Posted inଖେଳ

ଆଇସିସି ବିଶ୍ୱକପ୍‌: ଭାରତ ସେମିର ନିକଟତର

ମାଞ୍ଚେଷ୍ଟର,୨୮।୬(ପି.ଟି.) – ଆଇସିସି କ୍ରିକେଟ ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ସେମିଫାଇନାଲର ନିକଟତର ହୋଇଛି। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଦମ୍‌ଦାର ବୋଲିଂ କରି ୧୨୫ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ବୃହତ୍‌ ବିଜୟ ହାସଲ କରିଛି। ଆଉ ଗୋଟିଏ ବିଜୟ ହାସଲ କଲେ ଭାରତ ସେମିଫାଇନାଲରେ ପ୍ରବେଶ କରିବ। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୬୮ ରନ ସଂଗ୍ରହ କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୩୪.୨ ଓଭରରେ ୧୪୩ ରନକରି ଅଲଆଉଟ୍‌ ହେବା ସହ ଆତ୍ମସମର୍ପଣ କରିଛି। ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଏକମାତ୍ର ଦଳ ଭାବେ ଅପରାଜେୟ ରହିଥିବା ଭାରତ ୬ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୧ ପଏଣ୍ଟ ପାଇ ନ୍ୟୁଜିଲାଣ୍ଡକୁ ହଟାଇ ଉନ୍ନତ ନେଟ୍‌ ରନ୍‌ରେଟ୍‌ରେ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠି ସେମିଆଶାକୁ ଆହୁରି ଦୃଢୀଭୂତ କରିଛି। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ୍‌ ୭ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୫ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ତାଲିକାରେ ପୂର୍ବପରି ଅଷ୍ଟମ ସ୍ଥାନରେ ରହିଛି। ରବିବାର ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଇଂଲଣ୍ଡକୁ ବର୍ମିଂହାମ୍‌ରେ ଭେଟିବ। ୭୨ ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳିଥିବା କୋହଲିଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।
୨୬୯ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ଓ୍ବେଷ୍ଟଇଣ୍ଡିଜ ୧୬ ରନରେ ୨ ଉଇକେଟ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ୬ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ସାଇ ହୋପ୍‌ ୫ ରନକରି ମହମ୍ମଦ ସାମିଙ୍କ ଦ୍ୱାର ଆଉଟ ହୋଇଥିଲେ। ଏହାପରେ ତୃତୀୟ ଉଇକେଟରେ ସୁନୀଲ ଅମ୍ବ୍ରିସ୍‌ ଓ ନିକୋଲାସ ପୁରାନ ୫୫ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ତେବେ ୩୧ ରନ କରିଥିବା ବେଳେ ଅମ୍ବ୍ରିସ୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଏହାପରେ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ଉଇକେଟ ଝଡିଥିଲା। ତାସ୍‌ଘର ପରି ଓ୍ବେଷ୍ଟଇଣ୍ଡିଜ ଇନିଂସ ଭୁଶୁଡି ପଡିଥିଲା। ପୁରାନ ୨୮ ରନକରି ଚାଇନାମ୍ୟାନ କୁଲଦୀପ ଯାଦବଙ୍କ ଦ୍ୱାର ଆଉଟ ହୋଇଥିଲେ। ଶିମରନ ହେଟ୍‌ମେୟର ୧୮ ରନ କରିଥିବା ସାମିଙ୍କ ତୃତୀୟ ଶିକାର ହୋଇଥିଲେ। ଅଧିନାୟକ ଜାସନ ହୋଲ୍ଡର ୬, କାର୍ଲୋସ ବ୍ରାଥଓ୍ବେଟ ୧, ଶେଲଡନ କଟ୍ରେଲ ୧୦ ରନ କରି ଆଉଟ ହୋଇଥିଲେ। ଫାବିଆନ ଆଲେନ ଓ ଓଶେନ ଥୋମାସ ଖାତା ଖୋଲିପାରି ନ ଥିଲେ। କେମର ରୋଚ୍‌ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ସାମି ସର୍ବାଧିକ ୪, ବୁମ୍‌ରା ୨ ଓ ୟୁଜବେନ୍ଦ୍ର ଚହଲ ୨ଟି ଲେଖାଏ, ପାଣ୍ଡ୍ୟା ଓ କୁଲଦୀପ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦେଖିଚାହିଁ ଆରମ୍ଭ କରିଥିଲା। ଇନ୍‌ଫର୍ମ ତାରକା ଓପନର ରୋହିତ ଶର୍ମା ୨୩ ବଲରୁ ଗୋଟିଏ ଲେଖାଏ ଚୌକା ଓ ଛକା ସହ ୧୮ ରନ କରିଥିବା ବେଳେ ଦ୍ରୁତ ବୋଲର କେମର ରୋଚ୍‌ଙ୍କ ବଲ୍‌ରେ ଉଇକେଟ କିପର ସାଇ ହୋପ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ। ଫିଲ୍ଡ ଅମ୍ପାୟର ଆଉଟ୍‌ ଘୋଷିତ କରି ନ ଥିଲେ। ତେବେ ଡିଆରଏସ୍‌ରେ ଥାର୍ଡ ଅମ୍ପାୟର ତାଙ୍କୁ ଆଉଟ ଘୋଷିତ କରିଥିଲେ। କିନ୍ତ ଟିଭି ରିପ୍ଲେରେ ବଲ୍‌ ବ୍ୟାଟ୍‌ରେ ବାଜିଥିବା ସ୍ପଷ୍ଟଭାବେ ଜଣାପଡୁ ନ ଥିଲା। ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପନର ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ୬୯ ରନ ସଂଗ୍ରହ କରିଥିଲେ। ରାହୁଲ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ୬୪ ବଲରୁ ୬ ଚୌକା ସହ ୪୮ ରନ କରି କ୍ରିଜ୍‌ରେ ଜମି ଆସୁଥିବା ବେଳେ ଲାଇନ୍‌ ମିସ୍‌ କରି ଜାସନ ହୋଲ୍ଡରଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ ୨ ରନ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବିଜୟ ଶଙ୍କର ପୁଣି ବିଫଳ ହୋଇଥିଲେ। ୧୯ ବଲରୁ ୩ ଚୌକା ସହ ୧୪ ରନ କରିଥିବା ବେଳେ ରୋଚ୍‌ଙ୍କ ବଲ୍‌ରେ ହୋପ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ସୁଯୋଗ ମିଳିବା ସତ୍ତ୍ୱେ ଶଙ୍କର ୪ ନମ୍ବରରେ ଏହାର ସଦ୍‌ ବ୍ୟବହାର କରିବାରେ ବିଫଳ ହୋଇଛନ୍ତି। ଭାରତୀୟ ମିଡଲ ଅର୍ଡର ପୁଣିଥରେ ସାଂଘାତିକ ଭାବେ ବିଫଳ ହୋଇଥିଲା। ଶଙ୍କରଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା କେଦାର ଯାଦବ ମଧ୍ୟ ବିଫଳ ହୋଇଥିଲେ। ଗୋଟିଏ ସ୍ଥାନ ଉପରକୁ ଆସି କେଦାର ମାତ୍ର ୭ ରନ କରିଥିବା ବେଳେ ରୋଚ୍‌ଙ୍କ ଅଫ୍‌ ଷ୍ଟମ୍ପ ବାହାରର ବଲ୍‌ ଖେଳିବାକୁ ଯାଇଥିଲେ। ବଲ ବ୍ୟାଟର ଏଜ୍‌ ନେଇଥିଲା ଓ ହୋପ୍‌ କ୍ୟାଚ୍‌ ଧରିଥିଲେ। ଏହାପରେ ପାଳି ପଡିଥିଲା ଅଧିନାୟକ ବିରାଟ କୋହଲିଙ୍କର। ସେ ୮୨ଟି ବଲ୍‌ର ସମ୍ମୁଖୀନ ହୋଇ ୮ ଚୌକା ସହ ୭୨ ରନ କରିଥିବା ବେଳେ ହୋଲ୍ଡରଙ୍କ ବଲ୍‌କୁ ପୁଲ୍‌ କରିବାକୁ ଯାଇ ମିଡ ଉଇକେଟରେ ବଦଳ ଖେଳାଳି ଡ୍ବେନ ବ୍ରାଭୋଙ୍କ ହାତରେ ଧରାପଡିଥିଲେ। ବଲ୍‌ ଆଶାନୁରୂପ ବାଉନ୍ସ କରି ନ ଥିଲା ଓ ସେ ଜଲ୍‌ଦି ଖେଳିଥିଲେ ଫଳରେ ବଲ ବ୍ୟାଟ୍‌ର ଠିକ୍‌ ସଂଯୋଗ ହୋଇ ନ ଥିଲା। ୪ଟି ମ୍ୟାଚ୍‌ରୁ କୋହଲି କ୍ରମାଗତ ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ପୁଣି ଥରେ ଏହାକୁ ଶତକରେ ପରିଣତ କରିପାରି ନ ଥିଲେ। ମହେନ୍ଦ୍ର ସିଂ ଧୋନୀଙ୍କ ସହ କୋହଲି ପଞ୍ଚମ ଉଇକେଟରେ ୪୦ ରନ ସଂଗ୍ରହ କରିଥିଲେ। ମନ୍ଥର ବ୍ୟାଟିଂ ଯୋଗୁ ବେଶ୍‌ ସମାଲୋଚିତ ହୋଇଥିବା ଧୋନୀ ଏହାକୁ ଦୋହରାଇଥିଲେ। ଧୋନୀ ଷ୍ଟ୍ରାଇକ ରୋଟେଟ କରିବାରେ ବିଫଳ ହୋଇଥିଲେ। ତାଙ୍କ ଇନିଂସରେ ଡଟ୍‌ ବଲ୍‌ ସଂଖ୍ୟା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଆଫଗାନିସ୍ତାନ ବିପକ୍ଷରେ ଭାରତ ୧୫୨ଟି ଡଟ୍‌ ବଲ୍‌ ଦେଇଥିଲା। ଏହି ମ୍ୟାଚ୍‌ରେ ଭାରତ ୧୬୩ଟି ଡଟ୍‌ ବଲ୍‌ ଦେଇଛି। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ ହେବା ପୂର୍ବରୁ ୩୮ ବଲରୁ ୫ ଚୌକା ସହ ୪୬ ରନ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ପାଣ୍ଡ୍ୟା ଶେଲଡନ କୋଟ୍ରେଲଙ୍କ ବଲକୁ ଘୂରାଇ ମାରିବାକୁ ପ୍ରୟାସ କରିଥିଲେ ମଧ୍ୟ ଡିପ୍‌ କଭରରେ ଫାବିଏନ ଆଲେନ ହାତରେ ଧରା ପଡିଥିଲେ। ମହମ୍ମଦ ସାମି ଖାତା ଖୋଲିବା ପୂର୍ବରୁ କୋଟ୍ରେଲଙ୍କ ବଲ୍‌ରେ ହୋପ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ। ଷଷ୍ଠ ଉଇକେଟରେ ଧୋନୀ ଓ ପାଣ୍ଡ୍ୟା ୬୦ ବଲରୁ ୭୦ ରନ ସଂଗ୍ରହ କରିଥିଲେ। ଅନ୍ତିମ ଓଭରରେ ଧୋନୀ ୨ଟି ଛକା ଓ ଗୋଟିଏ ଚୌକା ମାରି ୧୬ ରନ ସଂଗ୍ରହ କରିଥିଲେ। ଧୋନୀ ୬୧ଟି ବଲ୍‌ ଖେଳି ୩ ଚୌକା ଓ ୨ ଛକା ସହ ୫୬ ରନର ଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। କୁଲଦୀପ ଖାତା ଖୋଲି ନ ପାରି ଅପରାଜିତ ରହିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ରୋଚ୍‌ ୩, କୋଟ୍ରେଲ ଓ ହୋଲ୍ଡର ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Ayodhya Deepotsav 2026: ଦୀପୋତ୍ସବ ପାଳନକୁ ନେଇ ଅଯୋଧ୍ୟା ଉତ୍ସବମୁଖର; ୩୦ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ ସହ ହେବ ଇତିହାସ

ଅଯୋଧ୍ୟା,୭।୧୧: ଆଜି ଅଯୋଧ୍ୟାରେ ଦଶମ ‘ଦୀପୋତ୍ସବ’ ପାଳନ କରାଯାଉଛି। ସାକେତ କଲେଜ ଠାରେ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂହ ଦୀପୋତ୍ସବ ପାଇଁ ଉଦ୍ଦିଷ୍ଟ ଶୋଭାଯାତ୍ରା ବା…

ନ୍ୟୁଜିଲାଣ୍ଡ ମାଟିରେ ଇତିହାସ ରଚିଲେ ଗୁରନୁର: କଲେ ଏମିତି କାରନାମା

ୱେଲିଂଟନ,୭।୧୧: ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛି ନ୍ୟୁଜିଲାଣ୍ଡ। ଶନିବାର ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଘରୋଇ ଦଳକୁ ମାତ୍ର…

୨ ଦିନ ଧରି ନିଖୋଜ ଥିଲେ ଯବାନ, ଆଜି ଗଛରେ ଝୁଲୁଥିଲା ମୃତଦେହ, ଘଟଣାସ୍ଥଳରୁ…

ଲଖନପୁର,୭ା୧୧(ଗୌତମ ସାହୁ): ଦୁଇଦିନ ଧରି ନିଖୋଜ ଥିବା ଜଣେ ଓଏସ୍‌ପି ଯବାନଙ୍କ ଝୁଲନ୍ତା ମୃତଦେହକୁ ସୁନ୍ଦରଗଡ଼ ଜିଲା ହେମଗିରି ପୋଲିସ ଶନିବାର ଉଦ୍ଧାର କରିଛି। ମୃତ ଯବାନ…

ଚର୍ଚ୍ଚାରେ ଭାରତୀୟ ମହିଳା: ବିଶ୍ୱର ଶ୍ରେଷ୍ଠ ୩ ସୁନ୍ଦରୀଙ୍କ ଦେଶ ମଧ୍ୟରେ ସ୍ଥାନ ପାଇଲା ଭାରତ

ଦୁନିଆରେ ସବୁଠାରୁ ସୁନ୍ଦର ମହିଳାମାନେ କେଉଁ ଦେଶରେ ରୁହନ୍ତି? ଏହି ପ୍ରଶ୍ନ ଉପରେ ଏକ ନୂତନ ରାଙ୍କିଙ୍ଗ ସାମାନ୍ୟକୁ ଆସିଛି। ଟ୍ରାଭେଲ ପ୍ଲାଟଫର୍ମ ‘Mytour’ ୨୦ଟି ଦେଶର…

ପ୍ରଧାନଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ: ସ୍କୁଲ ଫାଟକରେ ତାଲା ପକାଇଲେ ଅଭିଭାବକ

ବଞ୍ଚୋ,୭ା୧୧(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ପୌରପାଳିକାର ୧ ନମ୍ବର ଓ୍ବାର୍ଡ ଅଧୀନରେ ଥିବା ବିରିବଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ…

ମହମ୍ମଦ ଶାମି ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌: ଜାଣନ୍ତୁ କେତେ କୋଟିର ମାଲିକ ଏହି ଷ୍ଟାର୍‌ ପେସର୍‌

ନୂଆଦିଲ୍ଲୀ,୭।୧୧:ଭାରତୀୟ କ୍ରିକେଟ୍‌ର ଅନ୍ୟତମ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘ ଦିନ ଧରି ଭାରତୀୟ ଟେଷ୍ଟ ଦଳକୁ ଫେରିବା…

ଦିନିକିଆ କ୍ରିକେଟ ଇତିହାସରେ ନ୍ୟୁଜିଲ୍ୟାଣ୍ଡର ସବୁଠାରୁ କମ ସ୍କୋର; ଗୁରନୁର ବ୍ରାରଙ୍କ ଘାତକ ବୋଲିଂ

ନୂଆଦିଲ୍ଲୀ,୭।୧୧: ଟେଷ୍ଟ ମ୍ୟାଚ ଶୈଳୀରେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୧୩୪ ରନ ସଂଗ୍ରହ କରିଛି। ବର୍ଷା କାରଣରୁ ଖେଳ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା ଏବଂ ପରବର୍ତ୍ତୀ…

IND vs NZ 2nd ODI: ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରତ୍ୟାବର୍ତ୍ତନ; ୧୩୪ ରନରେ ଅଲଆଉଟ ହେଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ,୭।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତୀୟ ଦଳ ଚମତ୍କାର ବୋଲିଂ ପ୍ରଦର୍ଶନ କରି ନ୍ୟୁଜିଲ୍ୟାଣ୍ଡକୁ ମାତ୍ର ୧୩୪ ରନରେ ଅଲଆଉଟ କରିଦେଇଛି, ଫଳରେ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?