବ ଘଟୁଛି। ଗୁଜରାଟ, କେରଳ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ୧,୭୯୮ ଜଣ ଜବ୍‌କାର୍ଡଧାରୀ ଶ୍ରମିକଙ୍କ ଉପରେ କରାଯାଇଥିବା ପ୍ରାଥମିକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ପାରମ୍ପରିକ କାର୍ଯ୍ୟ ବଦଳରେ ଏମ୍‌ଜିଏନ୍‌ଆର୍‌ଇଜିଏ ଅଧୀନରେ କାମ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ଶ୍ରମିକଙ୍କ ସଂଖ୍ୟା ଓଡ଼ିଶାରେ ସବୁଠାରୁ ଅଧିକ ଓ ଏହା ୭୫ ପ୍ରତିଶତ। ତା’ ତଳକୁ ରହିଛି ଉତ୍ତରପ୍ରଦେଶ (୬୬%) ଓ ପଶ୍ଚିମବଙ୍ଗ (୪୨.୫%)।
ତେବେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ବା ଗ୍ରାମରୁ ସହରକୁ ଚାଲିଯାଉଥିବା ଶ୍ରମିକଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। କାମ ପାଇଁ ସହରକୁ ଲୋକ ଆସୁ ନ ଥିବାରୁ ସହରାଞ୍ଚଳରେ ଶ୍ରମିକଙ୍କର ଘୋର ଅଭାବ ଦେଖାଦେଇଛି। ଗ୍ରାମାଞ୍ଚଳରେ ବି ଗରିବ ଓ ଶ୍ରମିକ ଶ୍ରେଣୀର ଲୋକମାନେ ମାଗଣାରେ ବା ସ୍ବଳ୍ପ ମୂଲ୍ୟରେ ଖାଇବାକୁ ପାଉଥିବାରୁ ସେମାନେ ଆଉ କୃଷିକ୍ଷେତ୍ରରେ କାମ କରିବାକୁ ମଙ୍ଗୁନାହାନ୍ତି। ଶ୍ରମିକ ଅଭାବରୁ ଠିକାଦାରମାନେ କୌଣସି ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ଭିତରେ ସାରିପାରୁ ନାହାନ୍ତି। ଅଧିକ ମଜୁରି ଯାଚିଲେ ମଧ୍ୟ ସହରାଞ୍ଚଳରେ ବିଭିନ୍ନ ନିର୍ମାଣ କାର୍ଯ୍ୟ କରିବାକୁ ଗ୍ରାମାଞ୍ଚଳରୁ ଲୋକ ଆସୁନାହାନ୍ତି। ଅପରିଣାମଦର୍ଶୀ ମାଗଣା ବଣ୍ଟନ ଯୋଗୁ ଓଡ଼ିଶାର ଶ୍ରମିକ ଶ୍ରେଣୀ ଭିତରେ କାମ କରି ରୋଜଗାର କରିବାର ମାନସିକତା ମରିଗଲାଣି। କେବଳ ଭୋଟ ପାଇବା ପାଇଁ ସରକାର ମାଗଣା ବାଣ୍ଟିବା ବ୍ୟବସ୍ଥା ବନ୍ଦ କରି ଲୋକମାନଙ୍କୁ କାମ କରି ରୋଜଗାର କରିବାକୁ ଉତ୍ସାହିତ କରିବା ଦରକାର। ତାହାଦ୍ୱାରା ରାଜ୍ୟର ତଥା ଦେଶର ଆର୍ଥିକ ଅଭିବୃଦ୍ଧି ଘଟିପାରିବ। ଓଡ଼ିଶାରେ ସାମ୍ପ୍ରତିକ ବ୍ୟବସ୍ଥା ଲକ୍ଷ ଲକ୍ଷ ଅଳସୁଆ ଲୋକଙ୍କୁ ସୃଷ୍ଟି କରିଛି। ଏହି ପରିସ୍ଥିତି ଯୋଗୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଅନ୍ୟ ପଡ଼ୋଶୀ ରାଜ୍ୟରୁ ଓଡ଼ିଶାକୁ ଶ୍ରମିକମାନେ ଆସି କାମ କରୁଛନ୍ତି। ସରଳ ଭାଷାରେ କହିଲେ ରାଜ୍ୟର ଅର୍ଥନୀତି ପାଇଁ ଏହା ଏକ ଦୋହରା ଝଟକା ବା ଦୁଇଗୁଣ କ୍ଷତିକାରକ। ଏହାଦ୍ୱାରା ଆମ ରାଜ୍ୟରୁ ପୁଞ୍ଜି ଅନ୍ୟ ରାଜ୍ୟକୁ ଚାଲିଯାଉଛି ଏବଂ ସାମ୍ପ୍ରତିକ ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ଏକ ଅଳସୁଆ ଜନଗୋଷ୍ଠୀ ସୃଷ୍ଟି ହୋଇଛନ୍ତି, ଯେଉଁମାନେ ନିଜର ଜୀବିକାର୍ଜନ ପାଇଁ କିଛି କରୁନାହାନ୍ତି। ଆମ ରାଜ୍ୟର ଅର୍ଥ ବାହାର ରାଜ୍ୟକୁ ଚାଲିଯାଉଥିବାରୁ ରାଜ୍ୟର ମୋଟ ଘରୋଇ ଉତ୍ପାଦରେ ହ୍ରାସ ଘଟୁଥିବା ବେଳେ ରାଜ୍ୟ ସରକାର ପୁଳାଏ ପରାଙ୍ଗପୁଷ୍ଟଙ୍କୁ ପୋଷିଚାଲିଛନ୍ତି। ନିଶ୍ଚିତ ଭାବେ ଏହା ରାଜ୍ୟର ଅର୍ଥନୀତିକୁ ବିଗାଡ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri