ଅମୃତରେ ଅପମିଶ୍ରଣ

ଶୁଭନାରାୟଣ ଶତପଥୀ

କଥାରେ ଅଛି-ଦୁଗ୍ଧ ଖାଇବାକୁ ମନ କରିଥିଲେ ଘରେ ରଖିଥିବ ଗାଈ, କଳି କରିବାକୁ ବାହାରକୁ ଗଲେ ସାଙ୍ଗରେ ଥିବଟି ଭାଇ। ଏ ଲୋକକଥାର ଯଥାର୍ଥତା ଆଜିବି ମନେହୁଏ। ଗାଈର ଦୁଗ୍ଧ ବା କ୍ଷୀର ଅମୃତତୁଲ୍ୟ। ପିଲାଠାରୁ ବୟସ୍କ ଯାଏଁ ସଭିଙ୍କ ଖାଦ୍ୟର ଆବଶ୍ୟକତା ଏହି କ୍ଷୀର। ଡାକ୍ତରଙ୍କ ପରାମର୍ଶର ପ୍ରମୁଖ ଅଂଶ କ୍ଷୀର। ଆଦିମ କାଳରୁ ଯୋଗୀ ଋଷିଙ୍କଠାରୁ ବୈଜ୍ଞାନିକମାନଙ୍କ ଖାଦ୍ୟ ତଥା ଦକ୍ଷତା, ଶାରୀରିକ ଅଭିବୃଦ୍ଧିର ବିଶେଷ ଆବଶ୍ୟକତା ଭାବରେ କ୍ଷୀରର ସ୍ଥାନ ସ୍ବତନ୍ତ୍ର। ତେବେ ଏହାକୁ କିଛି ଲୋକ ବ୍ୟବସାୟ କରି ଚଳୁଥିବା ବେଳେ ବର୍ତ୍ତମାନ ଅନେକ ସଂସ୍ଥା କ୍ଷୀର ବିକ୍ରିବଟା କରୁଛନ୍ତି। ତେବେ କ୍ଷୀରରେ ପାଣି ମିଶାଇ ବିକ୍ରି କରିବା ବା ପିଇବା ଅଭ୍ୟାସଟା ଏବର ନୁହେଁ ବରଂ ପ୍ରାଚୀନ କହିଲେ ଅତ୍ୟୁକ୍ତି ହେବନାହିଁ। ଯଦିଓ ପାଣି ମିଶିବା ପରେ କ୍ଷୀରର ନିଜସ୍ବ ମାନଦଣ୍ଡ ଦୁର୍ବଳ ହୁଏ ତଥାପି ଏହା ଶରୀର ପାଇଁ ଆବଶ୍ୟକ ପୁଷ୍ଟିଠାରୁ କମ୍‌ ହେଲେ ମଧ୍ୟ ଶରୀରକୁ କ୍ଷତି ପହଞ୍ଚାଇ ନ ଥାଏ। କୌଣସି ପ୍ରକାର ଅପମିଶ୍ରିତ କ୍ଷୀର ସେବନ ସ୍ବାସ୍ଥ୍ୟ ଅହିତକାରୀ। ସଂପ୍ରତି କ୍ଷୀରରେ ଅପମିଶ୍ରଣ କରି ରୋଜଗାର କରିବା ଧୀରେ ଧୀରେ ବଢ଼ିବାକୁ ଲାଗିଲାଣିି। ତେବେ ଏହି ଅମୃତତୁଲ୍ୟ ଖାଦ୍ୟରେ ଅପମିଶ୍ରଣ ଶୁଣିଲେ ମନ ଆନ୍ଦୋଳିତ ହୋଇଯାଏ। ପ୍ରାକୃତିକ ଉପାୟରେ ମିଳୁଥିବା ଏହି କ୍ଷୀରରେ ରାସାୟନିକ ଦ୍ରବ୍ୟର ବ୍ୟବହାର ବର୍ତ୍ତମାନ ଜନଜୀବନ ପାଇଁ ଆହ୍ବାନ ପାଲଟିଲାଣି।
ଏଇ କିଛିଦିନ ତଳର ଘଟଣା। ଏକ ଗଁାରେ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥାଏ। ବୁଝିଲାବେଳକୁ ଜଣାପଡ଼ିଲା ଜଣେ କ୍ଷୀର ବିକ୍ରେତା ଓ ଆର ଜଣକ ଗ୍ରାହକ। କ୍ଷୀର ବିକୁଥିବା ବ୍ୟକ୍ତିଟିର ଘରେ ଗାଈ ନାହାନ୍ତି। ସେ ବଜାରରୁ କିଛି କ୍ଷୀର ପ୍ୟାକେଟ୍‌ ଆଣି ଆଉ କିଛି ଶସ୍ତା କ୍ଷୀରଗୁଣ୍ଡ ବା ରାସାୟନିକ ପାଉଡରକୁ ବ୍ୟବହାର କରି ଅଧିକ ଓ ବହଳିଆ କ୍ଷୀର ପ୍ରସ୍ତୁତ କରି ବିକ୍ରି କରୁଥିଲେ। ଏପରି କରୁଥିବା ଜାଣିବା ପରେ ଗ୍ରାହକ ଜଣକ ଖପ୍ପା। ଅଭିଯୋଗ ପରେ ଉକ୍ତ ବ୍ୟକ୍ତି କ୍ଷୀର ବେପାର ବନ୍ଦ କରିଥିବା ଜଣାପଡ଼ିଛି। ଶସ୍ତା ଓ ହାନିକାରକ ଜିନିଷର ବ୍ୟବହାର କରି କ୍ଷୀର ପ୍ରସ୍ତୁତ କରିବା, ବିକ୍ରି କରିବା ଓ ତାକୁ ଖାଦ୍ୟରୂପେ ଗ୍ରହଣ କରିବା ଦ୍ୱାରା ମଣିଷ ସ୍ବାସ୍ଥ୍ୟଗତ ବିପତ୍ତି ଆଡ଼କୁ ଟାଣି ହୋଇଯାଏ। ଏପଟେ ଅର୍ଥଦେଇ ଅପମିଶ୍ରିତ କ୍ଷୀର ଓ ସେପଟେ ରୋଗକୁ ବରଣ କରିବା ସାର। ଦୁଇ ପାଖରୁ କ୍ଷତି। ତେବେ ବର୍ତ୍ତମାନ ଗଁାର ଚିତ୍ରକୁ ବିଶ୍ଳେଷଣ କଲେ ଦେଖାଯାଏ ଗଁାର ଗାଈଗୋଠ, ଗୋ-ପାଳନ ଏକ ଇତିହାସ ହେବାକୁ ବସିଲାଣି। ଯେତେବେଳେ ପ୍ରତି ଘରେ ଗାଈ ଥିଲେ ଓ ଗୋଠ ଥିଲା ସେତେବେଳେ ବି କ୍ଷୀରର ନିଅଣ୍ଟ ପରିଲକ୍ଷିତ ହେଉଥିଲା। ଆଉ ଏବେ ଯଦିଓ ଗାଈ ସମସ୍ତଙ୍କ ଘରେ ନାହାନ୍ତି ତଥାପି ବ୍ୟବସାୟଭିତ୍ତିରେ ଗୋପାଳନ ପ୍ରତି ସେତେ ଆଗ୍ରହ ଦେଖାଯାଉନାହିଁି। ଆଶ୍ଚର୍ଯ୍ୟ ହେଉଛି କ୍ଷୀର, ପନିର, ଛେନା, ଦହି, ଘିଅର ଅଭାବ ନାହିଁ। ଏହା ବୈଚିତ୍ର୍ୟମୟ ନୁହେଁ କି?
କେବଳ ସ୍ଥାନୀୟ ନୁହେଁ, ପ୍ୟାକେଟ୍‌ ହୋଇ ବିକ୍ରି ହେଉଥିବା ଅମୃତତୁଲ୍ୟ କ୍ଷୀର ମଧ୍ୟ କେତେକ ସ୍ଥାନରେ ଅପମିଶ୍ରିତ ହେଉଥିବାର ଉଦାହରଣ ରହିଛି। ୪ ମାର୍ଚ୍ଚ, ୨୦୨୦ ମସିହାରେ ପ୍ରକାଶିତ ଗ୍ରାହକ ପରାମର୍ଶ ସମାଜ ରିପୋର୍ଟ ଅନୁସାରେ, ବଜାରରେ ମିଳୁଥିବା ୭୯ ଶତକଡା ବ୍ରାଣ୍ଡେଡ୍‌, ଖୋଲା କ୍ଷୀର ଅପମିଶ୍ରିତ। ଗତ ଜାନୁଆରୀ ମାସରେ ଥିରୁଭାନନ୍ତପୁରମ୍‌ରେ ଜବତ ହୋଇଥିବା ୧୫,୩୦୦ ଲିଟର କ୍ଷୀରରେ ହାଇଡ୍ରୋଜେନ୍‌ ପେରସ୍କାଇଡ୍‌ର ଉପସ୍ଥିତିକୁ ସେଠାକାର ଗୋପାଳନ ବିଭାଗ ନିଶ୍ଚିତ କରିଛି। ଗାଈ ରଖି ନ ଥିବା ଜଣେ ବ୍ୟକ୍ତି ଚେନ୍ନାଇର ଏକ ସମବାୟ ସମିତିକୁ ଲହୁଣି ଓ କ୍ଷୀରଗୁଣ୍ଡ ମିଶାଇ ବିକ୍ରି କରୁଥିବା ଖବର ନଜରକୁ ଆସିଛି। ଉକ୍ତ ବ୍ୟକ୍ତି ମନ୍ଥା ହୋଇଥିବା ଗୁଣ୍ଡ କ୍ଷୀର ଓ ଲହୁଣିକୁ ଚୋରିକରି ସେଥିରେ ପାଣି ମିଶାଇ ବିକ୍ରି କରୁଥିବା ବେଳେ ଧରାପଡ଼ିଥିଲା। ସେଠାରୁ ପାଖାପାଖି ୧୪୦ କେଜି ଲହୁଣି, ୧୭୫ କେଜି କ୍ଷୀରଗୁଣ୍ଡ, ଗୋଟିଏ କ୍ରିମ୍‌ ପୃଥକୀକରଣ, ମିଶ୍ରଣ ଯନ୍ତ୍ରପାତି ମିଳିଥିଲା। ଅନ୍ୟ ଏକ ରିପୋର୍ଟରୁ ଜଣାଯାଏ ଯେ, ଛତ୍ରପତି ଶିବାଜୀ ନଗରରେ ଖାଦ୍ୟ ଓ ଓଷଧ ପ୍ରଶାସନ ୨୫ ହଜାର ଲିଟର ବିକ୍ରି କ୍ଷୀରରୁ ୧୩ରୁ ୧୪ ହଜାର ଲିଟର ଅପମିଶ୍ରିତ ବୋଲି ଧରିଥିଲା ଓ ତିନିଜଣଙ୍କୁ ଗିରଫ କରିଥିଲା, ଯେଉଁଥିରେ ୧୩୨ ବ୍ୟାଗ୍‌ ମନ୍ଥାଯାଇଥିବା କ୍ଷୀରଗୁଣ୍ଡ, ୨୨୦ ପ୍ୟାକେଟ୍‌ ପାମ୍‌ତେଲ, ଲୁଗାଧୁଆ କଷ୍ଟିକ୍‌ ସୋଡ଼ା ମିଳିଥିଲା। ତେବେ ଭାରତୀୟ ପ୍ରାଣୀ କଲ୍ୟାଣ ବୋର୍ଡ ସଦସ୍ୟ ମୋହନ ସିଂ ଆହଲୁଓ୍ବାଲିଆ କହିଛନ୍ତି ଯେ ପ୍ରାୟ ୬୮.୭ ଶତକଡା ଦୁଗ୍ଧ ଓ ଦୁଗ୍ଧଜାତୀୟ ଦ୍ରବ୍ୟ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକାରୀଙ୍କ ଦ୍ୱାରା ସ୍ଥିରୀକୃତ ମାନକଯୋଗ୍ୟ ନୁହେଁ। ଅପମିଶ୍ରଣ କାରକଗୁଡ଼ିକ ମଧ୍ୟରେ ସାଧାରଣତଃ କଷ୍ଟିକ୍‌ ସୋଡ଼ା, ଗ୍ଲୁକୋଜ୍‌, ଧଳାରଙ୍ଗ, ରିଫାଇନ୍‌ ତେଲ ଇତ୍ୟାଦି ରହିଛି। ସେ କହିଛନ୍ତି, ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ଦେଶର ପ୍ରତିଦିନ ଦୁଗ୍ଧ ଉପତ୍ାଦନ ୧୪.୬୮ କୋଟି ଲିଟର ଥିବାବେଳେ ମୁଣ୍ଡପିଛା ପ୍ରାୟ ୪୮୦ ଗ୍ରାମ୍‌ ଖର୍ଚ୍ଚ ହୋଇଛି।
ପ୍ରତି ଘରର ଆହାର ହେଉଛି କ୍ଷୀର। କିନ୍ତୁ କ୍ଷୀର ଅପମିଶ୍ରଣ କୋମଳମତି ଶିଶୁ ଓ ଅସହାୟ ବୟୋଜ୍ୟେଷ୍ଠଙ୍କ ଜୀବନ ପ୍ରତି ଆହ୍ବାନ। ଏପରି ଅପମିଶ୍ରଣକୁ ଘରେ ପରୀକ୍ଷା କରିବାକୁ ଚାହିଁଲେ ମଣ୍ଡ କ୍ଷୀରରେ ଆୟୋଡିନ୍‌ ମିଶାଇଲେ ତାହା ନୀଳ ହୋଇଯିବ। ପାଣିମିଶ୍ରିତ କ୍ଷୀର ଚଟାଣରେ ପଡ଼ିଲେ ତାହା ବୋହିଯିବ। ଯଦି କ୍ଷୀରରେ ୟୁରିଆ ମିଶିଥିବ ତେବେ ସୋୟାବିନ୍‌ ପାଉଡର ମିଶାଇ ଫେଣ୍ଟିଲାପରେ ଲିଟିମସ୍‌ ପେପର ବୁଡ଼ାଇଲେ ତାହା ନୀଳ ପଡ଼ିଯିବ। ୧୦ ମିଲି କ୍ଷୀରରେ ୧୦ ମିଲି ପାଣି ମିଶାଇ ଫେଣ୍ଟିଲେ ଯଦି ଫେଣ ହୁଏ ତେବେ ସେଥିରେ ଡିଟରଜେଣ୍ଟ ମିଶିଥିବାର ସମ୍ଭାବନା ରହିଛି। ସିନ୍ଥେଟିକ୍‌ କ୍ଷୀରକୁ ପିଇବା ପରେ ତାହା ପାଟିକୁ ଖରାପ ଲାଗେ। ଏହି ଅପମିଶ୍ରିତ କ୍ଷୀର ପାନ କଲେ କିଡ୍‌ନୀ, ପାଚନତନ୍ତ୍ର, ଆଖି, ହାର୍ଟ ଆଦି ଶରୀରର ପ୍ରମୁଖ ଅଙ୍ଗ ଗୁଡ଼ିକୁ ପ୍ରଭାବିତ କରି ରୋଗ ସୃଷ୍ଟି କରାଏ। ତେବେ ସରକାରଙ୍କ ତରଫରୁ ଦୁଗ୍ଧ ଓ ଦୁଗ୍ଧଜାତୀୟ ସାମଗ୍ରୀ, ଯାହା ସ୍ଥାନୀୟ ଓ ବଜାରରେ ବିକ୍ରି ହେଉଛି ସେଗୁଡ଼ିକ ନିୟମିତ ବ୍ୟବଧାନରେ ପରୀକ୍ଷା ହେବା ଜରୁରୀ। ଏହି କ୍ଷୀର ଅପମିଶ୍ରଣର କାରକଗୁଡ଼ିକର ଲୁଚାଛପା ବିକ୍ରିରେ ରୋକ୍‌ ଲଗାଯାଇପାରେ। ଭାରତୀୟମାନେ ନିଜର ସାମଗ୍ରିକ ଅଭିବୃଦ୍ଧି ପାଇଁ ବେଶ୍‌ ଆଶା ଓ ଭରସା ରଖି ଗାଈକ୍ଷୀର ପାନ କରିଥାନ୍ତି ଓ ଈଶ୍ୱରଙ୍କୁ ମଧ୍ୟ ସମର୍ପଣ କରିଥାନ୍ତି। ଏଥିରେ ଅପମିଶ୍ରଣ ସେହି ଆଶାକୁ ବିପରୀତାଭିମୁଖୀ କରାଏ। ଗୋଟିଏ ବଡ଼ ବିପର୍ଯ୍ୟୟକୁ ଅପେକ୍ଷା ନ କରି ସବୁସ୍ତରରେ ବେଳହୁଁ ସାବଧାନ ହେଲେ ଏ ସମସ୍ୟାର ସମାଧାନ ସହଜ ହେବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ:୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରିସ୍କୁଟର ବିଷୟରେ କେବେ ଶୁଣିଛନ୍ତି କି। ଏଭଳି ସ୍କୁଟର ନିର୍ମାଣ କରିଛନ୍ତି ମାଙ୍ଗାଲୁରର ଗଣପତି ଭଟ୍ଟ । ଏହି ସ୍କୁଟର ରାସ୍ତାରେ ନ ଚାଲି କେବଳ...

ନକାରାତ୍ମକ ଖବର ଜାଣିବାର ଇଚ୍ଛା

ଡା. ସମ୍ରାଟ କର ସେଦିନ ବଡ଼ିସକାଳୁ ମୋର କମ୍ପ୍ୟୁଟର କ୍ଷିପ୍ରଲିଖ ସହକାରୀ ଶ୍ରଦ୍ଧେୟ ଶ୍ରୀକାନ୍ତର ଫୋନ ବାଜିଉଠିଲା। ସକାଳୁଆ ଶୁଭେଚ୍ଛା ଜଣାଇବା ସହ ବ୍ୟସ୍ତଭରା କଣ୍ଠରେ...

ଶକ୍ତ ବ୍ରେକ୍‌ ଆବଶ୍ୟକ

ଡ. ସନ୍ତୋଷ କୁମାର ମହାପାତ୍ର ଥରେ ଜଣେ ବନ୍ଧୁ ଦେଖାହେଲେ ଏବଂ ପଚାରିଲେ- ”ତମେ ସର୍ବଦା ବାମପନ୍ଥୀ ଚିନ୍ତାଧାରାରେ ଲେଖୁଛ ଏବଂ ଅନ୍ୟକୁ ସମାଲୋଚନା କରୁଛ।...

ହ୍ବେନ୍‌ ଇନ୍‌ ରୋମ୍‌…

ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ...

ଏଇ ଭାରତରେ

ଘରର ସୌନ୍ଦର୍ଯ୍ୟ ପାଇଁ ବଗିଚାରେ ସୀମିତ ନରହି ସେଥିରୁ କେମିତି କିଛି ଉତ୍ପାଦନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଗୋଟିଏ କି ଦୁଇ...

ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ   ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି...

ସ୍ମାର୍ଟ ପିଲାଙ୍କ ମାଆବାପା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଅଳ୍ପଦିନ ତଳେ ରାଜଧାନୀର ଏକ ନାମୀଦାମୀ ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଏକ ଅଭିନବ କାର୍ଯ୍ୟକ୍ରମ।...

ଯୁଦ୍ଧାଭିମୁଖୀ

ଦୁଇବର୍ଷ ପୂର୍ବେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri